ଜଗା କାଳିଆର ତିନୋଟି ସ୍କେଚ

jagakalia-ra-3ti-sketch

(୧) ଯାଯାବର

ପ୍ରତିବର୍ଷ ରଥଯାତ୍ରା ଦେଖିବାକୁ ପୁରୀ ଯାଆନ୍ତି ଗୋପାଳ ବାବୁ । ତେବେ ବଡ଼ ଦେଉଳର କେଳେଙ୍କାରୀ ସବୁ ଶୁଣିଲା ପରେ ଗୋପାଳ ବାବୁ ପୁରୀ ଯିବା ଛାଡ଼ିଦେଇଛନ୍ତି । ଟିକିଏ ରାଗ ପଣ୍ଡାଙ୍କ ଉପରେ ଆଉ ଅଧିକା ରାଗ କାଳିଆ ଉପରେ । ଏତେ ପାପ କେମିତି ସହୁଛି କାଳିଆ !! ଏଥର ରଥଯାତ୍ରାରେ ନିଜ ଛୋଟିଆ ସହରରେ ରଥଯାତ୍ରା ବି ଦେଖିବେନି ବୋଲି ଭାବିଥିଲେ ଗୋପାଳବାବୁ । ହେଲେ ସନ୍ଧ୍ୟା ଚାରିଟା ବେଳକୁ ବାହାରେ ଘଣ୍ଟା ମୃଦଙ୍ଗ ଶୁଣି ପାଦ ଆପେ ଆପେ ଉଠିଗଲା ଜଗନ୍ନାଥ ମନ୍ଦିର ଆଡ଼କୁ ।

ରଥ ପାଖରେ ପ୍ରବଳ ଭିଡ଼ । ଗୋପାଳ ବାବୁ ଟିକିଏ ଭିଡ଼ ଏପଟକୁ ଠିଆ ହେଲେ । ରଥ ଉପରେ ଭାଇ ଭଉଣୀଙ୍କ ସାଙ୍ଗରେ ପାକୁଆ ପାଟିରେ ହସୁଚି କାଳିଆ । “ଆରେ ଗୋପାଳ ବାବୁ । ଆପଣ ଏଠି?” ପଛଆଡ଼ୁ କିଏ ଜଣେ ଡାକିଲା । ଗୋପାଳ ବାବୁ ବୁଲି ପଡ଼ିଲେ । ଡେଙ୍ଗା ହେଇ ସୁନ୍ଦର ମଧ୍ୟବୟସ୍କ ଲୋକ ଜଣେ । ତେବେ ଯାଯାବର ଭଳି ବେଶଭୁଷା । ଟିକିଏ ଦୋଦୋପାଞ୍ଚ ହେଇ ଗୋପାଳ ବାବୁ କହିଲେ, “କିଏ ଆଜ୍ଞା ଆପଣ? ମୁଁ ଚିହ୍ନି ପାରିଲିନି ।” ହସିଦେଇ ଲୋକ ଜଣକ କହିଲେ, “ଆରେ ରଥଯାତ୍ରାରେ ଭେଟ ହେଇଥିଲା ପରା ପୁରୀରେ । ମନେ ନାହିଁ? ଆପଣ ପରା ସବୁ ବର୍ଷ ଯା’ନ୍ତି ସେଠିକି । ଏଥର ଯାଇନାହାନ୍ତି କି?”

ଗୋପାଳ ବାବୁ ତାଙ୍କୁ କି ଉତ୍ତର ଦେଲେ ଭାବୁଛନ୍ତି ସେତିକି ବେଳେ କିଛି ଗୋଟେ ଗଣ୍ଡଗୋଳ ଶୁଭିଲା । ଗୋପାଳ ବାବୁ ବୁଲିପଡ଼ି ରଥ ଆଡକୁ ଚାହିଁଛନ୍ତି ଦେଖିଲେ ଗୋଟିଏ ଗରିବ ଲୋକଟିଏ ରଥରେ ଚଢ଼ି ଠାକୁରଙ୍କୁ ଛୁଇଁବ ବୋଲି ଭାବିଥିଲା । ପଇସା ନ ଦେଇପାରିବାରୁ ପଣ୍ଡାମାନେ ତାକୁ ଉପରୁ ଠେଲି ଦେଇଛନ୍ତି । ବିଚରାକୁ ପାଖରେ ଠିଆ ହେଇଥିବା ଲୋକମାନେ ଉଠଉଛନ୍ତି । ଗୋପାଳ ବାବୁ ସେପଟେ ଚାହିଁରହି କହିଲେ, “ଦେଖିଲେ ତ !! ପଚାରୁଥିଲେ ପରା କାହିଁକି ଯାଉନି ପୁରୀ? ଏଇ କାରଣ ପାଇଁ । ଏଇ ଭେଦଭାବ ପାଇଁ । କେଜାଣି କେମିତି ରହିଛି କାଳିଆ ସେଇ ମନ୍ଦିରରେ !!”

“ନାଇଁ କାଳିଆ ବି ନାହିଁ ଆଉ । ଛାଡିକି ଚାଲିଗଲାଣି ସେଇ ମନ୍ଦିର । ଯାଯାବର ହେଇ ବୁଲୁଚି ଏବେ ସେ ।” ନିଜ ପଛଆଡ଼ୁ କେବଳ ଏତିକି କଥା ଶୁଣିପାରିଲେ ଗୋପାଳ ବାବୁ । ଚମକି ପଡ଼ି ଚାହିଁଲେ ସେ । ହେଲେ ଦେଖିଲେ ପଛରେ କେହିନାହିଁ । ସେ ଚାରିଆଡ଼େ ଖୋଜିଲେ । କିନ୍ତୁ ଲୋକଟିକୁ ପାଇଲେନି । ଯାଯାବରଟି କେତେବେଳୁ ପବନରେ ମିଳେଇ ଯାଇଥିଲା ।

(୨) ମାନ ଭଂଜନ

ତିନିଦିନ ହେଲା ପ୍ରତୀକ ଆଉ ମୀରା ଭିତରେ କଥାବାର୍ତ୍ତା ନାହିଁ । ଝଗଡ଼ା ହେଇଚି ବହୁତ ଜୋରରେ । ତେଣୁ ସେମାନଙ୍କ ଭିତରେ କଥାବାର୍ତ୍ତାର ବାହକ ହେଲା ଦଶବର୍ଷର ଝିଅ ଲୋରି ।

ସେଦିନ ରବିବାର । ସ୍କୁଲ ଅଫିସ ସବୁ ଛୁଟି । ଲୋରି ଟିଭି ଦେଖୁଥାଏ । ସେଦିନ ଆଇଁସ ଖାଇବାକୁ ଲୋରୀର ମନ । ହେଲେ ମୀରା ମନା କଲା । ସେଦିନ କୁଆଡ଼େ ହେରା ପଞ୍ଚମୀ ।

“ପାପା ହେରା ପଞ୍ଚମୀ କ’ଣ?” ପାଖରେ ବସିଥିବା ନିଜ ବାପାଙ୍କୁ ପଚାରିଲା ଲୋରି । “ମୁଁ ଗୋଟିଏ କାମ କରୁଛି । ତୁ ମାମାକୁ ପଚାର” କହି ଲ୍ୟାପଟପରେ ମୁହଁ ଭର୍ତ୍ତି କଲେ ପ୍ରତୀକ ।

“ମାମା ହେରା ପଞ୍ଚମୀ କ’ଣ?” ମା’କୁ ପଚାରିଲା ଲୋରୀ । “ରଥଯାତ୍ରାରେ ଜଗନ୍ନାଥ ନିଜ ସ୍ତ୍ରୀ ଲକ୍ଷ୍ମୀଙ୍କୁ ଛାଡ଼ି ଏକୁଟିଆ ମାଉସୀ ଘରକୁ ବୁଲିବାକୁ ଯାଆନ୍ତି ବୋଲି ମା ଲକ୍ଷ୍ମୀ ରାଗିକି ଜଗନ୍ନାଥଙ୍କର ରଥର କାଠ ଭାଙ୍ଗି ଦିଅନ୍ତି । ଏଇ ଦିନଟିକୁ କୁହନ୍ତି ହେରା ପଞ୍ଚମୀ”, କହିଲା ମୀରା । ପ୍ରତୀକ ଟିକିଏ କଣେଇକି ଚାହିଁଲେ ମୀରାକୁ ।

“ତାପରେ କ’ଣ ହୁଏ ମାମା?” ପଚାରିଲା ଲୋରୀ ।” “ତାପରେ ଜଗନ୍ନାଥ ନିଜ ଭୁଲ ପାଇଁ ମା ଲକ୍ଷ୍ମୀଙ୍କୁ କ୍ଷମା ମାଗନ୍ତି ଆଉ ଆଉ ବଡ଼ ଦେଉଳକୁ ଆସିବାକୁ ଅନୁମତି ମାଗନ୍ତି । ହେଲେ ଲକ୍ଷ୍ମୀ ତାଙ୍କୁ ଭିତରକୁ ଆସିବାକୁ ଦିଅନ୍ତି ନାହିଁ । ଏଣୁ ଲକ୍ଷ୍ମୀଙ୍କୁ ରସଗୋଲା ଖୁଏଇ ତାଙ୍କ ମାନ ଭଂଜନ କରିଥାନ୍ତି ଜଗନ୍ନାଥ ଆଉ ତାପରେ ବଡ଼ ଦେଉଳ ଭିତରକୁ ଆସନ୍ତି ।” ଉତ୍ତର ଦେଲା ମୀରା ।

“ଓହୋ!!! ବୁଝିଲି…” କହିଲା ଲୋରୀ.. “ସେଇଥିପାଇଁ ପାପା ସେଦିନ ତୁମକୁ ନ ନେଇ ଏକୁଟିଆ ତାଙ୍କ ସାଙ୍ଗଙ୍କ ସାଙ୍ଗରେ ରାତିରେ ଡେରିଯାଏଁ ବୁଲି ପଳେଇଥିଲେ ବୋଲି ତମେ ରାଗିକି ତାଙ୍କ ଗାଡ଼ି ଚାବି ଲୁଚେଇ କି ରଖି ଦେଇଛ ନା ମାମା?? ଆଉ କଥା ବି ହଉନ ତାଙ୍କ ସାଙ୍ଗରେ ।” ଏତିକି କହି ଲୋରୀ ଡେଇଁ ଡେଇଁ ବାହାରକୁ ଖେଳିବାକୁ ଚାଲିଗଲା ।

ମୀରା ଟିକିଏ ଇତସ୍ତତଃ ହେଇ ରୋଷେଇଘରେ ପଶିଗଲା । ହଠାତ ପଛଆଡ଼ୁ ପଶି ଆସିଲେ ପ୍ରତୀକ । କାନଧରି କହିଲେ, “ମୋର ଭୁଲ ହେଇଛି ମୀରା । ଆଇ ଏମ ସରି ।” ମୀରା ମୁହଁ ବୁଲେଇନେଲା । ପ୍ରତୀକ ପୁଣି କହିଲେ, “ମତେ କ୍ଷମା କରିଦିଅ ମୀରା” । ଏଥର ମୀରା ହସିଦେଲା । ହସିଦେଇ ପ୍ରତୀକଙ୍କ ଦୁଇ ହାତ ତାଙ୍କ କାନରୁ ଖସେଇଦେଲା ଆଉ ପ୍ରତୀକ ଫ୍ରିଜରୁ ଆଣି ମୀରା ମୁହଁରେ ରସଗୋଲାଟିଏ ଗେଂଜି ଦେଲେ ।

(୩) ମାଟିହାଣ୍ଡି

ସେଦିନ ପୁଅ ଜନ୍ମଦିନରେ ମନ୍ଦିରରୁ ପ୍ରସାଦ ମଗେଇବେ ବୋଲି କହିଲେ ନିତିନ । ଭାତ କାନିକା ଡାଲି ଶାଗ ଖଟା ଖିରି । ରାଧିକାର ଇଚ୍ଛା ନଥିଲେ ବି ସେ ହଁ ମାରିଲା । ମରାଠୀ ଝିଅ ସେ । ଓଡ଼ିଆ ଘରେ ବାହା ହେଇଚି । ତେବେ ଶାଶୁ ଶଶୁର ନାହାନ୍ତି ବୋଲି ଓଡ଼ିଶା ଆସିନି ବେଶୀ । କିନ୍ତୁ ନିତିନଙ୍କର ପୁରୀ ବଦଳି ପରେ ଦୁଇମାସ ହେଲା ସେମାନେ ଏଇଠି ।

ଚିହ୍ନାଜଣାରେ ୨୦ଜଣଙ୍କୁ ଡାକିଥାନ୍ତି ସେମାନେ । ରାଧିକା ବାଢ଼ୁଥାଏ ସମସ୍ତଙ୍କ ପାଇଁ । ଏଡ଼େ ଛୋଟ ଛୋଟ ମାଟିହାଣ୍ଡିର ଖାଇବା କଣ ଅଣ୍ଟିବ ସମସ୍ତଙ୍କର?? ସେ ପଛେ କ୍ୟାଟେରିଙ୍ଗକୁ କହି ଦେଇଥାନ୍ତା । ନହେଲେ ନିଜେ ତିଆରି କରିଦେଇଥାନ୍ତା । ହେଲେ ନିତିନଙ୍କ ଏକାଜିଦ୍ !! କେଡ଼େ ବଡ଼ ଭୁଲଟିଏ ନ କଲା ସେ !! ଇଛା ହଉଥାଏ ସେଇ ମାଟିହାଣ୍ଡି ଗୁଡ଼ିକୁ କଚିକି ଭାଙ୍ଗି ଦବାପାଇଁ ।

କିଛି ସମୟ ପରେ ଖାଇବା ସମୟ ହେଲା । ସମସ୍ତଙ୍କୁ ଡରି ଡରି ବାଢ଼ିଲା ରାଧିକା । ଯଦି ଖାଇବା ଜିନିଷ କମିଯାଏ ତାହେଲେ !! ସିଏ ଆଉ ନିତିନ ରହିଗଲେ ସମସ୍ତେ ଖାଇସାରିଲା ପରେ ଖାଇବେ ବୋଲି । କିନ୍ତୁ ଭଗବାନ ବଡ଼ ଲୋକ । ସମସ୍ତେ ଭଲରେ ଭଲରେ ଖାଇ ସାରିଲେ । ତା’ପରେ ଶେଷରେ ନିତିନ ଆଉ ରାଧିକା ଖାଇଲେ । ଯା ହଉ ତାଙ୍କ ଇଜ୍ଜତଟି ରହିଗଲା । ରାଧିକା ଶାନ୍ତିରେ ନିଶ୍ୱାସ ମାରିଲା ।

ସେତିକି ବେଳକୁ ଦେଖିଲା ନିତିନଙ୍କ ଜଣେ ଦାଦା । ସହର ବାହାରେ ଥିଲେ ବୋଲି ଆଜି ଆସି ପାରିବେନି ବୋଲି କହିଥିଲେ । ହେଲେ ଏବେ ହଠାତ ଆସି ପହଞ୍ଚିଛନ୍ତି । ନିତିନ ଆଖିଠାରରେ କହିଲେ ତାଙ୍କ ପାଇଁ ଖାଇବା ବାଢ଼ିବାକୁ । ରାଧିକା ମୁଣ୍ଡରେ ଚଡ଼କ ପଡିଲା । ଅଧମୁଠେ ଭାତ ଅଛି ଆଉ ଚାମୁଚେ ଡାଲି । ଟିକିଏ ଖଟା । ଟିକିଏ ଖିରି ।

ରାଧିକା କ’ଣ କରିବ ଜାଣି ନପାରି ରୋଷେଇ ଘରେ ପଶିଗଲା । ମୁଣ୍ଡଟି ବୁଲେଇ ଦଉଥାଏ ତା’ର । ତେବେବି ସାହସ ବାନ୍ଧି କଦଳୀ ପତ୍ରଟିଏ ଆଣି ସେଇ ଉପରେ ଅଧମୁଠେ ଭାତ ଢାଳିଦେଲା । କି ଆଶ୍ଚର୍ଯ୍ୟ?? ଦେଖିଲା ପତ୍ରଟି ଭର୍ତ୍ତି ହେଇଗଲା । ଆଉ ସେଇ ଚାମୁଚେ ଡାଲି ଖଟା ଶାଗ ଆଉ ଖିରିରେ ବି ପୁରା ଭର୍ତ୍ତି ହେଇଗଲା ଚାରିଗୋଟି ଦନା । ସତେ ଯେମିତି ଆପଣାଛାଏଁ ଭର୍ତ୍ତି ହେଇ ଯାଉଛି ହାଣ୍ଡି ଗୁଡ଼ିକ । ରାଧିକାର ଦୁଇ ଆଖିରେ ଲୁହ ଭରିଗଲା । ଆଉ ମୁହଁରେ ଖେଳି ଯାଇଥିଲା ହସଟିଏ । ଆଜି ସେ ବୁଝି ଯାଇଥିଲା ଯେ କାଳିଆର ସେଇ ଅବଢ଼ା ହାଣ୍ଡିଗୁଡ଼ା ପ୍ରକୃତରେ ଖାଲି ମାଟିହାଣ୍ଡି ନୁହେଁ । ସେ ହେଲା ପ୍ରତିଟି ଓଡ଼ିଆର ଅକ୍ଷୟ ପାତ୍ର । କାଳିଆ ଦୟାରେ ଏଇ ହାଣ୍ଡି କେବେ କେଉଁ ଭୋକିଲାକୁ ଖାଲି ପେଟରେ ରଖେ ନାହିଁ । ସେଇ କାଳିଆ ଉଦ୍ଦେଶ୍ୟରେ ରାଧିକାର ହାତ ଦୁଇଟି ଯୋଡ଼ି ହେଇଯାଇଥିଲା ।

ଡ. ସୁଲଗ୍ନା ମହାନ୍ତି

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...