ମୋ ମାଆ

Odia Poem Mo Maa (ମୋ ମାଆ) by Banasmita Behera

ଜୀବନରେ ଥରେ କେବଳ ଥରେ ହିଁ ସେ
ହସିଥିଲା ଯେବେ ମୁଁ କାନ୍ଦିଥିଲି,
ତା’ ପରେ ଯେବେ ବି ମୁଁ କାନ୍ଦିଛି
ମୁହଁ ଲୁଚେଇ ସେ କାନ୍ଦିଛି ।

ବାପାଙ୍କ ପାଖରେ ମୋ ଦୁଷ୍ଟାମିର ଅଭିଯୋଗ କରି
ପୁଣି କାହିଁକି ଅଭିଯୋଗ କଲା ବୋଲି ମନେ ମନେ
କେତେ ନିଜକୁ ଗାଳି ଦେଇଛି…

ପାଠ ନ ପଢ଼ିଲେ ଦୁଷ୍ଟାମି ହେଲେ ଯଦି କେବେ ମୋ ଉପରେ
ହାତ ଉଠେଇଛି
କି ମାଡ଼ ମରିଛି… ତା’ ହେଲେ ଦିନ ସାରା ନିଜେ ନିଜକୁ ଦୋଷୀ
ବୋଲି ଭାବି କେତେ କାନ୍ଦିଛି…

ସ୍କୁଲରୁ ଫେରିଲେ ଲୁଗା କାନିରେ ଝାଳ ପୋଛି ଦେଇ
କୋଳରେ ବସେଇ ଗେଲ କରିଦିଏ ପୁଣି
କେବେ ନିଜ ହାତରେ ଖୁଆଇଦିଏ…

ହଷ୍ଟେଲରେ ରହିବା ବେଳେ ବାପା ଦେଇଥିବା
ହାତ ଖର୍ଚ୍ଚ କାଳେ କମ ହେଇଯିବ, ବାପାଙ୍କୁ ଲୁଚେଇ
କିଛି ଟଙ୍କା ପୁଣି ଆଣି ହାତରେ ଗୁଞ୍ଜି ଦିଏ…

ନିଜେ ଚିରା ଲୁଗା ପିନ୍ଧେ ପଛେ ନୂଆ ଲୁଗା କେବେ
ଦେଲେ ମୋର ଲୁଗା କ’ଣ ହବ, ତୋ’ ପାଇଁ କିଛି
କିଣି ଦେଲୁନି କହି ମନେ ମନେ ଖୁସି ହେଇଯାଏ…

ସବୁ ଶୋଇବା ପରେ ଶୋଉଥିବା ମଣିଷ ଆଉ
ସମସ୍ତଙ୍କ ଠାରୁ ଆଗରେ ଉଠୁଥିବା ମଣିଷଟା
କେବେ ଥକି ଯିବାର ମୁଁ ଦେଖି ନାହିଁ…

ସବୁ ଖାଇ ସାରିବା ପରେ ଭାତ ଲୁଣ
ଖାଉଥିବା ମଣିଷଟାକୁ କେବେ ଭଲ ଖାଇବା
ପାଇଁ ଅଳି କରିବାର ଦେଖିନାହିଁ…

ବେଳେବେଳେ ବୁଝିପାରେ ନି ସେ କଣ ମଣିଷ ନୁହେଁ,
ତା’ର କ’ଣ କିଛି ଇଚ୍ଛା ନାହିଁ… ଭଲ ପିନ୍ଧିବାକୁ,
ଭଲରେ ରହିବାକୁ ଆଉ ଭଲ ଖାଇବାକୁ…

ହୁଏତ ଉତ୍ତର କେବେ ପାଇବି ନାହିଁ…
କାରଣ ସେ ହେଉଛି ମା’…
ଯାହାର ହୃଦୟ ସମୁଦ୍ର ଠାରୁ ଗଭୀର ଆଉ
ଆକାଶ ଠାରୁ ବି ଉଚ୍ଚ…
ଯାହାର ମନ ଗଙ୍ଗା ଭଳି ପବିତ୍ର…
ସେ ହେଉଛି ମା’…

– ବନସ୍ମିତା ବେହେରା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...