ଏକ
ଭାଇ ଡାକିଥିଲେ – ଆ ପ୍ରଭା, ଯିବା ଦେଖିବୁ, କାହାର ଯାତ୍ରା ବାହାରିଛି !
ସେ ଜାଣି ନ ଥିଲେ, କାହାର ଯାତ୍ରା ବାହାରିଛି । କେମିତି ଜାଣିଥାନ୍ତେ? ଆଠ–ନଅ ବର୍ଷର ଝିଅ ଥିଲେ ସେ, ସ୍କୁଲରେ ନୂଆନୂଆ ଇଂରାଜୀ ଶିଖୁଥିଲେ । ଭାଇ ସିନା ଜି.କେ. ପଢୁଥିଲେ ଯେ କାହାର ଯାତ୍ରା ବାହାରିଛି ସେ ଜାଣିଛନ୍ତି ! ଭାଇଙ୍କ ହାତ ଧରି ଗହଳି ଭିତରେ ପଶିଥିଲେ ସେ । ଗୋଟିଏ ଖୋଲା ଶଗଡ ଗାଡ଼ିକୁ ତୋରଣ ଦେଇ ସଜା ଯାଇ ତା ଭିତରେ ଜଣଙ୍କର ବିରାଟକାୟ ଫୋଟ ଚିତ୍ର ଠିଆ କରା ଯାଇଥିଲା । ସେହି ଫୋଟ ଚିତ୍ର ଦେହରେ ଫୁଲମାଳ ଥିଲା । ବୀର ଦର୍ପରେ ଛାତି ଆଗକୁ କାଢ଼ି ଦୁଇ ହାତକୁ ଛାତିରେ ବାନ୍ଧି ପାଦ ଆଗକୁ ବଢ଼େଇ ଠିଆ ହୋଇଥିବା ଚେହେରାଟିର ଆଖି ଭସାଣିଆ, ଲଲାଟ ପ୍ରଶସ୍ତ, ଜ୍ୟୋତିମୟ ମୁଖ ମଣ୍ଡଳ, ମସ୍ତକରେ ପଗଡ଼ି ଥିଲା ।
ଭାଇ କହିଥିଲେ– ଜାଣିଛୁ, ଇଏ ହେଲେ ବିବେକାନନ୍ଦ । ସ୍ୱାମୀ ବିବେକାନନ୍ଦ, ଜଣେ ବଡ ସନ୍ନ୍ୟାସୀ ।
– ସନ୍ନ୍ୟାସୀ କ’ଣ ଭାଇ?
– ମାନେ ଯିଏ ଘର–ଦ୍ୱାର ଛାଡ଼ି ତପସ୍ୟା କରିବାକୁ ଯାଆନ୍ତି ।
– ତପସ୍ୟା କାହିଁକି କରନ୍ତି?
– ଭଗବାନଙ୍କୁ ପାଇବା ପାଇଁ ।
– ତାଙ୍କୁ ପାଇଲେ କଣ ହେବ?
– ମୋକ୍ଷ ପାଇବ । ଭାଇ ବିରକ୍ତ ହୋଇ ଉଠିଲେ– ଓଃ ହୋ, ତୋର ଯେତେ ସବୁ ପ୍ରଶ୍ନ !
ସେତେବେଳେ ମୋକ୍ଷ ପ୍ରାପ୍ତିର ଅର୍ଥ ସେ ବୁଝି ପାରି ନ ଥିଲେ । ବହୁତ ଦିନ ପରେ, ଯେତେବେଳେ ଶିଶୁ ମନ୍ଦିରରେ ଶିକ୍ଷୟତ୍ରୀ ହେଲେ, ଛୋଟ–ଛୋଟ ପିଲାମାନଙ୍କୁ “କରାଗ୍ରେ ବସତେ ଲକ୍ଷ୍ମୀ, କର ମଧ୍ୟେ ସରସ୍ଵତୀ” ଘୋଷାଉଥିଲେ, ଆପେ–ଆପେ ଜୀବନ ଦର୍ଶନର ତତ୍ତ୍ୱ ତାଙ୍କର ବୋଧଗମ୍ୟ ହୋଇ ଆସୁଥିଲା । ମୋକ୍ଷ ପ୍ରାପ୍ତି ନିମନ୍ତେ ସନ୍ନ୍ୟାସୀ ହେଲେ ଯେ ତପସ୍ୟା କରିବାକୁ ଗୃହତ୍ୟାଗୀ ହେବାକୁ ହେବ, ଭାଇଙ୍କ ଉତ୍ତରକୁ ସେଦିନ ସେ ସ୍ପଷ୍ଟ ରୂପେ ବୁଝି ପାରିଥିଲେ ।
[ଥରେ ସାଧନାର ଶିଡ଼ି ଚଢ଼ୁଚଢ଼ୁ ନିର୍ବିକଳ୍ପ ସମାଧିର ସ୍ଵାଦ ଚାଖି ସାରିଲା ପରେ ନରେନ୍ଦ୍ର ନାଥ ଗୁରୁଙ୍କ ପାଖରେ ଅଳି କରି ବସିଲେ, ‘ମୋତେ ପୁଣି ଥରେ ନିର୍ବିକଳ୍ପ ସମାଧି ଦରକାର ।’ ଶୁଣୁ ଶୁଣୁ ଝିଙ୍ଗାସି ଉଠିଲେ ଶ୍ରୀ ରାମ କୃଷ୍ଣ, ‘ତୋତେ ଲଜ୍ଜା ଲାଗୁନି? ନିଜ ସ୍ଵାର୍ଥ କଥା ହିଁ ଚିନ୍ତା କରୁଛୁ । ତୋର ବିଚାରର ବଟବୃକ୍ଷ ତଳେ ଆଶ୍ରୟ ନେବା ପାଇଁ ଅନେକ ଅପେକ୍ଷାରତ । ତୁ ପରା ମାଆଙ୍କ କାମ କରିବାକୁ ଦୁନିଆକୁ ଆସିଛୁ ! ଆଉ ତୋତେ ନିର୍ବିକଳ୍ପ ସମାଧି ଦରକାର !’]
ମା ବାବାଙ୍କୁ ବହୁତ ନେହୁରା ହୋଇ କହିବାର ତାଙ୍କର ମନେ ଅଛି, ‘ଶୁଣ, ତା କଥାକୁ ମାନିଯାଅ, ସେ ପାଠ ପଢିବାକୁ ଚାହୁଁଛି । ତା କଥାକୁ ହଁ କରିଦିଅ ।’
ବାବା ତାଙ୍କ ଜିଦ୍ରେ ଅଟଳ ଥିଲେ । ମାଆଙ୍କ କଥାର କିଛି ଉତ୍ତର ଦେଇ ନ ଥିଲେ । କାରଣ ଭାଇଙ୍କୁ ଆଗରୁ ପାଠ ପଢ଼ିବାକୁ ମନା କରି ସାରିଥିଲେ, ‘କଲେଜରେ ବର୍ଷେ ପଢ଼ିଲୁ, ଆଉ ପଢ଼ିବା ଦରକାର ନାହିଁ । ସିଧା ଯାଇ ଦୋକାନରେ ବସେ ।’
ବଡ଼ ବଜାରରେ ବାପାଙ୍କ ୫ ହାତ ଓସାରର ଲମ୍ବା ଦୋକାନ ଘରଟିଏ ଥିଲା । ତାକୁ ସେ ନିଜ ପରିଶ୍ରମରେ ଠିଆ କରିଥିଲେ । ଭାଇଙ୍କ ପାଠ ପଢ଼ିବା ଅର୍ଥ ଯେ ସେ ଆଉ ତାଙ୍କୁ ସାହାଯ୍ୟ କରିବେନି, ଏହି ଧାରଣା ତାଙ୍କର ମନରେ ବଦ୍ଧମୂଳ ହୋଇ ରହିଥିଲା । କାରଣ, ଦିନରେ ଥରୁଟିଏ ହେଲେ ଦୋକାନ ଆଡ଼େ ବୁଲି ଆସିବାକୁ ଯେତେ କୁହାଗଲେ ବି ସେ ତାକୁ ଧ୍ୟାନ ଦେଉ ନ ଥିଲେ । ତାଙ୍କ ପାଠ ଭଲ ତ, ସେ ଭଲ ଥିଲେ ।
ତାପରେ, ଦିନେ ସକାଳ ବେଳେ ମାଆଙ୍କୁ କାନ୍ଦିବାର ଦେଖିଥିଲେ । ବାବାଙ୍କୁ ଦୋକାନ ନ ଯାଇ ଚୁପ୍ଚାପ୍ ଘରେ ବସିବାର ଦେଖିଥିଲେ । ବନ୍ଧୁ–ବାନ୍ଧବମାନେ କିଏ କିଏ ଆସିଥିଲେ । ବାବା–ମାଆଙ୍କ ପାଖରେ ବସୁଥିଲେ । ପୁଣି ଚାଲିଯାଉଥିଲେ । ପ୍ରଥମେ ସେ କିଛି ବୁଝି ପାରି ନ ଥିଲେ । ପରେ ମାଆଙ୍କଠାରୁ ଶୁଣିଥିଲେ– ଭାଇ କୁଆଡ଼େ ପଳେଇଯାଇଛନ୍ତି । ବନ୍ଧୁ–ବାନ୍ଧବ କାହା ଘରେ ବି ନାହାନ୍ତି । ଏହା ଶୁଣୁଶୁଣୁ ତାଙ୍କ ମନରେ ପ୍ରଥମେ ଗୋଟିଏ କଥା ଛୁଇଁଥିଲା– ଭାଇ କ’ଣ ତା ହେଲେ ସନ୍ନ୍ୟାସୀ ହେବା ପାଇଁ ତପସ୍ୟା କରିବାକୁ ଚାଲିଯାଇଛନ୍ତି !
ନଅ ବର୍ଷ ବୟସରେ ଭାଇଙ୍କ ବିଚ୍ଛେଦର ଅର୍ଥ ସେ କିଛି ବୁଝି ନ ଥିଲେ । ପରେ ଯେତେବେଳେ ଅନ୍ୟମାନଙ୍କ ଭାଇଙ୍କୁ ଦେଖିଥିଲେ, ମନରେ ଏକ ଅସହ୍ୟ ବେଦନା ସୃଷ୍ଟି ହୋଇଥିଲା, ଯାହାକୁ ପରେ ସେ ବୁଝିଥିଲେ, ହୃଦୟଙ୍ଗମ କରିଥିଲେ ଯେ ଏହା ହିଁ ଭାତୃ ପ୍ରେମ ।
ଭାଇଙ୍କ ଘରୁ ଚାଲିଯିବାର କେତେ ବର୍ଷ ପରେ ଦିନେ ସନ୍ଧ୍ୟାରେ ବାବା ଘରକୁ ଆସି ଗମ୍ଭୀର ହୋଇ ବସି ରହିଥିଲେ। ମାଆଙ୍କ ବାରମ୍ବାର ପ୍ରଶ୍ନରେ କହିଥିଲେ ଯେ ସେ କାଲି ସକାଳେ କଟକ ଯାଉଛନ୍ତି । ଭାଇଙ୍କ ସେଠାରେ ରହିଥିବାର ଖବର ପାଇଛନ୍ତି ।
ବାବାଙ୍କ ସହ ଭାଇ ଆସି ନ ଥିଲେ । ବାବାଙ୍କ ପଛରେ କେହି ନ ଥିବାର ଶୂନ୍ୟତାକୁ ଅନୁଭବ କରି ବିକଳ ହୋଇ ମା’ ବାବାଙ୍କୁ ଚାହିଁ ପଚାରିଥିଲେ, ‘କୁଆଡେ ଗଲା? ଆସିଲାନି?’
ନିରାଶ ହୋଇ ବାବା ମୁଣ୍ଡ ହଲାଇ ନାହିଁ କଲେ, ‘ସଂଘ ଅଫିସରେ ରହି ପାଠ ପଢୁଛି । ଖାକି ପେଣ୍ଟ ପିନ୍ଧୁଛି । ଲାଠି ଧରୁଛି । ବି.ଏ. ଶେଷ ବର୍ଷ ତା’ର ।
ମା’ ଚିହିଁକି ଉଠିଲେ, ‘ସେମାନଙ୍କର ଏତେ ସାହସ? ମୋ ପିଲା ଉପରେ ତାଙ୍କର କି ଅଧିକାର ଅଛି? ପୋଲିସରେ କହିଲନି?’
ସମର୍ପିତ ସ୍ଵରରେ ବାବା କହିଥିଲେ, ‘ସେମାନେ ତା’କୁ କ’ଣ ଜବରଦସ୍ତ ରଖିଛନ୍ତି? ବୟସ ହେଲାଣି । ପାଠ ପଢୁଛି । ତା’ ଇଚ୍ଛା ବିରୁଦ୍ଧରେ ଯାଇ ଆଉ ଥରେ ତାକୁ ହରେଇବା ପାଇଁ ମୋର ସାହସ ନାହିଁ ।’
ବାବାଙ୍କ କଣ୍ଠରେ ପୂର୍ବର ଦମ୍ଭ ନ ଥିଲା ।
ସ୍ୱୟଂପ୍ରଭାଙ୍କ ଆଖିରେ ବିଦ୍ୟୁତ ତରଙ୍ଗରେ ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ବେଳର ଯାତ୍ରାର ଦୃଶ୍ୟ ନାଚି ଉଠିଥିଲା । ସ୍ୱାମୀ ବିବେକାନନ୍ଦଙ୍କ ଶୋଭାଯାତ୍ରାରେ ଚାଲୁଥିବା ଭିଡ଼ ଭିତରେ ଗେରୁଆ ପୋଷାକ ପିନ୍ଧିଥିବା କିଛି ଲୋକଙ୍କ ସହ ଖାକି ପେଣ୍ଟ ଓ ଧଳା ସାର୍ଟ ପିନ୍ଧା ଲାଠି ଧରା ଯୁବକମାନେ ମଧ୍ୟ ଥିଲେ ।
ଦିନେ ଅର୍ଦ୍ଧରାତ୍ର ସମୟରେ କିଛି ଶବ୍ଦର କର୍ଣ୍ଣସ୍ପର୍ଶରେ ସ୍ୱୟଂମେବ ସ୍ୱୟଂପ୍ରଭାଙ୍କ ଆଖି ଖୋଲିଯାଇଥିଲା । ପାଖ ଶେଯରେ ମାଆ ନ ଥିଲେ । ବାହରପଟ ଘରୁ କଥାବାର୍ତ୍ତାର ଶବ୍ଦ ଶୁଣାଯାଉଥିଲା । ଧୀରେ ଉଠି ବାହାରକୁ ଯାଇ ଦେଖିଥିଲେ, ଦାଣ୍ଡଘରେ ଭାଇ ଠିଆ ହୋଇଥିଲେ । ତାଙ୍କ ପାଖରେ ମା ସ୍ତବ୍ଧ, ବଡ଼ବଡ଼ ଆଖି କରି କାନ୍ଥକୁ ଆଉଜି ଠିଆ ହୋଇଥିଲେ। ଭାଇଙ୍କ ଚେହେରା ମଉଳି ଯାଇଥିଲା । ଅନେକ ଦିନ ପରେ ସେ ତାଙ୍କୁ ଦେଖୁଥିଲେ । ଧଳା ପୋଷାକ ପରିହିତ ଶରୀର ଲମ୍ବା ହୋଇଯାଇଥିଲା । ତାଙ୍କୁ ଭାଇ ଦେଖି ଦେଇଥିଲେ ।
‘ପ୍ରଭା, ଆ । କେଡ଼େ ବଡ଼ଟି ହେଇଗଲାଣି ।’
ସେତେବେଳେ ସେ ନବମ ଶ୍ରେଣୀର ଛାତ୍ରୀ ଥିଲେ । ସାହାସ ହେଉ ନ ଥିଲା ତାଙ୍କର ପାଖକୁ ଯିବା ପାଇଁ । ଭାଇ ହିଁ ପାଖକୁ ଆସିଥିଲେ । ମା’ ଆକଟ କରି ଉଠିଥିଲେ, ‘ତାକୁ ଆଉ ଦେଖିବାକୁ ତୋର କ’ଣ ବେଳ ଅଛି? ତୁ ପରା ଦେଶ ମା’ର ସେବା କରିବାକୁ ବାହାରିଲୁଣି । ଆଉ ଏ ମାଆ–ଭଉଣୀ ପାଇଁ ଚିନ୍ତା କାହିଁକି?’
ଭାଇ ସେଠି ହିଁ ଠିଆ ହୋଇଯାଇ ମାଆଙ୍କୁ ବିକଳ ହୋଇ ଚାହିଁଥିଲେ । ପରେ ସେ ଧୀରେ ଯାଇ ସ୍ୱଂୟପ୍ରଭାଙ୍କ ମୁଣ୍ଡ ଆଉଁଷି ଥିଲେ । ମାଆଙ୍କ ପାଦ ଛୁଇଁଥିଲେ– ବ୍ରହ୍ମପୁରକୁ ମୁଁ ସଂଘ କାମରେ ଆସିଥିଲି ତ, ପୁଣି କେବେ ଆସିଲେ ବାବାଙ୍କ ସହ ଦେଖା କରିବି ।
ମା’ ବିକଳ ହୋଇ କହିଥିଲେ, ‘ବାବାଙ୍କୁ ଟିକେ ଦେଖା କରି ଯା । ସକାଳୁ ଉଠି ଜାଣିଲେ ଝୁରିବେ ।’
ଭାଇ କହିଥିଲେ, ‘ମୁଁ ବାବାଙ୍କୁ ଦେଖିଲେ ଆଉ ଯାଇ ପାରିବିନି ମା । ଦୁର୍ବଳ ହେଇ ଯିବି । ଠିଆ ହେବା ଆଗରୁ ହିଁ ମୁଁ ପଡ଼ିଯିବି ।’
ଭାଇ ଚାଲିଯାଇଥିଲେ। ମା ଓ ସେ ସାରାରାତି ଶୋଇପାରି ନ ଥିଲେ । ସକାଳେ ଉଠିଲା ପରେ ବାବା ସବୁ ଶୁଣିଥିଲେ । କିଛି କହି ନ ଥିଲେ । ନ ଖାଇ ଦୋକାନକୁ ବାହାରି ଯାଇଥିଲେ । ଦେଶ–ମାଆ, ଠିଆ ହେବା ପୂର୍ବରୁ ପଡ଼ିଯିବା ଆଦିର ଅର୍ଥ ସେଦିନ ସ୍ୱୟଂପ୍ରଭା ବୁଝିପାରି ନ ଥିଲେ । ଯେତେବେଳେ ଶିଶୁ ମନ୍ଦିରରେ ଶିକ୍ଷୟତ୍ରୀର ଟ୍ରେନିଂ ଚାଲିଥିଲା, ଭାଇଙ୍କର ମାଆଙ୍କୁ କହିଥିବା କଥା ସବୁ ମନେ ପଡ଼ିଥିଲା । ଭାରତୀୟ ସଂସ୍କୃତିରେ ମଣିଷ ଜୀବନରେ ଯେଉଁ କେତୋଟି ମା’ କଥା କୁହାଯାଇଥିଲା, ସେଥିରୁ ଜଣେ ଥିଲେ– ଦେଶ–ମାତୃକା ।
ଘରେ ଆସିଲା ପରେ ମାଆଙ୍କୁ ସେହି ବିଷୟ କହିଥିଲେ । ଅସହାୟ ସ୍ତ୍ରୀ ଲୋକଟି ଦୀର୍ଘ ଶ୍ଵାସ ନେଇ କେବଳ ଏତିକି କହିଥିଲେ, ‘ଆହା, କ’ଣ ଦେଖି ଏ ମୂର୍ଖ ମାଆର ପେଟକୁ ଆସିଥିଲା ସିଏ !’
ସେତେବେଳକୁ ତାଙ୍କର ବାହାଘର ଠିକ ହୋଇସାରିଥିଲା । ବାହା ହେବା ଆଗରୁ ହିଁ ଆସି ତାଙ୍କ ବର ତାଙ୍କ ଘରେ ରହୁଥିଲେ । ଘର ଜ୍ଵାଇଁ କରିବା ପାଇଁ ବାଛିବାଛି ବାବା ତାଙ୍କ ପାଇଁ ମଫସଲରୁ ଗରିବ ପିଲାଟିଏ ବାଛି ଆଣିଥିଲେ । ତାଙ୍କ ବର ପାଠ ପଢ଼ା ଅଧାରେ ଛାଡି ବାପାଙ୍କୁ ଦୋକାନରେ ସାହାଯ୍ୟ କରୁଥିଲେ । ବଡ ବଜାରରେ ଶ୍ଵଶୁର–ଜୋଇଁ ଦୋକାନର କାଟତି ଖୁବ ଥିଲା । ସକାଳ ନଅରୁ ରାତି ନଅ । ଖାଲି ଖାଇବା ପାଇଁ ଯାହା ଘରକୁ ଆସି ଖାଇସାରିଲା ପରେ କିଛି ସମୟର ଆରାମ ଥିଲା । ଭାଇଙ୍କ ଫେରିବା ନେଇ ବାବା ଆଶା ଛାଡ଼ି ଦେଇଥିଲେ ।
ମାଆ କିନ୍ତୁ ଆଶା ବାନ୍ଧି ବସିଥିଲେ, କହୁଥିଲେ, ‘ଦେଖେ ମା, ଆମ ପରେ ଏ ଘର ତା’ର । ତା ପାଇଁ ରଖିଥିବୁ । ବାପା ଯଦି ପାଠ ପଢ଼ିବାକୁ ଛାଡ଼ି ଦେଇଥାନ୍ତେ, ସେ କ’ଣ ଯାଇଥାନ୍ତା?’
ମାଆ କ’ଣ ଭାଇଙ୍କ ପ୍ରକୃତ ଭାବକୁ ବୁଝି ସାରିଥିଲେ?
[ଆଉ ଗୋଟିଏ ଜିନିଷ ମୁଁ ଆପଣଙ୍କ ନିକଟରେ ଭିକ୍ଷା କରୁଛି – ଯଦି ସମ୍ଭବ, ମାସକୁ ୧୦୦ ଟଙ୍କା ମୋ ମାଆଙ୍କ ପାଇଁ ସ୍ଥାୟୀ ରୂପେ ଖଞ୍ଜାଯାଉ, ତାହା ଯେମିତି ମୋର ମୃତ୍ୟୁ ପରେ ମଧ୍ୟ ତା’ଙ୍କ ପାଖରେ ନିରନ୍ତର ପହଞ୍ଚି ପାରିବ । କିମ୍ବା ଯଦିବା କୌଣସି କାରଣ ବଶତଃ ଆଜ୍ଞା ହଜୁରଙ୍କର ମୋ ପ୍ରତି ରହିଥିବା ପ୍ରେମ ଓ ଦୟା ବନ୍ଦ ହୋଇଯାଏ, ତା ହେଲେ ମଧ୍ୟ କେବେ ଦିନେ ଆପଣଙ୍କର ଏ ଗରିବ ସାଧୁ ପ୍ରତି ରହିଥିବା ପ୍ରେମକୁ ମନେ ପକାଇ ବିଚାରୀ ମୋ ବୃଦ୍ଧ ମାଆଙ୍କୁ ତାହା ଦିଆଯିବାର ବ୍ୟବସ୍ଥା କରାଯାଉ । (ଖେତେଡିର ମହାରାଜା ଅଜିତ ସିଂଙ୍କ ପାଖକୁ ସ୍ଵାମୀ ବିବେକାନନ୍ଦ ୧ ଡିସେମ୍ବର ୧୮୯୮ ରେ ଲେଖିଥିବା ଚିଠି)]
ଭାଇଙ୍କ ପାଠ ପଢ଼ିବା ଜିଦ୍ଦ୍ୱାରା ତାଙ୍କର କିନ୍ତୁ ପାଠ ପଢ଼ିବା ପାଇଁ ରାସ୍ତା ଖୋଲି ଯାଇଥିଲା । ସ୍ୱାମୀ ଦୋକାନରେ ବସିଲେ ମଧ୍ୟ ସେ ଚାକିରୀ କଲେ । ନୂଆରେ ଖୋଲିଥିବା ଶିଶୁ ମନ୍ଦିରରେ ଶିକ୍ଷୟତ୍ରୀ ହେଲେ ।
ବାହାଘର ଦିନ ସେ ଭାଇଙ୍କୁ ବେଶି ଅପେକ୍ଷା କରି ରହିଥିଲେ । ସଂଘର କାହାକୁ ଜଣଙ୍କୁ ଭେଟି ବାବା ତାଙ୍କ ବାହାଘରର ଖବର ଭାଇଙ୍କୁ ଦେବାକୁ କହିଥିଲେ । ସଂଘବାଲା ଟିକିଏ ଦୋ–ଦୋ ପାଞ୍ଚ ହୋଇଥିଲେ, ‘ସେ କ’ଣ ଆଉ ସଂଘ–ଘରେ ରହୁଛନ୍ତି? ସେ ପରା ବିବେକାନନ୍ଦ କେନ୍ଦ୍ରରେ ଯୋଗ ଦେଇ ସାରିଲେଣି । ଦେଖୁଛି, ଚେଷ୍ଟା କରିବି, ଯଦି ସେଠାକୁ ଖବର ଦେଇ ହେବ ।’
ବିବେକାନନ୍ଦ କେନ୍ଦ୍ର ଉପରେ ନା ସ୍ୱୟଂପ୍ରଭାଙ୍କ କିଛି ଧାରଣା ଥିଲା, ନା ଘରେ ଆଉ କାହାର । ତଥାପି ସେ ଆଶା ଛାଡ଼ି ନ ଥିଲେ । ତାଙ୍କ ବାହାଘର କ’ଣ ଭାଇ ଛାଡିଦେବେ? କିନ୍ତୁ ଭାଇ ଆସି ନ ଥିଲେ ।
ତାଙ୍କ ପୁଅ ଜନ୍ମ ପରେ ରାତି ଅଧରେ ଦିନେ ଭାଇ ଘରେ ଆସି ପହଞ୍ଚିଥିଲେ । ମାଆଙ୍କ ଖବର କାହାଠୁ ପାଇ ସେ ଆସିଥିଲେ । ମାଆର ମୃତ୍ୟୁ ଯାଏଁ ରହିଥିଲେ । ତାଙ୍କ ଆସିବା ପରେ ଖୁବ୍ କମ ଦିନ ମାଆ ବଞ୍ଚିଥିଲେ । ବୋଧହୁଏ ଭାଇଙ୍କ ଅପେକ୍ଷାରେ ହିଁ ଥିଲେ । ଭାଇ ସେତେବେଳେ କନ୍ୟାକୁମାରୀରେ ରହୁଥିବାର ସେ ଜାଣିଥିଲେ । “ମାନବ ସେବା ହିଁ ମାଧବ ସେବା”- ଜୀବନ ଦର୍ଶନର ଏହି ତାତ୍ତ୍ୱିକ ଭାଷାର ପ୍ରକୃତ ଅର୍ଥ ଭାଇଙ୍କ ପାଖରୁ ହିଁ ସେତେବେଳେ ବୁଝି ପାରିଥିଲେ । ଘର, ଦୋକାନ, ବାବାଙ୍କ ଟଙ୍କା, କେଉଁଥିରେ ତାଙ୍କର ଆଗ୍ରହ ନ ଥିଲା । ସେବାବ୍ରତୀ ହୋଇ ମନୁଷ୍ୟ–ନିର୍ମାଣ, ରାଷ୍ଟ୍ର–ପୁନର୍ଗଠନ ନିମନ୍ତେ ତାଙ୍କୁ ଜୀବନ କଟେଇବାକୁ ହେବ । ଏହା ହିଁ ତାଙ୍କ ଲକ୍ଷ୍ୟ ଥିଲା ।
‘ମା, ବାପାଙ୍କ ସେବା କ’ଣ ମାଧବ ସେବା ନୁହଁ, ଭାଇ?’
ତାଙ୍କ ପ୍ରଶ୍ନର ଉତ୍ତର ଭାଇ ଦେଇ ନ ଥିଲେ । କିଛି ସମୟ ପାଇଁ ତାଙ୍କୁ ଟୁକୁରୁ ଟୁକୁରୁ ଚାହିଁ ରହିଥିଲେ । ମାଆଙ୍କ ଶୁଦ୍ଧ କ୍ରିୟା ପରେ ଭାଇ ପୁଣି ଥରେ ଚାଲିଯାଇଥିଲେ । ବାବା ଅଟକେଇ ନ ଥିଲେ । ପିଲାଟି ଦିନରୁ ଭାଇଙ୍କ ଉପରେ ଯେତିକି ଅଧିକାର ସାବ୍ୟସ୍ତ କରି ଆସିଥିଲେ, ବାବାଙ୍କ ଅଜାଣତରେ ସେଥିରେ ସମୟର ପ୍ରତିବନ୍ଧ ଲାଗି ସାରିଥିଲା । ସେ କଥାକୁ ଉଜାଗର କରି ତାଙ୍କ ପୁରୁଣା କ୍ଷତ ଉଖାରିବା ପାଇଁ ସ୍ୱୟଂପ୍ରଭାଙ୍କର ସାହାସ ନ ଥିଲା ।
ତାହା ଭାଇଙ୍କ ସହ ତାଙ୍କର ଶେଷ ସାକ୍ଷାତ ଥିଲା । ତା ପରେ ତାଙ୍କର କିଛି ହେଲେ ଖବର ମିଳି ନ ଥିଲା । ବାବାଙ୍କ ମୃତ୍ୟୁ ବେଳକୁ ମଧ୍ୟ ଭାଇ ଆସି ନ ଥିଲେ । ବିବେକାନନ୍ଦ କେନ୍ଦ୍ର ସହ ଯେତେବେଳେ ଯୋଗାଯୋଗ କରାଯାଇଥିଲା, ସେଠାରୁ ନକାରାତ୍ମକ ଉତ୍ତର ଆସିଥିଲା । ଅରୁଣାଚଳ ପ୍ରଦେଶରେ କେନ୍ଦ୍ରର ଜୀବନବ୍ରତୀ କାର୍ଯ୍ୟକର୍ତ୍ତା ରୂପେ କାମ କରୁଥିଲା ବେଳେ ହିଁ ସେ ସ୍ୱ–ଇଛାରେ କେନ୍ଦ୍ର ଛାଡ଼ିଦେଇ ଚାଲି ଯାଇଥିଲେ । ସେଠାରୁ ସେ କୁଆଡ଼େ ଗଲେ, କ’ଣ କଲେ, ନା ଅରୁଣାଚଳର କାର୍ଯ୍ୟକର୍ତ୍ତାମାନଙ୍କ ପାଖରେ କିଛି ଖବର ଥିଲା, ନା କେନ୍ଦ୍ର ପାଖରେ । ସ୍ୱୟଂପ୍ରଭାଙ୍କ ସ୍ୱାମୀ ନିଜେ ଅରୁଣାଚଳ ପ୍ରଦେଶ ଯାଇ ନିରାଶ ହୋଇ ଫେରି ଆସିଥିଲେ । ଗୋଟିଏ ଲୋକ ଅଦୃଶ୍ୟ ହୋଇଯାଇଥିଲା । ନା ମାଆର ଚିନ୍ତା, ନା ବାବାଙ୍କର– ନା ସଙ୍ଗଠନର, ନା ଦେଶର । ସମୂହ ସ୍ଵାର୍ଥ ପାଇଁ ଚିନ୍ତା କରୁଥିବା ବ୍ୟକ୍ତି ଶେଷରେ କ’ଣ ପଳାତକ ହୋଇଗଲେ? କିଏ ଏହାର ଉତ୍ତର ସ୍ୱୟଂପ୍ରଭାଙ୍କୁ ଦେଇପାରିବ? ନିଶ୍ଚିତ ରୂପେ ଭାଇଙ୍କ ଛଡ଼ା ଅନ୍ୟ କେହି ନୁହଁ ।
ମନେମନେ ସ୍ଥିର କରିସାରିଥିଲେ ସେ । ଯେମିତି ହେଲେ ଭାଇଙ୍କୁ ଖୋଜିବେ । ପଚାରିବେ, କାହିଁକି ଏମିତି କଲ?
ଦୁଇ
ବାବାଙ୍କ ମୃତ୍ୟୁ ପରେ ଗୋଟିଏ ଯୁଗ ବିତି ଗଲାଣି । ବାବା କିଣେଇ ଦେଇଥିବା ଖଣ୍ଡେ ଜମିରେ ଘରର ନିଅଁ ବାବା ଥିଲାବେଳେ ହିଁ ପଡ଼ି ସାରିଥିଲା । ଆଜି ସେଥିରେ ଘର କରି ସେମାନେ ରହୁଛନ୍ତି । ବାବାଙ୍କ ଦୋକାନ ଆଉ ବଡ଼ ବଜାରରେ ନାହିଁ । ତାଙ୍କ ସ୍ଵାମୀ ନିଜର ବ୍ୟବସାୟର ବିସ୍ତାର କରି ସାରିଲେଣି । ପିଲାମାନଙ୍କ ପାଠପଢ଼ା ସରି ଯାଇଥିଲା । ଝିଅର ବାହାଘର ସରି ଯାଇଥିଲା । ପୁଅ ପୁଣେରେ ଚାକିରୀ କରୁଥିଲା । ନିଜର ନିତିଦିନିଆ ସଂସାରରେ ସ୍ୱୟଂପ୍ରଭା ବ୍ୟସ୍ତ ଥିଲେ ।
ଭାଇଙ୍କ ଘର ଭଡ଼ାରେ ଦିଆ ଯାଇଥିଲା । ଦିନେ ଘରେ ପଶୁପଶୁ ତାଙ୍କ ସ୍ଵାମୀ କହିଥିଲେ, ‘ଭଲ ଦାମରେ ଭାଇଙ୍କ ଘରର ଦର ଠିକ ହୋଇଗଲା । ଖୁବ ଟଙ୍କା ମିଳିବ । ସବୁ ମଜା କର ।’
ଚିହିଁକି ପଡିଥିଲେ ସେ ।
ମା’ କହିଥିବା କଥା ତାଙ୍କର ମନେ ଥିଲା, ‘ଭାଇ ନ ଆସିଲେ ପାଣିରେ ପକେଇଦେବୁ ସିନା, ତା ଘରେ ହାତ ଦେବୁନି ।’
‘ପାଣିରେ ପକେଇଦେବି ସିନା ସେ ଟଙ୍କାରେ ହାତ ଦେବିନି, କହିଦେଉଛି ।’ ସେ ରାଗି ଉଠି କହିଥିଲେ ।
ହସି ଉଠିଥିଲେ ତାଙ୍କ ସ୍ଵାମୀ, ‘ଆରେ, ମୁଁ ଥଟ୍ଟା କରୁଥିଲି ନା, ସତରେ କ’ଣ ସେ ଟଙ୍କା ଆମର?’
ପୁଣେରୁ ପୁଅର ଫୋନ ଆସିଥିଲା, ‘ବିବେକାନନ୍ଦ କେନ୍ଦ୍ରରୁ ସୂଚନା ଆସିଥିଲା, ସେମାନଙ୍କ ପାଖରେ ମାମୁଁଙ୍କର କିଛି ସୂଚନା ଅଛି । ମା, ଆଈ କହିଥିଲେ ନା’ ପାଣିରେ ପକେଇଦେବାକୁ? ଚାଲ, ଆମେ କନ୍ୟାକୁମାରୀ ଯିବା । ସେଇଠି ମାମୁଁଙ୍କ ଖବର ଆଣିବା, କିଛି ଖବର ନ ମିଳିଲେ ସେଇଠି ପାଣିରେ ପକେଇଦେବା ।’
ପାଣିରେ ପକେଇଦେବା ଶୁଣି ଯେତିକି ଚିହିଁକି ଉଠିଥିଲେ, ଭାଇଙ୍କ ଖବର ମିଳିବା ଶୁଣି ଉଲ୍ଲସି ଉଠିଥିଲେ ସେ । ପୁଅ କହିଥିବା କଥାର ଅର୍ଥ ବି ବୁଝି ସାରିଥିଲେ । ସେମାନେ ବ୍ରହ୍ମପୁର କେନ୍ଦ୍ର ଜରିଆରେ ସବୁ କେନ୍ଦ୍ରକୁ ତାଙ୍କ ଭାଇଙ୍କ ବିଷୟରେ ଜଣେଇଥିଲେ । ତା’ର ଫଳ ସ୍ଵରୂପ କେନ୍ଦ୍ରରୁ ପୁଅ ପାଖକୁ ଫୋନ ଯାଇଥିଲା, ‘କାଶ୍ମୀରର ନାଗ ଦଣ୍ଡୀରୁ ଜଣେ କେନ୍ଦ୍ର ଜୀବନବ୍ରତୀ କାର୍ଯ୍ୟକର୍ତ୍ତା ଅରୁଣାଚଳର ତାଲୋମ ଭାଇ ଆସିଛନ୍ତି । ତାଙ୍କ ପାଖରେ କିଛି ସୂଚନା ଅଛି । ଆପଣ ଏଇଠିକୁ ଆସି ପାରିବେ?’
ତାଙ୍କ ପୁଅ ସଙ୍ଗେସଙ୍ଗେ ମା ପାଖକୁ ଫୋନ କରିଥିଲା ।
ଟ୍ରେନରେ ଯଦିଓ ଅସମ୍ଭବ ଧରଣର ଭିଡ଼ ଥିଲା, ତଥାପି ସେମାନେ କଷ୍ଟେ–ମଷ୍ଟେ ଆସି କନ୍ୟାକୁମାରୀରେ ପହଞ୍ଚିଥିଲେ । ଡିସେମ୍ବର ୨୩, ୨୪, ୨୫ ପାଇଁ ଏହି ଭିଡ଼ ଥିଲା ।
କନ୍ୟାକୁମାରୀରେ ଚତୁର୍ଦ୍ଦିଗରେ ଉତ୍ସବର ପରିବେଶ ଥିଲା । ସ୍ୱାମୀ ବିବେକାନନ୍ଦଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ଷ୍ଟେସନ ବାହାରେ କାର୍ଯ୍ୟକ୍ରମ ସହିତ ସ୍ୱାମୀଜୀଙ୍କ ବିରାଟ ହୋର୍ଡିଂ, ଜୟନ୍ତୀ ପାଳନ ନିମନ୍ତେ ତିନି ଦିନ ପାଇଁ କେନ୍ଦ୍ର ତରଫରୁ ବିଶେଷ କାର୍ଯ୍ୟ ସୂଚୀର ଖସଡ଼ା ସେଥିରେ ଉଲ୍ଲେଖ କରା ଯାଇଥିଲା ।
ସେମାନେ ରଖିଥିବା ହୋଟେଲରେ ସଫା ସୁତୁରା ହୋଇ କେନ୍ଦ୍ରରେ ପହଞ୍ଚିଲା ବେଳକୁ ସନ୍ଧ୍ୟା ଆସୁଥିଲା । କେନ୍ଦ୍ରରେ ଖୁବ୍ ଗହଳ ଚହଳ ଥିଲା । କେନ୍ଦ୍ରର ଅଭ୍ୟର୍ଥନା କକ୍ଷରେ ତାଙ୍କ ପୁଅ ପୂର୍ବରୁ କଥାବାର୍ତ୍ତା କରିଥିବା ବ୍ୟକ୍ତିଙ୍କ ଜରିଆରେ ଅରୁଣାଚଳୀ ବନ୍ଧୁଙ୍କ ପାଖକୁ ସେମାନେ ଆସି ପହଞ୍ଚିଥିବାର ସୂଚନା ପଠାଗଲା । ସେଠାରେ କିଛି ସମୟ ଅପେକ୍ଷା କଲା ପରେ ଜଣେ ଲମ୍ବା ଗୌରବର୍ଣ୍ଣର ପୌଢ଼ ଆସି ସେମାନଙ୍କ ପାଖରେ ପହଞ୍ଚିଲେ । ଦେଖୁଦେଖୁ ତାଙ୍କ ସ୍ୱାମୀ ଠିଆ ହୋଇପଡ଼ି ତାଙ୍କୁ ସ୍ଵାଗତ ଜଣେଇଲେ । ସ୍ୱୟଂପ୍ରଭାଙ୍କ ସହ ତାଙ୍କ ପରିଚୟ କରେଇ ଦେଲେ, ‘ଇଏ ଅରୁଣାଚଳର ତାଲୋମ ଭାଇ ଯିଏ ସେଇଠି ଭାଇଙ୍କ ସହ ମିଶି କାମ କରୁଥିଲେ ।’
ବାପାଙ୍କ ମୃତ୍ୟୁ ପରେ ସ୍ୱୟଂପ୍ରଭାଙ୍କ ସ୍ୱାମୀ ଯେତେବେଳେ ଅରୁଣାଚଳ ପ୍ରଦେଶର ଇଟାନଗରରେ ଥିବା ବିବେକାନନ୍ଦ କେନ୍ଦ୍ରରେ ପହଞ୍ଚିଥିଲେ, ସେଠାରେ ଏହି ଭଦ୍ର ବ୍ୟକ୍ତିଙ୍କୁ ଦେଖିଥିଲେ ।
୩୦ ବର୍ଷ ହେଲା ଯାହାଙ୍କ ସହ ସେ ଦେଖା କରି ନାହାନ୍ତି, ତାଙ୍କଠୁଁ ପଦେ କଥା ବି ଶୁଣି ନାହାଁନ୍ତି ସେହି ଭାଇଙ୍କ ସହ ମିଶି ଏହି ବ୍ୟକ୍ତି ଜଣକ କାମ କରୁଥିଲେ ! କୁରୁଳି ଉଠୁଥିଲେ ସ୍ୱୟଂପ୍ରଭା ! କ’ଣ କହିବେ ସେ ଭାଇଙ୍କ ବିଷୟରେ? କଉଠି ଅଛନ୍ତି ଭାଇ?
‘ପ୍ରଭା, ମୁଁ ତୋ ବିଷୟରେ ଭାଇଙ୍କଠୁ ବହୁତ ଶୁଣିଛି ।’ ସ୍ପଷ୍ଟ ଓଡ଼ିଆରେ କଥା ହେବା ଶୁଣି ସମସ୍ତେ ଆବିଭୁତ ହୋଇ ପଡ଼ିଲେ।
ସମସ୍ତଙ୍କ ପ୍ରତିକ୍ରିୟା ଦେଖି ସେ ହସିଲେ, ‘ମୁଁ ଭାଇଙ୍କ ପାଖରୁ ଓଡ଼ିଆ ଶିଖି ଯାଇଛି । ମୋ ପାଖରୁ ସେ ଆମର କେତେଟା ଅରୁଣାଚଳୀ ଭାଷା ଶିଖିଥିଲେ । ତାଙ୍କୁ ଖୋଜିବା ପାଇଁ ତୋ ସ୍ୱାମୀ ଯେତେବେଳେ ଅରୁଣାଚଳ ଆସିଥିଲେ, ଆମେ କିଏ ହେଲେ ତାଙ୍କ ବିଷୟରେ କିଛି ଜାଣି ନ ଥିଲୁ । ଆଉ କ’ଣ କହିଥାନ୍ତୁ? ଅନେକ ଦିନ ପରେ ମୋର ବଦଳି କାଶ୍ମୀରର ନାଗ ଦଣ୍ଡୀକୁ ହେଲା ପରେ ସେଠାରେ ଥିବା ଏକ ସାମୂହିକ କାର୍ଯ୍ୟକ୍ରମର ଫୋଟରେ ଲୋକ ଗହଳି ଭିତରେ ତାଙ୍କୁ ଠିଆ ହୋଇଥିବାର ମୁଁ ଦେଖିଥିଲି । ସେଠାରେ ବି ଚେଷ୍ଟା କରିଥିଲି ଖୋଜିବାକୁ । କିନ୍ତୁ କିଛି ଫଳ ମିଳି ନ ଥିଲା ।’
କହୁକହୁ ସେ ଚୁପ୍ ହୋଇଗଲେ । ସ୍ୱୟଂପ୍ରଭାଙ୍କ କାନ ପାଖକୁ ପାଟି ଆଣି କହିଲେ, ‘ଭାଇଙ୍କୁ ମୁଁ ଏଇଠି ଦେଖିଛି, ରକ୍ ମେମୋରିଆଲ ଭିତରେ, ଅନେକ ଦିନ ପରେ । ବର୍ତ୍ତମାନ ସ୍ୱାମୀଜୀଙ୍କ ୧୫୦ତମ ଜୟନ୍ତୀର କାର୍ଯ୍ୟକ୍ରମ ସମୟରେ । ଯେଉଁ ଦିନ ଦେଖିଲି, ସେଦିନ ହିଁ ବ୍ରହ୍ମପୁରର ଭାଇଙ୍କୁ କହିଲି, ତୋ ସହ ଯୋଗାଯୋଗ କରିବାକୁ ।’
ସ୍ୱୟଂପ୍ରଭା ହତପ୍ରଭ ହୋଇ ପଡ଼ିଲେ । ଭାଇ ଏଇଠି ଅଛନ୍ତି ! ତାଙ୍କର ଏତେ ପାଖରେ ! ଧଡ଼ପଡ଼ ହୋଇ ଉଠି ଠିଆ ହେଲେ ସେ, ‘ଭାଇ, ଚଞ୍ଚଳ ଚାଲ, ସେଠିକୁ ଯିବା ।’
ତାଙ୍କ କଥା ଶୁଣି ଅନ୍ୟମାନେ ସଜାଗ ହୋଇ ଉଠିଲେ । ସେ କହିଲେ, ‘କିଛି ବ୍ୟସ୍ତ ହୁଅନି । ଶିଳା ସ୍ମାରକୀ ଏବେ ଖୋଲା ନ ଥିବ । ମୁଁ ଦେଖିଥିଲି ୧୦ ଦିନ ତଳେ । ମୋତେ ଦେଖି ନ ଚିହ୍ନିଲା ପରି ରହିଗଲେ । ମୁହଁରେ ଦାଢ଼ି ବଢ଼େଇ ଦେଇଛନ୍ତି । ମୁଁ ତାଙ୍କ ନାଁ ଧରି ଡାକିଲି । ନ ଶୁଣିଲା ଭଳି ରହିଲେ । ତା’ପରେ ହଠାତ୍ ସେ ସେଠାରୁ ଅଦୃଶ୍ୟ ହୋଇଗଲେ । ତା’ପରେ ତାଙ୍କର କିଛି ହେଲେ ଠିକଣା ମିଳି ନ ଥିଲା । ଆଜି ବି ଯାଇ ମୁଁ ଖାଲି ହାତରେ ଫେରି ଆସିଲି । ମୋର ଏଇ ଖୁଆଡ଼ରେ କାର୍ଯ୍ୟକ୍ରମ ଅଛି କାଲି ପାଇଁ । ତଥାପି ମୁଁ ତୁମମାନଙ୍କ ସହ ଯିବି । ଆମେ ସମସ୍ତେ ସକାଳୁ ସେଇଠିକୁ ଯିବା ।’
ଟିକିଏ ରହି ପୁଣି କହିଲେ, ‘ପ୍ରତିଦିନ ଏଠି ସକାଳ ସନ୍ଧ୍ୟାରେ ଭୋଜନ ବେଳେ ମଧ୍ୟ ନଜର ରଖି ଥାଉଛି । କିନ୍ତୁ କିଛି ହେଲେ ଫଳ ମିଳି ନାହିଁ । ଆଜି ତମେମାନେ ବି ମୋ ସହ ଭୋଜନକୁ ଚାଲ, ସେଇଠି ବି ଦେଖିବା । ଭୋଜନ ଆଉ କିଛି ସମୟ ପରେ ଆରମ୍ଭ ହେବ ।’
ବିବେକାନନ୍ଦ କେନ୍ଦ୍ର ଖୁଆଡ଼ ଭିତରେ ଅନ୍ୟୂନ ୧୦୦୦୦ ଲୋକ ବିବେକାନନ୍ଦଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ଜମା ହୋଇଥିଲେ । ଧଳା ପୋଷାକ ପରିହିତ ଏତେ ଲୋକଙ୍କ ସମ୍ଭାର ଭିତରେ ଦାଢ଼ି ରଖିଥିବା ତାଙ୍କ ଅବୁଝା ଭାଇଟିକୁ କେମିତି ଯେ ଖୋଜିବେ, ସ୍ୱୟଂପ୍ରଭା ଉଦ୍ବିଗ୍ନ ହୋଇ ଉଠୁଥିଲେ । ନିଜ ମନକୁ ସାନ୍ତ୍ଵନା ଦେବା ପାଇଁ ପୁଅକୁ, ସ୍ଵାମୀଙ୍କୁ ଧୀରେ ପଚାରିଥିଲେ, ‘ମନ ଅଛି ଘରେ ଥିବା ତାଙ୍କର ଫୋଟ?’
ବାବା, ମା, ଏବଂ ସେମାନେ ଭାଇ ଭଉଣୀ ଦି’ଜଣଯାକର କେଉଁ ପୁରୁଣା କାଳର ଫୋଟ ! ତାକୁ ମନ ରଖି ଆଜିର ମଣିଷଟିକୁ ଖୋଜା ହେବ? ମନେମନେ କଥାଟିକୁ ଗ୍ରହଣ ନ କରି ପାରିଲେ ମଧ୍ୟ ବାପା ପୁଅ ଦିହେ ଯାକ ମୁଣ୍ଡ ଟୁଙ୍ଗାରି ହଁ କଲେ । ଆଶ୍ଵସ୍ତି ବୋଧ କଲେ ସେ ।
ଭୋଜନ ନିମନ୍ତେ ଭୂମି ଉପର ଆସନରେ ପଂକ୍ତି କଡ଼େ ବସିଥିବା କାର୍ଯ୍ୟକର୍ତ୍ତା, ଅତି ସୁନ୍ଦର ସ୍ଵାଭାବିକ ସାବଲୀଳ ଢଙ୍ଗରେ ଖାଦ୍ୟ ପରଷୁଥିବା, ପରଷିବା ଦାୟିତ୍ଵରେ ଥିବା କାର୍ଯ୍ୟକର୍ତ୍ତା; ଜଣେ କେହି ଭୋଜନ ମନ୍ତ୍ର ଆରମ୍ଭ କଲେ । ଅନ୍ୟ ସମସ୍ତେ ଆଖି ବୁଜି, ହାତ ଯୋଡିଦେଲେ । ଖାଇବା ଲୋକମାନେ ବସି, ପରଷୁଆଳୀମାନେ ଆଣ୍ଠେଇ ପ୍ରାର୍ଥନା କଲେ । ସାମୂହିକ ଭୋଜନର ଏହି ପରମ୍ପରାଗତ ଶୈଳୀ ଅତୀବ ହୃଦୟସ୍ପର୍ଶୀ ଥିଲା ।
ତନ ତନ କରି ସେମାନେ ଭୋଜନ କକ୍ଷର କୋଣ କୋଣ ନିରିଖେଇ ଖୋଜିଥିଲେ । କଉଠି ହେଲେ ଭାଇଙ୍କ ଚିହ୍ନ ବର୍ଣ୍ଣ ନ ଥିଲା । କେନ୍ଦ୍ରରେ ଭୋଜନ କଲା ପରେ ନିଜ ହୋଟେଲକୁ ଫେରିଥିଲେ । ନିରାଶ ହୋଇଯାଇଥିଲେ ସେ । ଭାଇ କ’ଣ ତାଙ୍କୁ ଆଉ ମିଳିବେନି? ଆସିଲାବେଳେ ତାଲୋମ ଭାଇ କହିଥିଲେ, ‘ମନ୍ଦିର ଘାଟ ପାଖକୁ ସକାଳ ୮ଟା ଆଗରୁ ଆସି ଯାଅ । କେଜାଣି, କାଲି କାଳେ ଭାଇ ମିଳିଯାଇପାରନ୍ତି ।’
ତିନି
ଭାରତର ଦକ୍ଷିଣ ଉପାନ୍ତରେ ଯେଉଁଠି ହିନ୍ଦ ମହାସାଗର ଆରବ ସାଗର ସହ ମିଶିଛି, ସେଠାରେ ସମୁଦ୍ର ଏକ ବିଶେଷ ରଙ୍ଗରେ ରଙ୍ଗୀଭୂତ ହୋଇଛି । ଇନ୍ଦ୍ରଧନୁଠୁଁ ମଧ୍ୟ ଅଧିକ ରଙ୍ଗରେ ରଙ୍ଗୀନ୍ ଓ ସ୍ପଷ୍ଟ ନୀଳାଭ–ଗୈରିକ ରଙ୍ଗର ସମୁଦ୍ର ଜଳ ବକ୍ଷରେ ପ୍ରତିଫଳିତ ଶ୍ରୀପାଦ ଶିଳା ଉପରେ ଅବସ୍ଥିତ ବିବେକାନନ୍ଦ ମନ୍ଦିରର ବାହ୍ୟ ରେଖା ମନରେ ସ୍ଥିର–ଆଧ୍ୟାତ୍ମ୍ୟ–ଭାବ–ତରଙ୍ଗ ସୃଷ୍ଟି ହୋଇଥାଏ । ଦୂର ଅନନ୍ତ ଆକାଶ ଯାଏଁ ପୃଥିବୀ ବକ୍ଷରେ ତରଙ୍ଗାୟିତ ଜଳରାଶିରେ ସୃଷ୍ଟି ହେଉଥିବା ଗଭୀର ନିସ୍ତବ୍ଧତାର ସ୍ଵର ଲହରୀର କିଞ୍ଚିତ ମାତ୍ର ଉପଲବ୍ଧି ଚକ୍ଷୁ କୋଣରୁ ସ୍ୱୟଂମେବ ଅଶ୍ରୁ ଝରାଇ ଅମାନିଆ ମନର ଶୃଂଖଳ ହୀନ ବିଚାରର ବେଗରେ ଲଗାମ ଟାଣି ଦିଏ । ଅଶାନ୍ତ ବିଚାରର ଜୁଆର ମାନ ସ୍ଥିର, ଶାନ୍ତ ହୋଇଯାଆନ୍ତି। ଏହି ଆତ୍ମାନୁଭୂତିର ଭାବାର୍ଥ ଭାଇ ହିଁ ତାଙ୍କୁ ଦେଇପାରିଥାନ୍ତେ । ମନ ମଧ୍ୟରେ ଭାଇଙ୍କ ଭାବନାର ଯେଉଁ ଢେଉମାନ ତାଙ୍କ ଚିତ୍ତର କୂଳରେ ଆସି ବାଡ଼େଇ ହେଉଥିଲା, ତା ଭିତରେ ସେ ଉବୁଟୁବୁ ହେଉଥିଲେ, ତାଙ୍କର କିଛି ସୂଚନା ପାଇବା ପାଇଁ ।
ଡିସେମ୍ବର ୨୩ର ଏହି ସକାଳେ, ଯେଉଁ ଦିନ କନ୍ୟାକୁମାରୀ କୂଳରୁ ଶ୍ରୀପାଦ ଶିଳା ଯାଏଁ ଡଙ୍ଗାରେ ପାରି କରାଉଥିବା ମାଛୁଆମାନଙ୍କୁ ପଇସାଟିଏ ଦେବା ପାଇଁ ସକ୍ଷମ ନ ହୋଇ ପାରି ସ୍ୱାମୀ ବିବେକାନନ୍ଦ ସମୁଦ୍ରରେ ଲମ୍ଫଦାନ ପୂର୍ବକ ପହଁରି–ପହଁରି ଶ୍ରୀପାଦ ଶିଳାରେ ପହଞ୍ଚିଥିଲେ; ଯେଉଁଠାରେ ଦୀର୍ଘ ଦୁଇ ରାତି ତିନିଦିନ ଧରି ଧ୍ୟାନମଗ୍ନ ଅବସ୍ଥାରେ ନିଜ ଧ୍ୟେୟ ପ୍ରାପ୍ତିର ନିକଟରେ ପହଞ୍ଚି ପାରିଥିଲେ, ଯାହା ତାଙ୍କୁ ବିଶ୍ୱ ଧର୍ମ–ମହାସଭାରେ ଭାରତର ସନାତନ ବେଦାନ୍ତ ବିଚାରକୁ ବିଶ୍ଵବାସୀଙ୍କ ସମ୍ମୁଖରେ ଉଦ୍ଭାସିତ କରିବା ନିମନ୍ତେ ପ୍ରେରଣା ଦେଇଥିଲା । ଯୁଗ ଯୁଗରୁ ବହନ କରି ଆସୁଥିବା କନ୍ୟାକୁମାରୀଙ୍କ ଗାଥା ଉପରେ ଆଧାରିତ ସ୍ମୃତି କଥା ମଣ୍ଡିତ ଭାରତ ଭୂମିର ଶେଷ ଭାଗର ଏହି ଶିଳା ଉପରେ ଜଣେ ଅନାମ ଧ୍ୟେୟ ଯୁବ ସନ୍ନ୍ୟାସୀ ଯେତେବେଳେ ନିଜ ଗୁରୁଙ୍କ ପ୍ରତିଭାରେ ପ୍ରତିଭାସିତ ଅବସ୍ଥାରେ ଭାରତ–ସଂସ୍କୃତି–ବାହକର ସାମର୍ଥ୍ୟ ହାସଲ ନିମନ୍ତେ ଧ୍ୟାନସ୍ଥ ହେଲେ, ସେତେବେଳେ ସମୁଦ୍ର ସ୍ଥିର ହୋଇ ଯାଇଥିଲା; ପବନ ନିଃଥର, ନିସ୍ପନ୍ଦ ହୋଇ ଯାଇଥିଲା, ପକ୍ଷୀଙ୍କ କାକଳି ରାବ ବନ୍ଦ ହୋଇ ଯାଇଥିଲା । ଶହ–ଶହ ବର୍ଷ ଧରି ଲୁଣ୍ଠିତ, ଧର୍ଷିତ, ଅବହେଳିତ ଭାରତ ମାଆର ଚକ୍ଷୁରୁ ଅନବରତ ଝରୁଥିବା ଲୁହ ବୁନ୍ଦା ନିମନ୍ତେ ପ୍ରକୃତିର ସ୍ଵାଭାବିକ ଧାରକ ସୃଷ୍ଟି ହେଉଥିଲେ । ଧ୍ୟାନ–ବିଚାରର ସମୟରେ ଚତୁଃପାର୍ଶ୍ଵର ପରିବେଶରୁ ଉର୍ଦ୍ଧ୍ଵରେ ରହି ଆସନ୍ତା ସମୟରେ ଭାରତବର୍ଷରେ ଘଟିବାକୁ ଯାଉଥିବା ଅଦ୍ଭୁତ ପରିବର୍ତ୍ତନର ସାକ୍ଷ୍ୟ–ଦ୍ରଷ୍ଟା ରୂପେ ବେଦାନ୍ତ ବିଚାରକୁ ଦୁନିଆ ଆଗରେ ଉପସ୍ଥାପିତ କରିବାକୁ ସପ୍ତର୍ଷିମଣ୍ଡଳର ଯେଉଁ ଉଦ୍ଭାସିତ ନକ୍ଷତ୍ରକୁ ପୃଥିବୀପୃଷ୍ଠରେ ଉତ୍ତରିତ ହେବାର ଦୃଶ୍ୟ ଶ୍ରୀ ରାମ କୃଷ୍ଣ ଧ୍ୟାନରେ ଦେଖିଥିଲେ, କାଳର କରାଳ ଗତିର ସେହି ନକ୍ଷତ୍ରର ସେ ମାନବ ରୂପୀ ଥିଲେ ।
ଭାଇଙ୍କୁ ଖୋଜିଖୋଜି, ତାଙ୍କ ସ୍ମୃତିକୁ ଅଣ୍ଡାଳି–ଅଣ୍ଡାଳି ଭାରତର ଶେଷ ଭାଗରେ ଆସି ସେ ପହଞ୍ଚିଛନ୍ତି । କନ୍ୟାକୁମାରୀ–ମନ୍ଦିର ପ୍ରାଙ୍ଗଣରୁ ବାହାରି ଆସି ତଳ ପାହାଚରେ ସ୍ଥିର ହୋଇଯାଇଥିବା ସମୁଦ୍ର ପାଣି କୂଳ ରେଲିରେ ହାତ ଦେଇ ଅନତି ଦୂରରେ ଦୃଶ୍ୟମାନ ହେଉଥିବା ସ୍ୱାମୀ ବିବେକାନନ୍ଦଙ୍କ ମନ୍ଦିରକୁ ଚାହିଁ ସ୍ୱୟଂପ୍ରଭା ଠିଆ ହୋଇ ତାଲୋମ ଭାଇଙ୍କ ପ୍ରତୀକ୍ଷା ରତ ଥିଲେ ।
ତାଲୋମ ଭାଇ ଆସିଲା ପରେ ସେମାନେ ଫେରିବୋଟରେ ବସିଥିଲେ । ମୂଳଖଣ୍ଡଠାରୁ ବିବେକାନନ୍ଦ ଶିଳାର ଦୂରତା ଅଧିକ ନ ଥିଲା । ନୀରବ ପରିବେଶର ପାଣି ଉପରେ ଫେରିବୋଟର ମୋଟର ଶବ୍ଦ ସହିତ ତାଙ୍କ କଥାବାର୍ତ୍ତା ମଧ୍ୟ ବହୁତ ଧୀରେ ଶୁଣା ଯାଉଥିଲା ।
ସେହି ଶିଳା ଉପରେ ପ୍ରତିଷ୍ଠା କରାଯାଇଥିବା ବିବେକାନନ୍ଦଙ୍କ ସ୍ମାରକୀ ଏବଂ ତା’ ପାଖ ଅପେକ୍ଷାକୃତ ଛୋଟ ଶିଳା ଉପରେ ତିଆରି ବିଶିଷ୍ଟ ତାମିଲ କବି ସନ୍ଥ ଥିରୁଭେଲୁରଙ୍କ ପ୍ରତିମା ଦିଗରେ କନ୍ୟାକୁମାରୀଙ୍କ ଘାଟରୁ ପ୍ରତି ଅଧ ଘଣ୍ଟାରେ ଗୋଟିଏ ଫେରିବୋଟ ତାମିଲନାଡ଼ୁ ସରକାରଙ୍କ ଉପକ୍ରମରେ ଯିବା ଆସିବା କରିଥାଏ ।
ଥାଳ ଧରି ଭାରତ ସାରାର ଭିକ୍ଷାକୁ ଗୋଟେଇ ଆଣି ଶ୍ରୀପାଦ ଶିଳା ଉପରେ ବିବେକାନନ୍ଦଙ୍କୁ ପ୍ରତିଷ୍ଠା–ପୂର୍ବକ ସୁଦୂର ଉତ୍ତର–ମେରୁଯାଏଁ ଭାରତୀୟ ସଂସ୍କୃତି ଓ ଦର୍ଶନର ପ୍ରସାରଣର ଏକନାଥଜୀଙ୍କ ଦୂରଦୃଷ୍ଟି–ସମ୍ପର୍ଣ୍ଣ–ସ୍ଵପ୍ନର ଜ୍ଵଳନ୍ତ ଉଦାହରଣ ଥିଲା ଭାରତ ମାଆର ଶେଷ ଖଣ୍ଡରେ ଶୋଭା ପାଉଥିବା ଏହି ବିବେକାନନ୍ଦ ଶିଳା ସ୍ମାରକୀ । ଏହି ସ୍ମାରକୀର ଅନ୍ୟତମ ଉଦ୍ୟୋକ୍ତା, କୂଳରେ ବିଦ୍ୟମାନ ଆଧ୍ୟାତ୍ମ ପ୍ରେରିତ ସେବା ସଂଗଠନ, ବିବେକାନନ୍ଦ କେନ୍ଦ୍ରର ପ୍ରତିଷ୍ଠାତା ଏକନାଥ ରାଣଡ଼େଙ୍କ ବୈଚାରିକ ଆନ୍ଦୋଳନକୁ ଉତ୍ସ୍ଥାପନ କଲାବେଳେ ତାଲୋମ ଭାଇଙ୍କ ଜ୍ୟୋତିର୍ଦୀପ୍ତ ଚକ୍ଷୁ ଯୁଗଳର ଉପର ଲଲାଟ ତେଜମୟ ହୋଇ ଉଠୁଥିଲେ, ଯେଉଁ ଭାବକୁ ସେ ଭାଇଙ୍କ ପାଖରେ ମଧ୍ୟ ଦେଖିବାକୁ ପାଉଥିଲେ ।
ଅଳ୍ପ କିଛି ସମୟର ବ୍ୟବଧାନ ପରେ ସେମାନେ ଶିଳା ସ୍ମାରକୀଠାରେ ପହଞ୍ଚି ଉପରକୁ ଉଠୁଥିଲେ ।
ବିବେକାନନ୍ଦ ଧ୍ୟାନ–ମଣ୍ଡପ ଭିତରେ ଧୀର ଶବ୍ଦରେ, ଅହରହ ଉଚ୍ଚାରିତ ହେଉଥିବା ଓଁକାର ନାଦ ମଧ୍ୟରେ ନୀରବରେ ବସି ଅନେକ ଲୋକ ଧ୍ୟାନ କରୁଥିଲେ । ଭିତରେ ପଶିଲା ବେଳେ ତାଲୋମ ଭାଇ କହିଥିଲେ, ‘ସେ ଭିତରେ ପାଟି ଖୋଲିବା ମନା ।’
କିନ୍ତୁ ଭିତରେ ପଶୁ–ପଶୁ ହଠାତ୍ କ’ଣ ଦେଖି ସେ ନିଜେ ଯାଇ ଖୋଲା ଦେହରେ ଧ୍ୟାନରେ ବସିଥିବା ଜଣେ ବ୍ୟକ୍ତିଙ୍କ ପାଖରେ ଯାଇ ବସି ପଡ଼ି ପାଟି କଲେ, ‘ଭାଇ! ଭାଇ, ପ୍ରଭା ଆସିଛି ।’
ଘଟଣାଟି ଯେମିତି ଅତର୍କିତ ଭାବେ ଘଟିଗଲା । ଭାଇ ବସିଛନ୍ତି? ଶୁଣୁ–ଶୁଣୁ ସ୍ୱୟଂପ୍ରଭା ମଧ୍ୟ ତାଙ୍କ ପାଖକୁ ଚଞ୍ଚଳ ପାଦ ପକେଇ ଯିବାକୁ ଚେଷ୍ଟା କଲେ । ପାଖରେ ଧ୍ୟାନରେ ବସିଥିବା ଜଣେ କିଏ ତାଙ୍କୁ ଧିରେ ଚାଲିବା ପାଇଁ ଈଶାରାରେ କହୁଥିଲେ । ସ୍ୱୟଂପ୍ରଭାଙ୍କ ପକ୍ଷରେ ନିଜକୁ ସମ୍ଭାଳିବା କଷ୍ଟ ହୋଇଯାଉଥିଲା । ସେମାନଙ୍କ କାର୍ଯ୍ୟକଳାପରେ କିଛି କ୍ଷଣ ନିମନ୍ତେ ସମସ୍ତଙ୍କ ଶୃଙ୍ଖଳା ଭଙ୍ଗ ହୋଇଥିଲା । ଯାହାଙ୍କୁ ତାଲୋମ ଭାଇ ‘ଭାଇ ବୋଲି’ ସମ୍ବୋଧନ କରୁଥିଲେ, ତାଙ୍କ ସହ ସେ ବାହାରକୁ ବାହାରି ଯାଇଥିଲେ । ସ୍ୱୟଂପ୍ରଭା ଦେଖିଲେ ବାହାରେ ଭାଇଙ୍କ ହାତ ଧରି ତାଲୋମ ଭାଇ ଠିଆ ହୋଇଥିଲେ ।
ଭାଇ ! ଭାଇ !! ଭାଇ !!! ଏକ ଅଜଣା ଆନନ୍ଦ–ଅନୁଭୂତିର ଶିହରଣରେ ପୁଲକିତ ହୋଇ ଉଠିଲେ ସ୍ୱୟଂପ୍ରଭା । ମସ୍ତିଷ୍କ ଶୂନ୍ୟ ପ୍ରାୟ ବୋଧ ହୋଇଥିଲା । ତାଙ୍କ ପାଟିରୁ କଥା ବାହାରି ପାରୁ ନ ଥିଲା ।
ସିଧା, ସହଜ, ଅବୁଝା ଚାହାଣୀ ଓ ଅପରିଚିତ ଭାବରେ ଭାଇ କିନ୍ତୁ ତାଲୋମ ଭାଇଙ୍କୁ ଚାହିଁଥିଲେ ।
‘ଭାଇ, ପ୍ରଭା ଆସିଛି, ପ୍ରଭା, ତମ ଭଉଣୀ ।’
ସ୍ୱୟଂପ୍ରଭା ଝପଟି ଯାଇ ଭାଇଙ୍କ ହାତ ତାଙ୍କ ହାତରୁ ଟାଣି ଆଣି ଧରିଥିଲେ । ଅତ୍ୟଧିକ କୋହରେ ଆଖିରୁ ଲୁହ ଝରି ଆସୁଥିଲା । ପାଟିର ଶବ୍ଦ ଥରି ଯାଉଥିଲା, ମୁହଁକୁ ସିଧା ଚାହିଁ ବିକଳରେ ସେ ଭାଇଙ୍କୁ ଚାହିଁଥିଲେ, ‘କଉଠି ଥିଲ ଭାଇ, କଉଠି ଥିଲ?’
ତାଙ୍କ ପାଟିରୁ ଶବ୍ଦ ବାହାରୁ ନଥିଲା । ଭାବୁଥିଲେ, ଭାଇ ତାଙ୍କୁ କୁଣ୍ଢେଇ ଧରି ପକେଇବେ । ଭଡ଼–ଭଡ଼ କାନ୍ଦିବେ । କିନ୍ତୁ ଭାଇଙ୍କ ଦୃଷ୍ଟିରେ କିଛି ପରିବର୍ତ୍ତନ ଆସି ନଥିଲା । ସେମିତି ଶୂନ୍ୟ, ସିଧା ଚାହାଣୀରେ ସେ ଚାହିଁଥିଲେ । ଦାଢ଼ିଆ ମୁହଁରେ ପରିଚିତର ସମ୍ୟକ ଚିହ୍ନ ବି ଦେଖା ଯାଉ ନ ଥିଲା । ବିକଳିଆ ହୋଇ ଉଠିଲେ ସ୍ୱୟଂପ୍ରଭା ।
ତାଙ୍କ ଚିତ୍କାର ତାଙ୍କ ଗଳାରେ ହିଁ ଅଟକି ଗଲା, ‘ଚିହ୍ନି ପାରୁନ ଭାଇ? ମୁଁ ପ୍ରଭା, ତମ ଭଉଣୀ ।’
‘ଯୋଗେନ୍ଦ୍ରବାଳା ତ ଆତ୍ମହତ୍ୟା କରି ସାରିଛି ।’
ତାଙ୍କର ବିନା ଅଭିବ୍ୟକ୍ତିର ସ୍ଵଗତୋକ୍ତି ସ୍ୱୟଂପ୍ରଭାଙ୍କୁ ହତୋତ୍ସାହିତ କରିଥିଲା । ସେ ତାଲୋମ ଭାଇଙ୍କୁ ଚାହିଁଲେ, ‘ଯୋଗେନ୍ଦ୍ରବାଳା କିଏ ଭାଇ?’
ସେତେ ପର୍ଯ୍ୟନ୍ତ ତାଲୋମ ଭାଇ ଭାଇଙ୍କୁ ନିରିଖେଇ ଦେଖୁଥିଲେ । ନିଜ ଆଡ଼େ ଆଙ୍ଗୁଠି ଦେଖାଇ ପଚାରିଲେ, ‘ମୋତେ ଚିହ୍ନି ପାରୁଛ ଭାଇ? ମୁଁ ତାଲୋମ, ଅରୁଣାଚଳର, ମନେ ଅଛି?’
‘ସ୍ୱାମୀଜୀ!’ ସେ ସ୍ଵଗତୋକ୍ତି କଲେ।
ସ୍ୱୟଂପ୍ରଭାଙ୍କ ହାତ ଛାଡ଼ି ହଠାତ୍ ପଛକୁ ବୁଲି ଦ୍ରୁତଗତିରେ ପାଦ ପକାଇ ଚାଲିବାରେ ଲାଗିଲେ । ଦେଖୁ–ଦେଖୁ ସେମାନଙ୍କ ଦୃଷ୍ଟି ଉହାଡ଼କୁ ଚାଲିଗଲେ ଏବଂ ଅଦୃଶ୍ୟ ହୋଇଗଲେ । ସମସ୍ତେ ତାଙ୍କ ପଛେ ପଛେ ଦୌଡ଼ିଲେ । ଲେଉଟାଣି ଡଙ୍ଗାକୁ ଯାଇ ଜଗି ରହିଲେ । ଯିବେ କୁଆଡ଼େ? ଶେଷରେ ଏଇ ଫେରିବୋଟରେ ତ ଫେରିବେ । ସହସା ଲୋକମାନଙ୍କ ପାଟିତୁଣ୍ଡ ଶୁଣି ସମସ୍ତେ ସେ ଦିଗକୁ ଚାହିଁଲେ ।
‘ଦେଖ, ଦେଖ, ଜଣେ ପାଣିକୁ ଡେଇଁ ପଡ଼ିଲେ ।’
ସମସ୍ତଙ୍କ ଦୃଷ୍ଟି ସେ ଦିଗକୁ ଦୌଡ଼ିଲା । ସମୁଦ୍ରରେ ଲହଡା ଭାଙ୍ଗିଭାଙ୍ଗି ଜଣଙ୍କୁ ମୂଳଭୂଖଣ୍ଡ ଆଡ଼େ ପହଁରି ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ପରିଷ୍କାର ରୂପେ ନ ଦେଖାଗଲେ ମଧ୍ୟ ସେମାନେ ସମସ୍ତେ ନିଶ୍ଚିତ ହୋଇଗଲେ ଯେ ପହଁରି ପହଁରି ଯାଉଥିବା ବ୍ୟକ୍ତି ଜଣକ ଭାଇଙ୍କ ଛଡା ଅନ୍ୟ କେହି ନୁହଁନ୍ତି । ପୌଢ଼ତ୍ୱ ଅତିକ୍ରମ କରିସାରିଲା ପରେ ବି ତାଙ୍କ ଦେହର ଏ ଅମାପ ବଳ ସମସ୍ତଙ୍କୁ ଆବିଭୁତ କରିଥିଲା । ତାଲୋମ ଭାଇ ଦୀର୍ଘଶ୍ୱାସ ନେଲେ, ‘ତାଙ୍କର ଆଉ ଏ ଜନ୍ମକୁ ମନେ ରଖିବାର ଅଭିପ୍ରାୟ ନାହିଁ । ନ ହେଲେ କି ମୋତେ ସ୍ୱାମୀଜୀ ଆଉ ତୋତେ ଯୋଗେନ୍ଦ୍ରବାଳା ବୋଲି ଚିହ୍ନିଥାନ୍ତେ?’
‘ଯୋଗେନ୍ଦ୍ରବାଳା କିଏ ଭାଇ?’
‘ସ୍ୱାମୀଜୀଙ୍କ ଭଉଣୀ । ବାହାଘର ପରେପରେ ସେ ଆତ୍ମହତ୍ୟା କରି ଦେଇଥିଲେ । ତାଙ୍କ ତଳର ଏହି ଭଉଣୀଟିକୁ ସେ ଭାରି ଭଲ ପାଉଥିଲେ ।’
ଗତ ଶୀତୁଆ ରାତିରେ ଅନେକ ବେଳ ଯାଏଁ ତିନି ପାଖ ସମୁଦ୍ରର ନିରନ୍ତର ଗର୍ଜନ ଭିତରେ ତାଙ୍କୁ ଯେତେବେଳେ ନିଦ ହୋଇ ନଥିଲା, ଚିନ୍ତା ଓ ଅସହାୟ–ବୋଧର ଜ୍ୱାଳାଗ୍ନିରେ ଜର୍ଜରିତ ସ୍ୱୟଂପ୍ରଭା ହୋଟେଲରେ ନିଜ କକ୍ଷର ବାଲକୋନୀକୁ ଆସି ଯାଇଥିଲେ । ଘନ–ନୀଳାଭ ସାମୁଦ୍ରିକ ଆଲୁଅର ସ୍ପର୍ଶରେ ଚତୁର୍ଦିଗର ତମସରୁ ତମସା ନିର୍ବାପିତ ହେବାର ସ୍ପଷ୍ଟ ସୂଚନା ମିଳୁଥିଲା । ସେତେବେଳେ ହିଁ ତାଙ୍କର ଭାଇଙ୍କ ସହ ପୁନର୍ମିଳନର ଆଶା କ୍ଷୀଣ ହୋଇସାରିଥିଲା । ମନେ–ମନେ ସେ କିଛି ସ୍ଥିର କରିସାରିଥିଲେ । ତାଙ୍କ ପଛେ–ପଛେ ଉଠି ଆସି ତାଙ୍କ ପାଖରେ ଠିଆ ହୋଇଥିବା ସ୍ଵାମୀଙ୍କୁ ମଧ୍ୟ ତାଙ୍କ ନିଷ୍ପତ୍ତି ବିଷୟରେ ଜଣେଇ ସାରିଥିଲେ ।
[ମାଆଙ୍କ କଥା ତାଙ୍କ କାନରେ ବାରମ୍ବାର ଆସି ବାଜୁଥିଲା, – ଭାଇ ନ ଆସିଲେ ପାଣିରେ ପକେଇଦେବୁ ସିନା, ତା’ ଘରେ ହାତ ଦେବୁନି]
ବର୍ତ୍ତମାନ ଯେତେବେଳେ ଭାଇ ମିଳି ମଧ୍ୟ ମିଳିଲେନି, ଦେଖି ମଧ୍ୟ ଚିହ୍ନି ପାରିଲେନି, ଶୁଣି ମଧ୍ୟ ବୁଝି ପାରିଲେନି, ସ୍ୱୟଂପ୍ରଭା ତାଙ୍କ ରାତିର ନିଷ୍ପତ୍ତିରେ ମୋହର ଲଗାଇବା ପାଇଁ ନିଶ୍ଚୟ କଲେ ।
ସମୁଦ୍ରରେ ପାଣିର ରଙ୍ଗ ବଦଳି ନ ଥିଲା । କନ୍ୟାକୁମାରୀ ଆକାଶର ନିତିଦିନିଆ ସୂର୍ଯ୍ୟଙ୍କୁ ପତଳା ମେଘ ଆଚ୍ଛାଦିତ କରି ରଖିଥିଲା । ପଛରେ ଦୃଶ୍ୟମାନ ହେଉଥିବା ବିବେକାନନ୍ଦ ସ୍ମୃତି ମନ୍ଦିର, ଆଗରେ ଦେଖା ଯାଇଥିବା କନ୍ୟା କୁମାରୀଙ୍କ ମନ୍ଦିର ମଝିରେ ଫେରିବୋଟରେ ବସି ସ୍ୱୟଂପ୍ରଭା ଭାବୁଥିଲେ, ପ୍ରକାରାନ୍ତରେ ମାଆଙ୍କର ଏହି ଇଛା ପୂରଣଦ୍ଵାରା ହୁଏତ ତାଙ୍କ ମନ ଭିତରେ ଜମାଟ ବାନ୍ଧି ରହିଥିବା କୁଣ୍ଠା କିଛି ମାତ୍ରାରେ ଲାଘବ ପାଇପାରେ । ଫେରିବୋଟରେ ଆସୁଥିବା ସହଯାତ୍ରୀମାନଙ୍କ ଭିତରେ ଗୁଞ୍ଜରିତ ହେଉଥିଲା –
ଭୁବନ ମଣ୍ଡଳେ ନବଯୁଗମୁଦୟତୁ ସଦା ବିବେକାନନ୍ଦମୟମ୍ ।
ସୁବିବେକମୟମ୍, ସ୍ୱାନନ୍ଦମୟମ୍ ॥
ମଝିରେ ମଝିରେ ଆରମ୍ଭ ହୋଇ ପୁଣି ବନ୍ଦ ହୋଇ ଯାଉଥିବା ଭାରତର ସ୍ଵାଧୀନତା ସଂଗ୍ରାମର ଶୁଖିଲା କୁଶ ଦେହରେ ସ୍ୱାମୀ ବିବେକାନନ୍ଦଙ୍କ ଓଜସ୍ୱିନୀ ବାଣୀର ସୁପ୍ତାଗ୍ନି ଅଗ୍ନି–ସ୍ଫୁଲିଙ୍ଗର କାମ କରିଥିଲା । ତାଙ୍କର ଭାରତ ମାଟି ପ୍ରତି ଥିବା ଆବେଗ, ସମ୍ବେଦନ ଅନେକ ସ୍ଵାଧୀନତା ସଂଗ୍ରାମୀ, କର୍ମୀ, ତପସ୍ଵୀଙ୍କୁ ଜନ୍ମ ଦେଇଥିଲା ସତ, କିନ୍ତୁ ସ୍ୱୟଂପ୍ରଭାଙ୍କ ଭାଇ କେବଳ ସ୍ୱାମୀଜୀଙ୍କ ଚରିତ୍ର, ଜୀବନୀ ଭିତରର ଭଉଁରୀରେ ହିଁ ଘୁରି ରହିଗଲେ । ମାଆଙ୍କ ପାଖରେ ବ୍ୟକ୍ତ କରିଥିବା ଆଶଙ୍କା ଅନୁଯାୟୀ ଠିଆ ହେବା ପୂର୍ବରୁ ହିଁ ସେ କ’ଣ ପଡ଼ି ସାରିଥିଲେ? ତା ଛଡ଼ା ଆଉ କ’ଣ ହୋଇପାରେ? ନ ହେଲେ କି ମା’ର ପାଖ ଛାଡ଼ି ଦେଶ ସେବା ନିମନ୍ତେ ଦୃଢ ସଂକଳ୍ପିତ ଜଣେ ବ୍ୟକ୍ତି ବାଟବଣା ହୋଇଯାନ୍ତେ?
ଜନ୍ମ–ମୃତ୍ୟୁର କର୍ମଚକ୍ରରେ କିଏ ଜାଣେ, ଭାଇଙ୍କ ସ୍ଵପ୍ନ କେବେ କେଉଁଭଳି ଭାବେ ସାକାର ହେବ । ବୋଧହୁଏ ପର ଜନ୍ମରେ, ତା’ ପର ଜନ୍ମରେ, ନ ହେଲେ ତା’ ପର ଜନ୍ମରେ !
ଭାଇ କହୁଥିଲେ, ‘କର୍ମ ଥିଲା ଯାଏଁ ଜନ୍ମ ରହିଥିବ– ଜନ୍ମ ଥିଲା ଯାଏଁ କର୍ମ ରହିଥିବ । ଦିହେଁ ପରସ୍ପରର ପରିପୂରକ ।’
– ପ୍ରମୋଦ ପଣ୍ଡା
(ସମ୍ପୂର୍ଣ୍ଣ କଳ୍ପନା ପ୍ରସୂତ। ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ କିମ୍ବା ବିବେକାନନ୍ଦ କେନ୍ଦ୍ରର କୌଣସି ବ୍ୟକ୍ତି କିମ୍ବା ଘଟଣା ସହ ଏହାର କିଛି ସମ୍ପର୍କ ନାହିଁ)
Comments
ପ୍ରମୋଦ କୁମାର ପଣ୍ଡା ଜଣେ ଓଡ଼ିଆ ଲେଖକ, ଯିଏକି ପ୍ରାୟତଃ ତାଙ୍କର ନିଜ ଗବେଷଣା ଏବଂ ଅନୁଭବ ଉପରେ ବିଭିନ୍ନ ପ୍ରକାରର ରଚନା କରନ୍ତି । ଯଦିଓ ଛାତ୍ରଜୀବନରେ ସେ ବିଭିନ୍ନ ପ୍ରାକାରର ଲେଖାଲେଖି କରୁଥିଲେ, କିନ୍ତୁ ଜଣେ ବ୍ୟାଙ୍କ କର୍ମଚାରୀ ଭାବରେ ଅବସର ନେବାପରେ ସେ ଆରମ୍ଭ କରିଥିଲେ ପ୍ରକୃତ ରଚନା । ଲେଖକ ଜୀବନରେ ତାଙ୍କର ପ୍ରଥମ ଗଳ୍ପ ଆମ ପତ୍ରିକାର ପ୍ରଥମ ସଂସ୍କରଣରେ ପ୍ରକାଶ ପାଇବାପରେ ଆରମ୍ଭ ହୋଇଥିଲା ତାଙ୍କର ଲମ୍ବା ଯାତ୍ର । ବିଭିନ୍ନ ପତ୍ରପତ୍ରିକାମାନଙ୍କରେ ତାଙ୍କ ରଚିତ ଲେଖାଗୁଡ଼ିକ ପ୍ରକାଶ ପାଉଛି ।