ମୃତ୍ୟୁ ପଥେ ମାନବିକତା

Odia Story Mrutyu Pthe Manabikata (ମୃତ୍ୟୁ ପଥେ ମାନବିକତା) by Satyabrata Sethi

ଯେତେବେଳେ ସନ୍ତାନଟେ ଜନ୍ମ ନିଏ ସେତେବେଳେ ବାପାମା’ଠାରୁ ଆରମ୍ଭ କରି ଆତ୍ମୀୟ ପରିଜନ ତଥା ସାହିପଡ଼ିଶା ଖୁସି ହୋଇଥାନ୍ତି । କୌଶଲ୍ୟା ଏବଂ ସୁବ୍ରତ ଉଭୟ ସ୍ୱାମୀସ୍ତ୍ରୀ ସେଥିରୁ ବାଦ୍ ପଡ଼ିଥାନ୍ତେ କେମିତି? କେତେ ଦିଅଁ ଦେବତା ମାନସିକ କରି ଆଜି ତାଙ୍କ କୋଳରେ ସନ୍ତାନଟିଏ ଭଗବାନ ଦେଇଛନ୍ତି । ଦୁଃଖର ଯବନିକା ପକାଇ ଖୁସିର ବାତାବରଣଟିଏ ତିଆରି କଲେ ଭଗବାନ । ମନର ସିଲଟରେ ନିଜର ଖୁସିର ମୁହୂର୍ତ୍ତକୁ ହାତରେ ଗାରେଇ କ’ଣ ସବୁ ଲେଖିଦେଉଥିଲା କୌଶଲ୍ୟା ।

ମାର୍ଗଶିର ମାସ ଗୁରୁବାର ସକାଳର କଅଁଳ କିରଣ ନିଜର ତାରୁଣ୍ୟ ଆଭାରେ ଆଲୋକରେ ଆଲୋକିତ କରିବ ବୋଲି ପୃଥିବୀ ପୃଷ୍ଠକୁ ଗୋଡ଼ କାଢ଼ି ବସିଛି । ସମସ୍ତଙ୍କ ଘରେ ଲିପାପୋଛା ଅଗଣା, ନୂଆ ଅରୁଆ ଚାଉଳ, ଲକ୍ଷ୍ମୀ ପାଦର ଝୋଟିଚିତା, କାକର ଭିଜା ଧାନ ପେଣ୍ଡା, ଏ ସବୁ ଦେଖି ଦାଣ୍ଡ ଦୁଆର ମୁହଁ ଆଜି ହସୁଛି । ମାଆ ଲକ୍ଷ୍ମୀ ତା’ ଉପରେ ପାଦ ଦେଇ ଘରେ ପ୍ରବେଶ କରିବେ । ସେପଟେ ଡାକ୍ତରଖାନାରେ ଏକ କନ୍ୟା ଶିଶୁର କ୍ରନ୍ଦନର ସ୍ୱର ଶୁଭିଲା । କୌଶଲ୍ୟା ମା’ ହେବାର ସୌଭାଗ୍ୟ ପାଇଲା । ସୁବ୍ରତ କହିଦେଉଥିଲା ହେଇଟି ଶୁଣୁଛ ଆମ ଘରକୁ ଲକ୍ଷ୍ମୀ ସାଆନ୍ତାଣୀ ଆସିଲେ । ଆମର ଏବେ ଆଉ କିଛି ଅସୁବିଧା ହେବ ନାହିଁ । ସ୍ୱାମୀ ଓ ସ୍ତ୍ରୀଙ୍କ ଜୀବନରେ ଖେଳିଗଲା ଖୁସିର ଲହରୀ । ଆଉ ଶୁଣିବାକୁ ପଡ଼ିବ ନାହିଁ ସାହି ପଡ଼ିଶାଙ୍କ ଟାହି ଟାପରା ଓ ତାତ୍ସଲ୍ୟଭରା କଟୁ ସମାଲୋଚନା । ଗାଁ’ର ସ୍ତ୍ରୀ ଲୋକମାନେ ଗାଁ ଦାଣ୍ଡରେ ଆଲୋଚନା କରିବେ ନାହିଁ କୌଶଲ୍ୟାର ପିଲା ହେବା କଥା । ସେ ସବୁ ଅନ୍ତ ଘଟିଛି, ସେଥିରେ ଆଜି ପଡ଼ିଛି ପୂର୍ଣ୍ଣଚ୍ଛେଦ । କୌଶଲ୍ୟାର ମନର ଆକାଶରେ ଯେମିତି ଇନ୍ଦ୍ରଧନୁ ଖେଳିଯାଇଛି । ତା’ର ପୁନେଇଁ ଚାନ୍ଦକୁ ତା’ କୋଳରେ ପାଇ ଛାତି ଉପରକୁ ଆଉଯାଇ ନେଉଛି । ତାକୁ ବୋକ ଦେଉଛି କହିଦେଉଛି, ତୋ କୁନି କୁନି ଓଠରେ କେବେ ମା’ ବୋଲି ଡାକିବୁରେ? ସାର୍ଥକ ହେବ ମୋର ଜନ୍ମ । ଶୁଣିଥିଲି ସନ୍ତାନଟେ ମାପକାଠି ନାରୀ ପୂର୍ଣ୍ଣତାର । ସକାଳର ବୟସ ବଢ଼ିଚାଲେ ।

କିଛି କ୍ଷଣ ପରେ ପେପର ବିକାଳି ବୁଲି ବୁଲି ଡାକ୍ତରଖାନାର ପରିସର ଭିତରେ ପେପର ବିକୁଥାଏ । କହି ଉଠୁଥିଲା ଆଜି ପଢ଼ନ୍ତୁ ନାରୀକୁ ସମାଜର ନ୍ୟାୟ ଦରକାର, ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ଜାଳିଦେଲେ । ସୁବ୍ରତର ମନ ଅସ୍ତବ୍ୟସ୍ତ ହୋଇଉଠିଲା । ଖଣ୍ଡେ ପେପର କିଣି ଆଣି ଗୋଟିଏ ନିଶ୍ୱାସରେ ପଢ଼ିଦେଇଗଲା । ଖବର କାଗଜରୁ ଉଠୁଥିବା ତତଲା ବାମ୍ଫ ତା’ ଆଖିରୁ ପାଣି ବାହାର କରିଦେଲା । ହସ ହସ ମୁହଁଟା ସଙ୍ଗେ ସଙ୍ଗେ ଲୁହ ଥମ୍ ଥମ୍ ହୋଇ ଉଠିଲା । ଆଖିର ପତା ଡେଇଁ ଅବାଧ ଲୁହ ଦୁଇ ବୁନ୍ଦା ଝରିପଡ଼ିଲା । ଖବର କାଗଜରେ ଗଣଦୁଷ୍କର୍ମର ଖବର ପୃଷ୍ଠା ମଣ୍ଡନ କରୁଛି । ନାରୀମାନେ ଅସୁରକ୍ଷିତ ଏବଂ ନର ରାକ୍ଷସମାନଙ୍କ ଦ୍ୱାରା ଧର୍ଷଣର ଶିକାର ହେଉଛନ୍ତି । କିଛି ରାକ୍ଷସ ପ୍ରଭୃତିର ଲୋକ ରାତିର ଅନ୍ଧକାର ଭିତରେ ଭୟଙ୍କର ଦାନବଟେ ସାଜି ନାରୀ ଦେହରେ ମାଂସକୁ କେମିତି ଉପଭୋଗ କରୁଛନ୍ତି । ନିଜର କୁଶ୍ଚିତ ଲାଳସା ମେଣ୍ଟାଇ ସାରିଲା ପରେ ତାକୁ ମାରିଦେଇ ରାସ୍ତା କଡ଼ରେ ଫିଙ୍ଗି ଦେଉଛନ୍ତି । ସୁବ୍ରତଙ୍କର କେଇ ପଦ କଥାର ତରଙ୍ଗ କୌଶଲ୍ୟାର କର୍ଣ୍ଣପଟରେ ଯଙ୍କୃତ ହେଉଥିଲା । ସୁବ୍ରତ ଛେପ ଢୋକି ଖବରଟାକୁ ଓଠ ତଳେ ଚାପି ଦେଲେ ଯେମିତି, କୌଶଲ୍ୟା ଧଡ଼୍‌କିନା ଉଠିପଡ଼ି ସୁବ୍ରତଙ୍କ ହାତରୁ ଖବର କାଗଜଟା ଝାମ୍ପିନେଲା ଏବଂ ପଢ଼ିବାକୁ ଲାଗିଲା । ଯେମିତି ପ୍ରଥମ ପୃଷ୍ଠାରେ ଗଣଦୁଷ୍କର୍ମ ଖବର ଛାଇ ହୋଇ ଯାଇଛି, ନ୍ୟାୟ ଦରକାର; ନାରୀମାନେ ଅସୁରକ୍ଷିତ; ଏମିତି ବଡ଼ ବଡ଼ ହେଡ଼୍ ଲାଇନ ସବୁ । ଗୋଟିଏ ମା’ର କୋଳ ଖାଲି ପଡ଼ିଛି । ମା’ର ଆଖିର ଲୁହ ବୋଲ ମାନୁ ନାହିଁ । ଶୋକାକୁଳ କ୍ରନ୍ଦନର ରଡ଼ି ଶୁଭୁଚି । ପ୍ରବଳ ଭୂମି କମ୍ପରେ କୌଶଲ୍ୟାର ଚତୁର୍ଦ୍ଦିଗ ଘୁରୁଛି । ଝାଳରେ ତିନ୍ତି ଗଲାଣି ତା’ର ସମଗ୍ର ଶରୀର । ଦିନକୁ ଦିନ ମାନବିକତାର ମରି ମରି ଯାଉଛି । ସମସ୍ତେ ଧିକାର କରୁଛନ୍ତି ସେ ପୁରୁଷ ପଣିଆକୁ, ଯେଉଁ ପୁରୁଷ ହାରିଯାଉଛି ଦେହର ଭୋକ ଆଗରେ । ୫ ନମ୍ବର କ୍ୟାବିନ ଭିତରକୁ ପଶି ଆସିଲେ ଡାକ୍ତର । କୌଶଲ୍ୟା ନିଜ ଆଖିର ଲୁହକୁ ଗୋପନ ରଖିବା ପାଇଁ ମୁହଁ ବୁଲେଇ ଦେଲା ।

ଡାକ୍ତର ପଚାରିଲେ ଏ ପିଲାର ମାଆ ଆପଣ? କୌଶଲ୍ୟାର ଉତ୍ତର ଦେଲା “ହଁ ସାରେ ମୁଁ ତା’ର ମା ।” “ଏମିତି ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ଯେ? ବରଂ ଖୁସି ହେବା କଥା ମାଆ ଲକ୍ଷ୍ମୀ ତୁମ ଘରକୁ ଆସିଛନ୍ତି ।” “ହେଲେ ଗୋଟିଏ ମାଆ ଆଜି ଶିଶୁ କନ୍ୟାକୁ ଜନ୍ମ ଦେବା ଆଗରୁ ଶହେ ଥର ଭାବିବ । ବିକାରଗ୍ରସ୍ଥ ରୁଗୁଣ ସମାଜ ପାଖରୁ ପିଲାଙ୍କୁ ବଞ୍ଚେଇବା ପାଇଁ ।” ଡାକ୍ତରଙ୍କ ଓଠରେ ସ୍ମିତ ହାସ୍ୟର ଭଉଁରୀ ଖେଳି ଗଲା । “ହଁ ଆଜି ଆମ ଦେଶରେ କର୍ମଚାରୀମାନେ ଅଧିକ ଦରମା ଦାବିରେ ଶୋଭାଯାତ୍ରା ଯାଉଛନ୍ତି । ପେଟ୍ରୋଲ ଦରବୃଦ୍ଧି ପାଇଁ ସଡ଼କ ରେଳ ରାସ୍ତା ଅବରୋଧ ହେଉଛି । ସରକାରୀ କାର୍ଯ୍ୟାଳୟରେ ଲୋକ ତାଲା ପକାଇ ଦେଉଛନ୍ତି । ସାର୍ବଜନୀନ ସମ୍ପତ୍ତି ନଷ୍ଟ କରାଯାଉଛି । ପରନ୍ତୁ ଆମ ପିଲାମାନଙ୍କୁ ନୈତିକ ଶିକ୍ଷା ଦେବା ପାଇଁ ଆନ୍ଦୋଳନ ହେଉନାହିଁ । ବଳତ୍କାର ପରି ରାଷ୍ଟ୍ରର ମହାରୋଗ ପାଇଁ ଚିକିତ୍ସା ଓ ସଭା ସମିତି କିମ୍ୱା ବିଚାର ବିମର୍ଶ କରାଯାଉ ନାହିଁ । ବଳତ୍କାର ସଂଖ୍ୟା ଯଦି ଏପରି ଭାବରେ ବୃଦ୍ଧି ପାଏ, ତା’ହେଲେ ମାତୃ ଜାତିର ପତନ ଅବଶ୍ୟ ।” ଡାକ୍ତର କହିଦେଇ ଚାଲିଗଲେ । ଶିଶୁକନ୍ୟାଟି ତା ମା’ର ଆଖିର ଆଖି ମିଶେଇ ଯେମିତି କହି ଦେଉଥିଲା, “ମା’ଲୋ ମୁଁ ବଞ୍ଚିବାକୁ ଚାହେଁ । ମୋର ଲୋଡ଼ା ଖାଲି ତୋର ଆଞ୍ଜୁଳାଏ ସ୍ନେହ ଆଉ ତାଗିଦ୍ । ନର ରାକ୍ଷସମାନଙ୍କ କବଳରୁ ମତେ ତୁ ରକ୍ଷା କରିବୁ । ଯଦି ମୁଁ କେତେବେଳେ ଜୀବନର ରାଜପଥରେ ରାକ୍ଷସ ପ୍ରଭୃତି ଲୋକଙ୍କ କବଳରେ ଶିକାର ହୁଏ । ତୁ ମାଆ ଲକ୍ଷ୍ମୀ ହେଉ କି ମା’ ଦୁର୍ଗା ହେଉ କି ମା’ କାଳୀ ହେଉ ଅବା କେଉଁ ଏକ ଅବତାରେ ମୋ ଆଖିର ଲୁହକୁ ପୋଛି ଦେବୁ । ସେ ରକ୍ତ ପିପାସୁ କବଳରୁ ମତେ ରକ୍ଷା କରିବୁ ।” ଅବୁଝା ଏବଂ ଜିଦଖୋର ଶିଶୁଟେ ଭଳି ମୁଣ୍ଡ ଗଡ଼ାଇ ଗଡ଼ାଇ କାନ୍ଦୁଥିଲା । ମେଡ଼ିକାଲର ଝରକା ଫାଙ୍କରୁ ଭାସି ଆସୁଥିଲା ବଳତ୍କାରୀକୁ ଫାସି ଦିଆଯାଉ । ଆମକୁ ନ୍ୟାୟ ଦରକାର । କେତେଦିନ ଆଉ ନାରୀ ସମାଜ ଅସୁରକ୍ଷୀତ ରହିବ? ଆମକୁ ନ୍ୟାୟ ଦରକାର ଆମକୁ ନ୍ୟାୟ ଦରକାର ।

– ସତ୍ୟବ୍ରତ ସେଠୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...