ଜଣେ ଡାକ୍ତରଙ୍କ ଚିଠି

A Letter from a Doctor

କରୋନା ଭୂତାଣୁ ଆକ୍ରାନ୍ତର ବିଭିନ୍ନ ଖବର ଆସିବା ସହ ଏବେ ଏହି ଟୁଇଟ୍ ଲେଖିବାର ସମୟ ଆସିଗଲାଣି ବୋଲି ଆଜି ଲେଖୁଛି । ଧ୍ୟାନ ଦେଇ ପଢ଼ିବେ ।

ଖୁବ୍‌

ଶୀଘ୍ର ପ୍ରତିଦିନ ଆମକୁ ନିର୍ଣ୍ଣୟ ନେବାକୁ ହେବ, କାହାକୁ ଚିକିତ୍ସାସେବା ଯୋଗାଇଦିଆଯିବ ଆଉ କାହାକୁ ନୁହେଁ, କାରଣ ସମସ୍ତଙ୍କୁ ସେବା ଯୋଗାଇପାରିବା ଆମ ସପକ୍ଷରେ ସମ୍ଭବପର ହେଇପାରିବ ନାହିଁ । “ମୃତ୍ୟୁକୁ ଆମେ ଏଡ଼ାଇପାରିବା ନାହିଁ, କାରଣ ସେଥିରେ ମଧ୍ୟ ଆମକୁ ନିର୍ଣ୍ଣୟ ନେବାକୁ ହେବ, କିଏ ବଞ୍ଚିଲେ ସମାଜର ଟିକିଏ ଅଧିକ ଲାଭ ହେବ ।” କିଛି ସମୟରେ ଆମକୁ ନିର୍ଣ୍ଣୟ ନେବାକୁ ହେବ ଯେ, “କିଏ ଡାକ୍ତରଖାନା ଆସିବ ଆଉ କିଏ ନୁହେଁ, କାରଣ ଆମ ପାଖରେ ସମସ୍ତଙ୍କର ଚିକିତ୍ସା ପାଇଁ ସାମର୍ଥ୍ୟ ନାହିଁ ।”

ହଠାତ୍ ଦିନେ ସକାଳୁ ଜାଣିବି ମୋ ସହିତ କାମ କରୁଥିବା ନର୍ସ ଓ ଫାର୍ମାସୀଷ୍ଟ୍ ସଙ୍କ୍ରମିତ ହୋଇଛନ୍ତି, ମୋର ମନୋବଳ ଖିନଭିନ ହେଇଯାଏ । ଦୁଇଜଣ ସାଥୀ ଆସନ୍ତା ୧୪ଦିନ ଯାଏଁ ଘରେ ବନ୍ଦ ରୁହନ୍ତି । ସେପଟେ ରୋଗୀ ବଢ଼ିଯାଆନ୍ତି ଏବଂ ଚିକିତ୍ସା କରିବାକୁ ମୁଁ ଏକା । ମୋ ବ୍ୟସ୍ତତା ଦେଖି ମୋ ପରିବାର ବି ମୋ ଆଶା ଛାଡ଼ିଦିଅନ୍ତି । ତାଙ୍କର ସେ ଅଭ୍ୟାସ ଅଛି ଭାବି ମୁଁ ବି ତାଙ୍କ କଥା ଭୁଲିଯାଏ । ପ୍ରତ୍ୟେକଦିନ କ୍ରମାଗତ ରୋଗୀ ସଂଖ୍ୟା ବଢ଼ୁଥିବାର ଖବର ଆସୁଥାଏ ।

ଚିକିତ୍ସା ଅଭାବରୁ ସଙ୍କ୍ରମଣ ବଢ଼ୁଥିବାର ଚର୍ଚ୍ଚା ସବୁଆଡ଼େ । ଘରେ ବନ୍ଦ ରହି ସମସ୍ତ ସୁଯୋଗ ପାଉଥିବା କିଛି ସୁଧିଜନ ମୋର କ୍ଷମତା, ଆନ୍ତରିକତା ଏପରି ଧର୍ମକୁ ନେଇ ବି ପ୍ରଶ୍ନ କରିବାକୁ ଆରମ୍ଭ କରିଦିଅନ୍ତି । ମୁଁ ପୁନଶ୍ଚିଚ ସେହି ଚିରାଚରିତ ପ୍ରଶ୍ନର ସମ୍ମୁଖୀନ ହୁଏ । ଦିନେ ଅସହ୍ୟ ମାନସିକ ଯନ୍ତ୍ରଣାରେ ମୁଁ ଆତ୍ମହତ୍ୟା କରେ ।

କିନ୍ତୁ ଏଥିରେ କିଛି ଲାଭ ହେଲାନି, ମୋ କାନ ସିନା ବନ୍ଦ ହେଇଗଲା, ଲୋକଙ୍କ ମୁହଁ ବନ୍ଦ ହେଲାନି । ମୋ ଆତ୍ମହତ୍ୟାକୁ ପାରିବାରିକ କଳହର ନାଁ ଦେଇ ଟିଆରପି ଗୋଟେଇବାରେ ଲାଗିଗଲେ ।
ସେପଟେ, ରୋଗୀ ବଢ଼ି ଚାଲିଳେଣି, ଡାକ୍ତରଖାନାରେ ଖାଲି ରୋଗୀ, କିନ୍ତୁ ଚିକିତ୍ସା କରିବାକୁ କେହି ନାହାନ୍ତି; ଘରେ ବସିବସି ଆପଣ ମୋତେ ଆଉ ସରକାରକୁ ଗାଳି ଦେଉଥିବେ ।

ହେଲେ ସେତେବେଳଯାଏଁ ବି ଆପଣ ଭାବୁନଥିବେ ଯେ, ଏ ସମସ୍ତ ସମସ୍ୟା ପାଇଁ ‘ଆପଣ’ ଦାୟୀ । ସେତେବେଳେ ଆପଣଙ୍କ ଗାଳି ଶୁଣିବାକୁ ମୁଁ ଆଉ ନଥିବି । ଆଜି ଯାହା କହୁଛୁ, ମାନନ୍ତୁ । ମୋତେ ପୁଣି ଗାଳିଦେବେ, କିନ୍ତୁ ମୁଁ ବଞ୍ଚିରହି ଶୁଣିବାକୁ ଚାହୁଁଛି ।

ମୋର ବି ପରିବାର ଅଛି, ମୋତେ ବି ଘରେ ରହିବାକୁ ଇଚ୍ଛା ହେଉଛି । ମୋ ପରିବାରକୁ କେମିତି ସୁରକ୍ଷିତ ରଖିବି ମୋତେ ଭଲଭାବରେ ଜଣାଅଛି । ତଥାପି, ଆପଣ କହିପାରିବେ କି ଆଜି ଏ ପରିସ୍ଥିତିରେ ମୁଁ କାହିଁକି ବାହାରକୁ ବାହାରିଛି?

“କାରଣ ମୁଁ ଯଦି ମୋ ପରିବାର କଥା ଭାବିବି, ଆପଣମାନଙ୍କ ପରିବାର ଆଉ ନଥିବ ।”

ତେଣୁ,
ଘରେ ରୁହନ୍ତୁ, ମୋତେ ମୋ ପରିବାର ପାଖକୁ ଫେରିବାକୁ ଦିଅନ୍ତୁ

ପଢ଼ିଥିଲେ ଧନ୍ୟବାଦ
ନପଢ଼ିଥିଲେ ବି ଧନ୍ୟବାଦ ।

– ଡ. ଦୀପକ କର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...