ଆଜି ମୁଁ ଯଥାର୍ଥରେ ନିସ୍ଵ, ଯଥାର୍ଥରେ ସର୍ବହରା । ସବୁ କିଛି ଚାଲିଯାଇଛି କ୍ରୁର ନଈ ବଢ଼ିର ପ୍ରଖର ସୁଅ ଭଳି କିନ୍ତୁ ଗୋଟେ ଭଙ୍ଗା ବୃକ୍ଷ ସାହାରା ନେଇ ଜୀବନ ବଞ୍ଚିଗଲା ପରି ଏବେ କ୍ଷୁଧାର ତାଡ଼ନା ଯାଇନାହିଁ । ସବୁଥିରେ ଭିକାରୀ ସାଜିଥିବା ମଣିଷର ଆଜି ଗୋଟିଏ ସମ୍ବଳ, ତାହା ହେଉଛି ଏ ପେଟର ଭୋକ । ଏଇ ପେଟ ଚାଖଣ୍ଡକ ପାଇଁ ମଣିଷ ଚାଲି ଆସିଥିଲା ନିଜ ମାଆ, ମାତୃଭୂମି, ସମ୍ପର୍କକୁ ଛାଡ଼ି ସୁଦୂର ତାମିଲନାଡ଼ୁ । ଯେପରି ଦୁର୍ଯୋଧନ ୯୯ ଭାଇଙ୍କ ମୃତ୍ୟୁ ପରେ ମଧ୍ୟ ଯୁଦ୍ଧ ପାଇଁ ଦୃଢ଼ତାର ସହ ଛିଡ଼ା ହୋଇଥିଲା, ସେହିପରି ସବୁ ଆଶା ବନ୍ଦ ହୋଇଗଲା ପରେ ମଧ୍ୟ ଆଜି ବଞ୍ଚିଥିବା ଶରୀରର ପ୍ରତି ରକ୍ତ କୋଷିକା ଚାତକ ସମାନ ଅପେକ୍ଷା କରି ବସିଛନ୍ତି ମୁଠାଏ ଖାଦ୍ୟକୁ ।
ଗଳାର ମାଳି, ମଥା ସିନ୍ଦୂର ଆଉ ସ୍ୱାଭିମାନକୁ ବୁଝାଇ ଥାଏ ଯାହା, ମଣିଷ ସହ ସବୁଦିନ ପାଇଁ ରହିଥାଏ ଆଉ ଛାଡ଼ି ଚାଲିଗଲେ ମଣିଷ ନିଜର ସବୁକିଛି ହରାଇବା ପରି ଲାଗିଥାଏ । ସମ୍ପର୍କର ଅନ୍ୟ ନାମ ସାହସ ହୋଇଥାଏ । ବ୍ୟକ୍ତିର ଦମ୍ଭ, ଧୈର୍ଯ୍ୟ ଆଉ ବିପଦର ସାଥି ହେଉଛି ସମ୍ପର୍କର ପରିଭାଷା । କିନ୍ତୁ କେତେ ସମ୍ପର୍କ ବାହାଘର ସାଜସଜ୍ଜାରେ ବ୍ୟବହୃତ ବାଉଁଶ କାଠି ଉପରେ ଗୁଡ଼ା ହୋଇଥିବା ରଙ୍ଗୀନ କପଡ଼ା ପରି ହୋଇଥାଏ, ଆଉ ବାହାଘର ସରିଲେ ବାଉଁଶ ଅଲଗା ଆଉ କପଡ଼ା ଅଲଗା; ତାକୁ ମିଛ ସମ୍ପର୍କ କୁହାଯାଏ ।
ଆଜି ସବୁ ସମ୍ପର୍କ ମିଛ ହୋଇ ଯାଇଛି । ସମସ୍ତେ ଯେମିତି ହାତ ଟେକି ଦେଇଛନ୍ତି ଆଉ ମଉନ ହୋଇ ନିଜର ଅକ୍ଷମତା ପ୍ରକାଶ କରୁଛନ୍ତି । କ’ଣ ବା କରି ପାରିବେ ଏ ମହାକାଳ ରୂପି ଛଦ୍ମବେଶୀ ବେମାରି ସତେ ଯେମିତି ସଭିଙ୍କୁ ବାଧ୍ୟ କରିଛି ଘରେ ମଉନ ହୋଇ ବସିବାକୁ । ଆଉ ସାହାଯ୍ୟ ବା କେଉଁଠୁ ମିଳିବ । ମନେ ପଡ଼ିଯାଏ ଶୀତ ଦିନର ନିଶବ୍ଦ ରାତିରେ ପରିସ୍ରା କରିବାକୁ ଉଠିଲେ ପେଚାର ବିକଟାଳ ରାବ; ହୃଦୟକୁ ହଲ୍ଚଲ୍ କରିଦିଏ ଆଜି ଦିନ ବାରଟାରେ ଶୂନଶାନ୍ ରାଜ ରାସ୍ତାରେ ପୋଲିସକୁ ଦେଖିଲେ । ମୁଣ୍ଡରେ ଛିଣ୍ଡା ମଫଲର୍ ଆଉ ମୁଁହରେ ଫିକା ନୀଳ ଓଦା ରୁମାଲ ଦେଇ ପ୍ରକୃତିଠାରୁ ଯେତେ ମୁହଁ ଲୁଚାଇବାକୁ ଚେଷ୍ଟା କଲେ ମଧ୍ୟ ତା’ର ନିର୍ମଳ ଦିଗନ୍ତ ବିସ୍ତାରି ଆକାଶର ଖୋଲା ହସ ଆଉ ଶାନ୍ତ ପୃଥିବୀ ନୀରବ ଦ୍ରଷ୍ଟା ସାଜି ସତରେ ଯେମିତି ଉପହାସ କରୁଥିଲା ।
ଭଙ୍ଗା ସାଇକେଲ, ବହୁ ଦିନରୁ ସାଇତି ରଖିଥିବା ଚମଡ଼ା ଜୋତା, ପେଣ୍ଟ ଆଉ ଝାଳରେ ଯୁଡ଼ୁବୁଡ଼ୁ ଫିକା ଗୋଲାପି ଗଞ୍ଜି ଥିଲେ ମୋ ଦୀର୍ଘ ଯାତ୍ରାର ପଥିକ । ଆଜି ଆଖିରେ ଲୁହର ବନ୍ୟା । ରୋଗିଣା ବାପର ଔଷଧ, ଦୁଇ ଭଉଣୀ ବାହାଘରର କରଜ ଆଉ ଅଧା ପଡ଼ିଥିବା ଘରର ପ୍ରତିଛବି ବାରମ୍ବାର ମୁହଁ ସାମ୍ନାରେ ଆସିଥାଏ ସାଇକେଲର ପ୍ରତ୍ୟେକ ଘଣ୍ଟିରେ । ବାକି ଥିବା ଘର କାମ, ୩୦୦୦୦ କରଜ ଆଉ ରୋଗିଣା ବାପର ଔଷଧର ଚିନ୍ତା ମଧ୍ୟ ବହୁ ଦିନରୁ ଦାନା ପଡ଼ିନଥିବା ପେଟର ଭୋକକୁ ରୋକିବାରେ ବହୁତ ସହାୟ ହେଉଛି । ସବୁକିଛି ଠିକ୍ ଚାଲି ଥିଲା; ଏ କରୋନା ନାମୀ ନରହନ୍ତା ରାକ୍ଷସ ମାଡ଼ିଆସିଲା ଦୃତ ନଈ ବଢ଼ି ପରି ଆଉ ଭାଙ୍ଗିରୁଜି ଚୂର୍ମାର୍ କରିଦେଲା ମୋ ଭଳି ଦିନ ମଜୁରିଆଙ୍କୁ, ଯିଏ ଓଡ଼ିଶାରୁ ଆସି ତାମିଲନାଡ଼ୁରେ ଠିକା କାମରେ ନିଜ ପରିବାରର ଗୁଜୁରାଣ ଚାଳନ୍ତି । ପାସପୋର୍ଟରୁ ଆମଦାନୀ ହେଉଥିବା ରୋଗର ଦଣ୍ଡ ଗରିବ ତା’ର ପ୍ରତି ଝାଳ ବିନ୍ଦୁ ଆଉ ପେଟର ପୀଡ଼ାରେ ମୂଲ୍ୟ ଦେଇଛି । ଦେଶକୁ ପରିତ୍ୟାଗ କରି ବିଦେଶରେ ଟଙ୍କା ଛାପୁଥିବା ମଣିଷ ରୂପି ଯନ୍ତ୍ରମାନଙ୍କ ନିମନ୍ତେ ସ୍ୱତନ୍ତ୍ର ବିମାନ ତାହା ପୁଣି ସ୍ୱାସ୍ଥ୍ୟ କର୍ମୀଙ୍କ ଜୀବନ ସହ ଖେଳି ପଠାଯାଇଥାଏ । କିନ୍ତୁ ଆମ କଥା ବୁଝୁଛି କିଏ? ଠିକାଦାର ଚାଲିଗଲା, କମ୍ପାନୀ ପାଇଁ ଆମେ ଅଜଣା, ପାଖରେ ଥିବା ପଇସାରେ ଚଢ଼ା ଦରରେ କିଛି ଦରବ କିଣି ୩୦ ଦିନ ଚାଲିଗଲା । ପାଖରେ ଆଉ ମାତ୍ର ୭୦ ଟଙ୍କା ବଞ୍ଚିଛି, କାମର ଜମା ଆଶା ନାହିଁ । ବିଦେଶରୁ କଞ୍ଚାମାଲ୍ ଆସିବାରେ ଡେରି ହେବ ଆଉ ଏ ପୋଡ଼ା ମୁହାଁ ଲକ୍ଡାଉନ୍ ବି କେବେ ହଠିବ ତା’ର ଠିକ୍ ଠିକଣା ନାହିଁ । ହଟିଲା ପରେ ବି ଏତେ କ୍ଷତି ସହିଥିବା ମାଲିକ ଆଉ ଠିକା କର୍ମଚାରୀକୁ କେମିତି ଦରମା ଦେବ? ଏବେ ସରକାରଙ୍କ ନିୟମ ଅନୁସାରେ ତା’ କମ୍ପାନୀ କର୍ମଚାରୀକୁ ଘରେ ବସାଇ ଦରମା ଦେଉଚି ବିନା କାମରେ… ସତ କଥା, “ଗରିବ ମାଇପ ସବୁରି ଶାଳୀ”; ଆମକୁ ବା ପଚାରେ କିଏ? ଉପରେ ପୋଲିସବାଲାର ବହୁ ଦିନ ହେଲା ଉପୁରି ନାହିଁ । ଗାଡ଼ି ଚାଲୁ ନାହିଁ, ତା’ପରେ ନିଦାଘ ଖରାରେ ବିନା ଉପୁରୀରେ କାମ କରୁଥିବା ପୋଲିସ ସାମନାରେ ଆସିଲେ ସତେ ଯେମିତି ଲାଗୁଛି ମୁଁ ଜଣେ ଆତଙ୍କବାଦୀ ! କି ପାହର ! କିନ୍ତୁ ସତ କଥା ହେଲା ବହୁ ଦିନ ହେଲା କିଛି ମିଳିନି । ତା’ଛଡ଼ା ସବୁ ନିୟମ ତ ଆମରି ପାଇଁ ନା । ଆମେ କ’ଣ ନିରବ ମୋଦି ନା ମାଲ୍ଲ୍ୟା ହେଇ କୋଟି କୋଟି ଟଙ୍କା ନେଇ ଦେଶ ବାହାରେ ଆରାମ କରିବୁ ଆଉ ନିର୍ବାଚନ ପାଇଁ ଏକ ପ୍ରସଙ୍ଗ ହେବୁ? ଧର୍ମ, ଜାତି, ସମ୍ପ୍ରଦାୟରେ ଭାଗ ଭାଗ କରି ରାଜନୀତି କରିବା ବ୍ୟତୀତ ଏ ଦେଶରେ ଏବେ ଗୋଟେ ଫଟୋ ପୋଷ୍ଟ୍ର ପ୍ରତିଯୋଗିତା ଚାଲିଛି । କିଏ ଗୋଟେ କଦଳୀ କି ବିସ୍କୁଟ ଚାରିଟା ଦେଇ ଦଉଛି, ସେ ଗୋଟେ ବଡ଼ ମୋବାଇଲରେ ଫଟୋ ନେଉଛି ପୋଷ୍ଟ କରିବା ପାଇଁ । ଆଉ ଦେଶର ସାମ୍ବାଦିକମାନେ ଆସୁଛନ୍ତି ବଡ଼ ବଡ଼ କ୍ୟାମେରା ନେଇ ସତେ ଯେମିତି ସେମାନଙ୍କ ପାଇଁ ସାତ ଖୁନ୍ ମାଫ୍ ।
ସତରେ ଆଜ୍ଞା ଆପଣ ଭୋକରେ ରହି ମରି ଯିବେ ପଛେ କାହାକୁ କିଛି ଫରକ୍ ପଡ଼ିବ ନାହିଁ । ଘରଲୋକେ ୨ ମାସ ଆଉ ମାଆ ବର୍ଷେ ମନେ ପକେଇବ । ବାସ୍ ! ସରିଲା; କିନ୍ତୁ ବିରାଟ କୋହଲି ବାହାଘରରେ କ’ଣ ହୋଇଥିଲା, କିଏ ଡ୍ରେସ୍ ଡିଜାଇନ୍ କରିଥିଲା ତାହା ସବୁଦିନେ ଚର୍ଚ୍ଚ ଚାଲିଥିବ ।
ଓଡ଼ିଶା ଆଉ କେତେ ଦୂର ! ସାଇକେଲରେ ପହଞ୍ଚିଗଲେ ସେଠାରେ ସ୍କୁଲର ପକ୍କା ଘରେ ରହିବି । ପଙ୍ଖା, ୨୪ ଘଣ୍ଟା ବିଜୁଳି, ଆକୁଆଗାର୍ଡ଼ ପାଣି, ମାଗଣା ଖାଇବା… ଆମ ସରକାର ପରା ବନ୍ଦୋବସ୍ତ କରିଛନ୍ତି । ଯାହେଉ ସେଇଥିପାଇଁ ତ ସାଇକେଲରେ ବାହାରିଛି ।
କାନ ନାକ ମୋଡ଼ି ହେଉଛି, ଆଉ କେବେ ବାହାରକୁ ଆସିବିନି । ହବ ଯଦି ଦୁବାଇ ପଳେଇବି, କାରଣ ସରକାର ବାହାର ଦେଶରେ ଥିବା ଲୋକଙ୍କ ପାଇଁ ସ୍ଵତନ୍ତ୍ର ବିମାନ ପଠାଉଛନ୍ତି ଆଉ ବାହାର ରାଜ୍ୟରେ ଥିବା ଲୋକମାନଙ୍କୁ କେତେକ ରାଜ୍ୟରେ ବିଶୋଧନାଗାର ସ୍ପ୍ରେ କରାଯାଇଛି, ସତେ ଯେମିତି ପୋକ ମାଛି ପରି ।
ଆମ ସରକାରଙ୍କୁ ଅନୁରୋଧ କି ପାଞ୍ଚ ଟଙ୍କିଏ ଭାତ ଡାଲି ମସଲା ମାସିକିଆ ରାସନ୍ ସହ ଗୋଟେ ଛୋଟ ମୋଟ କାମ ଦେଇ ଦେବେ, ଆଉ ଏ ହିନସ୍ଥା ହେବାକୁ ପଡ଼ିବ ନାହିଁ । ହଉ ଆଜ୍ଞା ! ଗୋଟେ ଦୋକାନ ଖୋଲିଛି, କ’ଣ ଗଣ୍ଡେ ଖାଇଦିଏ ଆହୁରି ଅନେକ ଦୂର ଯିବାକୁ ଅଛି ।
ଓଡ଼ିଶା କେତେ ଦୂର…
ଏହିପରି ଅନେକ ଲୋକ…. କିଏ ଏ ମାନେ? କେଉଁଠାରୁ ଆସିଛନ୍ତି? ଶହ ଶହ ସଂଖ୍ୟାରେ ଉପବାସରେ ଜୀବନ ଯାପନ କରୁଛନ୍ତି । କେତେକ ଚାଲି ଚାଲି ଯିବାକୁ ଚାହିଁଛନ୍ତି କେତେକ ବାଟରେ ମରି ଗଲେଣି । କେତେକଙ୍କ ଉପରେ ଉତ୍ତର ପ୍ରଦେଶ ସରକାର ସାନିଟାଇଜର୍ ସ୍ପ୍ରେ କରୁଛି । କେତେକ ପୋଲିସର ଲୁହ ବୁହା ଗ୍ୟାସ୍ ଆଉ ପ୍ରହାରର ଶିକାର ହେଉଛନ୍ତି । ଆମେ ଟିଭିରେ ସିଧା ପ୍ରସାରଣ ଦେଖୁଛେ ରାମାୟଣ, ମହାଭାରତ ଆଉ ଶକ୍ତିମାନ ସହ ଏଇ ଠିକା ମଜୁରିଆଙ୍କ ଦୁଃଖ କାହାଣୀ ।
– ଅମୀୟ ରଞ୍ଜନ ବେଉରା
Comments
ଅମୀୟ ରଞ୍ଜନ ବେଉରା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।