ମାଆ

Maa

ସତରେ ଏମିତି ଏକ ମଧୁର ଶବ୍ଦ, କି ଯେଉଁ ଶବ୍ଦର ତୁଳନା ନାହିଁ । ଯେତେ କହିଲେ ବି ଶବ୍ଦର ଅଭାବ ନିଶ୍ଚୟ ଉଣା ପଡ଼େ । ଏ ଧରା ପୃଷ୍ଠରେ ସବୁଠୁ ସୁନ୍ଦର ଅକ୍ଷର ହେଉଛି ମାଆ । ତା’ କଥା ମଧ୍ୟ ମହୁଠୁ ବି ମଧୁର । ଦଶ ମାସ ଦଶ ଦିନ ତା’ରି ଗର୍ଭରେ, ତା’ରି ରକ୍ତରେ ସେ ଆମକୁ ଜନ୍ମ ଦିଏ । ଲାଳନ ପାଳନର କର୍ମ ମଧ୍ୟ କରେ । ଆମର ଛୋଟ ମୋଟ ଅଳି ଅର୍ଦ୍ଦଳି ସହେ । ସବୁ ଅଭାବ ଅସୁବିଧାକୁ ହସି ହସି ପୂରଣ ପାଇଁ ଚେଷ୍ଟା କରେ । ଆମ ଖୁସିରେ ଖୁସି ହୁଏ । ଦୁଃଖରେ ବି ସାମିଲ୍ ହୁଏ ।

ସେଥିପାଇଁ ତ ତା ହୃଦୟ ଏତେ ବଡ଼ । ଶିଶୁ ଯେତେବଳେ କଥା କହିବା ଆରମ୍ଭ କରେ, ସେତେବେଳେ ସେ ସେହି ଗୋଟିଏ ଅକ୍ଷର ପ୍ରଥମେ ଉଚ୍ଚାରଣ କରେ । ତାହା ହେଉଛି ମାଆ… । ଏ ତ ଗଲା ଛୋଟ ବେଳ କଥା । ଆମେ ଯେତେବେଳେ ବଡ଼ ହେଉ କିଛି ବିପଦରେ ପଡ଼ିଲେ କିମ୍ବା ଝୁଣ୍ଟି ପଡ଼ିଲେ ହଠାତ୍ ପାଟିରୁ ବାହାରି ଆସେ

ହେ…ବୋଉଲୋ…..!!
ହେ…ମା ଲୋ ।

ସେଠି ଆଉ କିଛି ଶବ୍ଦ ଆସେନି । ମା ସବୁବେଳେ ମା … । ମା’ର ସ୍ଥାନ ସବୁଠୁ ନିଆରା । ତା’ ମୂଲ ଅମୂଲ୍ୟ । କଥାରେ ପରା ଅଛି, ମା ଚିହ୍ନେ ପେଟ… ବାପା ଚିହ୍ନେ ପିଠି । ସତରେ କେତେ ନିଃସ୍ଵାର୍ଥପର ତା’ ଭଲ ପାଇବା । ହେଲେ ତା’ ପ୍ରତିବଦଳରେ ସେ କ’ଣ ପାଏ ଆମଠୁ….?

ଆଜିର ସମାଜରେ ଗୋଟେ ମାଆ ତା’ର ପ୍ରାନ୍ତ ବୟସରେ ହେଉଛି ଅତ୍ୟାଚାରିତ । ସେମାନଙ୍କ ପାଇଁ ସାହାରା ସାଜିଛି ସହର ବଜାରରେ ଥିବା ବୃଦ୍ଧାଶ୍ରମ । କିନ୍ତୁ କେବେ ଥରେ ଭାବିଛନ୍ତି… ଯେଉଁମାନେ ମା ଛେଉଣ୍ଡ, ଯେଉଁମାନଙ୍କର ମାଆ ନାହାଁନ୍ତି… ସେମାନେ ଯେ ମାଆ ପାଇଁ କେତେ ବିକଳ । ମା’ର ସ୍ନେହ ଟିକକ ପାଇଁ ସେମାନେ କେତେ ଅନୁତପ୍ତ !!

ନା….! ସେସବୁ ଆପଣମାନେ ବୁଝିବେନି । କେବଳ ଜଣେ ଅନୁଭବୀ ହିଁ ଅନୁଭବ କରିପାରେ ଏ ସବୁ । କେତେ କିଲବିଲ୍ ସେ ଜୀବନ, କେତେ ହୃଦୟ ବିଦାରକ ସେ ଯନ୍ତ୍ରଣା ।

କାହାଣୀଟି ଆମେ ଆଗକୁ ଗତିଶୀଳ କରାଇବା । ସେଦିନ ମୁଁ ଏମିତି କିଛି ଦୃଶ୍ୟ ଦେଖିଥିଲି, ଯାହା ଫଳରେ ମୁଁ ସ୍ତବ୍ଧ ହୋଇଯାଇଥିଲି । ଗତ କିଛି ଦିନ ତଳେ ଆମେ ଏକ ପିକ୍‌ନିକ୍‌ରେ ଯାଇଥିଲୁ । ପାହାଡ଼, ପର୍ବତ, ଜଙ୍ଗଲ …. ଅପରୂପ ସୌନ୍ଦର୍ଯ୍ୟରେ ଭରା ସେ ସ୍ଥାନ । ଆମପରି ଆହୁରି ଅନେକ ମଧ୍ୟ ଆସିଥାନ୍ତି । ଯେହେତୁ ମୁଁ ଜଣେ ପ୍ରକୃତି ପ୍ରେମୀ, ତେଣୁ ସେ ସ୍ଥାନ ମୋରି ବେଶ ପସନ୍ଦ ଯୋଗ୍ୟ ।

କିଛି ସମୟ ସମସ୍ତଙ୍କ ସହିତ ବସିଲା ପରେ, ଆମେ ଚାରି ଜଣ ବହାରିଥିଲୁ । ଅନ୍ୟ ସମସ୍ତ ସ୍ଥାନ ବୁଲିବୁ ଆଉ ଫୋଟୋ ଉଠାଇବୁ । ବାକି ସମସ୍ତେ ରୋଷେଇ କାମ ଓ ଗପିବାରେ ମସଗୁଲ୍ ଥା’ନ୍ତି । ବୁଲୁଥିବା ସମୟରେ ଆମେ ଦେଖିଲୁ ସେଠାରେ କିଛି ଛୁଆ ଜଙ୍ଗଲକୁ କାଠ ଅନ୍ୱେଷଣରେ ଆସିଛନ୍ତି । ଆମେ ମନେ ମନେ ଭାବିଲୁ ହଁ…

ପାଖରେ ଗୋଟେ ଜନବସତି ଅଛି । ସେଠାକାର ଛୁଆମାନେ ହୋଇଥିବେ ଆଉ । ଶୀତଦିନ ହେଲେ ବି ଦିନ ଦ୍ୱିପହର ଖରା ଭାରି ଟାଣ । ସେହି ଖରାରେ ସେମାନେ ଘର ଭିତରେ ନ ରହି, କାଠ ପାଇଁ କାହିଁ ଆସିଛନ୍ତି ବୋଲି ମୋ ମନରେ ପ୍ରଶ୍ନ ଉଙ୍କି ମାରୁଥାଏ । ହେଲେ ସାଙ୍ଗମାନେ ଯେହେତୁ ପାଖରେ ଅଛନ୍ତି, ସେ ସବୁକୁ ଭୁଲି ସାଙ୍ଗମାନଙ୍କ ସହିତ ସମୟ କାଟିବାକୁ ହୁଏ । ଦ୍ୱିପହର ଯାଇ ଅପରାହ୍ନ ହେଲା । ଜଣେ ସାଙ୍ଗର ଜନ୍ମଦିନ ଥାଏ । ତେଣୁ ଆମେ କେକ୍ ସାଙ୍ଗରେ ଆଣିଥିଲୁ । ହୋ… ହାଲ୍ଲା, ଘୋ… ଘା, ନାଚ ଗୀତରେ ସେ ସ୍ଥାନ ଉଠୁଥିଲା ପଡ଼ୁଥିଲା । ଯେଉଁମାନେ ସେ ବାଟ ଦେଇ ଯିବା ଆସିବା କରୁଥିଲେ, ସେମାନେ ଦେଖନ୍ତି ପୁଣି ସେ ଜାଗା ଛାଡ଼ି ଚାଲିଯାଆନ୍ତି ।

କିନ୍ତୁ କାଠ ସଂଗ୍ରହ କରିବାକୁ ଆସିଥିବା ଗୋଟେ ଛୋଟ ଝିଅଟେ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଆମ ସହ ଥିଲା । ବୟସ ୫ କି ୬ ବର୍ଷ ହେବ । କୌଣସି କାରଣରୁ ତା’ ମୁଣ୍ଡରେ ଚୁଟି ନ ଥାଏ । ମାନେ ଲଣ୍ଡା ମୁଣ୍ଡ । ଆଉ ସେ ଠିକ୍ ଆଫ୍ରିକୀୟ ନିଗ୍ରୋ ଭଳି ଦେଖାଯାଉଥାଏ । ଏଥିରେ ହସିବାର କିଛି ନ ଥିଲା । ତଥାପି ସାଙ୍ଗମାନେ ହସି ଚାଲିଥିଲେ । ସେ ଝିଅ କିନ୍ତୁ ଏତେ ସରଳ ଥିଲା ଯେ ପଦେ ହେଲେ ପାଟି ଫିଟାଇ ନ ଥିଲା । କି ତା’ ପାଟିରୁ ପଦେ ହେଲେ କଥା ଆମେ କେହି ଶୁଣିନୁ । ମୁଁ ତାକୁ ଖାଇବାକୁ ଦେଲି, ସେ ଖାଇଲା । ତାକୁ ତା ନାଁ, ଗାଁ, ଠିକଣା, ବାପା ନାଁ, ମା ନାଁ ପଚାରିଲି । କିନ୍ତୁ ଉତ୍ତର କିଛି ନାହିଁ । ଭାବିଲି କଥା ବୋଧେ କହି ପାରୁନି ଛୁଆଟି । ବିଭିନ୍ନ ଅଙ୍ଗ ଭଙ୍ଗି ବି କଲି । କିନ୍ତୁ ଉତ୍ତର କିଛି ନାହିଁ । ଆଉ ଜଣେ ସାଙ୍ଗ ଥିଲା ମୋର କହିଲା, “ଆରେ, ସେ ଓଡ଼ିଆ ଭାଷା ବୋଧେ ବୁଝିପାରୁନି । ତାକୁ ରହ ମୁଁ… ହିନ୍ଦୀ, ଇଂରାଜୀରେ ପଚାରୁଛି ।” ତଥାପି ଉତ୍ତର କିଛି ନାହିଁ । ବୋଧେ ପିଲାଟି ଆମକୁ ଦେଖି ଭୟ କରିଯାଇଛି ।

ଠିକ୍ ସେ ସମୟରେ ମୋ ବୋଉ ମୋତେ ଫୋନ୍ କରିଛି ।
ପ୍ରଶ୍ନରେ ସେ ପଚାରି ଚାଲିଛି- କେତେବେଳେ ଆସିବୁ?
ଏତେ ଡେରି କ’ଣ ହେଲାଣି?
ଘରେ ନନା ବ୍ୟସ୍ତ ହେଉଛନ୍ତି ।
ଅନ୍ଧାର ପୂର୍ବରୁ ଆସିକି ଘରେ ପହଞ୍ଚିବୁ ।

ସବୁ ପ୍ରଶ୍ନର ମୋର ଗୋଟିଏ ଉତ୍ତର “ହଁ” । ମୁଁ ଯାଇ ଜଲଦି ପହଞ୍ଚିବି । ଫୋନ୍ ଲାଇନ୍‌ରେ ବୋଉ ଥାଏ । ବଡ଼ କୌତୁହଳ ସହ ବୋଉକୁ କହିଥିଲି, “ବୋଉ ଜାଣିଛୁ, ଏଠି ଗୋଟେ ଛୋଟ ଝିଅଟେ ସହ କଥା ହେଉଛୁ ଯେ, ସେ କିଛି କହୁନି ଆମକୁ । ଖାଲି ହସୁଛି ।”

ବୋଉ କହିଥିଲା, “ବାୟାଣୀଟେ ହୋଇଥିବ । ମୁଣ୍ଡ କାମ କରୁନଥିବ ।”

ବୋଉକୁ କହିଥିଲି, “ବୋଉ ତୁ Video call କରେ । ଦେଖିବୁ ତାକୁ ।”

ବୋଉ ସହ ତାର ଦେଖା କରାଇଥିଲି ।

ଯାହା ଫଳରେ ହସୁଥିବା କଢ଼ିଟି ବି ଶେଷରେ ମଉଳି କାନ୍ଦିବାକୁ ଲାଗିଲା । ଫୋନ ମୁଁ ରଖିଦେଇଥିଲି । ସମସ୍ତେ ନିଶ୍ଚିନ୍ତ ହୋଇଗଲେ, ଛୁଆଟି ଟିକେ ପାଗଳି । ମୁଣ୍ଡ କାମ କରୁନି । ମୋ ମନ କିନ୍ତୁ ମାନୁ ନଥାଏ । ହଠାତ୍ ସେ……

ସେ ସ୍ଥାନ ଛାଡ଼ି ଦୌଡ଼ି ପଳାଇଥିଲା । ସନ୍ଧ୍ୟା ହେଲା…… ଆମେ ବି ଘରକୁ ବାହାରିଲୁ । ବାଟରେ ଚାଲି ଚାଲି ଆସିଲା ବେଳେ ଡ୍ୟାମ୍ ପଡ଼ିଲା । ଡ୍ୟାମ୍‌ରେ ଫୋଟୋ ନେବୁ ବୋଲି ଗଲୁ । ଫୋଟୋ ଉଠାଇଲୁ । ଆମ ଭିତରୁ କେହି ଜଣେ କହିଲା ।

ହେ …!!!
ଦେଖରେ… ସେ ଲଣ୍ଡା ଝିଅ ।
ମୁଁ- କାଇଁ? କେଉଁଠି?

ମୁଁ ଦେଖେ । ଆମେ ଡ୍ୟାମ୍ ଉପର ପଟେ । ଆଉ ସେ ଡ୍ୟାମ୍‌ର ତଳ ପଟେ । ପାଣିକୁ ଚାହିଁ କ’ଣ କଣ ସବୁ ଗପିଚାଲିଛି । ପାଣି ଭିତରକୁ ଯାଉଛି ପୁଣି ଫେରିଆସୁଛି ।

ମୁଁ କହିଲି, ଆରେ …! ଛୁଆଟି ବୁଡ଼ି ଯିବରେ?

ସାଙ୍ଗମାନେ- ହେ… ସେମାନେ ପହଁରିବାରେ ଅଭ୍ୟସ୍ତ । ତାଙ୍କର କିଛି ହେବନି । ତୁ ଚାଲ ।

ମୁଁ- ଏଇଟା କଣ ପହଁରିବା ପାଇଁ ଉତ୍କୃଷ୍ଟ ସମୟ କି?

ସନ୍ଧ୍ୟା ହେଲାଣି, କେହି କୁଆଡ଼େ ନାହାଁନ୍ତି । ସେ ଏକୁଟିଆ ଝିଅଟା କ’ଣ କରିବ?

ତମେ ସବୁ ଯାଇପାର ।

ମୁଁ ତାକୁ ଏକା ଛାଡ଼ି ଯାଇପାରିବିନି ।

ଉପରପଟୁ ଓହ୍ଲାଇ ତଳ ଆଡ଼କୁ ଗଲି । ସେ ପୂର୍ବପରି ସେମିତି ହିଁ କରିଚାଲିଥାଏ । ଅକାତକାତ ପାଣି ଦେଖି ମୋତେ ଡର ଲାଗୁଥାଏ । ସେ ଛୁଆଟିକୁ ଡର ଲାଗିବନି ବା କେମିତି? ସେ ଯାହାବି ହେଉ, ତା ପାଖରେ ଯାଇ ପହଞ୍ଚିଲି ।

ଆଖିରେ ଆଖିଏ ଲୁହ । ଛାତିରେ ଛାତିଏ କୋହ । ତାକୁ ଦେଖି ମୋତେ ବିକଳ ଲାଗୁଥାଏ । ଭାବିଥିଲି ତାକୁ କିଛି ଗାଳି ଦେବି । କିନ୍ତୁ ତା’ର ହାବଭାବ ଦେଖି ମନରେ ଦୟା ଆସୁଥିଲା । ପୁଣି ମନକୁ ବୁଝାଇଲି ଗାଳି କରିବା ସବୁ ସମସ୍ୟାର ସମାଧାନ ନୁହଁ । ଗାଳି ପରିବର୍ତ୍ତେ ତାକୁ କୁଣ୍ଢେଇ ଧରିଲି । ତା’ଠୁ କଥା ଆଦାୟ କରିବାରେ ଲାଗି ପଡ଼ିଲି ।

–କ’ଣ ହେଉଛି ଏ?

– ଏ କି ପାଗଳାମି ତୋ’ର?

ସେ କହିଥିଲା, “ମୁଁ ମୋ ମାଆକୁ ଡାକୁଛି ! ବାପା କହୁଥିଲେ, ମା ଗଙ୍ଗା ଦେବତାଙ୍କ ପାଖରେ ଅଛନ୍ତି । ଆମେ ଯେତେବେଳେ ଡାକିବା ସେ ଆସିବ । ମୋର ଆଜି ମୋ ମାଆକୁ ଦେଖିବାକୁ ଭାରି ଇଚ୍ଛା ହେଉଛି । କେତେବେଳୁ ଅପେକ୍ଷା କରିଲିଣି… ମା’ ଆସୁନି । ବୋଧେ କାମରେ ବ୍ୟସ୍ତ ଅଛନ୍ତି ।”

କେତେ ନିରୀହ ଛୁଆର ମନ । ସେ ଜାଣି ପାରୁନି ଯେ ତା ମାଆ ଆଉ ଏ ସଂସାରରେ ନାହିଁ ବୋଲି । ହେ…! ଭଗବାନ । କେତେ ନିଷ୍ଠୁର ତୁମେ । ଏ ସବୁ କଥା ତ ଶୁଣିଲି । କିନ୍ତୁ ଝିଅଟି କଥା କହି ପାରୁଛି ଜାଣି ଅବାକ୍ ହେଲି ।

ଏହା ଭିତରେ ବହୁତ ଡେରି ହେଇଯାଉଥାଏ । ସାଙ୍ଗମାନେ ମଧ୍ୟ ମୋ ଉପରେ ବିରକ୍ତ ହେଲେଣି । କିନ୍ତୁ ମୁଁ ନିରୁପାୟ । ନା ଛୁଆଟିକୁ ଛାଡ଼ି ପାରୁଛି । ନା ତାଙ୍କୁ କିଛି ଭରସା ଦେଇପାରୁଛି ।

ଏପଟେ ଝିଅଟିର ବାପା, ଝିଅକୁ ଖୋଜି ଖୋଜି ମୋ ପାଖେ ହାଜର । ଝିଅକୁ ମୋ ପାଖେ ଦେଖି ସେ ବି ଆଶ୍ଚର୍ଯ୍ୟ । ଆଶ୍ଚର୍ଯ୍ୟ ହେବେନି ବା କେମିତି? ମୁଁ ତ ସମ୍ପୂର୍ଣ୍ଣ ଅଜଣା । ଆଉ ଜଣେ ଅଜଣା, ଅଚିହ୍ନା ମଣିଷ ପାଖରେ ଗୋଟେ ଝିଅ କେତେ ଯେ ସୁରକ୍ଷିତ, ତାହା କେବଳ ଗୋଟେ ଝିଅର ବାପା ହିଁ ଜାଣେ । ତାଙ୍କ ସହିତ କିଛି ସମୟ କଥା ହେଲି । ନିଜର ପରିଚୟ ଦେଲି । ଝିଅର ଦିନ ଯାକର ପ୍ରତ୍ୟେକଟି କାର୍ଯ୍ୟ କଳାପ ବିଷୟରେ ତାଙ୍କୁ କହିଲି । ଝିଅର କିଛି ମାନସିକ ରୋଗ ଅଛି କି କ’ଣ? ସେ ବିଷୟରେ ମଧ୍ୟ ପଚାରିଲି ।

ନା… ନା…. ସେମିତି କିଛି ନାହିଁ ବୋଲି ମନା କଲେ । କିନ୍ତୁ ବେଳେବେଳେ ସେ ତା’ ମାଆକୁ ଝୁରି ମାନସିକ ବିଷାଦ ଭିତରେ ରହେ ବୋଲି କହିଲେ ।

ମାଆକୁ ଝୁରିଝୁରି ମାନେ?
କଥାଟା କାଇଁ ଟିକେ ବୁଝି ହେଲାନି ।
ସେ କହିଚାଲିଥାନ୍ତି…..

“ହଁ, ଗତ ବର୍ଷ ବଢ଼ି ଆସିଥିଲା । ମୁଁ ଘରେ ନଥାଏ । ତା’ ମାଆ କଂସା ଧୋଇବାକୁ ନଈ ପଠାକୁ ଯାଇଥିଲା । ଗୋଡ଼ ଖସି ଯିବାରୁ ବଢ଼ି ସୁଅରେ ଭାସିଗଲା । ଦୁଇ ଦିନ ପରେ ଶରୀର ମିଳିଲା ।” କୋହୋ ଭରା କଣ୍ଠରେ କହି ଚାଲିଥିଲେ ।

ତାଙ୍କ କଥାରୁ ମୁଁ ଅନୁମାନ କଲି ଯେ, ଝିଅଟି ଯେଉଁ ଗଙ୍ଗା ଦେବତାଙ୍କ କଥା କହୁ ଥିଲା । ସେ ପାଗଳାମିରେ ନୁହେଁ ବରଂ ଦେବତାଙ୍କ ଉପରେ ଅଭିମାନରେ କହୁ ଥିଲା । ଏ ସବୁ ଶୁଣି ମୋତେ ଦୁଃଖ ଲାଗୁଥାଏ । ମୁଁ ଗମ୍ଭୀର । ତଥାପି ଆଖିରୁ ଲୁହ ପୋଛି ତାଙ୍କୁ ସାନ୍ତ୍ଵନା ଦେଲି । ବୁଝାଇଲି । ସେ ମୋତେ ସାବାସୀ ଦେଲେ । ଧନ୍ୟବାଦ ବି ଜଣାଇଲେ । ମୋ ପାଇଁ ତାଙ୍କ ଝିଅ ପାଣିରୁ ଛାଣି ହୋଇ ଆସିଛି ବୋଲି କହିଲେ । ଜୀବନରେ କାହା ପାଇଁ କିଛି କରିଛି ବୋଲି, ମନରେ କିଛି ଆଶ୍ୱସ୍ତି ଅନୁଭବ ହେଉଥାଏ । ସେ ତାଙ୍କ ଝିଅକୁ ନେଇ ଖୁସିରେ ଗଲେ । ଗଲାବେଳେ ତାକୁ କିଛି ପଇସା ଦେଲି, ସେ ଚକୋଲେଟ ଖାଇବା ପାଇଁ । ମୁଁ ବି ଫେରିଲି ।

ଘରେ ଆସି ସବୁକଥା କହିଲି । ସବୁ ଫୋଟୋ ଦେଖାଇଲି । ସତରେ ମାଆ ନଥିଲେ ଜୀବନ କେତେ ବେସୁରା । କେତେ ରଙ୍ଗହୀନ । ସେଦିନ ସେ ଛୋଟ ଝିଅକୁ ଦେଖି ଜାଣିପାରିଲି । ମା ପାଖରେ ଥିଲେ, ମଣିଷକୁ ସ୍ୱର୍ଗ ସୁଖ ମିଳେ । କିନ୍ତୁ ନ ଥିଲେ ସେ ଜୀବନ ନର୍କଠୁ ବି ହୀନ ।

ଆଜିକାଲି ମଣିଷ ଟଙ୍କା ପଛରେ ପଡ଼ି, ଏତେ ସ୍ୱାର୍ଥପର ହୋଇଯାଇଛି ଯେ… ସେ ସମସ୍ତଙ୍କୁ ଭୁଲିଯାଉଛି । ଯେଉଁ ମା କୋଳରେ ସେ ବଡ଼ ହୋଇଛି । ପରିଣତ ବୟସରେ ମା ପାଖରେ ରହିଲେ ତାକୁ ବିରକ୍ତ ଲାଗୁଛି । କିନ୍ତୁ ଯେତେବେଳେ ମାଆ ଆମକୁ ଛାଡ଼ି ଦୂରେଇଯାଏ ସେତେବେଳେ ଆମେ ତା ଅନୁପସ୍ଥିତିକୁ ଅନୁଭବ କରୁ । ସେ ଝିଅଟିର ତା’ ମାଆ ପ୍ରତି ଭଲପାଇବା ଦେଖି, ସେହି ଦିନଠାରୁ ମୁଁ ବି କିଛି ଶିଖିଲି ତା’ଠୁ । ମୁଁ ବି ମୋ ବୋଉକୁ ପ୍ରତିଟି କାମରେ ସାହାଯ୍ୟ ସହିତ ତା’ ମନରେ କଷ୍ଟ ଦେଲା ପରି କଥା କିଛି କହୁନି ।

ଧନ୍ୟବାଦ ସେ ଛୋଟ ଝିଅଟିକୁ ସେ ମୋର ଆଖି ଖୋଲିଦେଲା ।
ମୋତେ ଅସଲି ଜୀବନ ଜୀଇଁବା ଶିଖାଇଦେଲା ।

– ଶୁଭଶ୍ରୀ ମିଶ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...