“ମରି ଯଆନ୍ତୁ, ମରିଗେଲ କିଛିବି ଅସୁବିଧା ହେବନାହିଁ”
ଏହି କଥା ପଦକ ଶୁଣିଥିଲି ସେହି “ପ୍ୟାରେଣ୍ଟସ୍ ଡେ” ଦିନ ସାହୁ ବାବୁଙ୍କ ମୁଁହରୁ ।
ସାହୁ ବାବୁ ହେଉଛନ୍ତି କଟକର ରାଣୀହାଟର ବାସିନ୍ଦା । ପେଶାରେ ଜଣେ ଗାଡ଼ି ଚାଳକ । ପରିବାର କହିଲେ ତାଙ୍କ ସ୍ତ୍ରୀ, ପୁଅଝିଅ ତିନିଜଣ ଓ ବୃଦ୍ଧ ବାପା । ଆଉ ଏକ ସଦସ୍ୟ ମଧ୍ୟ ଅଛି, ସେ ହେଉଛି ତାଙ୍କ ମିଟୁ । ପିଲାମାନଙ୍କ ଖାଇବାପିଇବା ସହ ମିଟୁର ଖାଇବାପିଇବା ଉପରେ ସେ ବେସ୍ ଧ୍ୟାନ ଦେଉଥିେଲ । ତାଙ୍କ ବାପାମାଆଙ୍କର ଦୁଇ ପୁଅ । ମାଆ ରୁହନ୍ତି ସାନ ପୁଅ ପାଖରେ (ସାହୁ ବାବୁଙ୍କ ସାନ ଭାଇ) ଆଉ ବାପା ରୁହନ୍ତି ସାହୁ ବାବୁଙ୍କ ପାଖରେ । ମହାମାରୀ ଯୋଗୁ ଦିନତମାମ ବାବୁ ଘରେ ଆଉ ସନ୍ଧ୍ୟା ହେଲେ ପିଲାମାନଙ୍କ ପାଇଁ ନାନାପ୍ରକାର ଚାଇନିଜ୍ ଖାଦ୍ୟ ମଧ୍ୟ ବନାଉଥିଲେ । ସେ ତାଙ୍କ ପିଲାମାନଙ୍କୁ ଏତେ ଭଲପାଉଥିଲେ ଯେ, ମୁଁ ଦେଖିଲେ ଭାବେ, ସତରେ ଏ ସୃଷ୍ଟିର ସୃଷ୍ଟି ବାପାମାଆ ମାନେ କେତେ ସୁନ୍ଦର ! ନିଜ ଖୁସିକୁ ବଳି ଦେଇ ପିଲାମାନଙ୍କ ଖୁସି ପାଇଁ ସବୁକିଛି କରିଥାନ୍ତି ।
ସେଦିନ ତରତର ହୋଇ ନିତ୍ୟକର୍ମ ସାରି ମୁଁ କର୍ମକ୍ଷେତ୍ରକୁ ବାହାରୁ ଥାଏ, ସାହୁ ବାବୁଙ୍କ ଘର ଆଡ଼ୁ ଟିକେ ପାଟି ଶୁଭିଲା । ସାହୁ ବାବୁ ଉଚ୍ଚ ସ୍ୱରରେ କହୁଥାନ୍ତି, “ମରି ଯାଆନ୍ତୁ ମରିଗଲେ କିଛିବି ଅସୁବିଧା ହେବନାହିଁ ,” ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଯେ ଏ କଥା ସେ ତାଙ୍କ ବୃଦ୍ଧ ବାପାଙ୍କୁ କହୁଥିଲେ । ଯେତେବେଳେ ଜାଣିବାକୁ ପାଇଲି ସେ ଏକଥା ସବୁ ତାଙ୍କ ବାପାଙ୍କୁ କହୁଛନ୍ତି ମୁଁ ତ ପୂରା ଅବାକ୍ ହୋଇଗଲି । କାନ ସିନା ମୋର ଶୁଣି ଦେଇ ନିସ୍ତବ୍ଧ ହୋଇଗଲା, ହେଲେ ଆଖିକୁ ତ ଅଟକାଇ ପାରିଲିନି । ଦୀର୍ଘ ଏକଘଣ୍ଟା ପର୍ଯ୍ୟନ୍ତ ସେମିତି ସେ ତା’ର ଅଶ୍ରୁ ନାମକ ଦୁର୍ବଳତାକୁ ଝରାଉଥାଏ । ମନେ ମନେ କହୁଥାଏ କିରେ ସୃଷ୍ଟକର୍ତ୍ତା ଏ କି ତୋ’ର ବିଚାର? ଯେଉଁ ବାପାମାଆ କେତେ ଦୁଃଖ କଷ୍ଟକୁ ସାମ୍ନା କରି ଏମାନଙ୍କୁ ଯୋଗ୍ୟ କରାଇଥିଲେ, ଏମାନେ ଆଜି ତାଙ୍କ ଆଖିରେ ଲୁହ ଦେଇ ନିଜର ଅଯୋଗ୍ୟତାର ପରିଚୟ ଦେଉଛନ୍ତି !!!
ଯେଉଁ ପିଲାମାନେ ବାପାମାଆ ହୋଇସାରି ମଧ୍ୟ ବାପାମାଆଙ୍କର କଷ୍ଟ ବୁଝିପାରୁନାହାନ୍ତି, ମୁଁ ତ କହିବି ସେପରି ମଣିଷ ସମାଜ ପାଇଁ କଳଙ୍କ । ଆପଣମାନେ କ’ଣ କହୁଛନ୍ତି???
– କ୍ରିଷ୍ଣା ସାଉ
Comments
କ୍ରିଷ୍ଣା ସାଉ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।