ସମୀରଙ୍କୁ ବାହା ହୋଇ ଆସିବା ଦିନଠାରୁ ଲୋପାର ପାଟିଟା ପାଣିଚିଆ ହୋଇଗଲାଣି । କେମିତି ହୁଅନ୍ତାନି ଯେ ! ସପ୍ତାହକୁ ଚାରିଦିନ ନନ୍ ଭେଜ ଖାଉଥିବା ଝିଅଟା ଏହା ଭିତରେ ଚାରି ମାସ ହୋଇଗଲାଣି ମାଂସ ବାସନା ବି ଟିକିଏ ପାଇନାହିଁ ଯେ ! ସମୀର କୁଆଡ଼େ ଭେଜି । ଓଃ! ଯଦି ସେ ବାପାବୋଉଙ୍କ କଥାରେ ସେଦିନ ଅବାଧ୍ୟ ହୋଇପାରିଥାନ୍ତା; ତାହା ହେଲେ ତାକୁ ଏ ଭେଜି ଲୋକଟାକୁ ବାହା ହେବାକୁ ପଡ଼ିନଥାନ୍ତା ! ସବୁ ଝିଅଙ୍କର ବାପାମାଆଗୁଡ଼ାକ ଏମିତି । ଝିଅର ପସନ୍ଦ ଅପସନ୍ଦକୁ କେବେହେଲେ ମହତ୍ତ୍ୱ ଦେଇନଥାନ୍ତି । ପିଲା ଯଦି ପସନ୍ଦ ଆସିଗଲା ଝିଅକୁ ପସନ୍ଦ ଆସିବାକୁ ବାଧ୍ୟ । ତେବେ ଲୋପା ଆଖିରେ ସମୀରଙ୍କର ସବୁ ଠିକ୍ ଯେ ହେଲେ ତାଙ୍କର ସେହି ଭେଜିଟେରିୟନ୍ ହେବାଟା ଲୋପାକୁ ଆଦୌ ପସନ୍ଦ ନୁହେଁ । ଯେତେବେଳେ ଲୋପା ଭାବିନିଏ ସାରା ଜୀବନ ଏ ଭେଜି ଲୋକଟା ସହିତ ତାକୁ ଚଳିବାକୁ ପଡ଼ିବ ତା’ ମୁଣ୍ଡ ଆଉ କାମ କରେନି । ଆଜିର ଫାଷ୍ଟ ଫୁଡ୍ ଯୁଗରେ ନନ୍ ଭେଜ ନଖାଇ କେମିତି ଯେ ସମୀର ରହିଛନ୍ତି ସେ କଥା ଭାବିଲେ ବେଳେବେଳେ ଆଶ୍ଚର୍ଯ୍ୟ ହୋଇଯାଏ ଲୋପା । ସମୀରଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ଚାରି ମାସ ହୋଇଗଲାଣି ତା ମୁହଁରେ ଆଇଁଷ ପାଣି ଟିକିଏ ବାଜିନି । ଅନେକ ଥର ସେ ଭାବିଛି ବହୁତ ହୋଇଗଲା ଇଚ୍ଛାକୁ ସମ୍ମାନ ଦେବା ! ଆଉ ନୁହେଁ ! ଏଥର ସମୀରଙ୍କୁ ମୁହେଁ ମୁହେଁ କହିଦେବ ତା’ଦେଇ ଆଉ ଏ ଫର୍ମାଲିଟି ମେଣ୍ଟେନ ହୋଇପାରିବନି । ସେ ନାରୀ ହେଲାବୋଲି କ’ଣ ସବୁବେଳେ ସେ ହିଁ ସେକ୍ରିଫାଇସ୍ କରିବ ! ସମୀରକଂ ମନ ରଖିବାକୁ ଯାଇ ସେ ଯଦି ଭେଜି ହୋଇପାରୁଛି; ତା’ହେଲେ ତା’ ମନ ରଖିବାକୁ ଯାଇ ସମୀର କାହିଁକି ନନ୍ ଭେଜ୍ ଖାଇପାରିବେନି ଯେ ! ତା’ହେଲେ ତ ଜଣାପଡ଼ିବ କିଏ କାହାକୁ କେତେ ଭଲ ପାଉଛି ! କିନ୍ତୁ ଯେତେଥର ସମୀରଙ୍କ ସେ ବିଶ୍ୱାସଭରା ଆଖି ଯୋଡ଼ିକୁ ଲୋପା ଦେଖିନିଏ; ତା’ ମନଟା କେମିତି କେଜାଣି ପରିବର୍ତ୍ତନ ହୋଇଯାଏ । ମନର ଭାବନାଟା ମନ ଭିତରେ ହିଁ ଚାପିହୋଇଯାଏ ।
ଆଜି ଯେତେବେଳେ ଲୋପା ତା’ ନଣନ୍ଦକୁ ନେଇ ବାପ ଘରକୁ ଗଲା ସେତେବେଳେ ସେ ମନେମନେ ଚିନ୍ତା କରିନେଇଥିଲା ଆଗ ଯାଇ ଚିକ୍ସ ଏଣ୍ଡ ଚିଲିରେ ମନ ଭରି ନନ୍ ଭେଜ୍ ଖାଇବ । ସନ୍ଧ୍ୟାବେଳେ ଲୋପାର ପୁରା ପରିବାର ପହଞ୍ଚିଗଲେ ଚିକ୍ସ ଏଣ୍ଡ ଚିଲିରେ । ସାଙ୍ଗରେ ଥାଏ ଲୋପାର କଲେଜ ପଢ଼ୁଆ ନଣନ୍ଦ ଏଲି । ହୋଟେଲର ମେନୁ ବୁକ୍ରୁ ଲୋପା ମଗାଇଦେଲା ଅନେକ ରକମର ନନ୍ ଭେଜ୍ ଆଇଟମ୍ । ନଣନ୍ଦ ଏଲି କିନ୍ତୁ ନନ୍ ଭେଜ୍ ଖାଇବାକୁ ଟିକିଏ ସଂକୋଚ କଲା । ସେ ଭେଜ୍ ମଗାଇବାର ଦେଖି ଲୋପା କହିଲା, “କ’ଣ ଏଲି ! ତୁମେ କଲେଜ୍ ପଢ଼ୁଛ । ଏ ବୟସରୁ ତୁମ ଭାଇ ଭଳି ଭେଜିଟେରିୟନ୍ ହେଲେ ଚଳିବ?” ଭାଉଜ କଥା ଶୁଣି ଏଲି ଟିକିଏ ହସିଦେଇ କହିଲା, “ନା’ମ ଭାଉଜ ! ଆମେ ଦୁଇ ଭାଇଭଉଣୀ ବହୁତ ଚିକେନ ପ୍ରିୟ । ବାପା ତ ଚିକେନରେ ଭାସୁଥିଲେ । ମା ଯେତେ ବିରକ୍ତ ହେଲେ ବି ବାପା କିଛି ନା କିଛି କିଛି ବାହାନା କରି ଚିକେନ ଘରକୁ ଆଣୁଥିଲେ । ଆମେ ଭାଇ ଭଉଣୀ ବି ଖୁସ୍ ଆଉ ବାପା ବି ଖୁସ୍ । ହେଲେ ସେଦିନ ଯେତେବେଳେ ଡାକ୍ତର କୌଣସି ପ୍ରକାରେ ବାପାଙ୍କର ସୁଗାର ଲେଭେଲ୍ ଚେକ୍ କରିପାରିଲେନି; ତାଙ୍କୁ ଇନସୁଲିନ୍ ଇଞ୍ଜେକ୍ସନ ଦେବାକୁ ବାଧ୍ୟ ହେଲେ । ସେହି ଦିନୁ ବାପା ଇନସୁଲିନ୍ ନେଉଛନ୍ତି । ତା’ପରେ ପରେ ବାପା ନନ୍ ଭେଜ୍ ଖିଆ ଛାଡ଼ିଦେଲେ । ଖାଦ୍ୟ ପ୍ରତି ଥିବା ଆକର୍ଷଣଟା ତାଙ୍କର ଯେମିତି ହଜିଗଲା । ତା’ର କିଛିଦିନ ପରେ ଆମେ ଭାଇ ଭଉଣୀ ଚିକେନ ଆଣିବାକୁ ଯାଇଥିଲୁ । ଭାଇ କହିଲା ଅଳ୍ପ ନେବା । ମୁଁ ପଚାରିଲି କ’ଣ ପାଇଁ? ଭାଇ ସେଇଠୁ ମୁହଁଟାକୁ ଶୁଖେଇ ଦେଇ କହିଲା, “ଆଲୋ ! ମାଆ ତ ଚିଡ଼ିଚିଡ଼ି ହୁଏ ! ବାପା ତ ଆଉ ଖାଉନାହାନ୍ତି । ମୋର ବି ଆଉ ଖାଇବାକୁ ଇଚ୍ଛା ନାହିଁ । ବାପା ଖାଉଥିଲେ ଯେ ଆମେ ବି ଖୁସିରେ ଖାଉଥିଲେ । ଏବେ ଆଉ ବାପା ଖାଇବେନି । ତାଙ୍କ ଆଗରେ ମୁଁ କେମିତି ମନ ଖୁସିରେ ଚିକେନ ଖାଇପାରିବି ! ବାପା ଯଦି ଆଉ ଖାଇବେନି ତା’ହେଲେ ମୁଁ ଆଉ କାହିଁକି ଖାଇବି? ତେଣୁ ଖାଲି ତୋ ଖାଇବା ମୁତାବକ ଚିକେନ ନେଇଯିବା ।” ସେଦିନ ଭାଇର କଥା ଶୁଣି ମୁଁ କିଛି ସମୟ ଚାହିଁରହିଲି ତାକୁ । ମନେ ମନେ ଭାବୁଥିଲି ଆଇ ଏମ୍ ପ୍ରାଉଡ଼୍ ଅଫ୍ ୟୁ ଭାଇ । ତା’ପରେ ସିଧା ଗାଡ଼ି ପାଖକୁ ଫେରି ଭାଇକୁ କହିଲି ଖାଲି ତୁ କ’ଣ ବାପାଙ୍କୁ ଭଲ ପାଉ ! ମୁଁ କ’ଣ ପାଏନି କି? ବାସ୍ ସେଦିନୁ ଆମେ ଭାଇ ଭଉଣୀ ପୁରା ଭେଜି ।” ଏହା କହି ହସିଦେଲା ଏଲି । ହେଲେ ଲୋପାର କ’ଣ ହେଲା କେଜାଣି ! ଅର୍ଡର ଦେଇଥିବା ସବୁ ଆଇଟମ୍କୁ ଏହାଭିତରେ ସିଏ କେନସେଲ୍ କରି ଭେଜ୍ ଅର୍ଡର ଦେଇସାରିଥିଲା ॥
– ଜ୍ୟୋତିରଞନ ସାହୁ
Comments
ଜ୍ୟୋତିରଞ୍ଜନ ସାହୁ ପେଶାରେ ଜଣେ ସରକାରୀ ଚାକିରୀଆ, କିନ୍ତୁ ନିଶା ତାଙ୍କର ଗପ ଲେଖିବା । ସେ ବିଭିନ୍ନ ପ୍ରକାରର ଗଳ୍ପ ରଚନା କରନ୍ତି । ତାଙ୍କ ରଚିତ କେତେଗୁଡ଼ିଏ ଗଳ୍ପ ସଂକଳନ ପୂର୍ବରୁ ଲୋକାର୍ପିତ ହୋଇସାରିଛି ।