ଓଡ଼ିଆ କଥାଚିତ୍ର ଜଗତରେ ଖଳନାୟକ ବିଷୟରେ ଚର୍ଚ୍ଚା ହେଲେ ଗୋଟିଏ ନାମ ସବୁବେଳେ ମନକୁ ଆସେ, ତାହା ହେଲା ସମରେଶ ରାଉତରାୟ । ସେ ଅଭିନୟ ଆରମ୍ଭ କରିଥିଲେ ହିନ୍ଦୀ କଥାଚିତ୍ର ଜଗତରୁ ଏବଂ ପରେ ଓଡ଼ିଆ କଥାଚିତ୍ର ଜଗତରେ ନାୟକ ଭାବରେ କାମ କରିବା ଆରମ୍ଭ କରିଥିଲେ । ପ୍ରଥମ ଦୁଇଟି କଥାଚିତ୍ର ପରେ ସେ ନାୟକରୁ ସାଜିଥିଲେ ଖଳନାୟକ ଓ ସାଉଁଣ୍ଟିଥିଲେ ଦର୍ଶକଙ୍କର ଭଲପାଇବା । ଓଡ଼ିଆ କଥାଚିତ୍ରରେ ଖଳନାୟକର ସଂଜ୍ଞା ବଦଳାଇଦେଇଥିବା ସମରେଶ ଏହାପରେ ପାଦ ଥାପିଥିଲେ ପ୍ରଯୋଜନାରେ ଏବଂ ଓଡ଼ିଆ-ୱାନ୍ର ସ୍ଥାପନା କରିଥିଲେ ସେ । ଲିଭିଲିଭି ଆସୁଥିଲା ଓଡ଼ିଆ ଆଲବମ୍ ଜଗତକୁ ପୁଣିଥରେ ଗଢ଼ି ତୋଳିଥିଲେ ନିଜ ହାତରେ । ଇଣ୍ଟରନେଟରେ ଲୋକପ୍ରିୟ କରିଥିଲେ ଓଡ଼ିଆ ଗୀତଗୁଡ଼ିକୁ । ନିକଟ ଅତୀତରେ ମୁକ୍ତିଲାଭ କରିଥିବା କ୍ଷୁଦ୍ର ଚଳଚ୍ଚିତ୍ର ପାଇକ ବିଦ୍ରୋହରେ ତାଙ୍କର ବକ୍ସି ଜଗବନ୍ଧୁ ଭୂମିକାକୁ ଅନେକ ଭଲ ପାଇବା ଦେଇଥିଲେ ଦର୍ଶକ । ତେଣୁ ଚାଲନ୍ତୁ ତାଙ୍କର ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରୁ ଆଜିଯାଏଁର ଜୀବନଯାତ୍ରା ଉପରେ କିଛି ଅଧିକ ଜାଣିବା ।
ପ୍ରଶ୍ନ ୧. ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରୁ ଅଭିନୟରେ ସ୍ନାତକ, ମଡେଲିଂ, ହିନ୍ଦୀରେ ଅନେକ ଥିଏଟରରେ ଅଭିନୟ, ୨୦୦୨ ମସିହାରେ ହିନ୍ଦୀ କଥାଚିତ୍ର ଶହୀଦ୍ରେ ଅଭିନୟ । କେମିତି ଥିଲା ସେ ସବୁର ଅଭିଜ୍ଞତା?
ଉତ୍ତର: ନ୍ୟାସନାଲ ସ୍କୁଲ ଅଫ ଡ୍ରାମାକୁ ଯିବା ପୂର୍ବରୁ ମୁଁ ପ୍ରଥମେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଡ୍ରାମା ଡିପାର୍ଟମେଣ୍ଟରେ ପଢ଼ୁଥିଲି । ବିଜୟ ମହାନ୍ତି ସାର୍ ସେତେବେଳେ ଆମର ଅଧକ୍ଷ ଥିଲେ । ଏଇଠୁ ପଢ଼ିସାରିବାପରେ ମୁଁ NSDରେ ୨ୟ ଥରରେ ପାଇଥିଲି । ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରେ ପହଞ୍ଚିଲା ପରେ ସେ ଦୁନିଆ ଆମ ଦୁନିଆଠୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା, କାରଣ ସେଠାକାର ଭାଷା ଥିଲା ହିନ୍ଦୀ, ଯାହାକି ମୋ ପାଇଁ ସମ୍ପୂର୍ଣ୍ଣ ନୂଆ ଥିଲା । ସବୁ ନାଟକଗୁଡ଼ିକ ହିନ୍ଦୀରେ ହିଁ ଥିଲା । ନୂଆ ନୂଆ ଟିକେ ଅସୁବିଧା ହେଇଥିଲା, ହେଲେ ସବୁ ପ୍ରଫେସର୍ ଓ ସାଙ୍ଗମାନଙ୍କ ସହାୟତାରେ ମୁଁ ନିଜକୁ ସେଠାରେ ଖାପ ଖୁଆଇ ନେଇଥିଲି । ସେଠି ଅନେକ କିଛି ଶିଖିଛି ମୁଁ, ଖାଲି ନାଟକରେ ଅଭିନୟ ନୁହେଁ ଜୀବନ ଜୀଇଁବାର ପ୍ରକ୍ରିୟାକୁ ଶିଖିଛି ମୁଁ ସେଠାରେ । ନ୍ୟାସନାଲ ସ୍କୁଲ ଅଫ ଡ୍ରାମା ମୋ’ ପାଇଁ ମୋ’ର ୨ୟ ଘର କହିଲେ ଅତ୍ୟୁକ୍ତି ହେବ ନାହିଁ ।
ତିନିବର୍ଷ ପରେ ଯେବେ ସେଠାରେ ମୋର ପାଠପଢ଼ା ଶେଷ ହେଲା, ଫେର୍ୱେଲ୍ ଦିନ ରାତିରେ ମୋ’ର ଜଣେ ମରାଠୀ ବନ୍ଧୁ ଜୟନ୍ତ ଗାଡ଼େକରଙ୍କ ସାଙ୍ଗରେ ମୁଁ ବମ୍ବେ ଚାଲିଯାଇଥିଲି, ଯେଉଁଠି ଆଗରୁ ମୋର କିଛି ବନ୍ଧୁମାନେ ରହୁଥିଲେ । ବମ୍ବେରେ ମୁଁ ୭ରୁ ୮ ବର୍ଷ ରହିଛି । ପ୍ରଥମେ ଅଭିନୟ ପାଇଁ ଚେଷ୍ଟା କରିଥିଲି । ଗୋଟେ ଫିଲ୍ମ ଓ କିଛି ଧାରାବାହିକରେ ଛୋଟମୋଟ ଭୂମିକାରେ ଅଭିନୟ କରିଥିଲି । ଏହାପରେ ଫିଲ୍ମ ପ୍ରଡକ୍ସନ ହାଉସ୍ରେ କାଷ୍ଟିଂ ଡିରେକ୍ଟର ଭାବରେ କାର୍ଯ୍ୟ କରିଥିଲି, ବାଲାଜୀ ଟେଲି ଫିଲ୍ମସ୍ରେ ଆସୋସିଏଟ୍ ଭାବରେ ମଧ୍ୟ କିଛିଦିନ କାମ କରିଛି ।
ଏହାପରେ ସଂସ୍କାର ନାମରେ ଏକ ଆଧ୍ୟାତ୍ମିକ ଚେନାଲ୍ ଅଛି, ଯେଉଁଠାରେ ମୁଁ ପ୍ରୋଗ୍ରାମିଂ ହେଡ୍ ଭାବରେ କାର୍ଯ୍ୟ କରିଥିଲି । ମୋ ଜୀବନର ସବୁଠାରୁ ଲମ୍ବା ସମୟ ମୁଁ ସେଠାରେ ହିଁ ଚାକିରୀ କରିଛି । ଏବେ ବି ସେଠାକାର ବନ୍ଧୁମାନଙ୍କ ସହ ଭଲ ସମ୍ପର୍କ ଅଛି । ସେଠାକାର ଅନୁଭୂତି ଏବେ ବି ମୋ ମନରେ ଜୀବିତ ହୋଇକି ଅଛି ।
ପ୍ରଶ୍ନ ୨. ମୁମ୍ବାଇରୁ ସିଧା ଆସି ଓଡ଼ିଆ ଧାରାବାହିକ ଏବଂ କଥାଚିତ୍ରରେ ଅଭିନୟ କରିଥିଲେ ଆପଣ, କେମିତି ଥିଲା ଓଡ଼ିଶାରେ ପ୍ରଥମ ଅଭିନୟର ଅନୁଭୂତି?
ଉତ୍ତର: ମୁଁ ପ୍ରଥମେ ଓଡ଼ିଆ କଥାଚିତ୍ର ଜଗତରେ ଏକ ଫିଲ୍ମର ନାୟକ ଭାବରେ ଅଭିନୟ କରିବାକୁ ଆସିଥିଲି । ଅଶୋକ ପତିଙ୍କ ନିର୍ଦ୍ଦେଶିତ ଏଇ କଥାଚିତ୍ରଟି ଥିଲା ଜେଲ୍, ଯାହାକି ହେଇପାରିଲା ନାହିଁ । ଏହା ପୂର୍ବରୁ ନିର୍ଦ୍ଦେଶକ ଜ୍ୟୋତି ପ୍ରକାଶ ନାୟକଙ୍କ ଏକ ଫିଲ୍ମ ପାଇଁ କହିଥିଲେ, ଆଉ ଯେତେବେଳେ ମୁଁ ଜେଲ୍ ପାଇଁ ଆସିଥିଲି ସେତେବେଳେ ମୋ ସୁନାପୁଅର ସୁଟିଂ ହେଇକି ମୁକ୍ତିଲାଭ ବି କରିଗଲା ।
ମୋର ପ୍ରଥମ କଥାଚିତ୍ର ମୁକ୍ତିଲାଭ କରିବା ପରେ ପ୍ରାୟ ବର୍ଷେଯାଏଁ କୌଣସି କାମ ମିଳିନଥିଲା । ସେହି ସମୟରେ ମୁଁ ଓଡ଼ିଆ ଧାରାବାହିକରେ ଅଭିନୟ କରିବା ଆରମ୍ଭ କରିଥିଲି । ଇଟିଭି ଓଡ଼ିଆରେ ସେତେବେଳେ ମୁଁ ସଂସ୍କାର ଧାରାବାହିକରେ ଅଭିନୟ କରିବା ଆରମ୍ଭ କରିଥିଲି, ଯାହାକି ମୋତେ ଜଣେ କଳାକାର ଭାବରେ ଓଡ଼ିଶାର ଘରେ ଘରେ ପରିଚିତ କରାଇଥିଲା । ଏହାପରେ ଚିତ୍ତରଞ୍ଜନ ତ୍ରିପାଠୀ ଗୋଟେ ଫିଲ୍ମ କଲେ, ଧଉଳି ଏକ୍ସପ୍ରେସ୍ । ଏହି ଚଳଚ୍ଚିତ୍ରରେ ମୁଁ ନାୟକ ଭାବରେ ଅଭିନୟ କରିଥିଲି ଏବଂ ଏହାପରେ ମୋ ଅଭିନୟ ଜୀବନର ମୋଡ଼ ବଦଳିଯାଇଥିଲା ।
ପ୍ରଶ୍ନ ୩. ବହୁ ଚର୍ଚ୍ଚିତ କଥାଚିତ୍ର ଧଉଳି ଏକ୍ସପ୍ରେସ୍ରେ ଆପଣ ନାୟକ, ସିଦ୍ଧାନ୍ତ ମହାପାତ୍ର ଖଳନାୟକ; ଏହାର ପରବର୍ତ୍ତୀ କଥାଚିତ୍ର ମୁଖମନ୍ତ୍ରୀରେ ଉଭୟଙ୍କର ଭୂମିକା ଅଦଳ ବଦଳ ହେଇଗଲା; ଏହା କିପରି ସମ୍ଭବ ହେଲା?
ଉତ୍ତର: ମୁଁ ଓଡ଼ିଶାରେ କାମ କରୁଥିଲି ଆଉ ଚିତ୍ତ ଭାଇ ଓଡ଼ିଶା ଆସିଲେ ମୋ ସହ ଅନେକ ସମୟରେ କାହାଣୀ ବିଷୟରେ ଆଲୋଚନା କରୁଥିଲେ । ଯେତେବେଳେ ସେ ଧଉଳୀ ଏକ୍ସପ୍ରେସ୍ ପାଇଁ ମୋରେ ହିରୋ ହେବାକୁ କହିଥିଲେ, ସେତେବେଳେ ଆମେ ଦୁହେଁ ମିଶି ବିଭିନ୍ନ ଚରିତ୍ର ପାଇଁ ଅଭିନେତାମାନଙ୍କର ଚୟନ କରିଥିଲୁ । ଏହାର ଖଳନାୟକ ଭୂମିକା ପାଇଁ ଚିତ୍ତ ଭାଇ ସିଦ୍ଧାନ୍ତ ମହାପାତ୍ରକୁ ନେବାକୁ ଚାହିଁଥିଲେ ଆଉ ସେ ବି ଏହି ଚଳଚ୍ଚିତ୍ର କରିଥିଲେ । ଏହି ଚଳଚ୍ଚିତ୍ରଟି ସେତେବେଳେ ୫/୬ଟି ରାଜ୍ୟସ୍ତରୀୟ ପୁରସ୍କାର ମଧ୍ୟ ପାଇଥିଲା ।
ଏହାପରେ ଚିତ୍ତ ଭାଇ ଆଉ ଏକ ଚଳଚ୍ଚିତ୍ର ପାଇଁ କାମ କରିବା ଆରମ୍ଭ କରିଥିଲେ, ଯେଉଁଥିରେ ସେ ମୋତେ ଖଳନାୟକ ଭୂମିକାରେ ଅଭିନୟ ପାଇଁ କହିଥିଲେ ଆଉ ମୁନ୍ନା ଭାଇଙ୍କୁ ନାୟକ ଭାବରେ ନେଇଥିଲେ, ସେ ଚଳଚ୍ଚିତ୍ର ଥିଲା ମୁଖ୍ୟମନ୍ତ୍ରୀ । ଏହି ଚଳଚ୍ଚିତ୍ରଟିରେ ମୁଁ ବିଜୟ ସାର୍ଙ୍କ ପୁଅ ଭୂମିକା ଅଭିନୟ କରିଥିଲି ଆଉ ଏହି ଖଳ ଚରିତ୍ରଟିକୁ ଲୋକମାନେ ପସନ୍ଦ ମଧ୍ୟ କରିଥିଲେ । ଏହାପରେ ଅନେକ ଚଳଚ୍ଚିତ୍ରରେ ମୋତେ ଖଳନାୟକ ଭାବରେ କାମ କରିବାକୁ ଅଫର୍ ଆସିଥିଲା ଓ ମୁଁ କାମ ମଧ୍ୟ କରିଥିଲି, ଏବେ ମଧ୍ୟ କରୁଛି ।
ପ୍ରଶ୍ନ ୪. ସମରେଶ ରାଉତରାୟ ନିଜେ ନିଜକୁ କେଉଁ ଭୂମିକାରେ ଦେଖିବାକୁ ଅଧିକ ପସନ୍ଦ କରିଥାନ୍ତି ଆଉ କାହିଁକି?
ଉତ୍ତର: ମୁଁ ସମରେଶ ରାଉତରାୟ ଜଣେ ଅଭିନେତା ଭାବରେ ନିଜକୁ ଦେଖିବାକୁ ପସନ୍ଦ କରେ । କୌଣସି ନିର୍ଦ୍ଦିଷ୍ଟ ଚରିତ୍ର ପାଇଁ ମୁଁ ନିଜକୁ ବାନ୍ଧି ରଖିନାହିଁ, ଯେତେବେଳେ ଯେଉଁ ବି ଭଲ ଚରିତ୍ର ମିଳିବ, ଯାହାକୁ ଦର୍ଶକ ଦେଖିଲେ ମନେ ରଖିବେ, ମୁଁ ସେହିଭଳି ଚରିତ୍ରରେ ନିଜକୁ ଦେଖିବାକୁ ଚାହଁଛି । ତା’ଛଡ଼ା ମୁଁ ଖଳନାୟକ ଭାବରେ ଅଭିନୟ କରିବାପରେ ଓଡ଼ିଆ କଥାଚିତ୍ର ଜଗତରେ ଖଳନାୟକର ଡାଇମେନ୍ସନ୍ ବଦଳିଯାଇଛି ।
ପ୍ରଶ୍ନ ୫. ଓଡ଼ିଆ ଆଲବମ୍ ଜଗତ ଯେତେବେଳେ ଧୀରେ ଧୀରେ ବନ୍ଦ ହେବାକୁ ଲାଗିଥିଲା, ସେତେବେଳେ ଆପଣ ପୁଣିଥରେ ଏହାକୁ ନିଜେ ଆରମ୍ଭ କରିଥିଲେ, ଏ କଳ୍ପନା କିପରି ଆସିଥିଲା?
ଉତ୍ତର: ମୁଁ ଯେବେ +୨ ପଢ଼ୁଥିଲି, ପରେ ବମ୍ବରେ ରହୁଥିଲି, ସେତେବେଳେ ଓଡ଼ିଶାରୁ କେହି ଗଲେ ମ୍ୟୁଜିକ୍ ସିଡି ନେଇକି ଯା’ନ୍ତି, ସତେବେଳେ ଓଡ଼ିଶାରେ ଆଲବମ୍ ଜଗତ ବହୁତ ଭଲ ଭାବରେ ଚାଲୁଥିଲା । ମୋର ବନ୍ଧୁ ବୁଲୁକୁ ମୁଁ ଯେତେବେଳେ ଟିଭିରେ ଦେଖୁଥିଲି, ମୋତେ ସେ ବହୁତ ଭଲ ଲାଗୁଥିଲା, ସେ ହିରୋ ହେଉ ବୋଲି ମୋର ବହୁତ ଇଚ୍ଛା ଥିଲା । ଓଡ଼ିଆ ଆଲବମ୍ ଗୀତ ସେବେ ବହୁତ ଉପରେ ଥିଲା ।
ମୁଁ କିଛି ବର୍ଷ ଫିଲ୍ମ ଓ ଧାରାବାହିକରେ କାମ କରିବା ପରେ କିଛି ଅଲଗା କରିବା ପାଇଁ ମୋର ନିଜର ପ୍ରଡକ୍ସନ କମ୍ପାନୀ ଆରମ୍ଭ କରିଥିଲି । କଥାଚିତ୍ର ପ୍ରଯୋଜନା ସହ ମ୍ୟୁଜିକ୍ ଆଉ ଫିଲ୍ମ କିଣାବିକା କରୁଥିଲି । ସେତେବେଳେ ବନ୍ଦ ହେଇଯାଇଥିବା ମ୍ୟୁଜିକ୍ ଇଣ୍ଡଷ୍ଟ୍ରିକୁ ମୁଁ ପୁଣିଥରେ ଆରମ୍ଭ କରିବାର ଯୋଜନା କରିଥିଲି, ମାତ୍ର ସିଡି ଜିରିଆରେ ନୁହେଁ ଇଣ୍ଟରନେଟ ଜରିଆରେ ୟୁ-ଟ୍ୟୁବ୍ରେ ଛାଡ଼ିବା ପାଇଁ କାମ ଆରମ୍ଭ କରିଥିଲି । ମୁଁ ମ୍ୟୁଜିକ୍ ଭିଡିଓ କରିବାର ୪/୫ ବର୍ଷ ଆଗରୁ ସୋନି ମ୍ୟୁଜିକ୍ରେ ଜଣଙ୍କର ଏକ ସାକ୍ଷାତକାରରେ ପଢ଼ିଥିଲି, “Music will be back again.” ତାହା ହିଁ ହେଲା, ମୁଁ ବୋଧେ ଓଡ଼ିଶାର ପ୍ରଥମ ଥିଲି, ଯିଏକି ୟୁ-ଟ୍ୟୁବ୍ରେ ମ୍ୟୁଜିକ୍ ଭିଡିଓ ଛାଡ଼ି ପଇସା ରୋଜଗାର କରିବା ଆରମ୍ଭ କରିଥିଲା ।
ମୋର ପ୍ରଥମ ମ୍ୟୁଜିକ୍ ଭିଡିଓରେ ଗୋଟେ ନୂଆ ଟ୍ରେଣ୍ଡ୍ ଆରମ୍ଭ ହେଲା, ଆମେ ପୁରୁଣା ଢାଞ୍ଚାରେ ନୁହେଁ, କିଛି ନୂଆ ଶୈଳୀରେ କରିବାକୁ ଚେଷ୍ଟା କରିଥିଲୁ, ଏମିତିକି ଫିଲ୍ମଠାରୁ ବି ଭଲ କରିବାକୁ ଚେଷ୍ଟା କରିଥିଲୁ । ଏହାପରେ ଅନେକ କିଛି ବଦଳିଗଲାଣି ଏବେ, ବହୁତଗୁଡ଼ିଏ ମ୍ୟୁଜିକ୍ ଚେନାଲ୍ ହେଲାଣି ଏବେ ଓଡ଼ିଶାରେ । ବହୁତ ଭଲ ଭଲ ଭିଡିଓ ହେଉଛି, ବହୁତ ଲୋକ ଓଡ଼ିଆ ଇଣ୍ଡଷ୍ଟ୍ରିକୁ ଜାଣୁଛନ୍ତି । ରାଜ୍ୟ ବାହାରେ ମଧ୍ୟ ଲୋକମାନେ ଆମ ଇଣ୍ଡଷ୍ଟ୍ରିକୁ ଭଲ ପାଇଲେଣି । ଗୁଡ଼ାଏ କଳାକର, ଗୀତିକାର, ସଙ୍ଗୀତକାର, କଣ୍ଠଶିଳ୍ପୀମାନେ ଏଥିରୁ ନିଜର ଗୁଜୁରାଣ ମେଣ୍ଟାଉଛନ୍ତି ।
ପ୍ରଶ୍ନ ୬. ଆପଣଙ୍କ ଅଭିନୀତ କ୍ଷୁଦ୍ର ଚଳଚ୍ଚିତ୍ର ପାଇକ ବିଦ୍ରୋହକୁ ଦର୍ଶକ ଅନେକ ଭଲ ପାଇବା ଦେଉଛନ୍ତି, ଏହି ଭୂମିକା ପାଇଁ ଆପଣଙ୍କ କିପରି ନିଜକୁ ପ୍ରସ୍ତୁତ କରିଥିଲେ?
ଉତ୍ତର: ଅକ୍ଷୟ ପରିଜା ସାର୍ଙ୍କ ସହ ମୋ’ର ସମ୍ପର୍କ ବହୁତ ପୁରୁଣା ଆଉ ବହୁତ ଭଲ । ପ୍ରଶାନ୍ଦ ନନ୍ଦ ଭାଇନାଙ୍କର ଗୋଟେ କଥାଚିତ୍ର ଥୁକୁଲ୍ରେ ମୁଁ ଅଭିନୟ କରିଥିଲି, ଯାହାକି ଅକ୍ଷୟ ସାର୍ଙ୍କ ପ୍ରଯୋଜନା ଥିଲା । ଦିନେ ମୋତେ ପରିଜା ସାର୍ଙ୍କର ଫୋନ୍ ଆସିଥିଲା ଗୋଟେ କାମ ପାଇଁ ନୀଳମାଧବ ପଣ୍ଡାଙ୍କ ସହ କଥା ହେବାକୁ ଆଉ ପଣ୍ଡା ବାବୁଙ୍କ ଫୋନ ପାଇ ମୁଁ ସାକ୍ଷାତ କରିବାକୁ ଯାଇଥିଲି । ସେତେବେଳେ ମୋତେ ମନେ ନାହିଁ ମୁଁ କ’ଣ ପାଇଁ ଦାଢ଼ି ଛାଡ଼ିଥିଲି; ଆଉ ଜଣେ ଆସିଷ୍ଟାଣ୍ଟ ଡିରେକ୍ଟର ମୋତେ ଦାଢ଼ି କାଟିଦେବାକୁ କହିଥିଲେ, ହେଲେ ମୁଁ ମନା କରିଥିଲି । ପରେ ବର୍ଣ୍ଣାଳୀ ମାମ୍, ଯିଏକି କଷ୍ଟ୍ୟୁମ୍ ଡିଜାଇନର୍ ଥିଲେ, ସେ ଦାଢ଼ି ରଖିବାକୁ କହିଥିଲେ ଆଉ ଦାଢ଼ି ସହ ଏହି ଚରିତ୍ରଟିକୁ ପ୍ରସ୍ତୁତ କରାଇଥିଲେ ।
ପାଇକ ବିଦ୍ରୋହ ପାଇଁ କିଛି ଫାଇଟ୍ ସିନ୍ ମୁଁ ଶିଖିଥିଲି । ଯଦିଓ ଆଗରୁ ମୁଁ କିଛି ବେସିକ୍ ଜାଣିଥିଲି, ତଥାପି ଖୋର୍ଦ୍ଧାରୁ ଜଣେ ଭାଇ ଆସି ୧୫ ଦିନ ମୋତେ ଖଣ୍ଡା ବୁଲେଇବା, ବାଡ଼ି ବୁଲେଇବା ଆଦି ଶିଖାଇଥିଲେ; କିନ୍ତୁ ଏହି ଫାଇଟ୍ଟି ବୋଧେ କ୍ଷୁଦ୍ର ଚଳଚ୍ଚିତ୍ରଟିରେ ସ୍ଥାନିତ ହୋଇପାରିନାହିଁ । ମୋଟାମୋଟି ଭାବରେ କହିବାକୁ ଗଲେ ପାଇକ ବିଦ୍ରୋହ ପାଇଁ ଆମେ ଯେତିକି କଳ୍ପନା କରିଥିଲୁ, ସେତିକି ନହେଲେ ବି ତା’ ପାଖାପାଖି ପହଞ୍ଚିଛୁ । ବଡ଼ ପରଦାରେ ନହେଲେ ବି ୟୁ-ଟ୍ୟୁବ୍ରେ ଦର୍ଶକ ଦେଖିଲେ; ଦର୍ଶକମାନଙ୍କର ଅନେକ ପ୍ରଶଂସା ମିଳିଲା ଏହି ଚରିତ୍ରଟି ପାଇଁ । ସମସ୍ତଙ୍କର ଭଲ ପାଇବା ମୁଁ ଋଣୀ ନିଶ୍ଚୟ । ମୁଁ ନିଜେ ଏହାକୁ ଟୁଇଟ୍ରେ ବହୁତ ସେୟାର୍ କରିଛି, ମୋ ସହ ଅନେକ ଓଡ଼ିଆ ଭାଇଭଉଣୀମାନେ ମଧ୍ୟ ଏହାକୁ ଟୁଇଟର୍ ତଥା ଅନ୍ୟାନ୍ୟ ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମରେ ସେୟାର କରିଥିଲେ ମ୍ୟାକ୍ସିମମ୍ ରିଚ୍ ପାଇଁ । ଧନ୍ୟବାଦ ଜଣାଇବି ସମସ୍ତଙ୍କୁ, ସମସ୍ତଙ୍କର ଭଲ ପାଇବା ପାଇଁ, ଏହି ଫିଲ୍ମଟିକୁ ପସନ୍ଦ କରିବାପାଇଁ । ଯେତେ ବି କାମ କରିଛି, ପାଇକ ବିଦ୍ରୋହ ତା’ ଭିତରୁ ମନେ ରହିଲା ଭଳି ଗୋଟେ ସିନେମା ହେବ ।
ପ୍ରଶ୍ନ ୭. ଏକ ଟିଭି ବିଜ୍ଞାପନରେ ସମରେଶ ରାଉତରାୟଙ୍କୁ ବିଲ୍ଡର୍ ଭାବରେ ପରିଚିତ କରାଯାଏ, ଏହା କ’ଣ ଅଭିନୟ ଥିଲା ନା ସତ?
ଉତ୍ତର: ନାହିଁ ତାହା ଗୋଟିଏ ଟେକ୍ନିକାଲ୍ ଏରର୍ ଥିଲା । ଅବଶ୍ୟ ମୋ ଭାଇ ଜଣେ ବିଲ୍ଡର୍, ଆଉ ତାଙ୍କର ବନ୍ଧୁଙ୍କ ଜରିଆରେ ମୋତେ ସେହି ବିଜ୍ଞାପନଟି ମିଳିଥିଲା । ତେଣୁ ମୋ ଭାଇ ପାଇଁ ମୋତେ ବିଲ୍ଡର୍ ବୋଲି ଲେଖିଦେଇଥିଲେ । ଅବଶ୍ୟ ଏହା ବି ଗୋଟିଏ ପ୍ରକାରର ପ୍ରଚାର ।
ପ୍ରଶ୍ନ ୮. ଆପଣ ଘର କାମ କରିବାକୁ ବହୁତ ପସନ୍ଦ କରନ୍ତି, ଏ ଲକ୍ଡାଉନ୍ ଆପଣଙ୍କୁ କେତେ କାମ କରିବାକୁ ପଡ଼ିଛି?
ଉତ୍ତର: ଗୋଟିଏ ସାଧାରଣ ମଣିଷ ଭାବେ ମୁଁ ବଞ୍ଚିବାକୁ ଚେଷ୍ଟା କରେ । ଘରର ପ୍ରତ୍ୟେକଟି କାମ କରିବାକୁ ମୋତେ ଭଲ ଲାଗେ । ଯେତେବେଳେ ବ୍ୟସ୍ତ ଥାଏ, କିଛି କିଛି କରେ ଆଉ ଯେବେ ଫାଙ୍କା ଥାଏ, ସେବେ ପ୍ରାୟ ସବୁକିଛି କରିବାକୁ ଚେଷ୍ଟା କରେ । ସବୁ ଜିନିଷ ଠିକ୍ ସ୍ଥାନରେ ସଜେଇକି ରଖିବାକୁ ମୋତେ ଭଲ ଲାଗେ, ତେଣୁ ତା’ପାଇଁ ମୁଁ ଅନେକ ସମୟରେ କାମ କରେ । ଆଉ ମୋତେ ଘରର ଯେକୌଣସି କାମ ହେଲେ ବି କରିବାକୁ ଭଲ ଲାଗେ । ରୋଷେଇଠାରୁ ଆରମ୍ଭ କରି ବିଭିନ୍ନ କାମ କରେ । ଏହି କରୋନା ସମୟରେ ଅନେକ ଖାଲି ସମୟ ମିଳିଥିଲା, ତେଣୁ ବହୁତ କିଛି ନୂଆ ଜିନିଷି ଶିଖିବା ସହିତ ବହୁତ ଘର କାମ ବି କରିଛି ।
ପ୍ରଶ୍ନ ୯. କରୋନାକୁ ନେଇ ଆପଣ ଆପଣଙ୍କ ଅନୁଗାମୀମାନଙ୍କୁ କ’ଣ ଉପଦେଶ ଦେବେ?
ଉତ୍ତର: କରୋନା ଯେତିକି ବଡ଼ ନୁହେଁ, ତା’ ବିଷୟରେ ଶୁଣି ଶୁଣିକି ଆମେ ମାନସିକ ସ୍ତରରେ ଅଧିକ ଭୟଭୀତ ହେଉଛୁ । ମୁଁ ଜଣେ ଡାକ୍ତର ନୁହେଁ, ତଥାପି ଏତିକି କହିବି ଆମକୁ ନିଜେ ନିଜ ତରଫରୁ ସୁଦୃଢ଼ ହେବାକୁ ହେବ । କରୋନାରେ କାହାକୁ ଅଧିକ ଅସୁବିଧା ହେଇପାରେ, କାହା ପାଇଁ ସେତେ ଅଧିକ କ୍ଷତିକାରକ ହେଇନପାରେ । କରୋନା ସହ ଆମକୁ ବଞ୍ଚିବାକୁ ହେବ, ୬ ମାସ ହେଇଗଲାଣି ଅନେକ କିଛି ଶୁଣିବାକୁ ମିଳୁଛି । ପ୍ରଥମେ ବିଦେଶରେ ଥିଲା, ତା’ପରେ ଦେଶକୁ, ରାଜ୍ୟକୁ ଆଉ ଗାଁ ଓ ସହର ସବୁଠି ବ୍ୟାପିଲାଣି, ଏବେ ତ ପଡ଼ୋଶୀ ଘରେ ବି ପହଞ୍ଚିସାରିଲାଣି । ତେଣୁ ନିଜକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରିବା । ଭୟଭୀତ ନ ହୋଇ ଭଗବାନଙ୍କ ଉପରେ ଭରସା ରଖିବା ଆବଶ୍ୟକ, ସେ ଦୁନିଆ ସୃଷ୍ଟି କରିଛନ୍ତି ଆଉ ଦୁନିଆକୁ ରକ୍ଷା ମଧ୍ୟ କରିବେ । ଆମକୁ ଖାଲି ଆମର କର୍ତ୍ତବ୍ୟ କରିବାର ଅଛି । ସରକାରୀ ନିୟମ ଓ କଟକଣାକୁ ମାନିକି ଚଳିବାର ଅଛି ।
ଏହି କରୋନା ସମୟରେ ସମସ୍ତେ ଆପଣଙ୍କର ଏହି ଉପଦେଶକୁ ମାନିବେ ବୋଲି ମୁଁ ଆଶା କରୁଛି । ଏହି ସହିତ ଆପଣଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି ଆପଣଙ୍କର ସହଯୋଗ ପାଇଁ ଏବଂ ସମସ୍ତ ପ୍ରଶ୍ନର ଉତ୍ତର ରଖିବା ପାଇଁ । ଆପଣଙ୍କର ଆଗାମୀ ସମସ୍ତ କାର୍ଯ୍ୟ ପାଇଁ ଶୁଭକାମନା ଜଣାଉଛି । ପ୍ରଣାମ ।
– ସଂଗ୍ରାମ କେଶରୀ ସେନାପତି
Comments
ସଂଗ୍ରାମ କେଶରୀ ସେନାପତି, ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ପ୍ରତିଷ୍ଠାତା ତଥା ସମ୍ପାଦକ । ସେ ଓଡ଼ିଆରେ ଗଳ୍ପ, ପ୍ରବନ୍ଧ ଆଦି ଲେଖାଲେଖି କରନ୍ତି ଏବଂ ଓଡ଼ିଆ ଉଇକିମିଡ଼ିଆର ବିଭିନ୍ନ ପ୍ରକଳ୍ପରେ ପ୍ରାୟତଃ କାର୍ଯ୍ୟ କରନ୍ତି ।