ମୋ ବାପା

Odia Poem Mo Bapa (ମୋ ବାପା) by Nitesh Behera

ଆଜି ବି ଜିଇଁଛି ତୁମ ପରିଚୟେ
ତୁମେ ମୋର ଆତ୍ମବଳ ।
କିଏ ହେବ କୁହ ତୁମ ସରି ସତେ
ସ୍ୱାର୍ଥ ଆଗେ ଏ କଳିକାଳ ॥

ଚାଲୁଛି ଆଜିବି ତୁମ ଆଦର୍ଶରେ
ଦେଇ ନାହିଁ ପଛଘୁଞ୍ଚା ।
ତୁମ ହାତ ଥିଲେ ମୋ ମଥାରେ ସଦା
ଲୋଡ଼ା ନାହିଁ ଦିଅଁ ପୂଜା ॥

ଜନ୍ମରୁ ଅଧୁନା ଦେଇଅଛ ତୁମେ
ଅଦେଖା ସ୍ନେହ ମମତା ।
ଆଜି ବି ନ କହି ସାଉଁଟି ଦେଉଛ
କହେ ତୁମ ନୀରବତା ॥

ପାଷାଣ କେବଳ ଉପର ମନରେ
ଭିତରେ ଭାବନା ଭରା ।
କିଏ ଅଛି ଏଠି ମିଛ ଦୁନିଆରେ
ମୋ ବାପାଙ୍କ ସରି ପରା ॥

ନିଜ କଥା କେବେ ନ ଭାବି ଆଗୁଆ
ମୋ ପାଇଁ କରନ୍ତି ଚିନ୍ତା ।
ଦୁନିଆରେ ଯେତେ ବଡ଼ ଯିଏ ହେଉ
ପୁତ୍ର ପାଇଁ ଶ୍ରେଷ୍ଠ ପିତା ॥

ହାତ ଧରି ମୋର ଶିଖାଇଛ ଚାଲି
ଝୁଣ୍ଟିଲେ ନିଅ କୋଳେଇ ।
ସାରା ଦୁନିଆକୁ ଚିହ୍ନେଇଛ ତୁମେ
ମୋତେ କାନ୍ଧରେ ବସାଇ ॥

ଅଳି ଅର୍ଦ୍ଧଳି ମୋ ସବୁ ସହିଅଛ
ତୁମ ସ୍ୱଳ୍ପ ରୋଜଗାରେ ।
ଧନ୍ୟବାନ ହେଲି ମୁଁ ଏଇ ଜନ୍ମେ
ଜନମି ତୁମ କୋଳରେ ॥

ଲୋଡ଼ା ନାହିଁ ମୋର ଧନ କି ସମ୍ପତ୍ତି
ଅଲୋଡ଼ା ରାଜଉଆସ ।
ମୋ ବାପା ହୁଅନ୍ତୁ ଦୀର୍ଘାୟୁ ମୋ ଠାରୁ
ଚିର ରହୁ ଓଠେ ହସ ॥

ମୋ ପ୍ରେରଣାର ଉତ୍ସ ହେ ମହାପୁରୁଷ
ଜୀବନ୍ତ ଦେବତା ମୋର ।
ନଇଁବନି କେବେ ମଥା ଯେ ତୁମର
ଆଶୀର୍ବାଦ ମୋତେ କର ॥

– ନିତେଶ ବେହେରା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...