ମଣିମା କରେ ଗୁହାରି

Odia Poem Manima Kare Guhari (ମଣିମା କରେ ଗୁହାରି) by Sasmita Pradhan

ତବ ପାଦ ରେଣୁ
ଝରି ପଡ଼ୁ ସଦା
ଅଧମ ଅକ୍ଷମ ଶିରେ
ଆହେ ମହାବାହୁ
କରୁଛି ଦୟିନୀ
ମଣିମା ଶୁଣିବା ବାରେ ॥

ଥକି ପଡ଼ିଲିଣି
ଏ ଭବ ସାଗରେ
ଥଳ କୂଳ ପାଉନାହିଁ
ଯେ ଡାଳ ଧରୁଛି
ସେ ଡାଳ ଭାଙ୍ଗୁଛି
କୃପା କର ବାରେ ସାଇଁ ॥

ଘୋର ଅରଣ୍ୟରେ
ମୃଗୁଣୀ ଡାକିଲା
ଉଦ୍ଧାର କରିଛ ହରି
କୁରୁ ସଭା ତଳେ
ବସ୍ତ୍ର ଦାନ କରି
ରଖିଛ ଦ୍ରୌପଦୀ ଶିରୀ ॥

ଭକ୍ତ ପ୍ରହଲ୍ଲାଦ
ଭାବରେ ଭଜିଲା

ପାଦରେ ଶରଣ ଦେଲ
ଗର୍ବ କରୁଥିଲା
ହିରଣ୍ୟକଶିପୁ

ନୃସିଂହ ରୂପେ ମାରିଲ ॥

ପାଷାଣୀ ଅହଲ୍ୟା
ତବ ପାଦ ବାଜି
ଶାପରୁ ମୁକ୍ତ ହୋଇଲା
ପାଦ ବାଜି କାଳେ
ନାରୀ ହେବ ନୌକା
କୈବର୍ତ୍ତ ପାଦ ଧୋଇଲା ॥

ଜଗତ କରତା
ବିଶ୍ୱ ପ୍ରାଣଦାତା
ଚାହଁ ବାରେ କୃପା ନେତ୍ରେ
ତୁଣ୍ଡେ ଗାଉଥିବି
ତୁମରି ନାମକୁ
ମରଣ ହୋଇବ ମୋତେ ॥

ତୁଣ୍ଡେ ଦେବେ ମୋର
ତୁମରି ନିର୍ମାଲ୍ୟ
ଶୁଭୁଥିବ ସଂକୀର୍ତ୍ତନ
କୋକେଇ ସଜାଡ଼ି
ନେବେ ମୋତେ ବୋହି
ମଶାଣିରେ ହେବି ଲୀନ ॥

– ସସ୍ମିତା ପ୍ରଧାନ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...