ଘନ କଳାକେଶେ ଗଜରା ବାନ୍ଧିଣ
ଚାଲିଗଲେ ଏଇ ବାଟେ
ମଲ୍ଲୀ ଜୁଇଜାଇ ହେନା ମାଳତୀର
ବାସରେ ମହକ ଛୁଟେ ।
ରକ୍ତଜବା ପରି ଅଧରରୁ ଯେବେ
ଝରି ପଡ଼େ ମିଠା ମହୁ
କେଜାଣେ କାହିଁକି ନିଜ ଅଜାଣତେ
ଖୋଲିଦିଏ ଦୁଇ ବାହୁ ।
ପଦ୍ମ ପାଖୁଡାର କଅଁଳ ପାଦରେ
ଅଳତାର ଧାର ହସେ
ଆଖିର କଜ୍ୱଳ ତେଜସ୍ୱନୀ ମୁଖ
ଆହୁରି ଉଜ୍ୱଳ ଦିଶେ ।
ମୁଦ୍ରିତ ନୟନ ଲାଗେ ଲୋଭନୀୟ
ତା’ ସାଥେ ଚାହାଣି ଆଭା
ଦୋଳାୟିତ ହୁଏ ଚାଲିରେ ତୋହର
ପୁଷ୍ପଗୁଚ୍ଛ ପରି ଗଭା ।
ରୂପଲାବଣ୍ୟର ନିଆରା ପରୀଟେ
ସବୁରଙ୍ଗ ତୋତେ ସାଜେ
ବରଷା ଛିଟାର କଅଁଳ ପରଶ
ଲୁଚିଯାଏ ପୁଣି ଲାଜେ ।
ଭ୍ରମିତ କରଇ ଭ୍ରମର ହୃଦୟ
ତୋ’ ଦେହର ମାଦକତା
ନଜର ହଟେନି ପଲକରେ କେବେ
ଭାଙ୍ଗିଦିଏ ସଞ୍ଜମତା ।
– ସରୋଜ କୁମାର ସାହୁ
Comments
ସରୋଜ କୁମାର ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।