ସୁଦୂର ଆମେରିକାର ସିଆଟିଲ ସହର ଆଉ ତା’ର ଆଲକି ବେଳାଭୂମିରେ ଏକ ଗ୍ରୀଷ୍ମ ସନ୍ଧ୍ୟା । ଗାଡ଼ିଟି ପାର୍କ କଲା ପରେ ସ୍ୱାମୀ ଓ ଝିଅ ଚାଲିଗଲେ ସାଇକେଲ ଧରି ଆଉ ମୁଁ ଖୋଜି ବସିପଡ଼ିଲି ଏକ ନିରୋଳା ଜାଗାରେ ପଡ଼ିଥିବା ବେଞ୍ଚ ଉପରେ । ଦୂରରୁ ଅତି ସୁନ୍ଦର ଦିଶୁଥାଏ ସ୍ପେସ ନୀଡଲ । ଅସ୍ତ ସୂର୍ଯ୍ୟର ରକ୍ତିମ କିରଣରେ ନଭଚୁମ୍ବି ଅଟ୍ଟାଳିକାମାନ ଝଲସି ଉଠୁଥା’ନ୍ତି । ସୁଲୁସୁଲିଆ ଶୀତଳ ପବନ ସମ୍ପୂର୍ଣ୍ଣ ପରିବେଶରେ ମାଦକତା ଭରିଦେଉଥାଏ । ଏ ମନୋରମ ଦୃଶ୍ୟକୁ ଉପଭୋଗ କରୁକରୁ ମୁଁ ଚାଲିଗଲି ମୋ ହଜିଲା ପିଲାଦିନକୁ । ପରିବାର ସହିତ ରାଜଧାନୀ ଭୁବନେଶ୍ୱରରେ ରହୁଥିଲୁ । ବ୍ୟସ୍ତବହୁଳ ଜୀବନରେ ଥାଇ ସବୁବେଳେ ଅପେକ୍ଷାରେ ଥାଉ କେବେ ସ୍କୁଲ ଛୁଟି ହେବ ଆଉ ଆମେ ଗାଆଁକୁ ଯିବୁ । ଗ୍ରୀଷ୍ମ ଛୁଟି ହିଁ ଗୋଟିଏ ଲମ୍ବା ଛୁଟି । ବାର୍ଷିକ ପରୀକ୍ଷାର ଶେଷ ଦିନରେ ପରୀକ୍ଷା ସରିଲା ବୋଲି ଯେତିକି ଖୁସି ନଥାଏ ତା’ଠୁ ବେଶୀ ଖୁସି ଥାଏ ଆମେ ଗାଁକୁ ଯିବୁ ବୋଲି । ଆଉ ଗାଁରେ ପହଞ୍ଚିଲା ପରେ ଗୋଡ଼ ଯେମିତି ଆଉ ମାଟିରେ ଲାଗେନା ! ଆଗେ ଡେଇଁ ଡେଇଁ ଘେରାଏ ବୁଲି ଆସିବି । ଦାଦା ଖୁଡ଼ି ବଡ଼ବାପା ବଡ଼ବୋଉ ଅପା ଭାଇ ଜେଜେ ଜେଜେମା ସମସ୍ତଙ୍କୁ ଦେଖି ମନ ଖୁସିରେ ପୂରିଉଠେ । ସେମାନଙ୍କର ସ୍ନେହ ଶ୍ରଦ୍ଧା ବାନ୍ଧି ପକାଏ । କି ମଧୁରତା ଥିଲା ସେ ସ୍ନେହରେ ! କେତେ ନିଷ୍କପଟ ଥିଲା ସେ ଶ୍ରଦ୍ଧାରେ ସତରେ !!
ଗ୍ରୀଷ୍ମ ଛୁଟିରେ ରଜରେ ଭାରି ମଜା । ସକାଳୁ ସକାଳୁ ସଜ ହୋଇ ନୂଆ ଫ୍ରକଟି ପିନ୍ଧିକି ଆଗ ପ୍ରଜାପତି ପରି ପ୍ରିୟ ପରିଜନଙ୍କ ଘରଆଡ଼େ ବୁଲିଆସେ । ଆଉ ସେତେବେଳେ ମୁଁ ମୋ ନିଜକୁ କୋଉ ରାଜକୁମାରୀଠାରୁ କେବେ କମ ମନେକରେନି । ତା’ପରେ ଦୋଳି ଖେଳିଖେଳି ଆଉ ନାନା ପ୍ରକାର ପିଠା ପଣା ଖାଇଖାଇ ତିନିଦିନ କୁଆଡ଼େ ପଳାଏ ଜଣାପଡ଼େନି । ସେତେବେଳେ ନିଜ ବଗିଚାର ଆମ୍ବ, ଲଙ୍କାଆମ୍ବ ତୋଳି ଖାଇବାରେ ଯୋଉ ମଜା ଏବେକାର ବଜାରରେ ମିଳୁଥିବା ଫଳରେ କାହିଁ !! ସୂର୍ଯ୍ୟାସ୍ତରେ ଆମ ବାଡ଼ିରେ ଥିବା ଏକ ବିରାଟ ଘଞ୍ଚ ଖିରିକୋଳି ଗଛତଳେ ବସିବାକୁ ଭାରି ବଢ଼ିଆ ଲାଗେ । ଦୂର ଝାଉଁବଣରୁ ସୁଲୁସୁଲୁ ପବନରେ ଦେହ ଶିତେଇଉଠେ । ଆଉ ଟିକିଏ ମୁହଁ ଅନ୍ଧାର ହୋଇଗଲେ ଛାଟିପିଟି ହୋଇ ଘରକୁ ଦୌଡ଼ି ପଳାଏ । କିଏ ଜଣେ କହିଥିଲା କାଳେ ସେଠି ଗୋଟେ ଭୂତ ରହେ ଆଉ ଗୋଟେ ଛୋଟପିଲା ଏଥିରେ ଡରିବା ସ୍ୱାଭାବିକ କଥା । ଏସବୁ ମଉଜ ମଜଲିଶ ଭିତରେ କେତେବେଳେ ଛୁଟି ସରିଯାଏ ଜଣାପଡ଼େନି । ପୁଣି ଆମେ ଫେରିଆସୁ ସହରର ବ୍ୟସ୍ତ ବହୁଳ ଜୀବନକୁ ।
ଧୀରେଧୀରେ ବୟସ ବଢ଼ିବା ସାଙ୍ଗରେ ଆମେ ଆହୁରି ବ୍ୟସ୍ତହୋଇଯାଉ ନିଜର ସ୍କୁଲ ଟ୍ୟୁସନ ଆଉ କଲେଜରେ । ଗାଁ’କୁ ଯିବା ପ୍ରାୟ ବହୁତ କମିଯାଏ । ବର୍ଷରେ ଥରୁଟିଏ ବି ଯିବା ସମ୍ଭବ ହୁଏନି । ପାଠପଢ଼ା ସାରିବା ପରେ ବାହାଘର, ଶାଶୁଘର, ଚାକିରୀ ଆଉ ପିଲାଛୁଆ ସମ୍ଭାଳୁ ସମ୍ଭାଳୁ ଗାଁ’କୁ ଭୁଲିଯାଏ । ଘରଲୋକଙ୍କ ସଙ୍ଗେ କଥା ହେଲାବେଳେ କେବେ କେମିତି ପଚାରିଥାଏ ଗାଁ’ କଥା ଆଉ ଶୁଣେ କାଳେ ମୋ ଗାଁ ଏବେ କୋଉ ସହରଠାରୁ ବି କମ ନୁହେଁ । ଲୋକମାନଙ୍କର ଜୀବନ ବଞ୍ଚିବାର ଶୈଳୀ ବଦଳିଯାଇଛି । ସେମାନେ ବି ଆଧୁନିକ ଯୁଗସହ ତାଳଦେଇ ଚାଲିବା ଶିଖିଗଲେଣି । ଅତ୍ୟାଧୁନିକ ଯନ୍ତ୍ରପାତିର ବ୍ୟବହାର ସହିତ ସାରା ପୃଥିବୀର ଖବର ଜାଣୁଛନ୍ତି । ଏହା ବଡ଼ ଖୁସିର କଥା କିନ୍ତୁ ମୁଁ କାହିଁ ଖୁସି ନୁହେଁ? ବୋଧହୁଏ ମୁଁ ଖୋଜୁଛି ମୋର ସେଇ ପୁରୁଣା ଗାଁ’କୁ ଯୋଉଠି ଥିଲା ସରଳ ଜୀବନଯାପନର ଏକ ନିଚ୍ଛକ ପ୍ରତିଛବି । ଏହା ଭିତରେ ଦୀର୍ଘ ତିରିଶ ବର୍ଷ ବିତିଯାଇଛି । ମୁଁ କେବେ ଗାଁ’କୁ ଯାଇନି । ଘରଲୋକ କେବେ କିଏ ଗଲେ ଫୋଟୋ ପଠାନ୍ତି । ଭାରି ନିରେଖି ଦେଖେ ସେ ଫୋଟୋଗୁଡ଼ିକୁ । ଲୋକଙ୍କୁ ଚିହ୍ନିବାକୁ ଚେଷ୍ଟାକରେ । ନା… କିଛି ମନେପଡ଼େନି । ସରକାରଙ୍କ ନୂଆ ନୂଆ ଯୋଜନା ସହିତ ସୁପରସାଇକ୍ଲୋନ ମୋ ଗାଁ’ର ନକ୍ସା ବଦଳେଇ ଦେଇଛି । ବାଡ଼ିର ଖିରିକୋଳି ଗଛକୁ ଫୋଟୋରେ ଦେଖି ପିଲାଦିନ ଭୂତକଥା ମନେପଡ଼ିଯାଏ ଆଉ ଅଜାଣତରେ ମୁହଁରେ ହସଟିଏ ଖେଳିଯାଏ । ପିଲାଦିନର ପୁରୁଣା ସ୍ମୃତି ଆଖି ଆଗରେ ନାଚିଯାଏ । ମନହୁଏ, ଫେରିଯାନ୍ତିକି ସମୟର ଚକ୍ରରେ ଆଉ ସାଉଁଟି ଆଣନ୍ତି ସେ ଦୁର୍ଲଭ ମୁହୂର୍ତ୍ତରୁ କିଛି !!! ଏମିତି ଭାବୁଭାବୁ ମୋ ଝିଅର ଡାକରେ ଚମକି ପଡ଼ିଲି । କେତେବେଳୁ ସୂର୍ଯ୍ୟ ଅସ୍ତ ହୋଇଯାଇଥିଲେ ଆଉ ଅନ୍ଧାର ରାତିରେ ଦୂର ନଭଶ୍ଚୁମ୍ବୀ ଅଟ୍ଟାଳିକା ଗୁଡ଼ିକର ବିଜୁଳି ଆଲୋକରେ ଲେକ ୱଶୀଙ୍ଗଟନ ଝଲସି ଉଠୁଥିଲା । ଝିଅ କହିଲା “Mummy let’s have some pizza tonight. I am very hungry.” ଆଉ ସ୍ୱାମୀ ସେଥିରେ ସମ୍ମତି ଜଣାଇ ଯିବାକୁ ବାହାରିଲେ । ଘରକୁ ଫେରିବା ବାଟରେ ଭାବୁଥାଏ, ଯଦି ଏ ପିଲାମାନଙ୍କୁ ମୋ’ ପିଲାଦିନର କଥା କହିବି କ’ଣ ସେମାନେ ତାକୁ ହୃଦୟଙ୍ଗମ କରିପାରିବେ !? ନା ହସରେ ଉଡ଼େଇଦେବେ ସେ ଖିରିକୋଳି ଗଛର ଭୂତ କଥା ଶୁଣି?? ଦୀର୍ଘନିଶ୍ୱାସଟେ ପକେଇ ମୁଁ ନିରବ ହୋଇଗଲି…
– ବନଜା ବିଶ୍ୱାଳ
Comments
ବନଜା ବିଶ୍ୱାଳ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।