କପେ ଚା’

Kape Cha

ତମ କପେ ଚା’ରେ
ମୋ ନିସ୍ତେଜ ଶରୀରଟା
ଯନ୍ତ୍ର ପରିକା ଚିହିଁକି ଉଠେ
ଏଇଠି ଥାଏ ତମ
ରାଗ ରୁଷା ଅଭିମାନ ମିଶା
ପ୍ରେମର ଅଗାଧ ପରଷ ।

ଏଇଠି ବଖାଣ ତମ
ଶହ ଶହ କୈଫତ
ଫେରାଦ କରି ଚାଲ
ଗୋଟିକ ପରେ ଗୋଟିଏ
ଅସମାହିତ ଫର୍ଦ୍ଦ
ଆଉ ତମ ଅସହିଷ୍ଣୁତାର
ଅମାନିଆ ପ୍ରଶ୍ନ ।।

ମୁଁ କିନ୍ତୁ ନିରୁପାୟ
ନା ଏପଟ ନା ସେପଟେ
ତମ ପରଷା ଚା’କୁ
ଓଠକୁ ଓଠ ଚାପି
ଖୁବ୍ ସରାଗେ
ଢୋକ ଢୋକ କରି ପି’ଯାଏ ।

ତମେ ନିସ୍ତବ୍ଧ ହେଇଯାଅ
ଘୋଟି ଆସେ କଳାବାଦଲର ଛାୟୀ
ସରଳ ମୁହଁଟା ବିଷର୍ଣ୍ଣ ଦିଶେ
ବାରିହୁଏ ଆସନ୍ନ ବିଦ୍ରୋହ ସୂଚନା
ମୁଁ ଦେଖେ ଅସହ୍ୟ ହେଇ
ଛପି ଛପି ଓଢ଼ଣୀ ତଳେ
ଆଖିରୁ ଝରାଅ ଦି’ଠପା ଲୁହ ।

ସରିଯାଏ ଚା’
ଶିଥିଳ ହୁଏ ବିଦ୍ରୋହ
ବୁମେରାଂ ସାଜନ୍ତି ପ୍ରଶ୍ନ
ଠିକ୍ ଏଇ ସମୟେ ମୁଁ କହେ
ତମେ ଖୁବ୍ ସୁନ୍ଦର ଦିଶୁଛ
ଭାଙ୍ଗି ଯାଏ ନୀରବତା
ବୁକୁଫଟାଇ ହସି ଉଠ
ଓଠକୁ ଓଠ ଚାପି ପଚାର
ଚା’କେମିତି ହେଇଛି??

ଧିରେନ୍ ବାଗ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...