ବୟସ ପାଖାପାଖି ୬୫ କି ୭୦ ହେବ, ଦୁର୍ବଳ ଶରୀର, ହାତ ଦୁଇଟା ଭାରି ଜୋରରେ ଥରୁଥାନ୍ତି, ଦାନ୍ତ ଗୁଡ଼ାକ ମଧ୍ୟ ଝଡ଼ିଯାଇଥାଏ, ବାସ କିଛିଟା ରହିଯାଇଥାଏ । ଦୃଷ୍ଟି ଶକ୍ତି ମଧ୍ୟ ଶେଷ ଅବସ୍ଥାରେ, ଏତେ ମାତ୍ରାରେ ରୁଗ୍ଣ ହୋଇ ମଧ୍ୟ ଘର ବାରଣ୍ଡାରେ ବୁଢ଼ା ମଉସା ନାତି ଟୋକା ସହ ବସି ଖୁସି ଗପରେ ମସଗୁଲ ଥାଏ । ନାତି ଟୋକାକୁ ପାଇ ବୁଢ଼ାର ମନ ପୁରା କୁଣ୍ଢେମୋଟ ଯେମିତି ମୋତିମାଣିକ ପାଇଯାଇଛି ବୁଢ଼ା । ବୁଢ଼ୀ ଗଲା ପରେ ବୁଢ଼ାର ସାଙ୍ଗ କହିଲେ ନାତି ଟୋକା । ଓଃ କି ଗପ, କି ନାଚ କାହିଁ କହୁଛ ସେ କଥା ପୁରା ଦୁଇ ସାଙ୍ଗ ତ । ଏ ତ ଗଲା ନାତି ଟୋକା କଥା ପୁଅ ବୋହୂଙ୍କ କଥା କାଇଁ କହୁଛ ।
ବୁଢ଼ା ମଉସାର ପୁଅ ବୋହୂ ବୁଢ଼ାକୁ ଭାରି ଯତ୍ନ ସହକାରେରେ ରଖିଥାନ୍ତି । ବୁଢ଼ାର ଖାଇବା ପିଇବାଠାରୁ ଆରମ୍ଭ କରି ଦେହପା କଥା ମଧ୍ୟ କେଉଁଥିରେ ଅବହେଳା କରନ୍ତି ନାହିଁ ସେମାନେ । ଛିଙ୍କ ଟିକେ ହେଲେବି ସିଧା ଡାକ୍ତର ପାଖକୁ ନେଇ ଯାଆନ୍ତି ବୁଢ଼ାକୁ । ବୋହୂ ବୁଢ଼ାଟିକୁ ଅନେକ ସେବାଯତ୍ନ କରେ ଆଉ ନିଜ ବାପା ପରି ମାନେ (ବାପା ତ ନିଜର ଆଉ ପର କ’ଣ ଯେ) । ମନେ ମନେ ବୁଢ଼ା ମଉସା ନିଜକୁ ଭାରି ଭାଗ୍ୟବାନ ଭାବୁଥାଏ । କହେ କେଉଁ ଜନ୍ମରେ କି ପୁଣ୍ୟ ଅର୍ଜନ କରିଥିଲି ଯେ ଏ ଜନ୍ମରେ ଏତେ ସୁଖ ପାଉଛି ।
ପୁଅ ପାଇଁ ଖରାରେ ଖଟି, ମୁଣ୍ଡ ଝାଳକୁ ତୁଣ୍ଡରେ ମାରି ତାକୁ ଛୋଟରୁ ବଡ଼ ମଣିଷ କରିବା ପାଇଁ ଦେଇଥିବା ବଳିଦାନ ଓ କରିଥିବା କଷ୍ଟ ଧୀରେ ଧୀରେ ପୁଅ ତାର ସୁଝି ଚାଲିଥାଏ ବୋଲି ବୁଢ଼ା ଭାବି ଖୁସି ହୋଇଯାଏ (ସତରେ କ’ଣ ସୁଝିହେବ? କେବେନୁହେଁ) ଛାତି କୁଣ୍ଢେମୋଟ ହୋଇଉଠେ । ସେ ଯାହାବି ହେଉ ପୁଅ ବୋହୂ ଓ ନାତି ଟୋକା ସହ ବୁଢ଼ାର ସମୟ କଟିଯାଉଥାଏ ବେଶ ଆରାମରେ ।
ବାସ……… କିଛି ସମୟ ପରେ ବୁଢ଼ା ମଉସାର ନିଦ ଭାଙ୍ଗି ଯାଏ ଓ ଆଖି ଆଗରେ ବୃଦ୍ଧାଶ୍ରମକୁ (ଯେଉଁଠାରେ ବୁଢ଼ା ମଉସା ବାସ କରେ) ଦେଖି ବୁଢ଼ା ମଉସାର ଆଖିରୁ ଲୁହର ଧାର ବହିବା ଆରମ୍ଭ ହୋଇଯାଏ କଷ୍ଟରେ ଚିତ୍କାର କରିବାକୁ ଲାଗେ ।
ସେ ଲୁହ ତ ସତ ଥାଏ ଏଥିରେ ସନ୍ଦେହ ନାହିଁ ମାତ୍ର ସେ ସ୍ୱପ୍ନ ସାଧାରଣ ସ୍ୱପ୍ନ ନୁହେଁ, ଏକ ନକଲି ସ୍ୱପ୍ନ ଥାଏ ।
– ରଶ୍ମୀରଞ୍ଜନ ନାୟକ
Comments
ରଶ୍ମି ରଞ୍ଜନ ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।