ମୁଁ ସେଦିନ ଯାଇଥାଏ ଓଡ଼ିଶା ଷ୍ଟେଟ ଲାଇବ୍ରେରୀ । ଯେତେବେଳେ ଖାଲି ସମୟ ପାଏ ମୁଁ ଚାଲିଆସେ ଏଠିକି । ସେଦିନ ସାମ୍ୟବାଦ ଉପରେ ଆଧାରିତ କାର୍ଲମାକ୍ସଙ୍କ ‘Das Capital’ ବହିଟି ପଢ଼ିବାକୁ ଭାବିଲି । ବହୁତ ଖୋଜା ଖୋଜି ପରେ ବହିଟି ଆଣିଲେ ଲାଇବ୍ରେରୀ କର୍ମଚାରୀ । ବହି ନମ୍ୱର, ନାଁ, ମୋ ନାଁ ଓ ଦସ୍ତଖତ କରି ବହିଟି ଆଣି ବସି ପଢ଼ିଲି ପାଖରେ ଥିବା ଟେବୁଲ ପାଖରେ । କିଛି ଲୋକ ମଧ୍ୟ ପଢ଼ୁଥାନ୍ତି । ମୁଁ ଆଣିଥିବା ବହିଟି ବହୁତ ପୁରୁଣା ଜଣା ପଡ଼ୁଥିଲା । ବୋଧେ ତିରିଶି ଚାଳିଶି ବର୍ଷ ପୁରୁଣା ହେବ । ମୁଁ ବହିଟିକୁ ଖୋଲି ପଢ଼ିବାକୁ ଲାଗିଲି । କାହିଁକି କେଜାଣି ସେଦିନ ପଢ଼ିବାକୁ ମନ ଲାଗୁନଥିଲା । ବହିର ଫର୍ଦ୍ଦ ମଧ୍ୟ ମୋ ସହ ସହମତି ଥିଲା । ପୁରୁଣା ଥିବାରୁ ଫର୍ଦ୍ଦରୁ ଫର୍ଦ୍ଦ ଅଲଗା କରିବା ସମୟରେ ସାବଧାନତାରେ କରିବାକୁ ପଡ଼ୁଥିଲା । ମୁଁ ବହିର ପଛପଟକୁ ଲେଉଟାଇଲି ଓ ପଛପଟକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲି । ବହିର ପଛପଟେ ମଲାଟରେ ଲାଗିଥିଲା ଗୋଟେ ଲଫାପା ।
ମୁଁ ବହି ପଢ଼ା ବନ୍ଦ କରି ସେ ଲଫାପାରେ କ‘ଣ ଅଛି ଜାଣିବା ପାଇଁ ଚେଷ୍ଟା କଲି । ଲଫାପାର ଗୋଟେ କୋଣ୍ଟିକୁ ଅଠା ଦେଇ ବହି ସହିତ ଲଗେଇ ଦିଆଯାଇଥିଲା । ମୁଁ ଲଫାପାଟିକୁ କାଢ଼ି ଆଣିଲି । ଲଫାପାର ଗୋଟେ ପଟେ ଅସ୍ପଷ୍ଟ ଭାବେ ଲେଖାଥିଲା ।
ପ୍ରାପ୍ତେଷୁ,
ସୁଭଦ୍ରା ମହାନ୍ତି
ସା/ପୋ- ବଡ଼ ଆଙ୍କୁଲା, ସାକ୍ଷୀଗୋପାଳ
ପୁରୀ, ଓଡ଼ିଶା
ମୁଁ ପ୍ରାପ୍ତେଷୁ ଠିକଣାଟି ପଢ଼ିସାରି ଏକ ଭାଳେଣିରେ ପଡ଼ିଗଲି । କିଏ ସୁଭଦ୍ର ମହାନ୍ତି? ମୁଁ ନିରୂପାୟ । ଆମ ଘର କଥା ତମେ ତ ଜାଣିଛ । ଭାଇ ବାହାରେ ରହୁଥିବାରୁ ବାପାମାଆଙ୍କ କଥା ମୋତେ ବୁଝିବାକୁ ପଡ଼େ । ହେଲେ ତମକୁ ଏସବୁ ପସନ୍ଦ ଆସେନା । ଏମିତିକି ତମେ କହିଥିବା କଥାରେ ମୁଁ ଏକମତ ହୋଇପାରୁନାହିଁ । ମୁଁ ମୋ ବାପାମାଆଙ୍କୁ ଛାଡ଼ି ତମ ପାଖକୁ ଚାଲିଆସିବି, କାହିଁକି ନା ତମେ ମୋ ବାପାମାଆଙ୍କ ସେବା କରିବ ନାହିଁ ବୋଲି କହିଥିଲ । ହେଲେ ମୁଁ ତମ କଥାରେ ଏକମତ ହୋଇପାରୁନି । ତୁମେ ତ’ ଜାଣ ମୁଁ ତୁମକୁ କେତେ ଭଲପାଏ । ଯେମିତିକି ସୂର୍ଯ୍ୟ ଓ ପୃଥିବୀ ଭିତରେ ଦୂରତାକୁ କୌଣସି ଫିତା ମାପିପାରିବ ନାହିଁ, ସେମିତି ତମ ପାଇଁ ଥିବା ମୋ ଭିତରେ ଭଲପାଇବାକୁ କୌଣସି ଫିତା ମାପିପାରିବ ନାହିଁ । ନୂତନ ଚାକିରି ଆସିଥିବାରୁ ମୁଁ ପାରଳାଖେମୁଣ୍ଡି ଚାଲିଯାଉଛି । ମୋ ମତରେ ରାଜି ଥିଲେ ନୂଆ ଠିକଣାରେ ଚିଠି ଦେବ । ମୁଁ ଆଶାକରେ ତମେ ଏ ଚିଠିଟି ପଢ଼ି ମୋତେ ବୁଝିପାରିବ । ତୁମର ଅପେକ୍ଷାରେ ରହିଲି ।
ଇତି
ତୁମର ରାଜା
ଗୌରଚନ୍ଦ୍ର ସଂସ୍କୃତ ମହାବିଦ୍ୟାଳୟ, ପାରଳାଖେମୁଣ୍ଡି
ଚିଠିଟି ପଢ଼ିସାରି ମୁଁ ଭାବବିଭୋର ହୋଇ ଉଠିଲି । ମୁଁ ଭାବିଲି କୌଣସି କାରଣରୁ ବୋଧେ ଚିଠିଟି ସଠିକ ଠିକଣାରେ ପହଞ୍ଚି ପାରିନି । ମୁଁ ସେ ଚିଠିଟିକୁ ଧରି ଲାଇବ୍ରେରୀରୁ ବାହାରି ଆସିଲି ।
ସବୁଦିନ ଭଳି ରାତି ଖାଇବା ଖାଇସାରିବା ପରେ ବସିଗଲି ଧାରାବାହିକ ଉପନ୍ୟାସ ଲେଖିବାରେ । କିନ୍ତୁ କାହିଁକି କେଜାଣି ମୁଁ ଲେଖିପାରିଲି ନାହିଁ । ଆଜି ସକାଳେ ପାଇଥିବା ଚିଠିଟିର ପ୍ରତ୍ୟେକ ଶବ୍ଦ ମୋ ମସ୍ତିସ୍କ ଭିତରେ ଯେମିତି ଏକ ଝଡ଼ ସୃଷ୍ଟି କରୁଥିଲା । ରାତିରେ ମଧ୍ୟ ଠିକରେ ଶୋଇପାରିଲି ନାହିଁ । ମୁଁ ଶୋଇରହି ଭାବିଲି; ସୁଭଦ୍ରା ମହାନ୍ତି ଓ ଚିଠିର କିଛିନା କିଛି ସମ୍ପର୍କ ସେହି ବହି ସାଙ୍ଗରେ ନିଶ୍ଚୟ ଅଛି । ହେଲେ ସୁଭଦ୍ରା ମହାନ୍ତି ଏବେ ସେ ଚିଠିକୁ କେମିତି ପାଇବେ, ମୁଁ ତ‘ ସେ ଚିଠିକୁ ନେଇ ଆସିଲି । ଏମିତି ଚିନ୍ତିତ ଅବସ୍ଥାରେ ମୋତେ ନିଦ ଆସିଯାଇଥିଲା । ସକାଳୁ ମୁଁ ସେ ଚିଠିଟି ନେଇ ଚାଲିଲି ଷ୍ଟେଟ ଲାଇବ୍ରେରୀକୁ, ଭାବିଲି ବହି ନମ୍ବରକୁ ଧରି ଲାଇବ୍ରେରୀ ରେଜିଷ୍ଟରରୁ ଜାଣିପାରିବି କି ସେ ବହି ମୋ ପୂର୍ବରୁ ପଢ଼ିବାକୁ ଆଉ କିଏ ନେଇଛନ୍ତି । ହେଲେ ମୁଁ କେମିତି ଜାଣିବି? ଲାଇବ୍ରେରୀ ଷ୍ଟାଫ ମୋତେ କ‘ଣ ସେ ରେଜିଷ୍ଟର ଦେଖେଇବେ? କାହିଁକି ବା ଦେଖେଇବେ? ମୁଁ ବହୁତ କହିବାପରେ ଲାଇବ୍ରେରୀର ପାଢ଼ୀବାବୁ ସେଦିନ ଅପରାହ୍ନରେ ମୋତେ ରେଜିଷ୍ଟର ଦେଖେଇଲେ । ସେ ମୋ ଆଗରେ ଗୋଟେ ଗୋଟେ କରି ଦେଖିଚାଲିଲେ । ପ୍ରାୟ ଦୁଇଘଣ୍ଟାଧରି ଆମେ ଦେଖିଲୁ ରେଜିଷ୍ଟରକୁ । ଦିନ ପରେ ସପ୍ତାହ ଓ ମାସ ପରେ ମାସ ଦେଖିଯାଉଥିଲୁ ।
“ଆମେ ଦଶବର୍ଷର ରେଜିଷ୍ଟର ଚେକ୍ କରିସାରିଲେଣି,” ବୋଲି କହିଲେ ପାଢ଼ୀବାବୁ । ମୁଁ ଭାବୁଥିଲି ସେ ଚିଠିକୁ ଯିଏ ରଖିଛି ସେ ପଢ଼ିବା ପାଇଁ ବହିଟିକୁ ନେଇଥିବ । ଆଉ ରେଜିଷ୍ଟରରେ ତା‘ ନାଁ ନିଶ୍ଚୟ ଥିବ । ପାଢ଼ୀବାବୁ ଦଶ ବର୍ଷର ରେଜିଷ୍ଟର ଦେଖେଇଲେଣି ହେଲେ ସେଥିରେ ନାହିଁ । ବୋଧେ ଦଶବର୍ଷ ଆଗରୁ ତା‘ହେଲେ ଆଉ କିଏ ଏ ବହିଟି…. ଏମିତି ଭାବୁଥାଏ । ପାଢ଼ୀବାବୁ କହିଲେ, “ମୁଁ ଭାବୁଛି ବୋଧେ ଆଉ ନ ଖୋଜିବା ଭଲ । କାରଣ ଆଉ ପୁରୁଣା ରେଜିଷ୍ଟର କେଉଁଠି ଅଛି ମୁଁ ଜାଣିନି ।” ମୁଁ ପାଢ଼ୀବାବୁଙ୍କଠୁ ନିରାଶ ହୋଇ ଫେରିଲି ଘରକୁ । ସାଙ୍ଗରେ ଥାଏ ସେଇ ପୁରୁଣା ଚିଠି । ଏ ଭିତରେ ଦିନେ ଦୁଇଦିନ ହେଇଗଲାଣି ।
ମୁଁ ଭାବିଲି ଆଛା ମୋ ପାଖରେ ତ‘ ପ୍ରାପ୍ତେଷୁ ଠିକଣା ଅଛି । ଯଦି ସେଇ ଠିକଣାରେ ମୁଁ ଆଉଥରେ ସେଇ ଚିଠିଟିକୁ ପୋଷ୍ଟ ସାହାଯ୍ୟରେ ପଠେଇ ଦିଅନ୍ତି ତେବେ ଚିଠିଟି ସଠିକ ଠିକଣାରେ ଯାଇପାରନ୍ତା । ମୁଁ ବାହାରିଲି ପୋଷ୍ଟ ଅଫିସକୁ । ପୋଷ୍ଟ ଅଫିସ ଆଗରେ ପହଞ୍ଚି ଦେଖିଲି ସମୟ ହୋଇ ନ ଥିବାରୁ ପୋଷ୍ଟ ଅଫିସ ଖୋଲିନି । ମୋ ନଜର ସେଇ ଲଫାପା ଉପରେ ପଡ଼ିଲା, ମୁଁ ପୁଣି ଭାବିବାକୁ ଲାଗିଲି । ଯଦି ପୋଷ୍ଟ ଦ୍ୱାରା ଏଇ ଚିଠିଟି ଠିକଣାରେ ପହଞ୍ଚିପାରିଥାନ୍ତା ତେବେ ମୋତେ ମିଳିନଥାନ୍ତା । ମୁଁ ଭାବିଲି ଚିଠିଟି ଯାଇ ଦେଇଆସିବି ପ୍ରାପ୍ତେଷୁଙ୍କୁ । କାଲି ରବିବାର କିଛି କାମ ବି ନାହିଁ । ବାହାରିଲି ସାକ୍ଷୀଗୋପାଳ । ଦିନ ଏଗାରଟା ବାଜି ଯାଇଥିଲା ମୋତେ ସାକ୍ଷୀଗୋପାଳରେ ପହଞ୍ଚିବାକୁ । ମୁଁ ଯାଇ କିଛି ଲୋକଙ୍କୁ ପଚାରିଲି ସେଇ ଠିକଣା ବାବଦରେ କିନ୍ତୁ ଉତ୍ତର ପାଇଲି ନାହିଁ । ବହୁତ ଖୋଜିବୁଲିଲି ସୁଭଦ୍ରା ମହାନ୍ତିଙ୍କୁ । ଜଣେ ବୁଢ଼ାଲୋକ ଦେଖି ପଚାରିଲି, “ଆଜ୍ଞା, ଏଠି କିଏ ସୁଭଦ୍ରା ମହାନ୍ତି ବୋଲି ଅଛନ୍ତି କି?” ସେ ବୁଢ଼ା ଲୋକଟି ମୋତେ ପ୍ରଶ୍ନିଳ ଆଖିରେ ଚାହିଁରହିଲେ । ମୁଁ ପୁଣି ପ୍ରଶ୍ନ କଲି, “ଆଜ୍ଞା କିଛି କହିଲେନି ଯେ?” ସେ କହିଲେ, “ନା ବାବା ମୁଁ ଜାଣିନି ।” ମୁଁ ଆଗକୁ ଚାଲିଲି । ବୁଲିପଡ଼ି କିଛିବାଟ ଯାଇଛି କି ନାହିଁ ସେ ମୋତେ ଡାକିଲେ ପଛରୁ । ମୁଁ ତାଙ୍କ ପାଖକୁ ଯିବାରୁ ସେ ମୋତେ କହିଲେ, “ବାବା ସୁଭଦ୍ରା ଆଉ ଏଠି ରହୁନି କି ଆଉ ଆସୁନି । ସେ ଭୁବନେଶ୍ୱରରେ କ‘ଣ ଗୋଟେ ବୃଦ୍ଧାଶ୍ରମ କରିଛି ଆଉ ସେଇଠି ରହୁଛି ।” ମୁଁ ତତ୍ପର ହୋଇ ପଚାରିଲି, “ସେ ବୃଦ୍ଧାଶ୍ରମର ନାଁ?” ସେ କହିଲେ, “ନା ମୁଁ ଜାଣିନି ।” ଏତକ କହିଦେଇ ସେ ଆଗେଇଗଲେ । ମୁଁ ଭୁବନେଶ୍ୱର ଫେରି ଆସିଲି । ବୃଦ୍ଧାଶ୍ରମ ଯାଇ ଖୋଜିବାରେ ଲାଗିଲି ସୁଭଦ୍ରାଙ୍କୁ । କିନ୍ତୁ ମୁଁ ଅସଫଳ ହେଲି ଖୋଜିବାରେ ।
ଏ ଭିତରେ ମାସେ ବିତିଗଲାଣି । ଭୁବନେଶ୍ୱର କଳ୍ପନାରେ ଥିବା ବୃଦ୍ଧାଶ୍ରମ ବିଷୟରେ ମୋର ଜଣେ ବନ୍ଧୁ ମୋତେ ଜଣେଇଲେ । ସେ ବୃଦ୍ଧାଶ୍ରମର ନାଁ ଥିଲା ସୁଭଦ୍ରା ବୃଦ୍ଧାଶ୍ରମ । ସୁଭଦ୍ରା ବୃଦ୍ଧାଶ୍ରମ ନାଆଁଟା ଟାଣି ନେଲା ସେଇ ବୃଦ୍ଧାଶ୍ରମ ପାଖକୁ । ସାର୍ଟ ପକେଟରେ ସେଇ ପୁରୁଣା ଚିଠି । ମୁଁ ଯାଇ ଜଣେ କର୍ମଚାରୀଙ୍କ ସହ କଥା ହେବା ପରେ ଜାଣିବାକୁ ପାଇଲି ଯେ, ସୁଭଦ୍ରା ହେଉଛନ୍ତି ଏ ବୃଦ୍ଧାଶ୍ରମର ପରିଚାଳିକା । ତାଙ୍କ ଅଫିସରେ ପ୍ରାୟ ମୁଁ ସୁଭଦ୍ରାଙ୍କୁ ଅପେକ୍ଷା କରିଥାଏ । ଅପେକ୍ଷାର ଅନ୍ତ ଘଟାଇ ପ୍ରାୟ ଅଧଘଣ୍ଟା ପରେ ଆସିଲେ ସେ । ମୁଁ ତାଙ୍କୁ ଦେଖି ପଚାରିଲି, “ସୁଭଦ୍ରା ମହାନ୍ତିଙ୍କ ସହ ମୋର ଟିକେ କଥା ଥିଲା ଆପଣ ଯଦି…. ।” ମୋର କଥା ନସରୁଣୁ ସେ କହିଲେ, “ମୁଁ ସୁଭଦ୍ରା ମହାନ୍ତି । କ‘ଣ କଥା ଥିଲା କୁହନ୍ତୁ?”
ଏକଥା ଶୁଣି ମୁଁ ହଡ଼ବଡ଼ ହୋଇ ଯାଇଥିଲି । କାରଣ ମୋ ଆଗରେ ବସିଥିଲେ ଜଣେ ଷାଠିଏ ପଞ୍ଚଷଠି ବର୍ଷର ମହିଳା । ମୁଁ କିଛି କହିପାରୁନଥିଲି । ଧୀର ସ୍ୱରରେ ମୁଁ ତାଙ୍କୁ ପ୍ରଶ୍ନ କଲି, “ଆପଣଙ୍କ ଘର ସାକ୍ଷୀଗୋପାଳରେ କି?” ସେ କହିଲେ, “ହଁ ! ତେବେ ଆପଣ କେମିତି ଜାଣିଲେ ଯେ ମୋ ଘର ସାକ୍ଷୀଗୋପାଳରେ ବୋଲି?” ମୁଁ ତାଙ୍କୁ କେମିତି, କେଉଁଠୁ ଓ କିପରି କହିବି ବୋଲି ବୁଝିପାରୁନଥିଲି । ସେ ପୁଣି ପ୍ରଶ୍ନ କଲେ, “କିଛି କହିଲେନି ଯେ?” ମୁଁ ସାର୍ଟ ପକେଟରୁ ସେଇ ଚିଠିଟି କାଢ଼ି ବଢ଼େଇଦେଲି ତାଙ୍କ ହାତକୁ । ସେ ଲଫାପାକୁ ଦେଖି ମୋତେ ଚାହିଁଲେ ଓ ଚିଠିଟି ପଢ଼ିବାକୁ ଲାଗିଲେ । ମୁଁ ତାଙ୍କୁ ଦେଖୁଥାଏ । ଚିଠିଟି ପଢ଼ିସାରିବା ପରେ ତାଙ୍କ ଆଖିରୁ ବହିଗଲା ଦୁଇ ଧାର ଲୁହ । ନିଜ ଲୁହକୁ ନିଜେ ପୋଛି ସେ ମୋତେ ପଚାରିଲେ, “ଆପଣ ଏ ଚିଠି କେଉଁଠୁ ପାଇଲେ?” ମୁଁ କହିଲି, “ଷ୍ଟେଟ ଲାଇବ୍ରରୀର କାର୍ଲମାକ୍ସଙ୍କ ‘Das Capital’ ବହିରୁ ପାଇଲି । ଚିଠିଟି ବହିର…. ।” ମୋ କଥା ନସରୁଣୁ ସେ କହିଥିଲେ, “ଚିଠିଟି ବହିର ପଛପଟ ମଲାଟରେ ଗୋଟେ କୋଣରେ ଲାଗିଥିବ । ଚାଳିଶି ବର୍ଷ ତଳର ଘଟଣା । ମୁଁ ଓ ସୁରେଶ ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲୁ । ନୂଆ କରି ଡେଣା ଲାଗିଥିବା ପ୍ରଜାପତି ଭଳି ମଉଜ ମଜଲିସ କରିବାର ସମୟକୁ ଆମେ ମଧ୍ୟ ଉପଭୋଗ କରିବା । ମୁଁ ତୁମର ବୃଦ୍ଧ, ବ୍ୟାଧିଗ୍ରସ୍ତ ପିତାଙ୍କର ସେବା କରିପାରିବି ନାହିଁ । ତୁମେ ତୁମର ରୋଗ ବ୍ୟାଧିଗ୍ରସ୍ତ ପିତାଙ୍କୁ ଛାଡ଼ି ମୋ ପାଖକୁ ଚାଲିଆସ । ତୁମର ମାଆ ଅଛନ୍ତି ତୁମ ପିତାଙ୍କ ସେବା କରିବା ପାଇଁ । ସେ ମନା କରିଥିଲେ । ମୁଁ ଥିଲି ଧନ୍ୟାଡ୍ୟ ପିତାଙ୍କର ଏକମାତ୍ର କନ୍ୟା । ବିଶ୍ୱବିଦ୍ୟାଳୟରେ ମୁଁ ପିନ୍ଧୁଥିଲି ସବୁଠୁ ଦାମୀ ପୋଷାକ । ଧନ ଓ ଅହମିକାରେ ମୁଁ ଅନ୍ଧ ହୋଇଯାଇଥିଲି । ଆବଶ୍ୟକ ହେଲେ ତାଙ୍କ ବାପାଙ୍କ ପାଇଁ ମୁଁ ପରିଚାରିକା ଯୋଗାଇଦେବି ବୋଲି ପ୍ରସ୍ତାବ ଦେଇଥିଲି । ହେଲେ ବାପାଙ୍କର ସେବା ଶୁଶ୍ରୁସାହା କରିବା ଦ୍ୱାରା ସେ ରୋଗମୁକ୍ତ ହୋଇଯିବେ ବୋଲି ସୁରେଶ କହିଥିଲେ ।”
“ଏମିତି କଥାକଟିରେ ଆମ ଭଲପାଇବା ଆଗେଇ ଚାଲିଥିଲା । ହଠାତ ସୁରେଶ ଭୁବନେଶ୍ୱରରୁ ଅନ୍ତର୍ଦ୍ଧାନ ହୋଇଯାଇଥିଲେ । କୁଜଙ୍ଗର ଅଖ୍ୟାତ ପଲ୍ଲୀରେ ସୁରେଶଙ୍କୁ ଖୋଜିବା ମୋ ପକ୍ଷେ ସମ୍ଭବ ନଥିଲା । ସୁରେଶଙ୍କ ଅନୁପସ୍ଥିତି ମୋତେ ବାଧିଥିଲା । ମୁଁ ଲାଇବ୍ରେରୀ ଆଉ ଗଲିନି । ଯଦି ଏ ଚିଠିଟି ମୋତେ ମିଳିଯାଇଥାନ୍ତା…….” କହି ଛୋଟ ପିଲାଙ୍କ ପରି କଇଁ କଇଁ ହୋଇ କାନ୍ଦିଉଠିଲେ ସୁଭଦ୍ରା ଦେବୀ । କାନ୍ଦି କାନ୍ଦି ସେ ଚାଲିଗଲେ ଝରକା ପଖକୁ । କିଛି ସମୟ ଝରକା ପାଖେ ଛିଡ଼ା ହୋଇ ସେ ଫେରିଲେ ତା‘ଙ୍କ ଚୌକିକୁ । ମୁଁ ତାଙ୍କ ଆଗରେ ପ୍ରସ୍ତାବ ରଖି କହିଲି, “ଯଦି ଆପଣ କହିବେ ପାରଳାଖେମୁଣ୍ଡି ଯାଇ ତାଙ୍କୁ ଖୋଜିବା କି?” ଧୀର ସ୍ୱରରେ ସେ କହିଥିଲେ, ” ମୋ ଜୀବନକୁ ଭପଭୋଗ କରିବାର ଲାଳସା ଆଉ ମୋର ନାହିଁ । ଚିରିଯାଇଥିବା କ୍ୟାଲେଣ୍ଡରକୁ ଯୋଡ଼ି ଦିଆଯାଇପାରେ, କିନ୍ତୁ ବତି ଯାଇଥିବା ସେ ସମୟକୁ ଫେରେଇ ଆଣିହେବ ନାହିଁ । ବିତି ଯାଇଥିବା ସେହି ସ୍ମୃତି ସେମିତି ସ୍ମୃତି ହୋଇଥାଉ । ମୁଁ ବୃଦ୍ଧାଶ୍ରମର ତତ୍ୱାବାରିକା ଭାବେ ସେବା କରୁଛି ବୃଦ୍ଧମାନଙ୍କର । ସେମାନଙ୍କ ଭିତରେ ମୁଁ ସୁରେଶଙ୍କ ବାପାଙ୍କୁ ଦେଖୁଛି ।”
ମୁଁ ପ୍ରଣାମ କରି ଫେରୁଥିଲି ସୁଭଦ୍ରା ବୃଦ୍ଧାଶ୍ରମରୁ ।
– ରାଧାକାନ୍ତ ଦାଶ
Comments
ରାଧାକାନ୍ତ ଦାଶ ଜଣେ ଚିତ୍ରକର ଏବଂ ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗଳ୍ପ ରଚନା କରନ୍ତି । ତାଙ୍କ ରଚିତ ଗଳ୍ପ ସତ୍ୟବାଦୀ ଭଳି ବଡ଼ ବଡ଼ ପତ୍ରିକାରେ ସ୍ଥାନିତ ହୋଇଛି ।