କାକର

Odia Poem Kakara (କାକର) by Sanjib Kumar Dash

ରାତିସାରା ତୋଫା ଜୋଛନାକୁ ସାଉଁଟି ପିନ୍ଧି, ଲାଜେଇ ଯାଉଥିଲି…
ଦୁର୍ବାର ବାସନା ମୋ, କୁହୁଡ଼ିରେ ପହଁରି
ଲୁଚାଇଦେବାକୁ ତାକୁ,
ମୁରୁକି ହସୁଥିଲେ ତାରା !
ଘୁରି ଘୁରି ଉଡ଼ୁଥିଲା ଜହ୍ନ,
ଜଣା ନାଇଁ ମୋତେ, ମସଗୁଲ ସେ,
ଉଜାଗର କୁମୁଦିନୀ ନୀଳ ନୀଳ ଆଖି !!

ଅବଶ ମୁଁ,
ଜଡ଼େଇ ଝରୁଛି ଟୋପା ଟୋପା…
ନିଚ୍ଛକ ପ୍ରବଣତାର ଏ ଅଶ୍ରୁ,
ଏବେ ସଜାଇଛି !
ଦୂବର ମୁକ୍ତାମୁକୁଟ, ସିକ୍ତକଢ଼ି ଶିରପାଟ,
ବେଧଡ଼କ ଭାସିବାର ମୋ ସ୍ୱପ୍ନଯାକ ତରଳି ମାଟି ଭିଜାଉଛି…

ଆଉଥରେ ଆସିବି କହି ଅପସରି ଯାଇଛି,
ସେ ନିଲଜିଆ ଚାନ୍ଦ, ଉକୁଟୁଛି ରବି,
ମୁଠା ମୁଠା ରକ୍ତ ଅବିର ମାଖିଛି !
ବହୁରୂପୀ ଆକାଶ !
କଅଁଳ କିରଣର ଲହଡ଼ି ଭାଙ୍ଗୁଛନ୍ତି,
ଚାରୁଲତା ଜୀବନ ସକଳ…

ଅବସନ୍ନ ତନୁରେ ମୋ ନୂଆଁ ପୁଲକଟେ,
ସପ୍ତରଙ୍ଗୀ ଇନ୍ଦ୍ରଧନୁ ଖେଳେ,
ହୀରକକୁ ନିନ୍ଦା, ଭରଣେ ଉଚ୍ଛନ୍ନତାରେ ଉଷ୍ମ ରଶ୍ମି ପିଇଯାଏ,
ଯା’ ହେଉ କେହି ତ ଆପଣାର,
ଅସରା କାମନାର ବିସ୍ପୋଟରେ ଫାଟିପଡ଼ି, ଉଠୁଛି ଉପରକୁ…
ପୁଣିଥରେ,
ଜହ୍ନ ଯେ ଆସିବ !!!

– ସଂଜୀବ କୁମାର ଦାଶ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...