ଲକ୍ଷ୍ମୀ ନାରାୟଣୀ

Odia Poem Laxmi Narayani (ଲକ୍ଷ୍ମୀ ନାରାୟଣୀ) by Mamata Sahu

ସାଗର ଦୁହିତା ଦେବୀ ଲକ୍ଷ୍ମୀ ନାରାୟଣୀ
ଧନଦାତ୍ରୀ କମଳିନୀ ବିଷ୍ଣୁଙ୍କ ଘରଣୀ ॥

ବର୍ଷ ମଧ୍ୟେ ଶ୍ରେଷ୍ଠ ମାସ ଅଟେ ମାର୍ଗଶିର
ସେ ମାସର ଗୁରୁବାର ଅତି ପ୍ରିୟ ତୋ’ର ॥

ସେଦିନ ଉଷାରୁ ଉଠି କରି ଶୁଚି ମନ
ଘରର ଘରଣୀ ମାନ କରନ୍ତି ପୂଜନ ॥

ଦୁବ ଚନ୍ଦନ ସିନ୍ଦୁରଗେଣ୍ଡୁ ପଦ୍ମଫୁଲ
ଜାଳି ଦ୍ୟନ୍ତି ଧୂପଦୀପ ଆଳତୀ କର୍ପୂର ॥

ବଢ଼ା ହୁଏ ଭୋଗ ପାଇଁ ନାନାଦି ବ୍ୟଞ୍ଜନ
ଫଳମୂଳ ଖିରି ପିଠା ଭାତ ଯେ ତିଅଣ ॥

ନାନା କୁସୁମେ ମଣ୍ଡିତ ଲକ୍ଷ୍ମୀ ମହାମାୟୀ
ଦୁଃଖିଙ୍କର ଦୁଃଖ ନେତ୍ରେ ନ ପାରନ୍ତି ଚାହିଁ ॥

ପଡ଼େ ଶୁଭ ଶଙ୍ଖଧ୍ୱନୀ ଶୁଭେ ହୁଳହୁଳି
ଉତ୍ସାହ ଆନନ୍ଦ ଘରେ ପଡ଼ଇ ଉଚ୍ଛୁଳି ॥

ଘରେ ଘରେ ପୁରେ ପୁରେ ଲକ୍ଷ୍ମୀ ବିରାଜନ୍ତି
ଧନଧାନ୍ୟ ମନସ୍କାମ ପୂରଣ କରନ୍ତି ॥

ତୋ’ର କୃପା ବଳେ ମା’ଗୋ ନର ପାଏ ମୁକ୍ତି
ଯାଚି ଦେଉ କୋଟି ସୁଖ ଐଶ୍ଵର୍ଯ୍ୟ ସମ୍ପତ୍ତି ॥

କୃପାକର କୃପାମୟୀ ସଂସାର ପାଳିନୀ
ପଡ଼ିଦାତ୍ରୀ ଅନ୍ନପୂର୍ଣ୍ଣା ଜଗତ ଜନନୀ ॥

ପଦ୍ମ ବିଳାସିନୀ ଲକ୍ଷ୍ମୀ ଦୁଃଖ ବିନାଶିନୀ
କରୁଛି ଜଣାଣ ମାଗୋ ଘେନ ମୋ ଦୟିନୀ ॥

– ମମତା ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply