ମୁଁ ହାରିଯିବାକୁ ବସିଛି । ଲାଗୁଚି ହାରିଗଲି ବୋଧେ ! ଟଣା ଓଟରା ଜୀବନରେ ଛନ୍ଦି ହେଇ ଅଣନିଶ୍ୱାସୀ ଲାଗୁଛି । ନାହିଁ କାହାର ସାହାରା । ସବୁଆଡ଼େ ଆଶାର ନଦୀ । ଯୋଉଠି କୂଳ ବୋଲି ଭାବୁଛି ସେଠି ଆଉ ଗୋଟେ ଦରିଆ । ବହୁତ ପହଁରିଚାଲିଛି । ଥକିଗଲା ଭଳି ଲାଗୁଛି । ସତରେ କ’ଣ ଏ ସ୍ରୋତରେ ମୁଁ ଭାସିଯିବି !! ଆଉ ଭାସିଯିବ ମୋ ସବୁତକ ସ୍ୱପ୍ନ, ଯେଉଁସବୁ ସାଉଁଟିଥିଲି ମୋ ଯୌବନର ପ୍ରଥମାଅର୍ଦ୍ଧରେ !? ମେଞ୍ଚା ମେଞ୍ଚା ଅନ୍ଧାରୁଆ ମୁହୂର୍ତ୍ତଗୁଡ଼ାକୁ ପଛରେ ଛାଡ଼ି ଦଉଡ଼ିବାକୁ ଆରମ୍ଭ କରିଥିଲି ହେଲେ ସମସ୍ତଙ୍କ ଆଶା ପୂର୍ଣ୍ଣ କରି କରି କ୍ଲାନ୍ତ ହେଇଗଲାଣି ମୁଁ । କାନ୍ଧ ବହୁତ ଭାରି ଲାଗୁଛି । ଲାଗୁନି କେହି ଆଉ ହାତ ଥାପୁଡ଼େଇ ଦେବେ ବୋଲି । କାହାକୁ କେମିତି ଆଉ କେତେ ଯେ ଖୁସି କରିପାରିବି? ଲାଗୁନି ମୋର ସେ ଟାଣ ପଣ ଆଉ ରହିବ । କିଛିଦିନ ତଳେ ମନତଳେ ଯୋଡ଼ିଥିବା ସପ୍ନସବୁକୁ ଫିଙ୍ଗି ଦେଇ ଫେରନ୍ତା ବାଟରେ ଅଛି ମୁଁ । ବିନା ସାହାରାରେ ଏଇଟା ସମ୍ଭବ ହେଇନି କି ହେବନି ଜାଣିନି । ମୁଁ ଆଜି ନିସ୍ୱ । ସବୁ ଅଛି ହେଲେ କେଜାଣି କାହିଁକି ମନ ଭଲ ଲାଗୁନି । ଲାଗୁଛି ସମସ୍ତେ ଯେମିତ ଠକୁଛନ୍ତି ମୋତେ । ସେ ନିଜ ଲୋକ ବା ପର… ସମସ୍ତେ । ହାଏରେ ସମାଜ ! ମୋ ଜୋତା ଉପରେ ପାଦ ରଖି ଟିକେ ଦେଖ !! କେତେ ପୀଡ଼ା, କେତେ ଅଭିମାନ ଯେ ଏଠି ଚାପି ରଖିଛି… କାହାକୁ କହିବି !? ସମସ୍ତେ ଆଜି ଖରସ୍ରୋତା ନଦୀ ପାଲଟି ଯାଇଛନ୍ତି । ସମୟ ନାହିଁ ମୋ କଥା ଶୁଣିବାକୁ । ଅମାନିଆ ପିଲାଟା ଭଳି ମୁଁ ଆଜି କାନ୍ଦି ଚାଲିଛି । ଲୁହ ଆଉ ଯନ୍ତ୍ରଣା, ଦୁଃଖ ଆଉ କୋହଗୁଡ଼ା ଧୀର ଧୀରେ, ଆହୁରି ଧୀରେ, ମୋ ସପ୍ନଠାରୁ ମୋତେ ଦୂରେଇ ନେଉଛନ୍ତି । କାଲି ସକାଳ ହେବ, ଗୋଟେ ନୂଆ ସକାଳ, ହେଲେ ମୁଁ ଆଉ ମୋ ସପ୍ନ ଆହୁରି ଦୂରରେ ଠିଆ ହେଇଥିବୁ… ବହୁତ ଦୂରରେ…
– ସୂର୍ଯ୍ୟ ପ୍ରକାଶ
Comments
ସୂର୍ଯ୍ୟ ପ୍ରକାଶ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।