ବାଟ ତ ଅଛି ଅନେକ ଚାଲିବାକୁ
ଆଦ୍ୟ-ପ୍ରାନ୍ତହୀନ ଲକ୍ଷ୍ୟ ନେଇ
କେବେ ଜିତିହୁଏ ପୁଣି ପଡ଼େ ହାରିବାକୁ
କିଛି ପାଇହୁଏ ତ, କିଛି ପଡ଼େ ହରେଇବାକୁ ।
ତଥାପି ସଭିଏଁ ବାଧ୍ୟ ସେଇ ବାଟେ ଚାଲିବାକୁ
ନିଜ ଇଚ୍ଛାରେ ହେଉ କି ଅନିଚ୍ଛାରେ
ନିଜ ଗୋଡ଼ରେ ହେଉ କି କାହା ସାହାରାରେ
ସେଇ ଲକ୍ଷ୍ୟରେ ହେବ ପହଞ୍ଚିବାକୁ ।
କିଏ କହିବ?
କେତେ ଦିନ କେତେ ରାତି ଆଉ
ଏମିତି ଚାଲିବାକୁ ହେବ?
କେବେ ମିଳିବ ବିଶ୍ରାମଟିକେ
ଏ ପାଦ ଦୁଇଟିକୁ?
ଇଏ ବି ଜଣା ନାହିଁ,
କେବେ ମିଳିବ କି ନାହିଁ ଥକିଯିବା ଆଗରୁ
ଅକ୍ଷମ ହେବା ଆଗରୁ
ତଥାପି ହେବ ଏମିତି ଚାଲିବାକୁ ।
ଚାଲିବାଟା ନୁହେଁ ଯେ ଏତେ ସହଜ
ଏଇ ଅଙ୍କା-ବଙ୍କା ବାଟେ ।
କେବେ ନରମ ଘାସରେ ପାଦ ପଡ଼େ ତ
କଣ୍ଟାର ନିର୍ମମ ଆଘାତରେ ପାଦ ପୋଡ଼େ ।
ଗ୍ରୀଷ୍ମର କ୍ରୋଧରେ ଜଳିବାକୁ ପଡ଼େ ତ
ବର୍ଷାର ଦୁଃଖରେ ଗାଧେଇବାକୁ ପଡ଼େ ।
ପୁଣି କେବେ
ଶୀତର କୋହରେ ବରଫ ହେବାକୁ ପଡ଼େ ।
ଏଇ ଜୀବନ ବାଟରେ
ଦେଖିବାକୁ ପଡ଼େ ଅନେକ ଛକ
କିନ୍ତୁ ନୁହେଁ ରାଜରାସ୍ତା ପରି,
ନଥାଏ କୌଣସି ନିର୍ଦ୍ଦେଶାବଳୀ ।
ଇଏ ତ ଗାଁ ଗହଳିର
ମାଟିକାଦୁଅର କଚା ରାସ୍ତା ପରି ।
ଖୋଜିବାକୁ ପଡ଼େ
ବସ୍ତିରୁ ବସ୍ତି, ଗଳିରୁ ଗଳି ।
ମୁଁ ଆଜି ହେଇଛି ଛିଡ଼ା
ସେମିତି ଏକ ଛକରେ,
ଖୋଜୁଛି ମୋର ବାଟ ।
ଆଖିରେ ସାହାଯ୍ୟଟିକର ଆଶା ନେଇ
ଚାହେଁ ଚାରିଆଡ଼େ ।
ମନରେ ସେଇ ଗୋଟିଏ ପ୍ରଶ୍ନ
ଯିବି ମୁଁ କୁଆଡ଼େ, ଯିବି ମୁଁ କୁଆଡ଼େ?
– ଲେନିନ ମହାନ୍ତି
Comments
ଲେନିନ ମହାନ୍ତି ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।