ଆଖି ଖୋଲା ହେଉ ହେଉ ତା’ ଚରିତ୍ର ଉପରେ ପ୍ରଶ୍ନ ।
ବନ୍ଦ କଲେ ତ ସ୍ୱପ୍ନର କୁହେଳିକା ।
ତୋ’ର ଗୋଟିଏ ନ୍ୟୁନ ଚିନ୍ତାଧାରା ତା’ର ଅସ୍ଥିତ୍ଵ ଛଡ଼ାଇ ନେଲା !
କିଛି ବୁନ୍ଦା ପାଇଁ ସମାଜ ତା’ର ଚରିତ୍ରରେ କଳଙ୍କ ବୋଲିଦେଲା !
କାଲି ପିତାମାତା କହି ଫୁଲେଇ ହୋଇ ଆଣିଥିବା କିଛି ଲୋକଙ୍କ ପାଇଁ,
ଆଜି ସେ ବାରଙ୍ଗନା, କୁଳଟା, ଚରିତ୍ରହୀନା ପାଲଟିଗଲା ।
ମାତ୍ର ଗୋଟିଏ ଧଳା ଚାଦରରେ ତା’ର ଚଉଦିଗ ଘନ କଳା ଅନ୍ଧକାର ହୋଇଗଲା?
କେଉଁ ଅଧିକାର ଥିଲା ତୋ’ର?
କାହିଁକି ଭାବୁଛୁ ସେ କିଛି ପାପ କରି ଆସିଥିଲା?
ତୁ ନିଜକୁ ବି ପଚାର, ସେ କ’ଣ ତୋ’ଠାରୁ ଅଧିକ ପାପୀ ଥିଲା?
ପୁରୁଷତ୍ଵର ଘୋଡ଼ଣି ଭିତରେ କାଳକୂଟ ତୁ ଥିଲୁ
ଯାଞ୍ଚ କରିବାକୁ ଯାଇ ସ୍ନେହ ଭରା ଚୁମ୍ବନେ, ଆଲିଙ୍ଗନେ ତା’ର ସତିତ୍ୱର ପରୀକ୍ଷା ତୁ କଲୁ ।
କଅଁଳ କଢ଼ିଟା ଫୁଲ ହୋଇ ଖିଲି ଖିଲି ଖେଳୁଥିଲା ରାତି ସାରା ତୋ ସ୍ପର୍ଶରେ, କିନ୍ତୁ ସେ ହତଜ୍ଞାନ ଥିଲା ମଧୁ ଲୁଟୁଥିବା ଏହି ଷଟପଦଟିର ଏକ ବ୍ୟବସାୟ ଥିଲା ।
ତା’ର ପ୍ରତ୍ୟେକ ସ୍ପର୍ଶରେ ଅହଙ୍କାରମୟ ଏକ ବ୍ୟାପ୍ତ ସ୍ୱାର୍ଥ ଲୁଚି ରହିଥିଲା ।
ସମସ୍ତେ କହି ଚାଲିଲେ ନାରୀମାୟା ପରା ନାରାୟଣଙ୍କୁ ଅଗୋଚର ହୋଇଥିଲା
ତେବେ ସେହି ନାରାୟଣ କିନ୍ତୁ ଉତ୍ତମ ପୁରୁଷ ଷୋଳ ସହସ୍ର ନାରୀଙ୍କ ସହ ଲୀଳା କଲେ,
କିନ୍ତୁ ନାରୀଟିଏ ଅସତୀ ଧଳା ଚାଦରରେ ରକ୍ତର କେଇ ବୁନ୍ଦା ନଲାଗିଲେ?
ସମାଜର ଯେ କି କି ରୂପ ଆଉ ଦେଖିବାକୁ ବାକି ଥିଲା,
ପୁଣି ଥରେ ପୁରୁଷ ବୋଲାଉଥିବା ଏହି ସମାଜର ଆଉ ଏକ ପୁରୁଷ ଆଜି ନପୁଂଷକ ପାଲଟିଗଲା ।
– ଶ୍ରୀମା ଶତପଥୀ
Comments
ଶ୍ରୀମା ଶତପଥୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।