ରବିବାର ସକାଳ, ଛୁଟି ଦିନ । କାଲୁ ମିଆଁ ମାଂସ ଦୋକାନରେ ବସି ନିର୍ଜୀବ ଛେଳି ଦେହରୁ ଛାଲ ଉତାରୁଥାଏ । ରବିବାରରେ ବେଶୀ ମାଂସ ବିକ୍ରିହୁଏ ବୋଲି ଆଉ ୪ଟି ଛେଳି ନିକଟସ୍ଥ କଣ୍ଟାଯୁକ୍ତ ତାର ବାଡ଼ ନିକଟରେ ବାନ୍ଧି ରଖିଛି ।
ଆଗତ ମୃତ୍ୟୁର ଭୟରେ କିଏ କାଲୁ ମିଆଁ ମାଂସ ଦୋକାନକୁ ଚାହିଁ ଦୁଃଖରେ ଭାଙ୍ଗି ପଡ଼ୁଥାଏ ତ କିଏ ପୁଣି ବାଦ ବିବାଦ ମଧ୍ୟରେ ଠେଲାପେଲା ହେଉଥାଆନ୍ତି । ପଶୁ ପ୍ରକୃତି; ଯେତେ ଶାସନ କଲେ ବି ଟିକେ ଢିଲା ମିଳିଲେ କିଛି ଗୋଟେ ଅଘଟଣ ଘଟେଇଦେବେ ।
ସେମାନଙ୍କ ମଧ୍ୟରୁ ଦୁଇଟି ଛେଳି ଶିଙ୍ଗକୁ ଶିଙ୍ଗରେ ବାଡ଼େଇ ବଳ କଷୁ ଥାଆନ୍ତି । ଯାହାର ବଳ ବେଶୀ ହେଉଥାଏ ସେ ଅନ୍ୟକୁ ଖଣ୍ଡେ ଦୂରଯାଏ ଠେଲି ନେଉଥାଏ । କିଛି ସମୟ ବଳ କଷାକଷି ମଧ୍ୟରେ ବଳଶାଳୀ ଛେଳିଟି ଅନ୍ୟ ଛେଳିକୁ ଠେଲିନେଇ ତାର ବାଡ଼ରେ ପକାଇଦେଲା । ଛେଳିଟି ତାର ବାଡ଼ରେ ପଡ଼ି ମେ ମେ ରଡ଼ି ଛଡ଼ିଲା । ଚେଷ୍ଟା କରୁଥାଏ ମୁକୁଳିବା ପାଇଁ ।
ତା’ର ଅକ୍ଲାନ୍ତ ଚେଷ୍ଟା ବାରମ୍ୱାର ବିଫଳ ହେଉଥାଏ ଅଥଚ ତାର ବାଡ଼ରେ ଲାଗିଥିବା ଲୁହା କଣ୍ଟା ଦ୍ୱାରା ଫୋଡ଼ିହୋଇ ଲହୁ ଲୁହାଣ ହେଉଥାଏ । ମେ ମେ ଶବ୍ଦର ବିକଳ ଆର୍ତ୍ତଚିତ୍କାର ସେଇ ପରିବେଶକୁ ଦୋହଲାଇ ଦେଉଥାଏ ।
ହଠାତ କାଲୁ ମିଆଁ ମୁହଁ ଉଠେଇ ଦେଖେ ତ ଛେଳିଟି କଣ୍ଟା ଯୁକ୍ତ ତାର ବାଡ଼ରେ ଫସି ଆଉ ବାହାରି ପାରୁନାହିଁ । ଜୀବଟିର ଯନ୍ତ୍ରଣାକ୍ତ ଦୃଶ୍ୟ ଦେଖି ସେ ଆଉ ସହିପାରିଲା ନାହିଁ । କଂସେଇ ମନଟା ତା’ର ସଙ୍ଗେ ସଙ୍ଗେ ମହମ ପରି ତରଳିଗଲା । ଛାଲ ଉତୁରା କାମ ଛାଡ଼ି ଧାଇଁଗଲା ତାର ବଡ଼ ନିକଟକୁ । ଅକ୍ଲାନ୍ତ ଚେଷ୍ଟା କରି ଛେଳିଟିକୁ ଉଦ୍ଧାର କଲା ସତ କିନ୍ତୁ ପିନ୍ଧା ତା’ ସାର୍ଟ ତାର ବାଡ଼ରେ ଲାଗି ଚିରିଗଲା । ହାତ ପାପୁଲିରେ ତାର ବାଡ଼ର କଣ୍ଟା ଫୋଡ଼ି ରକ୍ତ ବାହାରୁଥାଏ । ତଥାପି ତା’ ଓଠରେ ଆନନ୍ଦ ଭରା ହସ ବାରି ହେଉଥାଏ ଯେମିତି ଜୀବନରେ ଆଜି ସେ ବଡ଼ ମହତ୍ୱପୂର୍ଣ୍ଣ କାମଟେ କରିଛି !
ମାଂସ ଦୋକାନ ପାଖରେ ଜଣେ ଗ୍ରାହକ ନୀରବରେ ଠିଆ ହୋଇ ଏସବୁ ଦେଖୁଥାଏ । କାଲୁର ପରିସ୍ଥିତିକୁ ଦେଖି ଆଶ୍ଚର୍ଯ୍ୟାନ୍ୱିତ ହୋଇ ପଚାରିଲା, “ଆରେ କାଲୁ ! ଆଉ କିଛି ସମୟ ପରେ ତୁ ତ ସେ ଛେଳିଟି ମାରିବୁ, ଏତେ ପରିଶ୍ରମ କରୁଥିଲୁ କ’ଣ ପାଇଁ?”
କାଲୁ ମିଆଁ ଗରାଖର ମୁହଁକୁ ବିସ୍ମୟ ଦୃଷ୍ଟିରେ ଥରେ ଦେଖି ନେଲା । ପୁଣିଥରେ ସେଇ ନିରୀହ ଛେଳିକୁ ଦେଖିଲା ଯିଏ ଏପର୍ଯ୍ୟନ୍ତ ଠିକଭାବେ ଠିଆହୋଇ ପାରୁନାହିଁ । ଗରାଖର ପ୍ରଶ୍ନ ଓ ମୁମୂର୍ଷୁ ଛେଳିର ଯନ୍ତ୍ରଣାକୁ ବିଶ୍ଳେଷଣ କରୁ କରୁ ସେ କହିଲା, “ଭାଇ ! ମୁଁ ପରା ଜଣେ ମଣିଷ । କଂସେଇ ହୋଇ ଛେଳି କାଟିବା ସିନା ମୋ କାମ ହେଲେ ମଣିଷ ପଣିଆକୁ ଭୁଲିଯିବି କେମିତି?”
– ସୁଧାଂଶୁ ଶେଖର ଦ୍ୱିବେଦୀ
Comments
ସୁଧାଂଶୁ ଶେଖର ଦ୍ୱିବେଦୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।