କେତେବେଳେ ଦେଖିଛନ୍ତି କି ସେ ହୃଦୟକୁ କେତବେଳେ ଶୁଣିବାକୁ ଚେଷ୍ଟା କରିଛନ୍ତି କି ସେ କ’ଣ କହିବାକୁ ଚାହୁଁଛି? ନା…..
ସତ କହିଲି ନା???
ବାରମ୍ବାର ଅବିଶ୍ୱାସର ବହ୍ନିରେ ଜଳିବା ପରେ ଆଜି ଶେଷ ଅବସ୍ଥାରେ କୁଟାଖିଅକୁ ସହାରା କରି ଧୀରେ ଧୀରେ କମ୍ପୁଛି ଆଜି ସେ ହୃଦୟଟି । ଆଶା ଭରସା ଓ ବିଶ୍ୱାସକୁ ଭଲରେ ଦେଖିଲା ପରେ ବୁଝି ପାରିଛି ସେ ଦୁନିଆକୁ ଆଉ ଦୁନିଆର ଲୋକଙ୍କୁ । ବୁଝିପାରିଛି ଏ ସମାଜକୁ ଏବଂ ପ୍ରତ୍ୟେକଟି ମୁହୂର୍ତ୍ତରେ ବଦଳୁଥିବା ବହୁରୂପୀ ଚେହେରାଧାରୀଙ୍କୁ ।
ଗୁମୁରି ଗୁମୁରି କାନ୍ଦୁଛି ସେ… ନା କାହାକୁ କହିପାରୁଛି… ନା କିଏ ସେ କଥା ଶୁଣିପାରୁଛି ।
ଶୁଣିବ ବା କିଏ… ବୁଝିବ ବା କିଏ…
ନିରବି ଯିବାକୁ ବହୁତ ଥର ଚେଷ୍ଟା କରି ବିଫଳ ହୋଇଯାଇଛି ।
କିଛି କଥାକୁ ମନେମନେ ଗପି ଚାଲିଛି ମନକୁ ଟିକେ ହାଲକା କରିବା ପାଇଁ, ମାତ୍ର ବିଫଳ ହୋଇଛି । ଅକୁହା କଥା ଲାଗୁଛି ସେମିତି ରହିଯିବ ବୋଧେ ସବୁଦିନ ପାଇଁ । ପକ୍ଷୀ ଆଜି ଉଡ଼ିଯାଇଛି ଆଉ ଗଛ ବି ମୃତ ପ୍ରାୟ ।
ଖାଲି ଅପେକ୍ଷା ଏକ ଝଡ଼କୁ ଯିଏ ଆସିବ ଆଉ ଏ କଥା ଆଉ କାହାଣୀର ଅନ୍ତ କରିବ ସବୁଦିନ ପାଇଁ । ନା କାହାକୁ କଷ୍ଟ ଲାଗିବ ନା କାହା ଆଖିରେ ଲୁହର ଧାର ଆସିବ । ନା କିଏ ମନେରଖିବ ନା କିଏ ହୃଦୟରେ ସାଇତିବ । ବାସ୍ ସେ ଅକୁହା କଥା ସେମିତି ରହିଯିବ ଆଉ ସେ ହୃଦୟ ନିରବି ଯିବ ।
ହଁ ମୁଁ କହୁଛି ମୁଁ…
ଶୁଣିପାରୁଛନ୍ତି କି ମୋ କଥାକୁ…
ଆଜାଦି କଥା ଶୁଣି ମୁଁ ବି ଆଜି ଆସିଛି, ଥରେ ଦେଖିବାକୁ ତା’ର ପ୍ରକୃତ ରୂପକୁ, ଥରେ ବୁଝିବାକୁ ତା’ର ବାସ୍ତବତାକୁ କାରଣ ବହୁତ ଦିନ ଧରି ଅପେକ୍ଷା କରି ଆଜି ମୁଁ ହାରିଯାଇଛି, ତାକୁ ପାଇବାର ଆଶା ମୋର ଆଶାରେ ରହିଯାଇଛି, ଚାହିଁକି ବି ମୁଁ ଆଜି ଅନୁଭବ କରିପାରିବି ନାହିଁ ଆଉ ପାଇବାର ଆବଶ୍ୟକତା ନାହିଁ ।
କାରଣ ମୁଁ ଆଜି ନିରବି ଯାଇଛି । ମିଶିଯାଇଛି ମୁଁ ଆଜି ମାଟିରେ । ମୋ ଶରୀର ଆଜି ଏ ମାଟିରେ କେଉଁ ଏକ ଅଜଣା ରାଇଜରେ ଅଭିଶପ୍ତର ବନ୍ଧନରେ ବାନ୍ଧି ହୋଇଯାଇଛି । ଜାଣିଛନ୍ତି ମତେ ମୁଁ କିଏ? ଜାଣିଛନ୍ତି ମୋର ପରିଚୟ କ’ଣ?
ଜାଣିବେ ବା କେମିତି? କାରଣ ଦିନ ଗଡ଼ିଗଲା ପରେ ସମସ୍ତେ ଭୁଲି ଯାଇଛନ୍ତି ମତେ ।
ତଥାପି ଶୁଣନ୍ତୁ ମୋ ହୃଦୟର ଏ ଅଭିଶପ୍ତ ଅମାବାସ୍ୟାର କାହାଣି କଥା ।
ମୁଁ ହେଉଛି… ସେହି ଝିଅଟିଏ ।।
ମୁଁ ସେହି ଝିଅ କହୁଛି, ଯାହାକୁ ଅତ୍ୟନ୍ତ ଜଘନ୍ୟ ଭାବେ ହତ୍ୟା କରିଛି ଏ ସମାଜ ।
ମୁଁ ସେହି ଝିଅ କହୁଛି, ଯାହାକୁ ବଳାତ୍କାର ପୀଡ଼ିତା ଭାବେ ପରିଚୟ ମିଳିଛି… ଦୋଷୀ ଆଜି ଅଜାଦି ପାଇଛି ଆଉ ମୁଁ ଆଜି ନିରବି ଯାଇଛି ।
ମୁଁ ସେହି ଝିଅ କହୁଛି, ଯିଏକି ନିଜ ପେଟ ପାଇଁ ନିଜର ସବୁକିଛି ଦାନ କରିଦେଇଛି । ଆଉ ଏକ ଭିନ୍ନ କଳୁଷିତ ଅଧ୍ୟାୟ ମୋ ପାଇଁ ଆଣିଦେଇଛି ମରିବାର ଏକ ସତ ବାହାନା ।
ମୁଁ ସେହି ଝିଅ କହୁଛି, ଯାହାକୁ ଦୁନିଆ ଦେଖିବା ପୂର୍ବରୁ କାଟି ଖଣ୍ଡ ଖଣ୍ଡ କରି ଫୋପାଡ଼ି ଦିଆଯାଇଛି । ଆଉ ଅଜାଦି ପାଇଛନ୍ତି ମୋର ହତ୍ୟାକାରି ।
ମୁଁ ଆଜ୍ଞା ସେହି ଝିଅ କହୁଛି, ଯାହାକୁ କି ଯୌତୁକ ପାଇଁ ପୋଡ଼ି ମାରିଦିଆ ଯାଇଛି । ଆଜି ବି ମୋ ଦେହର ସେ ଜଳିବାର ବାସ୍ନା ଆଉ କଷ୍ଟ ଅନୁଭୂତ ହେଉଛି । ଆଉ ଜାଣିଛନ୍ତି ଅଜାଦି କିଏ ପାଇଛି? ସେହି ଲୋକ ଯିଏକି ମୋ ଦେହରେ କିରାସିନି ଢାଳି ମତେ ମାରିଛି ।
କିଏ ମତେ ସାହାଯ୍ୟର ବାହାନା କରି ତ କିଏ ମତେ ମିଥ୍ୟା ପ୍ରତିଶୁତି ଦେଇ, କେତେବେଳେ ମୋ ଶରୀରକୁ ରକ୍ତାକ୍ତ କରି ତ କେତେବେଳେ ମୋ ଶରୀରକୁ ଖଣ୍ଡ ଖଣ୍ଡ କରି । ମତେ କେତେ ସ୍ୱାଧୀନତା ଦେଲେ ନା?
ବାସ୍ କ’ଣ ଆଉ କହିବି ମୁଁ? ନା କିଛି କହିବାର ଅଛି… ନା କିଛି ପାଇବାର ଆଶା ରଖିଛି…
ଆଜି ଏ ଅଜାଦି ପାଇଁ ଲଢ଼ୁଥିବା ଲୋକ କେତେବେଳେ ପ୍ରକୃତ ଆଜାଦି ପାଇଁ ଲଢ଼ିବେ ଦେଖିବାକୁ ବାକି ରହିଲା ।
ଟ୍ରେନ ଜାଳିବା, ଦେଶ ବିରୋଧୀ ନାରା ଦେବା ସହ ଦେଶଦ୍ରୋହୀଙ୍କୁ ସହଯୋଗ କରିବା ଯଦି ପ୍ରକୃତ ଆଜାଦି ହୁଏ ତେବେ ମୁଁ କହିବି ଧ୍ୱଂସର ସମୟ ଆସିଯାଇଛି ।।। ବାସ୍ ଏତିକି କହିବାର ଥିଲା ।
– ଏକ ନିସ୍ତବ୍ଧ ଆତ୍ମା
ରଶ୍ମିରଞ୍ଜନ ନାୟକ
Comments
ରଶ୍ମି ରଞ୍ଜନ ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।