ପ୍ରତାରଣାର ଏକ ଭିନ୍ନ ବାଲିଶଯ୍ୟା

Pratarana Eka Bhinna Balisajyara (ପ୍ରତାରଣାର ଏକ ଭିନ୍ନ ବାଲିଶଯ୍ୟା) by Shwetapadma Padhi

ତା’ ଘର ଲୋକ ଆସି ତାକୁ ଗାଁକୁ ନେଇ ଯାଇଛନ୍ତି ଶୁଣି ଆଉ ରହି ପାରିଲାନି ସାଗର; ଗାଡ଼ି ଧରି ସାଙ୍ଗେ ସାଙ୍ଗେ ବାହାରିଗଲା ଗାଁକୁ । ବାଟଯାକ ମନେ ମନେ ଭାବୁଥାଏ ଦି’ ଚାପୁଡ଼ା ତା’ ଗାଲରେ ମାରିବ ଆଉ ସାଙ୍ଘାତିକ ଗାଳିଦେବ ରାଧେୟକୁ । ବିଚିତ୍ର ମଣିଷ ଏମିତି କେମିତି ସମ୍ୱେଦନଶୀଳତା ହରାଇ ବସିଲା? ସମାଜ ସହିତ ନୀରନ୍ତର ସଂଗ୍ରାମ କରି ସ୍ୱନିର୍ବାଚିତ ଝିଅଟିକୁ ଭଲ ପାଇ ବାହା ହେବା ପରେ ମଧ୍ୟ ତାକୁ ବୁଝି ପାରିଲାନି? ବର୍ତ୍ତମାନ ରାଧେୟ କିଭଳି ମାନସିକ ପରିସ୍ଥିତି ଦେଇ ଗତି କରୁଥିବ କେଜାଣି? ତାକୁ ବୁଝେଇ ସୁଝେଇ ନିଜ ପାଖରେ ଆଣି ରଖିବି କିଛି ଦିନ ! ଏମିତି ୟାଡ଼ୁ ସିଆଡ଼ୁ ଭାବୁ ଭାବୁ ଅତୀତର ପୁରୁଣା କଥାରେ ହଜିଗଲା ସାଗର…

****************

ମୁଁ ସାଗର ଆଉ ରାଧେୟ ହେଉଛି ମୋ ସାଙ୍ଗ; ଆମେ ଏକାଠି ଇଞ୍ଜିନିୟରିଂ କଲେଜରେ ପାଠ ପଢ଼ୁଥିଲୁ । କଲେଜରେ ପୁଅ ହୁଅନ୍ତୁ କି ଝିଅ ସମସ୍ତଙ୍କର ଗୋଟେ ଗୋଟେ ଗ୍ରୁପ୍ ହେଇ ସାଙ୍ଗ ଥିଲେ, ହେଲେ ମୁଁ ଓ ରାଧେୟ ଅତି ଅନ୍ତରଙ୍ଗ ବନ୍ଧୁ ହେଇ ଯାଇଥିଲୁ । ରାଧେୟ ନିଜ ନାଁ ଭଳିଆ ଲାଜକୁଳା ପ୍ରକୃତିର ଥିଲା । ବେଳେବେଳେ ଅଣ୍ଟା ହଲେଇ ଚାଲିଦିଏ ଯେ ଝିଅଗୁଡ଼ାକ ସିଟି ମାରି ଥଟ୍ଟା କରି ହୋ ହୋ ହେଇ ହସନ୍ତି । ଖୁବ୍ ଚତ୍ମକାର କବିତା ଲେଖୁଥିଲା ସେ । ତା’ ଭିତରେ ଏକ ଅନନ୍ୟ କବିର ପ୍ରତିଭା ଅନ୍ତର୍ନିହିତ ଥିଲା, ହେଲେ ମଧ୍ୟବିତ୍ତ ପରିବାରର ରକ୍ଷଣାବେକ୍ଷଣ ଭାର ବଡ଼ ପୁଅ ଉପରେ ପଡ଼ିଲେ ପ୍ରତିଭା ଡାଇରୀ ଭିତରେ ବନ୍ଦ ହେଇ ରହିଯାଏ । ଦୁଇ ଭଉଣୀଙ୍କ ବାହାଘର ଓ ଘରର ଦାୟିତ୍ଵ ସମ୍ଭାଳିବା ପାଇଁ ଗାଁ ପାଖରେ ରହି ସେ ପଞ୍ଚାୟତି ବିଭାଗରେ କନିଷ୍ଠ ଯନ୍ତ୍ରୀ ଭାବେ ଯୋଗ ଦେଲା ଆଉ ମୁଁ ଏକ ମଲ୍ଟି ନ୍ୟାସନାଲ କମ୍ପାନୀରେ ଚାକିରୀ କରି ଭୁବନେଶ୍ୱରରେ ରହିଲି । ପ୍ରାୟ ପ୍ରତିଦିନ ମୋବାଇଲରେ ମେସେଜ କରୁ; ରବିବାରକୁ ରବିବାର ଭିଡ଼ିଓ କଲ୍ ମଧ୍ୟ କରୁ ଦୁହେଁ ଦି ଜଣଙ୍କୁ ।

ଥରେ ଗୋଟେ ବର୍ଷ ଦୁର୍ଗାପୂଜା ଛୁଟିରେ ରାଧେୟ ଗାଆଁକୁ ଯାଇଥିଲି । ଗାଁ ବୁଲିବା ଭିତରେ ଲକ୍ଷ୍ୟ କଲି ଲାଜକୁଳା ପିଲାଟା କେମିତି ଗୋଟେ ଗପୁଡ଼ା ମଣିଷ ହେଇ ଯାଇଛି । ବିଭିନ୍ନ କବିତା ଲେଖିଥିଲା ସବୁ ତା’ ଅଫିସ୍‌କୁ ନେଇ ବ୍ୟଙ୍ଗ କବିତା, ପ୍ରକୃତି କବିତା, ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତର ସୌନ୍ଦର୍ଯ୍ୟ ବର୍ଣ୍ଣିତ କବିତା ଓ ଅନେକ ହୃଦୟସ୍ପର୍ଶୀ ପ୍ରେମ ପୂର୍ଣ୍ଣ କବିତା । ଏତେ ସୁନ୍ଦର ଶଦ୍ଦ ସଂଯୋଜନା କରିଥିଲା କବିତା ପଢ଼ି ମୁଁ ଆତ୍ମ ବିଭୋର ହେଇ ଉଠିଥିଲି । ତା’ ପରେ ସେ ତା’ ମୋବାଇଲରୁ ଏକ ସୁନ୍ଦର ଝିଅର ଫୋଟୋ ଦେଖେଇଲା । ଝିଅଟିର ଫୋଟୋ ଦେଖେଇଲା ବେଳେ ରାଧେୟର ଆଖି ଉଜ୍ଜ୍ୱଳ ତାରକା ସଦୃଶ ଝଲସି ଉଠିଥିଲା । ମୁହଁରେ ଏକ ଲାଜ ମିଶ୍ରିତ ହସ ଦେଖି ମୋର ବୁଝିବା ବାକି ନ ଥିଲା ଯେ ସେ ଫୋଟୋରେ ଥିବା ଝିଅଟିକୁ ବହୁତ ଭଲ ପାଉଛି ବୋଲି ।

ଲାଜକୁଳା ରାଧେୟ ହଠାତ୍ ଜଣକୁ ଭଲ ପାଇ ବସିଛି ଓ ବାହା ହେବାକୁ ଚାହୁଁଛି ଜାଣି ମୁଁ ବହୁତ ଆନନ୍ଦିତ ହେଇଥିଲି । ସେଦିନ ପ୍ରଥମ ଥର ସାବାସ୍ ରାଧେୟ ପରିବର୍ତ୍ତେ ରାଧାମୋହନ କହି କୁଣ୍ଡେଇ ପକେଇବାକୁ ଇଚ୍ଛା ହେଇଥିଲା । ହେଲେ ସେ କହିଲା, ଆଉ ଗୋଟେ ଭଉଣୀ ବାହା ନ ହେଲା ଯାକେ ସେ ବାହା ହେଇ ପାରିବନି । ଆଉ କୃଷ୍ଣାର ବାପା ଯଦି ଦି’ ଜଣଙ୍କର ସମ୍ପର୍କ ବିଷୟରେ ଜାଣିବେ ତା’ ହେଲେ ତା’ ଚାକିରୀଟି ହାତରୁ ଯିବ ନ ହେଲେ ଏମିତି ଜାଗାକୁ ଟ୍ରାନ୍ସଫର୍ କରିବେ ତା’ ଜୀବନଟା ଦୁର୍ବିସହ ହେଇ ପଡ଼ିବ ! ପ୍ରକୃତରେ ଚିନ୍ତାର ବିଷୟ ଥିଲା କୃଷ୍ଣାର ବାପା, କାରଣ ତା’ ବାପା ସୁବ୍ରତ ବାବୁ ଥିଲେ ଜଣେ ଆଇ.ଏ.ଏସ୍ ଏବଂ ନିହାତି ବସ୍ତୁବାଦୀ, ପଇସା ଲୋଭୀ ନିର୍ମମ ମଣିଷଟିଏ । ଗାଆଁ ସାରା ଲୋକ ଜାଣନ୍ତି ଯେ ଲୋକର ଧନ ଓ ପ୍ରାଚୁର୍ଯ୍ୟର ଆକଳନ ହିଁ ତାଙ୍କ ପାଇଁ ସମ୍ପର୍କର ମାପକାଠି ।

ଦିନେ ହଠାତ୍ ରାଧେୟର ଫୋନ୍ ଆସିଲା ‌ । ସେ କହିଲା, କୃଷ୍ଣାର ବାପା ସେମାନଙ୍କ ଭଲ ପାଇବା ବିଷୟରେ ଜାଣି ସାରିଲେଣି । ସେ ଏ ବାହାଘରରେ ରାଜି ନୁହଁନ୍ତି । ଉପରୁ ଚାପ ପକେଇ ରାଧେୟର ଟ୍ରାନ୍ସଫର ଜଙ୍ଗଲ ଘେରା ଆଦିବାସୀ ଅଞ୍ଚଳକୁ କରି ଦେଇଛନ୍ତି । ଆହୁରି କହିଲା, କୃଷ୍ଣାର ଭଲ ପାଇବା ଅନାବିଳ ପ୍ରେମରେ ପରିଣତ ହୋଇଗଲାଣି । ଲୁଚି ଲୁଚି ପ୍ରେମ କରୁଥିବା ଝିଅଟି ଏବେ ଚଉଁରା ମୂଳରେ ସଞ୍ଜବତୀ ଜାଳି ତା’ ପାଇଁ ଶୁଭ ମନାସୁଛି । ତା’ ପରେ ଦିନା ଏମିତି ହଠାତ୍ ପୁଣି ଫୋନ୍ କରି ବାଣୀବିହାରରେ ଦେଖା କରିବାକୁ ଡାକିଲା । ମୁଁ ଯାଇ ପହଞ୍ଚିଲା ବେଳକୁ ରାଧେୟ ସାଙ୍ଗରେ ଫୋଟୋରେ ଥିବା ସେ ସୁନ୍ଦର ଝିଅକୁ ଦେଖି ମୋର ବୁଝିବା ବାକି ରହିଲାନି ଯେ ଝିଅଟି କୃଷ୍ଣା ବୋଲି । ତା’ ଆଖିରେ ଅସରନ୍ତି ଭୟ । ଦିହେଁ ଘର ଛାଡ଼ି ପଳେଇ ଆସିଛନ୍ତି । କୃଷ୍ଣାର ବାପା ସେମାନଙ୍କ ସମ୍ପର୍କ ବିଷୟରେ ଜାଣିପାରି କୃଷ୍ଣାର ବାହାଘର ଜୋର୍ ଜବରଦସ୍ତ ଅନ୍ୟତ୍ର କରିବାକୁ ଚାହୁଁଥିଲେ । ମୁଁ କିନ୍ତୁ ସେମାନଙ୍କ ଭବିଷ୍ୟତ ବିଷୟକୁ ନେଇ ଚିନ୍ତିତ ହେଇ ପଡ଼ିଲି । ଏମିତି ପଳାୟନପନ୍ଥି ହେଇ ନିଷ୍ପତ୍ତି ନେବା ପ୍ରତିଭାବାନ୍ କବି ରାଧେୟର ଭାବମୂର୍ତ୍ତି ଉପରେ ଆଞ୍ଚ ଆସିପାରେ । ବହୁତ ବୁଝାଇବା ପରେ କୃଷ୍ଣା ଘରକୁ ଫୋନ୍ କରି ତା’ ବାପାଙ୍କ ସହ କଥା ହେଲି । ହେଲେ ଫୋନରେ କଥାବାର୍ତ୍ତା ପ୍ରତିଶୋଧ ଦିଗକୁ ନେଇଗଲା । ରାଧେୟର ଚାକିରୀ ଛଡ଼ାଇବା ଧମକ ଦେଇ ପୋଲିସ୍ କେସ୍‌ରେ ଫସେଇବେ କହିଲେ । ମୋ ନିଜ ହୃଦୟଟା ଗ୍ଲାନିରେ ଭରିଗଲା କ’ଣ ପାଇଁ ଅଯଥାରେ ଦି’ ଜଣଙ୍କୁ ମନା କରି ଅସୁବିଧାରେ ପକେଇଲି । କୃଷ୍ଣା ଛଳ ଛଳ ଆଖିରେ କହିଲା, “ଭାଇ ମୁଁ ରାଧେୟ ବିନା ବଞ୍ଚିପାରିବି ନାହିଁ; ଆମେ ଆପଣଙ୍କୁ ଭରସା କରି ଆଗପଛ ନ ବିଚାରି ଏତେ ବଡ଼ ପଦକ୍ଷେପ ନେଇଗଲୁ ।” ତା’ର ଆବେଗପୂର୍ଣ୍ଣ ‘ଭାଇ’ ଡାକରେ ମଧ୍ୟ ଏତେ ଆତ୍ମୀୟତା ଥିଲା ଯେ ଆଉ କିଛି ନ ଭାବି ସେମାନଙ୍କ ବିବାହ କରେଇବାର ପ୍ରତିଶ୍ରୁତି ଦେଇ ଦେଲି । ଅଗତ୍ୟା ପରିସ୍ଥିତି ଦେଖି ଦି’ଜଣଙ୍କୁ ମନ୍ଦିରରେ ବାହା ହେଇ ପଡ଼ିବାକୁ କହିଲି ଏବଂ ଗୋଟେ ମାସ ଭିତରେ ଦି’ ଜଣଙ୍କ କୋର୍ଟ ମ୍ୟାରେଜ କରିବାର ନିଷ୍ପତ୍ତି ନେଲି । ଛ’ ମାସ ଭିତରେ ମୋ’ ପ୍ରଶାସନିକ ବିଭାଗରେ ଥିବା ମାମୁଁଙ୍କୁ କହି ତା’ର କଟକ ପାଖକୁ ବଦଳି କରେଇଦେଲି । ଗୋଟିଏ ଦୁଇ-ରୁମ୍ ବିଶିଷ୍ଟ ଛୋଟିଆ ଘର ଭଡ଼ାରେ ନେଇ ସେମାନେ ତାଙ୍କ ଜୀବନର ଏକ ନୂତନ ଅଧ୍ୟାୟ ଆରମ୍ଭ କରିଥିଲେ । ସେମାନଙ୍କ ଅନାବିଳ ପ୍ରେମର ପ୍ରତିଛବି ମୋତେ ହୃଦୟକୁ ଆତ୍ମସନ୍ତୋଷ ଦେଉଥାଏ ।

କେତେବେଳେ କେମିତି ମୁଁ ଯାଇ ପହଞ୍ଚି ଯାଉଥାଏ ତାଙ୍କ ସେ ଛୋଟିଆ ସ୍ୱପ୍ନାଳୟରେ । ହସଖୁସିରେ ବହୁତ ସୁନ୍ଦର ସାହି‌ତ୍ୟ ଆସର ମଧ୍ୟ ଜମିଯାଏ କେତେବେଳେ ଖାଇବା ଟେବୁଲ୍ ଉପରେ ତ କେତେବେଳେ ଚାହା ପିଇଲା ବେଳେ । ମୁଁ ତାକୁ ଆହୁରି ଅଧିକରୁ ଅଧିକ ପ୍ରେରଣା ଦିଏ କବିତା ଲେଖିବାକୁ । କିନ୍ତୁ ପ୍ରତିଥର ଗୋଟିଏ ବ୍ୟତିକ୍ରମ ଲକ୍ଷ କରେ । ଆଗ ଭଳି ଆଉ ଭାବଗର୍ଭକ କି ପ୍ରୀତିପୂର୍ଣ୍ଣ କବିତା ନୁହଁ ଯନ୍ତ୍ରଣା ଭରା ଅକୁହା ବେଦନା ଝରି ପଡ଼ୁଥାଏ ରାଧେୟ ଲେଖନୀରୁ । ଦିନେ ରାତି ଅଧରେ ରାଧେୟ ଫୋନ୍ କରିଥିଲା । ତା’ ଅସ୍ପଷ୍ଟ କଥାରୁ ବାରି ଦେଲି ସେ ମୃଦୁ ପାନୀୟ କରିଛି । ପାଟି କରିବାରୁ କାନ୍ଦି ପକେଇ କହିଲା, ସୁବ୍ରତ ବାବୁ ସେମାନଙ୍କ ପାଖକୁ ଆସିଥିଲେ । ରାଧେୟ ସାଙ୍ଗରେ ପଦୁଟିଏ କଥା ହେଇ ନାହାଁନ୍ତି ବରଂ ତାଙ୍କ ଚକ୍ଷୁରୁ ଅଜସ୍ର ଘୃଣା ଭାବ ପରିପ୍ରକାଶ ହେଉଥିଲା । ବାପ ଝିଅ ବେଡ୍ ରୁମରେ ବସି ବହୁତ ସମୟ କଥା ହେଇଥିଲେ । ସୁବ୍ରତ ବାବୁ ଯିବା ପରେ ରାଧେୟ ଓ କୃଷ୍ଣା ଭିତରେ ଅସମ୍ଭବ ବାକ୍‌ବିତର୍କ ହେଇଥିଲା । ସୁବ୍ରତ ବାବୁ ପଇସାର ବଳରେ ରାଧେୟକୁ ପ୍ରଶାସନିକ ବିଭାଗରେ ବଡ଼ ପାହ୍ୟାରେ ପୂରେଇ ଦେଇ ସମାଜରେ ତାକୁ ଜ୍ୱାଇଁର ପଦ ଦେବାକୁ ଚାହାଁନ୍ତି, କୃଷ୍ଣା ବି ଏ କଥାର ସମର୍ଥନ କରି ତା’ ସ୍ୱାଭିମାନକୁ ବାଧା ଦେଇଛି । ବହୁତ କଷ୍ଟରେ ସେଦିନ ରାତିରେ ତାକୁ ବୁଝେଇ ସୁଝେଇ ଫୋନ୍ ରଖିଲି । ମନେ ମନେ ଭାବିଲି କି ଲାଭ ଏ ପ୍ରେମ ବିବାହର? ବାହାଘର ପୂର୍ବରୁ କୃଷ୍ଣା ତ ଭଲ ଭାବରେ ଜାଣି ଥିଲା ରାଧେୟର ଆର୍ଥିକ ପରିସ୍ଥିତି ବିଷୟରେ । ଘରୁ ଗୋଡ଼ କାଢ଼ି ପଳେଇ ଆସିଲା ବେଳକୁ କ’ଣ ଜାଣି ନଥିଲା ଯେ ରାଧେୟ ତାକୁ ତା ଧନାଢ଼୍ୟ ପରିବାରର ସୁଖ ସ୍ୱାଚ୍ଛନ୍ଦ ଦେଇ ପାରିବନି? ସେତେବେଳେ ନିଜ ବାପା ଆଖିରେ ରାଧେୟ ପ୍ରତି ଥିବା ଘୃଣ୍ୟ ଭାବ ତାକୁ ହୃଦୟରେ କଷ୍ଟ ଦେଉଥିଲା ଆଉ ବର୍ତ୍ତମାନ କିଭଳି ସେ ରାଧେୟର ସ୍ୱାଭିମାନକୁ ତଳେ ପକେଇ ଦେଉଛି? ଏଇଟା କ’ଣ ପ୍ରେମରେ ଏକ ଭିନ୍ନ ପ୍ରତାରଣା ସଦୃଶ୍ୟ ନୁହଁ? ଏଭଳି ଚିନ୍ତାଧାରା ମୋ ମନରେ ସୃଷ୍ଟି ହେବା ସ୍ୱାଭାବିକ ଥିଲା ।

ମଝିରେ ଥରେ ଦେଖା କରିବାକୁ ଯାଇଥିଲି ତା’ ଘରକୁ । ଦାଣ୍ଡଘରେ ସୋଫାରେ ବସିଥିଲେ କେତେଜଣ ଅଫିସ୍ ଷ୍ଟାଫ ଆଉ ବାହାର ବନ୍ଧୁ । ସମ୍ପୂର୍ଣ୍ଣ ଘରଟି ସିଗାରେଟ ଧୂଆଁରେ ଭରି ଯାଇଛି ଆଉ ସେଣ୍ଟର ଟେବଲ ଉପରେ ମଦ ଗ୍ଲାସ୍ । ମୋତେ ଦେଖି ରାଧେୟ ହଡ଼ବଡ଼େଇ ଗଲା ଆଉ ଜାବୁଡ଼ି ଧରି ଭିତରେ ନେଇ ବସେଇ କହିଲା, ସେମାନଙ୍କୁ ବିଦା କରି ଦେଇ ଆସୁଛି । ୟା ଭିତରେ କେତେବେଳେ କୃଷ୍ଣା ଚୁପଚାପ ଆସି ପଛ ଆଡ଼େ ଛିଡ଼ା ହେଇଛି ଜାଣି ପାରି ନଥାନ୍ତି ଯଦି ସେ ଭାଇ ବୋଲି ଡାକି ନ ଥାଆନ୍ତା । କିଛି ସମୟ ଆଶ୍ଚର୍ଯ୍ୟ ହେଇ ଚାହିଁ ରହିଲି କୃଷ୍ଣାକୁ ଆଉ ବହୁତ କିଛି ଜାଣିବାକୁ ଚେଷ୍ଟା କରୁଥିଲି ତା’ ଆଖିରେ ଥିବା ଲୁହର ସମୁଦ୍ର ଆଉ ମୁହଁରେ ଥିବା ଦୁଃଖର ହସକୁ ଦେଖି !!! ମୁଁ ଜାଣିବାକୁ ଚାହିଁଲି କ’ଣ ଘଟିଛି ସେମାନଙ୍କ ଭିତରେ । ଅପେକ୍ଷାରତ ଲୁହ ତା’ ଆଖିରୁ ଝରିପଡ଼ିଲା ଆଉ କୃଷ୍ଣା ଏମିତି କିଛି କହିଗଲା ଯାହା ମୁଁ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲି । ରାଧେୟର ସ୍ୱଳ୍ପ ଦରମାରେ ତାକୁ କୌଣସି ସମସ୍ୟା ନ ଥିଲା ଓଲଟା ତା’ ବାପାଙ୍କୁ ଆଗରୁ ସେ ବହୁତ ଥର ମନା କରି ସାରିଥିଲା ରାଧେୟର ଅନ୍ୟତ୍ର ଚାକିରୀ ପାଇଁ । କିନ୍ତୁ ସାହିତ୍ୟ ନିଶାରେ ରାଧେୟ ନିଜ ପୁସ୍ତକ ପ୍ରକାଶିତ କରି ନିଜକୁ ଏକ ମାନ୍ୟଗଣ୍ୟ କବି ଭାବେ ପରିଚୟ ଦେବା ପାଇଁ ଦରମା ଟଙ୍କାକୁ ପାଣି ଭଳି ଖର୍ଚ୍ଚ କରିବାକୁ ଆରମ୍ଭ କରି ଦେଇଥିଲା ଏବଂ ପ୍ରାୟ ପ୍ରତ୍ୟେକ ଦିନ ସାହିତ୍ୟ ଚର୍ଚ୍ଚା ନାଁରେ ଘରେ ଆତିଥ୍ୟସେବା ଚାଲିଛି । ସେଥିପାଇଁ ସେ ତା’ ବାପାଙ୍କ କଥାକୁ ସମର୍ଥନ କରିଥିଲା । କିନ୍ତୁ ରାଧେୟ ତାକୁ ଭୁଲ ବୁଝିଲା । ସେଦିନର ଲାଜକୁଳା ରାଧେୟ ଆଉ ଆଜିର ପ୍ରଗଳ୍ଭ ରାଧାମୋହନକୁ ଦେଖି, ତା’ ସାହିତ୍ୟ ବିଶେଷ ବନ୍ଧୁ ଓ ସେମାନଙ୍କ ଅସଞ୍ଜତ କଥାବାର୍ତ୍ତା ଶୁଣି ଆଶ୍ଚର୍ଯ୍ୟ ହେବା ସାଙ୍ଗେ ସାଙ୍ଗେ ଦୁଃଖି ଆଉ ବିବ୍ରତ ହେଇପଡ଼ିଲି । ସେଠାରେ ଆଉ ନରହି ପଳେଇ ଆସିଥିଲି । କୃଷ୍ଣାକୁ ଭୁଲ ବୁଝିବା ମୋର ମୂର୍ଖାମୀ ଥିଲା ଆଉ ରାଧେୟର ଭୁଲ ରହୁଛି !! ମନେ ପଡ଼ିଗଲା ଆସିଲା ବେଳକୁ କୃଷ୍ଣାର ସେଇ ଶେଷ ଦୁଇ ଧାଡ଼ି; କେତେ ମର୍ମସ୍ପର୍ଶୀ ଓ ହୃଦୟସ୍ପର୍ଶୀ ଥିଲା ତା’ ମନର ଭାବନା…

ପ୍ରତାରଣାର ପ୍ରେମ କାରାଗାରରେ ଦଣ୍ଡ ଭୋଗୁଥିବା ସେ ଗୋଟିଏ ବନ୍ଦିନୀ ଦୁଃଖର ହସ ଫୁଟେଇ ବଞ୍ଚିବାର ଏକ ମାତ୍ର ଲକ୍ଷ୍ୟ ଜୀବନସାଥୀର ସୁଖ ଓ ଶାନ୍ତି !!!

ଲୋକେ କହନ୍ତି ପ୍ରେମର ଶେଷ ଶ୍ରାବଣରେ ଭିଜିବା ଗୋଟିଏ ନିଆରା ଅନୁଭୂତି । କାହିଁ ରାଧେୟ ଓ କୃଷ୍ଣାର ଶେଷ ଶ୍ରାବଣ ତ ଏମିତି ଶୁଖିଲା ଯେ ପ୍ରେମ ହିଁ ପ୍ରତାରଣା ସାଜିଲା ସେମାନଙ୍କ ଜୀବନର ଏକ ଭିନ୍ନ ବାଲିଶଯ୍ୟା !

କାର୍ଯ୍ୟ ବ୍ୟସ୍ତତା ଓ ବାପାଙ୍କ ଦେହ ଖରାପ ଯୋଗୁଁ ବହୁତ ଦିନ ଧରି ରାଧେୟ ସାଙ୍ଗରେ କଥାବାର୍ତ୍ତା ହେଇ ପାରି ନଥିଲି । ତେଣୁ ଭାବିଲି ତା’ ଘରେ ପହଞ୍ଚି ତାକୁ ସରପ୍ରାଇଜ୍ ଦେବି ହେଲେ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲି ଯେ ମୁଁ ନିଜେ ସରପ୍ରାଇଜ୍ ହେଇ ଯିବି । ସେଠି ପହଞ୍ଚି ପଡ଼ିଶା ଘରୁ ଶୁଣିଲି କୃଷ୍ଣା ବଳାତ୍କାରର ଶିକାର ହେଇଛି ଆଉ ତଣ୍ଟି ଚିପି ତାକୁ ହତ୍ୟା କରାଯାଇଛି । ତା’ ଅଫିସ୍‌ରେ ମୋ ସାଙ୍ଗ ବସନ୍ତ କାମ କରେ, ତା’ ପାଖରୁ ସବୁ ଶୁଣି ମୋ ମୁଣ୍ଡ ଗୋଳମାଳ ହେଇଗଲା । ବହୁତ ଦିନ ଧରି ଗୁଡ଼ାଏ ଲୋକଙ୍କ ଯିବା ଆସିବାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ଭିତରେ କଳିଝଗଡ଼ା ଚାଲିଥିଲା । ଦି’ଦିନ ଧରି ରାଧେୟ କୁଆଡ଼େ ରାଗରେ ପଳେଇଥିଲା । ଘରକୁ ଫେରି କବାଟ ବାଡ଼େଇଲା । କବାଟ ନ ଖୋଲିବାରୁ ପଡ଼ିଶା ଲୋକଙ୍କ ସାହାଯ୍ୟରେ କବାଟ ଭାଙ୍ଗି ଘର ଭିତରେ ପଶିଲା ବେଳକୁ କୃଷ୍ଣାର ବିଭତ୍ସ ରୂପ ଦେଖି ପଥର ଭଳି ସ୍ଥାଣୁ ହେଇଗଲା ବହୁତ ସମୟପାଇଁ । ତା’ ଦେହରେ ଥିବା ଅବ୍ୟବସ୍ଥିତ ଲୁଗା ସୂଚେଇ ଦେଉଥିଲା ଘଟଣାର ସତ୍ୟତା । ମୁଣ୍ଡ ଫାଟି ରକ୍ତ ବାହାରିବା ପ୍ରମାଣ ଦେଉଥିଲା ମୃତ୍ୟୁ ପୂର୍ବରୁ ହେଇଥିବା କୃଷ୍ଣାର ଅହରହ ସଂଗ୍ରାମ । କୃଷ୍ଣା ବାପାଙ୍କର ଜିଦ୍ ଦୁଇ ଜଣଙ୍କ ଭିତରେ ଅଦୃଶ୍ୟ ପାଚେରୀ ଛିଡ଼ା କରି ସାରିଥିଲା ଆଉ ସାହିତ୍ୟ ପାଗଳାମିରେ ରାଧେୟ ମଣିଷ ଚିହ୍ନି ନ ପାରି ଅସଭ୍ୟ ସାଙ୍ଗମାନଙ୍କ ଚକ୍ରବ୍ୟୁହରେ ପଡ଼ି ନିଜ ସୁନା ସଂସାରକୁ ଖିନ୍ନଭିନ୍ନ କରି ପକେଇଲେ । କୃଷ୍ଣାର ଶବକୁ ଧରି ବହୁତ ସମୟ ପର୍ଯ୍ୟନ୍ତ ଭୋ ଭୋ ହେଇ କାନ୍ଦିଛି ରାଧେୟ; ପୋଲିସ ଶବ ବ୍ୟବଚ୍ଛେଦ କରି ଦେବା ପରେ ଘରଲୋକ କାଲି ସନ୍ଧ୍ୟାରେ ରାଧେୟକୁ ଗାଁକୁ ନେଇ ଯାଇଛନ୍ତି । ଭାବିଥିଲି ସରପ୍ରାଇଜ୍ ଦେବା ବାହାନାରେ ଦି’ଜଣଙ୍କୁ ପାଖରେ ବସି ବୁଝେଇବି ଆଉ ଫେରେଇ ନେବି ଅତୀତର ରୋମନ୍ଥନ କରୁଥିବା ସେଇ ମୁହୂର୍ତ୍ତକୁ ଯେଉଁଠି ଦିହେଁ ଦି ଜଣଙ୍କ ବିନା ବଞ୍ଚିବାର ପରିକଳ୍ପନା କରି ପାରୁନଥିଲେ ।

ସାଙ୍ଗେ ସାଙ୍ଗେ ଗାଡ଼ି ଧରି ଯାଇ ରାଧେୟ ଗାଁରେ ପହଞ୍ଚିଲି । ମନ ଖାଲି ବିକଳ ହେଉଥାଏ କେମିତି ରାଧେୟକୁ ଜାବୁଡ଼ି ଧରିବି ଛାତିରେ । ହେଲେ ତା’ ଘରେ ପହଞ୍ଚିଲା ବେଳକୁ କେହି ନାହାଁନ୍ତି ସେଠି । ଗାଁ ସାରା ଲୋକଙ୍କ ହାଉଯାଉ । ସମସ୍ତଙ୍କ ପଛେ ପଛେ ଯାଇ ଭିଡ଼ ପଛରୁ କାଟି ପହଞ୍ଚି ଯାହା ଦେଖିଲି ମୁଁ ବେହୋସ୍ ହେଇ ଗଳି ପଡ଼ିଲି । ଗାଁ ଆମ୍ୱ ତୋଟାର ଗଛରେ ବେକରେ ଦଉଡ଼ି ଦେଇ ରାଧେୟ ଝୁଲିପଡ଼ିଛି ସବୁଦିନ ପାଇଁ !!!
ତା’ ହାତରେ ଗୁଞ୍ଜି ଥିଲା କାଗଜ, ଯେଉଁଥିରେ ଲେଖା ଥିଲା…

ମୁଁ ଥିଲି କିଛି ଧାଡ଼ି ସରଳାର୍ଥ ସାହିତ୍ୟର
ତମେ ରହିଗଲ ହେଇ ଅଛିଣ୍ଡା ଅଙ୍କ ଗଣିତର
ଦୁହେଁ ଥିଲେ ଦୁହିଁଙ୍କ ମନ ଭୂଗୋଳର ମାନଚିତ୍ର
ଏବେ ହେଇଗଲେ ଦୁହିଁଙ୍କ ପାଇଁ ଇତିହାସ ଅତୀତ !!!

– ଶ୍ୱେତପଦ୍ମା ପାଢ଼ୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...