ସକାଳେ
ଯଦି ତୁମେ ଖୋଜୁଛ ମୋତେ
ଶବ୍ଦ ବନ୍ଧନରୁ ମୁକ୍ତ ହେଉ ହେଉ ରାତି ଗୋଟିଏ
ମୁଁ ତ ଏବେ ଗୋପରେ ଗୋପନରେ ଗୋଲାପରେ
କବିତା ମୋତେ ଜାବୁଡ଼ି ଧରିଛି
ମୁଁ ତ ଏବେବି ଶୋଇଛି ଅଧା ଲେଖା ଧାଡ଼ିକୁ ଧରି
ମୋ ଆଖି ସେତେବେଳେ ଖୋଲିବ
ଯେତେବେଳେ ଅବୁଝା ଶବ୍ଦକୁ ବୁଝିହେବ
କବିତାର ପୂର୍ଣ୍ଣତାରେ ॥
ମଧ୍ୟାହ୍ନେ
ଯଦି ତୁମେ ଖୋଜୁଛ ମୋତେ
ତା’ ଲାଲ ହୃଦୟର ରଙ୍ଗକୁ ମାଖି
ମୁଁ ଏବେ ‘ଅ’ରେ ଅନ୍ୟରେ ଅନ୍ୟମନସ୍କରେ
ତା’ ଶିରାରେ ବହୁଛି ବହୁଥିବି ଶିରାଫାଟି ରକ୍ତ ବହିବା ଯାଏଁ
ସେ ରକ୍ତରେ ହିଁ ବୋଧେ ଲେଖା ହେବ
ତା’ ଅସ୍ତିତ୍ଵର ଅନ୍ତର୍ନିହିତ ବେଦନାର କବିତା ॥
ସନ୍ଧ୍ୟା ବେଳେ
ଯଦି ତୁମେ ଖୋଜୁଛ ମୋତେ
ପଶ୍ଚିମକୁ ଦେଖ ଗୁମୁରି ଗୁମୁରି କାନ୍ଦୁଥିବି
ମୁଁ ଏବେ ‘କ’ରେ କଜ୍ଜଳରେ କଳଙ୍କରେ
ଦୀପ ତଳେ ଅନ୍ଧାର ହୋଇ ଲେଖୁଥିବି
ତା’ ଦହନରୁ ସୃଷ୍ଟି ଆଲୋକିତ ଅଧ୍ୟାୟର କବିତା ॥
ରାତିରେ
ଯଦି ତୁମେ ଖୋଜୁଛ ମତେ
ଅପେକ୍ଷା କର ରାତି ଆହୁରି ଗାଢ଼ ହେବା ଯାଏଁ
ମୁଁ ଏବେ ‘କ୍ଷ’ରେ କ୍ଷତରେ କ୍ଷୟରେ
ଜହ୍ନ ଦେହେ ଦାଗ ହୋଇ ଲେଖୁଥିବି
ତା’ କଳଙ୍କିତ ଭାଗ୍ୟର ଶୀତଳ ଦହନର କବିତା ॥
– ତପନ କୁମାର ସାହୁ
Comments
ତପନ କୁମାର ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତି କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଥାଏ ।