ମଶାଣି

Odia Poem Mashani (ମଶାଣି) by Prajna Paramita Panda

ଏଠି ଦୂରଦିଗନ୍ତ ଯାଏଁ ଶୂନ୍ୟ ମହାଶୂନ୍ୟ
ଗହୀରିର ଖାଁ ଖାଁ ପରିପାଟି
ସାଜିଛି
ଜୀବନ ମୃତ୍ୟୁର ଅଦ୍ଭୁତ ସଙ୍ଗମ
ଉଦାହରଣ ଦେଉଛି
ରାଜା ଓ ପ୍ରଜାର
ମାନ ଓ ଅଭିମାନର
ଏବଂ ଗର୍ବ ଓ ଅହଂକାରର
ଅଗ୍ନିର ଲେଲିହ ମାନରେ
ଭସ୍ମୀଭୂତ ଏମାନେ
ମୁଠାଏ ପାଉଁସରେ ପରିବର୍ତ୍ତିତ
ଏମାନଙ୍କର ସତ୍ତା…
ଚତୁର୍ଦ୍ଦିଗ ଏବେ ଧୁମ୍ରମୟ
ଧୁମାକାର ସାଜିଛି
ଏବେ ପାର୍ଥିବ ପିଣ୍ଡ
ଇଚ୍ଛା, ସ୍ୱପ୍ନ ଏବଂ କର୍ମର
ହୋଇସାରିଛି ଅନ୍ତ,
ଜଳି ଚାଲିଛି ତତ୍ତ୍ୱ
ଜଳି ଚାଲିଛି ଶରୀର
ଶିଖାଇ ଚାଲିଛି
ଜୀବନର ଅଲୌକିକ ଶୈଳୀ
ସାଜି ଯାଇଛି
ଏକ ଅମ୍ଳାନ ଆହ୍ୱାନ…
ପରସ୍ତ ପରସ୍ତ କରି
ଜଳାଇ ଚାଲିଛି ଦମ୍ଭୀର
ଅହଂକାର
ଅଭିମାନୀର ଅଭିମାନ
ମଲ୍ଲ ଯୋଦ୍ଧାକୁ ମଧ୍ୟ
ବଦଳାଇ ଦେଇ ପାରୁଛି
ମୁଠାଏ ପାଉଁସରେ,
ସମସ୍ତ ଛାତିଥରା କୋହକୁ
ଦଗ୍ଧ କରି
ନିଜ ସୀମିତ ଇଲାକାରେ…

– ପ୍ରଜ୍ଞା ପାରମିତା ପଣ୍ଡା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...