“ଆରେ ସୁକୁଟା ! କୁଆଡ଼େ ଗଲୁ !” ପାଟି କରି ଡାକ ପକାଉଥାନ୍ତି ଜେଜେ । ସେପଟୁ ସ୍ପନ୍ଧନ ପାଟି କରି ଉଠିଲା, “କଣ ଯେ ଜେଜେ, ମୋର ଏତେ ଭଲ ନାଁ ବାପାବୋଉ ରଖିଛନ୍ତି ତମେ କିନ୍ତୁ ସୁକୁଟା ଡାକି ପୁରା ନାଁ ଖରାପ କରିଦେଉଚ । ସେଇଟା ବି ବଡ଼ ପାଟିରେ ପୁରା ଗାଁ ସାରା ଲୋକ ଶୁଣିଲା ଭଳି ଡାକୁଚ । ଜେଜେମା ଭଳି କାହ୍ନୁ ହେଲେ ଡାକ । କେଡ଼େ ସୁନ୍ଦର ଡାକ ନାଁ ଦେଇଛନ୍ତି ।” ଜେଜେ ହସି କହିଲେ, “ମୁଁ ଏ ଘରେ ଗୋପୀମାନଙ୍କ ଭିଡ଼ ଚାହୁଁନି ତେଣୁ କାହ୍ନୁ ଡାକୁନି ।” ସ୍ପନ୍ଧନ ହେଉଛି ଗୋଲକ ଜେଜେଙ୍କ ଏକ ମାତ୍ର ନାତି । ନବମ ଶ୍ରେଣୀରେ ପଢ଼େ । ପୁଅ ପାଖ ସହରରେ ଚାକିରୀ କରେ ଓ ପରିବାର ନେଇ ରହେ । ଛୁଟିରେ ବୋହୁ, ନାତି ଆସିଛନ୍ତି ଗାଆଁକୁ । ଜେଜେ ଭାରି ଭଲ ପାଆନ୍ତି ନାତିକୁ ତେଣୁ ସବୁବେଳେ ଲାଗିଥାନ୍ତି ତା’ ସହ । ସ୍ପନ୍ଧନ କହିଲା “ହଉ କ’ଣ ହେଲା କୁହ । କାହିଁକି ଡାକ ପକେଇଲ?” ଜେଜେ କହିଲେ, “ମୁଁ ଗୋଟିଏ କାମରେ ବାହାରକୁ ଯାଉଛି । ଜେଜେମାକୁ କହିବୁ ମୋର ଡେରି ହେବ ।” ସ୍ପନ୍ଧନ ଆଶ୍ଚର୍ଯ୍ୟ ହେଇ କହିଲା, “ରବିବାରରେ ପୁଣି ତମର କ’ଣ ଜରୁରୀ କାମ ! ପୁଣି ସ୍କୁଲ ପ୍ରଧାନ ଗୁରୁଜୀ କାହିଁକି କଲ କରିଥିଲେ !” ଜେଜେ କହିଲେ “ହଉ ତୁ ମୋ ସହ ଆସିବୁ ଯଦି ଆସ । କିନ୍ତୁ ଏଇଟା ଗୋଟିଏ ଗୁପ୍ତ କଥା । କାହାକୁ କିଛି କହିବୁନି । ଆଉ ସାହାଯ୍ୟ କରିବାକୁ ହେବ ।” ସ୍ପନ୍ଧନ ହସି କହିଲା, “ତମକୁ ପୁଣି ସାହାଯ୍ୟ ଦରକାର, ଗାଁ ପ୍ରଧାନ ବୁଢ଼ା ସାହାଯ୍ୟ ମାଗିଲାଣି ଶୁଣିଲେ ଲୋକ ହସିବେ ଜେଜେ ।” ଜେଜେ କହିଲେ, “ହଉ, ଏ ସହରୀ ଟୋକାର ଚାଲାକିର ପରୀକ୍ଷା ବି ହେଇଯାଉ । ତୁ କେତେ ପାଣିରେ ଅଛୁ ମୁଁ ବି ଦେଖେ ।” ସ୍ପନ୍ଧନ କହିଲା, “ହଉ କ’ଣ କୁହ ତାହେଲେ ।” ଜେଜେ କହିଲେ, “କାନ୍ଥମାନଙ୍କର ବି କାନ ଥାଏରେ ପୁଅ, ଚାଲ ଯିବା ସ୍କୁଲ ଆଡ଼େ । ଗଲା ବେଳେ ସବୁ କହିବି ତୋତେ ।”
ଜେଜେ ନାତି ସ୍କୁଲ ଆଡ଼େ ଚାଲିଲେ । ଜେଜେ ଆରମ୍ଭ କଲେ । କହିଲେ, “ଆମ ଗାଁ ସ୍କୁଲରେ ବାର୍ଷିକ ମହୋତ୍ସବ ପାଇଁ ସବୁ ପୁରସ୍କାର ଆଣି ରଖା ହେଇଥିଲା । ତିନିଦିନ ବାର୍ଷିକ ମହୋତ୍ସବ ହେବ । କିନ୍ତୁ ସେଥିରୁ କିଛି ପୁରସ୍କାର ଚୋରି ହେଇଯାଇଛି । ଏ କଥା ଖାଲି ଗାଁର ପ୍ରଧାନ ଶିକ୍ଷକ ଆଉ ମୁଁ ଜାଣିଛୁ ।” ଜେଜେ ଓ ସ୍ପନ୍ଧନ ସ୍କୁଲରେ ପହଞ୍ଚିଗଲେ । ପ୍ରଧାନ ଶିକ୍ଷକ ଅପେକ୍ଷା କରିଥିଲେ । ଜେଜେ ପଚାରିଲେ, “କଣ କ’ଣ ଚୋରି ହେଇଚି ପ୍ରଧାନ ଶିକ୍ଷକ ମହୋଦୟ?” ଗୁରୁଜୀ କହିଲେ, “କଣ କହିବି ଆଜ୍ଞା, “ପିଲାଙ୍କୁ କିଛି ଭଲ ପୁସ୍ତକ ପୁରସ୍କାର ସ୍ୱରୂପ ଦେବାକୁ କଲେକ୍ଟର କହିଥିଲେ ନା, ସେହି ପୁସ୍ତକସବୁ ଚୋରି ହେଇ ଯାଇଚି ପରା । କାଲି ସକାଳେ ପୁରସ୍କାର ସବୁ ଆସି ଥିଲା । ଆଜି ସକାଳେ ଆସି ଦେଖିଲେ ବେଳକୁ ପୁସ୍ତକ ସବୁ ନାହିଁ । କୋଡ଼ିଏଟି ପୁସ୍ତକ ଆଣିଥିଲି । କ’ଣ କରିବି ଯେ ! ଏଥର କଲେକ୍ଟର ପୁଣି ଆସିବେ ମୁଖ୍ୟ ଅତିଥି ରୂପେ । ପୁସ୍ତକ ନାହିଁ ଦେଖି ନିହାତି ରାଗିବେ । ମୋ ଚାକିରୀ ଗଲା ଜାଣନ୍ତୁ ।” ଜେଜେ କହିଲେ, “କିଛି ହେବନି, ତିନି ଦିନ ଅଛି । ଆମେ ସବୁ ଠିକ କରିନେବା ।”
ସବୁ ଶୁଣୁଥିବା ସ୍ପନ୍ଧନ ପ୍ରଶ୍ନ କଲା, “ଗୁରୁଜୀ ଖରାପ ଭାବିବେନି, ଗୋଟିଏ ପ୍ରଶ୍ନ ପଚାରିବି ଆପଣଙ୍କୁ । ଆପଣ କାହିଁକି ଆଜି ସ୍କୁଲ ଆସିଲେ !” ଗୁରୁଜୀ କହିଲେ, “ତମେ କ’ଣ ପାଇଁ ପଚାରୁଛ ମୁଁ ବୁଝୁଛି ପୁଅ । ମୋର ପର୍ସଟିକୁ ମୁଁ ଛାଡ଼ି ଦେଇଥିଲି ସ୍କୁଲରେ, ସକାଳୁ ମାକେଟିଂ ପାଇଁ ବାହାରିଲି ତ ମନେ ପଡ଼ିଲା । ତେଣୁ ନେବାକୁ ଆସିଲି । ସବୁ ପୁରସ୍କାର ଏଇ ରୁମରେ ଥିଲା । ତେଣୁ ମୁଁ ଜାଣିପାରିଲି ଯେ କିଛି ପୁରସ୍କାର ନାହିଁ । ରାତିରେ ହିଁ ଚୋରି ହେଇ ଯାଇଚି । କିନ୍ତୁ ଆଶ୍ଚର୍ଯ୍ୟର କଥା ଝରକା କବାଟ ବନ୍ଦ ଅଛି । ପେଟିରୁ ସବୁ ବହି କାଢ଼ି ନେଇ ପେଟିକୁ ସେମିତି ରଖି ଦେଇଛି ଚୋର । ମୋ ହାତ ବାଜି ପେଟି ପଡ଼ିଯିବାରୁ ଜାଣିଲି ଯେ ପେଟି ଖାଲି ଅଛି ।” ଜେଜେ ପ୍ରଶ୍ନ କଲେ, “ଆଚ୍ଛା ମହୋଦୟ ! ପୁରସ୍କାର ଆସିବା କଥା କିଏ ସବୁ ଜାଣିଥିଲେ?” ପ୍ରଧାନ ଶିକ୍ଷକ କହିଲେ, “ଶିକ୍ଷକ ମାନେ, ପିଅନ ଆଉ ମୁଁ ।” “ଆପଣ ଆଉ କାହା ସହ ଏ ବିଷୟରେ କଥା ହେଇ ନାହାନ୍ତି କି?” ପ୍ରଧାନ ଶିକ୍ଷକ କହିଲେ, “ଅଷ୍ଟମ ଶ୍ରେଣୀରେ ମୁଁ କ୍ଲାସ କରୁଥିଲି, ସେତିକି ବେଳେ ପିଅନ ଆସି ମୋତେ ଖବର ଦେଲା ।” ସ୍ପନ୍ଧନ କହିଲା, “ଜେଜେ ତାହେଲେ ଅଷ୍ଟମ ଶ୍ରେଣୀ ଉପରେ ନଜର କରିବାକୁ ହେବ ।” ଜେଜେ କହିଲେ, “ପିଅନକୁ ଡାକନ୍ତୁ ଗୁରୁଜୀ ।” ଗୁରୁଜୀ ପିଅନକୁ କଲ କରି ଡାକିଲେ ।
ପିଅନ ଆସିବା ପରେ ଜେଜେ ତାକୁ ପଚାରିଲେ, “କିଏ କିଏ ପ୍ରଧାନ ଗୁରୁଜୀ କକ୍ଷକୁ ଆସିଥିଲେ ଶନିବାର ଦିନ?” ପିଅନ ମନେ ପକାଇ କହିଲା, “ମୋ ଦେଖିବାରେ ଷଷ୍ଠ ଶ୍ରେଣୀ କୁନି ତାଙ୍କ ଶ୍ରେଣୀ ଖାତା ନେବାକୁ, ଦଶମ ଶ୍ରେଣୀ ଆକାଶ ସାରଙ୍କୁ ଦେଖା କରିବାକୁ, ତାକୁ ଶ୍ରେଣୀ ଶିକ୍ଷକ ପଠେଇ ଥିଲେ, ଆଉ ଅଷ୍ଟମ ଶ୍ରେଣୀ ବିନୟ ତାଙ୍କ ଶ୍ରେଣୀ ଖାତା ସବୁ ରଖିବାକୁ ।” ଜେଜେ କହିଲେ, “ତାଙ୍କ ଆସିବା ସମୟ ମନେ ଅଛିକି !” ପିଅନ କହିଲା, “ହଁ, କୁନି ସକାଳେ । ଆକାଶ ଦି’ ଟା ରେ, ଆଉ ସ୍କୁଲ ଛୁଟି ହେବା ସମୟରେ ବିନୟ । ବିନୟ ପଶିବା ବେଳେ ମୁଁ ତାଲା ପକେଇବାକୁ ଯାଉଥିଲି । ସେ ଖାତା ରଖିବ କହିବାରୁ ପାଖ କ୍ଲାସ ରୁମ ତାଲା ପକେଇବାକୁ ଗଲି ।” ସ୍ପନ୍ଧନ କହିଲା, “ଜେଜେ ମୋତେ କାହିଁକି ବିନୟ ଉପରେ ସନ୍ଦେହ ହେଉଛି ।” ପ୍ରଧାନ ଶିକ୍ଷକ କହିଲେ, “ବିନୟ କିନ୍ତୁ ଭାରି ଭଲ ପିଲାଟି ।” ସ୍ପନ୍ଧନ କହିଲା, “ଜେଜେ ଗୋଟାଏ ପ୍ଲାନ ଅଛି ।” ଜେଜେ ପଚାରିଲେ କ’ଣ !” ସ୍ପନ୍ଧନ କହିଲା, “ଜେଜେ ଝରକା ହୁକ ଯେମିତି ବନ୍ଦ ହେଇଚି, ଜଣେ କୌଶଳ କଲେ ବାହାରୁ ସେମିତି କରି ପାରିବ । କାଲି ବିନୟ ପାଖରେ ଥିବା ସମୟରେ ପ୍ରଧାନ ଶିକ୍ଷକଙ୍କୁ ପିଅନ ମଉସା କହିବେ ଯେ ବାକି ବହି ବି ଆସି ଯାଇଛି । ପେଟିକୁ ପ୍ରଧାନ ଶିକ୍ଷକ କକ୍ଷରେ ରଖିଦେଇଛି ।” ଆମେ କ’ଣ କରିବା ନା, ଗୁରୁଜୀଙ୍କ ମୋବାଇଲରେ ଭିଡ଼ିଓ କଲ କରି, ଆମ ଭିଡ଼ିଓ, ଅଡ଼ିଓ ବନ୍ଦକରି ଛାଡ଼ିଦେବା । ଗୁରୁଜୀ ମୋବାଇଲ ଟା ଏମିତି ଜାଗାରେ ରଖିବେ ଯେ ଆମେ ଝରକା ଆଉ କବାଟ ଦେଖି ପାରିବା ।
ପରଦିନ ସବୁ ଜିନିଷ ନିର୍ଦ୍ଧାରିତ ଯୋଜନା ଅନୁସାରେ ହେଲା । କ୍ଲାସ ସରିଲା ବେଳେ ବିନୟ ତା’ ଖାତା ହଜି ଯାଇଛି, ଖୋଜିବା ବାହାନାରେ ଆସିଲା । ନୂଆ ପେଟି ଆଡ଼େ ସେ ଲକ୍ଷ୍ୟ କଲା ଆଉ ଝରକା ପାଖରେ କିଛି କଲା ଭଳି ପ୍ରତିତ ହେଲା । ବନ୍ଦ ଥିବା ଝରକାକୁ ଖୋଲି ପୁଣି ବନ୍ଦ କଲା । ଫାଇଲ ମଝିରେ ମୋବାଇଲ ଭିଡ଼ିଓ କଲରେ କ୍ୟାମେରା ଚାଲୁଥିବାର ତାକୁ ଜଣା ପଡ଼ିଲା ନାହିଁ । ଜେଜେ ଓ ସ୍ପନ୍ଧନ ଘରେ ବସି ସବୁ ଦେଖୁଥାନ୍ତି । ଏବେ ରହିଲା ବିନୟକୁ ଚୋରି କରିବା ବେଳେ ଧରିବା ଓ ତା’ର କାରଣ କ’ଣ ଜାଣିବା । ସ୍କୁଲ ଛୁଟି ହେଲା ସମସ୍ତେ ପଳେଇଲେ । ବିନୟ ମଧ୍ୟ ତା’ ସାଙ୍ଗ ମାନଙ୍କ ସହ ବାହାରିଗଲା ତା’ ଘରକୁ । ଯୋଜନା ଅନୁସାରେ ଜେଜେ ଓ ସ୍ପନ୍ଧନ ଆସି ପ୍ରଧାନ ଶିକ୍ଷକଙ୍କ କକ୍ଷରେ ଲୁଚି ବସିଲେ । । ଅନ୍ଧାର ହେବା ପରେ, ଝରକାରେ କିଛି ଖଡ଼ଖଡ଼ ହେଲା । କେହି ଜଣେ ଭିତରକୁ ପଶିଲା ଆଉ ପେଟିଟି ଖୋଲି ବହିସବୁ ବ୍ୟାଗରେ ଭରୁଛି । ଜେଜେ ବିଳମ୍ବ ନ କରି ଲାଇଟ ଜଳେଇଲେ । ଦଉଡ଼ି ପଳାଇବାକୁ ଚେଷ୍ଟା କରୁଥିବା ବିନୟକୁ ଝରକା ପାଖରେ ସ୍ପନ୍ଧନ ଧରିଲା । କବାଟ ଖୋଲି ପଶି ଆସିଲେ ପ୍ରଧାନଶିକ୍ଷକ ଓ ପିଅନ ।
“ଏ କ’ଣ ହେଉଛି ବିନୟ !” ଗର୍ଜି ଉଠିଲେ ପ୍ରଧାନଶିକ୍ଷକ । ଜେଜେ ତାଙ୍କୁ ଶାନ୍ତ ହେବାକୁ କହି ବିନାୟକୁ ଏହାର କାରଣ ପଚାରିଲେ । ବିନୟ କାନ୍ଦି କାନ୍ଦି କହିଲା, “ପ୍ରଧାନ ମହୋଦୟ ! ମୋତେ ପଢ଼ିବାକୁ ଭାରି ଭଲ ଲାଗେ । ମାତ୍ର ପଢ଼ିବାକୁ ମୁଁ କିଛି ବହି ଯୋଗାଡ଼ କରି ପାରେନା । ମୋବାଇଲ ତ ଦୂରର କଥା ବାପାଙ୍କର ତ ପଇସା ନାହିଁ ବହି ଖଣ୍ଡେ କିଣିବାକୁ । ତେଣୁ ଲୋଭ ସମ୍ଭାଳି ନ ପାରି ବହିସବୁ ଚୋରି କଲି ।” ପିଅନ କହିଲା, “ତୁ ପସିଲୁ କେମିତି !” ସ୍ପନ୍ଧନ କହିଲା, “ମୁଁ କହୁଛି ମଉସା । ଆପଣ ଝରକା ବନ୍ଦ କରି କବାଟ ଦେବା ସମୟରେ ସେ ଆସେ । ଭିତରକୁ ଯାଇ ଝରକା ଖୋଲେ । ଝରକା ହୁକରେ ଗୋଟିଏ ସୂତା ବାନ୍ଧେ ଓ ଅନ୍ୟ ମୁଣ୍ଡକୁ ଝରକା କବାଟ ଉପର ଆଡ଼ୁ ବାହାରକୁ କରେ । ଆଉ ହୁକ ଏମିତି ଲଗାଏ ଯେ ପରେ ବାହାର ଆଡ଼ୁ ସୂତା ଟାଣିଲେ ହୁକ ଟାଣିହେଇ ଖୋଲିଯିବ । ଆଉ ଏ ଝରକାରେ ରଡ଼ ନ ଥିବାରୁ ପଶିବାକୁ ସୁବିଧା ହେଲା । ପ୍ରଧାନ ଶିକ୍ଷକ କହିଲେ, “ବିନାୟକୁ କଡ଼ା ଦଣ୍ଡ ଦେବାକୁ ହେବ ।” ଜେଜେ କହିଲେ, “ବିନାୟକୁ ଏଥର ଛାଡ଼ି ଦିଅନ୍ତୁ । ତା’ ଲୁହ କହୁଛି ସେ ପଶ୍ଚାତାପ କରୁଛି । ହୁଏତ ବିନୟର ଏ ଦୋଷ ପଛରେ ଆମେ ହିଁ ଅଛେ । ଆମ ଛୁଆଙ୍କୁ ଆମେ ମୋବାଇଲ, ଲ୍ୟାପଟପ ଦେଇଛେ । ମାତ୍ର ଗାଁ ଛୁଆଙ୍କ ପାଇଁ ଆମେ କ’ଣ ଅଧିକା କରିଛେ କହୁନାହାନ୍ତି !” ପ୍ରଧାନ ଶିକ୍ଷକ ଆଶ୍ଚର୍ଯ୍ୟ ହେଇ କହିଲେ, “ଏ କ’ଣ କହୁଛନ୍ତି ଆଜ୍ଞା ! କୋଉଠି ଭୁଲ ରହିଲା ଆମର?”
ଜେଜେ କହିଲେ, “ପିଲାଙ୍କୁ ନିର୍ଦ୍ଧାରିତ ପାଠ୍ୟକ୍ରମ ଅନୁସାରେ ପଢ଼ାଉଛେ, ସରକାରୀ ନିୟମ ମାନୁଛେ । ଏତିକି ।” ଗୋଟିଏ କାମ କରିବା । “ମୁଁ ଆପଣଙ୍କୁ ପଇସା ଦେବି । ଆପଣ କୋଡ଼ିଏଟା ଟ୍ରଫି ନେଇ ଆସିବେ । ବଳକା ଟଙ୍କାରେ କିଛି ଭଲ ପୁସ୍ତକ ।” ପ୍ରଧାନ ଶିକ୍ଷକ କହିଲେ, “ଏ ସବୁ ତ ଠିକ ଅଛି ଆଜ୍ଞା । କିନ୍ତୁ କଲେକ୍ଟରଙ୍କ କଥା… ।” ଜେଜେ କହିଲେ, “ସବୁ ବହି ରଖି ଆପଣ ଗୋଟିଏ ଛୋଟ ପାଠ୍ୟଗାର କରନ୍ତୁ । କଲେକ୍ଟରଙ୍କୁ ମୁଁ କହିବି, ସେ ଉଦଘାଟନ କରିବେ । ସେ ବରଂ ଖୁସି ହେବେ ଯେ, ସବୁ ପିଲାଙ୍କୁ ସୁବିଧା ମିଳିବ ସବୁ ବହି ପଢ଼ିବାକୁ ।” ପ୍ରଧାନ ଶିକ୍ଷକ ଖୁସି ହେଇ କହିଲେ, “ମୁଁ ମଧ୍ୟ ନିଜ ପଇସାରୁ କିଛି ମାଗଜିନ ସବୁ ମାସ ମଗେଇବି । ପିଲା ନୂଆ କଥା ଜାଣିବେ ।” ସ୍ପନ୍ଧନକୁ ମୁହଁ ସୁଖେଇ ଛିଡ଼ା ହେବାର ଦେଖି ଜେଜେ ପଚାରିଲେ, “ତୋର କ’ଣ ହେଲା କିରେ !” ସ୍ପନ୍ଧନ କହିଲା, “ଜେଜେ ଆମକୁ କେତେ ସୁବିଧା ମିଳୁଛି । ମାତ୍ର ଆମେ ମୋବାଇଲରେ ଗେମ ଖେଳି ସମୟ ପାର କରିଦେଉଛୁ । ମାତ୍ର କିଛି ପିଲା ବହି ଖଣ୍ଡେ ପଢ଼ିବାକୁ କେତେ କଷ୍ଟ କରୁଛନ୍ତି ନା ! ମୁଁ ଆଜିଠୁ ମୋ ସମୟ ଠିକ କାମରେ ଲଗେଇବି । ଆଉ ମୁଁ ମଧ୍ୟ କିଛି ବହି ସଂଗ୍ରହ କରି ତମ ପାଖକୁ ପଠେଇବି । ବାପାଙ୍କୁ ବି କହିବି ସେ ବାହାରେ ଯାହା ଦାନ କରୁଛନ୍ତି, କିଛି ଟଙ୍କା ଗାଁ ସ୍କୁଲ ଉନ୍ନତି ପାଇଁ ଖର୍ଚ୍ଚ କରନ୍ତୁ ।”
ଜେଜେ ହସି କହିଲେ, “ଫୋନରେ ପ୍ରଧାନ ଶିକ୍ଷକଙ୍କ ଠାରୁ ଖାଲି ବହି ଚୋରି ଶୁଣି ମୁଁ ଜାଣିଲି କିଛି ଖାସ କାରଣ ଥିବ ଏ ଚୋରିରେ । ଆଉ ଜଣେ ଛାତ୍ର ହିଁ ଛାତ୍ରର ଚାଲାକି ବୁଝି ପାରିବ । ତେଣୁ ତତେ ଆମ ଅନୁସନ୍ଧାନ କାର୍ଯ୍ୟରେ ମିଶେଇ ଥିଲି । ଭଲ ହେଲା ମୋ ସୁକୁଟାର ବି ଆଖି ଖୋଲିଗଲା ।” ସ୍ପନ୍ଧନ ଚିଲ୍ଲେଇ ଉଠିଲା, “ଜେଜେ ଫେର ସୁକୁଟା !” ଉପସ୍ଥିତ ସମସ୍ତେ ହସି ଉଠିଲେ ଆଉ ନିଜ ନିଜ ଘରକୁ ଯିବାକୁ ପ୍ରସ୍ତୁତ ହେଲେ ।
– ଝରଣା ପ୍ରଧାନ
Comments
ଝରଣା ପ୍ରଧାନ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।