ହୁଙ୍କାର

Hunkar (ହୁଙ୍କାର) Odia Story by Saswt Routray

ରାତି ୧୨ଟା । ଚାରିଆଡ଼େ ଉନ୍ମତ୍ତ ଝଡ଼ର ପୈଶାଚିକ ତାଣ୍ଡବ- ମନେ ହେଉଛି ପୃଥିବୀର ବକ୍ଷରେ ମାଡ଼ି ଆସୁଛି ଗୋଟେ ଅମଙ୍ଗଳର ଅପଛାୟା । ରହି ରହି ବିଜୁଳି ଝଲକାନିରେ ଚମକି ଉଠୁଛି ମୁଁ । ବଜ୍ର-ବିଦ୍ୟୁତରେ ମୋର ଡର ନାହିଁ, ମୁଁ ଶିହରିତ ହେଉଛି ମୋ ଅଦୃଷ୍ଟର କଥା ଭାବି । ହାତରେ ସମୟ ବେଶୀ ନାହିଁ, ସେଥିପାଇଁ ଯିବା ଆଗରୁ ସବୁ କିଛି ଖୋଲି କିରି କହି ଯିବି ଆପଣମାନଙ୍କୁ ।

ମୁଁ ଆଉ ପଳାଶ, ଆମେ ଥିଲୁ ପ୍ରାଣର ସାଙ୍ଗ, ଯାହାକୁ ଲୋକମାନେ କୁହନ୍ତି ହରିହର ଆତ୍ମା । ଖାଲି ବନ୍ଧୁ କହିଲେ ଭୁଲ ହେବ, ଆମେ ଥିଲୁ ପରସ୍ପରର ପାପର ସାଙ୍ଗ । ଦି’ଜଣ ଥିଲୁ ଅନାଥ, ଦି’ଜଣ ହିଁ ଅବିବାହିତ । ଦି’ଜଣ ଏକା ସ୍କୁଲ ଆଉ କଲେଜରୁ ପାସ କରିଛୁ, ଦି’ଜଣ ହିଁ ଏକା କଲେଜରେ ଇତିହାସର ଅଧ୍ୟାପକ । ୟା ଛଡ଼ା ଦି’ଜଣଙ୍କର ଥିଲା ଏକା ପ୍ରକାର ସଉକ ମଧ୍ୟ- ଯାବତୀୟ ଦୁର୍ମୂଲ୍ୟ ଆଉ ଦୁଷ୍ପ୍ରାପ୍ୟ ବସ୍ତୁ ବା କିଉରିଓ ସଂଗ୍ରହ କରିବା । ଅଷ୍ଟଧାତୁରେ ତିଆରି ସୁନ୍ଦର ନାରୀମୂର୍ତ୍ତୀଠୁ ଆରମ୍ଭ କରି ଆମାଜନ୍ ଅଧିବାସୀଙ୍କ ଦ୍ଵାରା ଶିକାର ହୋଇଥିବା ହତଭାଗ୍ୟ ମଣିଷମାନଙ୍କର ଆପେଲ ଆକାରର ଶୁଖିଲା ମମିମୁଣ୍ଡ, କ’ଣ ନ ଥିଲା ଆମର ସେଇ ଅତ୍ୟାଶ୍ଚର୍ଯ୍ୟ, ଅବର୍ଣ୍ଣନୀୟ ଆଉ ଅକଳ୍ପନୀୟ ସଂଗ୍ରହରେ? ଦୁଷ୍ପ୍ରାପ୍ୟ ବସ୍ତୁର ସନ୍ଧାନ ପାଇଁ ପୁରାତନ ସବୁ କିଉରିଓ ଦୋକାନରେ, ନିଲାମ କେନ୍ଦ୍ରରେ, ଚୋରବଜାରର ଅନ୍ଧ ଗଳିରେ ଆମେ ନିୟମିତ ବିଚରଣ କରୁଥିଲୁ । ସୁବିଧା ପାଇଁ ରତିକାନ୍ତ ଆଉ ଶୁଧାକାନ୍ତ ନାଁର ଦୁଇ ଭାଇକୁ ମଧ୍ୟ ହାତରେ ରଖିଥିଲୁ ଆମେ । ଉପଯୁକ୍ତ ପାରିଶ୍ରମିକର ବିନିମୟରେ ସେମାନେ ଆମକୁ ଦୁଷ୍ପ୍ରାପ୍ୟ ବସ୍ତୁର ସନ୍ଧାନ ଆଣି ଦଉଥିଲେ ପ୍ରାୟତଃ ।

ଦୁଷ୍ପ୍ରାପ୍ୟ ବସ୍ତୁ ସଂଗ୍ରହ କରିବା ଆମ ପାଖରେ ଥିଲା ମାଦକ ନିଶା ପରି । ସତ୍ ଆଉ ଅସତ୍, ସବୁପ୍ରକାର ଉପାୟରେ ଆମେ ଆମର ଆକାଂକ୍ଷିତ ବସ୍ତୁଟି ହସ୍ତଗତ କରୁଥିଲୁ ନିଶ୍ଚିତ ଭାବରେ- ତା ପାଇଁକି କବର-ଲୁଣ୍ଠନ ପରି ନିନ୍ଦନୀୟ କାମ କରିବାକୁ ମଧ୍ୟ ପଛଘୁଞ୍ଚା ଦେଇନୁ ଆମେ । ଯୁଗ ଯୁଗ ଧରି ପୃଥିବୀର ବିଭିନ୍ନ ସମାଜରେ ମୃତଦେହ ଭୂମିରେ ପୋତିବାର ରୀତି ରହି ଆସିଛି ଚିରଦିନ । କିଛି କିଛି କ୍ଷେତ୍ରରେ ମୃତଙ୍କୁ ପୋତିବା ସମୟରେ ତାଙ୍କର ବହୁପ୍ରିୟ ଜିନିଷ ଗୁଡ଼ିକ ମଧ୍ୟ ରଖି ଦିଆ ହୁଏ ଶବାଧାର ଭିତରେ । ପରିତ୍ୟକ୍ତ କବରସ୍ଥାନ, ପ୍ରାଚୀନ ସମାଧିକ୍ଷେତ୍ର, ଅରକ୍ଷିତ ମ୍ୟାସୋଲିଅମରେ (mausoleum) ଆମର ନିୟମିତ ଯାତାୟାତ ଥିଲା । ସେମିତି ସନ୍ଧାନ ପାଇଲେ, କବରର ଢାଙ୍କୁଣୀ ଭାଙ୍ଗି ଆମେ ଆମର ବହୁଆକାଂକ୍ଷିତ ବସ୍ତୁଟି ସଂଗ୍ରହ କରୁଥିଲୁ ରାତି ଅନ୍ଧାରରେ । ସଂଗ୍ରହ? ସଂଗ୍ରହ ନ କହି ଚୋରି କହିବା ବେଶୀ ଶ୍ରେୟ । ଆମେ ଚୋରି କରୁଥିଲୁ ମୃତଙ୍କଠୁ- ଯାହାଙ୍କର କିଛି କରିବାର କ୍ଷମତା ନ ଥିଲା । ଆମର ଗୋପନ ସତ୍ୟ, ଆମର ପାପର ଜ୍ୱଳନ୍ତ ନିଦର୍ଶନ ଥିଲା ଗୋଟେ ବ୍ୟକ୍ତିଗତ ସଂଗ୍ରହାଳୟ, ଯାହାର କିଛି ବସ୍ତୁ ଥିଲା ଅଦ୍ଭୁତ, କିଛି ଥିଲା ସୁନ୍ଦର ଆଉ କିଛି ଥିଲା ଅତୀବ ଭୟାଳ-ଭୟଙ୍କର । ସହରର ବାହାରେ ଆମେ କିଣିଥିଲୁ ଗୋଟେ ତ୍ରିତାଲା କୋଠୀ । ତାହାରି ଦ୍ୱିତୀୟ-ତାଲାରେ ଦକ୍ଷିଣପଟର ଗୋଟେ ବଖରାକୁ ସଂଗ୍ରହାଳୟ ବନେଇଥିଲୁ ।

ଯେଉଁ ଘଟଣାଟି କହିବାକୁ ଯାଉଛି, ତାହାର ସୂତ୍ରପାତ ଦି ମାସ ତଳେ । ଗୋଟେ ରବିବାର ସକାଳଟାରେ ରତିକାନ୍ତ ନୂଆ ଗୋଟେ ଖବର ନେଇକି ଆମ ପାଖକୁ ଆସିଲା । ଓଡ଼ିଶା-ବିହାରର ସୀମାନ୍ତବର୍ତ୍ତୀ ଗୋଟିଏ ଛୋଟ ସହରତଳି, ନାଁ ନବପୁର । ସେଠାର ରାଜ-ପରିବାରର ଜଣେ ବଂଶଧର ୧୭ ଶତାବ୍ଦୀରେ ଗୃହତ୍ୟାଗ କରି ଇଉରୋପର ଦିଗେ ଯାତ୍ରା କରିଥିଲେ । ବିଭିନ୍ନ ଦେଶ ବୁଲି ଜୀବନର ଅପରାହ୍ନରେ ସିଏ ଦେଶକୁ ଫେରିଲେ- ସାଙ୍ଗରେ ଆଣିଲେ ବହୁ ଦୁଷ୍ପ୍ରାପ୍ୟ ଆଉ ଅଦ୍ଭୁତ ସାମଗ୍ରୀ । ଦେଶକୁ ଫେରିବାର ପ୍ରାୟ ୧୦ ବର୍ଷ ପରେ ଦିନେ ହଠାତ୍ କରି ଗୋଟେ ଅଜ୍ଞାତ କାରଣ ଯୋଗୁ ସିଏ ଦେହତ୍ୟାଗ କଲେ । ତାଙ୍କର ଶେଷ ଇଚ୍ଛାନୁଯାୟୀ ସେଇ ରାଜମହଲର ଉତ୍ତର-ପଶ୍ଚିମର ଗୋଟେ ଘରେ ତାଙ୍କୁ କବର ଦିଆ ଗଲା- ଶବ ସାଙ୍ଗରେ ରଖା ହେଲା ତାଙ୍କର ସବୁଠୁ ପ୍ରିୟ ଦୁର୍ଲଭ ବସ୍ତୁଟି ।

ରତିକାନ୍ତର ଖବର ଅନୁଯାୟୀ ବର୍ତ୍ତମାନ ରାଜମହଲଟି ପରିତ୍ୟକ୍ତ । ବର୍ତ୍ତମାନର ବଂଶଧରମାନେ ସମସ୍ତେ ସହରରେ ରୁହନ୍ତି, କିଛିଜଣ ବିଦେଶରେ ରହୁଛନ୍ତି ମଧ୍ୟ । ଖୁବ ସହଜରେ ହିଁ ମାଟିଖୋଳି ଆମେ ସେଇ ଅତ୍ୟାଶ୍ଚର୍ଯ୍ୟ ବସ୍ତୁଟି ହସ୍ତଗତ କରି ପାରିବୁ । ଠିକ କଲୁ ଖୁବ ଶୀଘ୍ର ହିଁ ଆମେ ନବପୁର ଯିବୁ ।

ସେ ଥର କେଉଁ ଗୋଟିଏ ଉପଲକ୍ଷ ପାଇଁ କଲେଜ ଦି ଦିନ ଛୁଟି ଥିଲା । ସକାଳ ସକାଳ ଆମେ ଦି ସାଙ୍ଗ ନବପୁର ପାଇଁ ବାହାରିଲୁ । ଯାତ୍ରାର ବିବରଣୀ ଦେବିନି, କାହିଁକି ନା ସେଟା ଅପ୍ରୟୋଜନୀୟ । ଦ୍ଵିପ୍ରହରବେଳକୁ ଦେଢ଼ଟା ଆଡ଼େ ଆମେ ନବପୁର ପହଞ୍ଚିଲୁ । ରେଳ-ଷ୍ଟେସନ୍ ପାଖାପାଖି ଗୋଟେ ହୋଟେଲ ଖୋଜି ସେଠାରେ ରହିଣୀ ପାଇଁ ବନ୍ଦୋବସ୍ତ କଲୁ । ହୋଟେଲ ରୁମ୍‌ରେ ଜିନିଷପତ୍ର ରଖି, ଡାଇନିଂ ହଲରେ ମଧ୍ୟାହ୍ନ-ଭୋଜନ ସାରିଦେଲୁ ଦି’ବନ୍ଧୁ । ଆମର ଅଭିଯାନ ରାତି-ଅନ୍ଧାରରେ ଆରମ୍ଭ ହେବ, ସେଥିପାଇଁ ଆଗଠୁ ସବୁ କିଛି ଭଲ କରି ବୁଝି ନେବା ଦରକାର । ଗୋଟେ ରିକ୍ସା ଭଡ଼ା କରି ଆମେ ରାଜମହଲ ଉଦ୍ଦେଶ୍ୟରେ ବାଟ ଧରିଲୁ ।

ରାଜମହଲର ଆଉ ସାମାନ୍ୟ ଟିକେ ଦୂର ଅଛି, ହଠାତ୍ ରିକ୍ସାବାଲା ତା’ ରିକ୍ସା ଛିଡ଼ା କରାଇ ଦେଲା- କୌଣସି ମତେ ସିଏ ଆଉ ଆଗକୁ ବଢ଼ିବାକୁ ରାଜି ହେଲା ନାହିଁ । ନିରୂପାୟ ହୋଇ ଆମେ ପାଦରେ ଚାଲି ଚାଲି ଗଲୁ ବାକି ବାଟ ।

ରାଜମହଲଟିର ଭାରି ଜୀର୍ଣ୍ଣଦଶା । ବିଶାଳ ଅଟ୍ଟାଳିକାଟି ଇଟା-ପଥରର କଙ୍କାଳ ନେଇ ଛିଡ଼ା ହୋଇଛି- କାନ୍ଥରେ ଜାଗାରେ ଜାଗାରେ ବରଗଛ ଆଉ ଅଶ୍ଵତ୍ଥଗଛର ଦୁନିର୍ବାର ରାଜତ୍ୱ । କାନ୍ଥ ଦେଇ ଘେରା ବିଶାଳ ବଗିଚାଟି ଅନାବନା ଗଛର ଜଙ୍ଗଲର ସମତୁଲ୍ୟ । ବଗିଚାର ମଝିରେ ଶ୍ୱେତପଥରର ନାରୀମୂର୍ତ୍ତୀ ସହ ଗୋଟେ ଫୁଆରା- ତାହାର ଅବସ୍ଥା ମଧ୍ୟ ଭାରି କରୁଣ । ଦେଖି ହିଁ ବୁଝାଯାଉଛି ଏଇ ରାଜମହଲରେ ବିଗତ ଦୁଇ-ଶତକ ଧରି କେହି ରହି ନାହାନ୍ତି ।

ରତିକାନ୍ତ ଗୋଟେ ଗୁରୁତ୍ୱପୂର୍ଣ କଥା କହିଥିଲା, “ଯେଉଁ ବଖରାରେ ସେଇ ରାଜବଂଶଧରଟିକୁ କବର ଦିଆ ହୋଇଥିଲା, ସେଇ ବଖରାର କବାଟରେ ଗୋଟେ ବଡ଼ ଆଉ ଅଦ୍ଭୁତ ତାଲା ମରା ଯାଇଥିଲା ପରବର୍ତ୍ତୀ ସମୟରେ । ଟିକେ ଖୋଜିବା ପରେ ଆମେ ସେମିତି ଗୋଟିଏ ବଖରା ଖୋଜି ପାଇଲୁ । ଏହା ଭିତରେ ସୂର୍ଯ୍ୟାଲୋକ କମି ଆସିଥିଲା । ଆମେ ଆଉ ଡେରି ନ କରି ହୋଟେଲକୁ ଫେରି ଆସିଲୁ ।”

ସାରା ରାତି ଚେଇଁ ମାଟି ଖୋଳିବାକୁ ପଡ଼ିବ- ସେଥିପାଇଁ ଆମେ ଦି’ଜଣ ହୋଟେଲକୁ ଫେରି ଶୋଇ ପଡ଼ିଲୁ ଭଲ କରି । ରାତି ୯’ଟାରେ ନିଦ ଭାଙ୍ଗିଲା ଆମର । ଶୀଘ୍ର ମୁହଁ ହାତ ଧୋଇ, ଜିନିଷପତ୍ର ସଜାଡ଼ି ଆମେ ତଳକୁ ଓହ୍ଲେଇ ଗଲୁ । ଡାଇନିଂ ହଲ୍‌ରେ ନୈଶ-ଭୋଜନ ସାରି, ଘରଭଡ଼ା ଦେଇ ଚେକ-ଆଉଟ କରି ନେଲୁ ଆମେ । ଏତେ ରାତିରେ ରିକ୍ସା କରି ରାଜମହଲ ଗଲେ କାହାର ସନ୍ଦେହ ହବ, ସେଥିପାଇଁ ଚାଲି ଚାଲି ରାଜମହଲ ଯିବାକୁ ଠିକ କଲୁ ।

ରାଜମହଲ ପହଞ୍ଚିବାକୁ ପ୍ରାୟ ଘଣ୍ଟାଟିଏ ଲାଗିଲା । ରାତିର ନିସ୍ତବ୍ଧ ପରିବେଶରେ କେମିତି ଗୋଟେ ଦେହ-ଶିତେଇ ଦେବା ପରି ଭାବ- ମନେ ହବ ଯେମିତି ଭୟାବହ କିଛି ଘଟିବାର ଆଶଙ୍କାରେ ପବନ ପର୍ଯ୍ୟନ୍ତ ଥମକି ଯାଇଛି । ରାତିର ଅନ୍ଧାରରେ ରାଜମହଲଟି ଲାଗୁଥିଲା ଗୋଟେ ରହସ୍ୟମୟ ପ୍ରେତପୁରୀ ପରି । ମନେ ହଉଥିଲା ନିରାଟ ଅନ୍ଧାରରେ ମୂର୍ତ୍ତମୟ ହୋଇ ଉଠିଛି ଗୋଟେ ଅଜଣା ବିଭୀଷିକା । ହଠାତ୍ କର୍କଶ କଣ୍ଠରେ ଗୋଟେ ପେଚା ଚିଲେଇ ଉଠିଲା କେଉଁଠି କେ ଜାଣି । କାହିଁକି କେ ଜାଣି, ଗୋଟେ ଅଜଣା ଆଶଙ୍କାରେ ହୃତ୍‌ପିଣ୍ଡ ଡେଇଁ ଉଠିଲା ମୋର । ବାରମ୍ୱାର ମନ କହୁଥିଲା ଭୟଙ୍କର, ମହା-ଭୟଙ୍କର କିଛି ଘଟିବ ଆମ ଜୀବନରେ । ଚାପା ଗୋଟେ ଆତଙ୍କ ନେଇ ମୁଁ ଆଗେଇ ଗଲି ସେଇ ନିର୍ଦ୍ଦିଷ୍ଟ ବଖରା ଦିଗରେ ।

ବଖରାଟାରେ ପଶିବାକୁ ଆମର ବେଶୀ ଅସୁବିଧା ହେଇନି । ଶାବଳର ସାମାନ୍ୟ କେତେଟା ଆଘାତରେ ଶତବର୍ଷାଧିକ ପୁରୁଣା ତାଲାଟିଏ ଭାଙ୍ଗି ଗଲା ଭାରି ସହଜରେ । ଅଳ୍ପ ସମୟ ଭିତରେ ହିଁ ଆମେ ପଶିଗଲୁ ସେଇ ବଖରା ଭିତରେ । ମାଟିରେ ଦି ଇଞ୍ଚି ପରି ଧୂଳି, ଘରଭର୍ତ୍ତି ବୁଢ଼ିଆଣିର ଜାଲ ଚାରି ଆଡ଼େ । ଗୋଟେ କଣରେ ବିଶାଳ ଗୋଟେ ପଲଙ୍କ, ୮-୧୦ଜଣ ଏକା ସାଥିରେ ସହଜରେ ଶୋଇ ପାରିବେ ସେଥିରେ । ଓଲଟାପଟର କାନ୍ଥଆଡ଼େ ଗୋଟିଏ କାଠର ଆଲମୀରା, ଯାହାର କାଚ ଆଜି ଆଉ ଅକ୍ଷତ ନାହିଁ । ଗୋଟେ କାନ୍ଥରେ ଦିଟା ତୈଳଚିତ୍ର- ଗୋଟେ ଜଣେ ୬୫-୭୦ ବର୍ଷର ବୃଦ୍ଧଙ୍କର, ଅନ୍ୟଟା ଜଣେ ୧୬-୧୭ ବର୍ଷୀୟ ଯୁବକର । ସବୁଠୁ ବଡ଼ ଆଶ୍ଚର୍ଯ୍ୟର ବିଷୟ, ଘରର ଠିକ ମଝିରେ, ମାଟି ଉପରେ ଗୋଟେ କଳସ । କଳସର ମୁଁହଟି ଗୋଟେ ମଳିନ ଲାଲ କପଡ଼ା ଦେଇ ବନ୍ଧା ।

କଳସଟିକୁ ହଟେଇ ଆମେ ପାଳି କରି ମାଟି ଖୋଳିବାକୁ ଲାଗିଲୁ । ପ୍ରାୟ ଘଣ୍ଟାଟିଏ ଖୋଳିବା ପରେ ମଧ୍ୟ କିଛି ନ ପାଇ ମନ ଭିତରଟା କେମିତି ଗୋଟେ ଅନିଶ୍ଚୟତାର ଆଶଙ୍କାରେ ଭରି ଉଠିଲା । ହତାଶ ହୋଇ ଚାଲି ଯିବୁ ଭାବୁଛି, ହଠାତ୍ ଶାବଳର ଆଘାତରେ ଗୋଟେ ଠାଇଁ କରି ଧାତବ ଆବାଜ ହେଲା । ସାଙ୍ଗେ ସାଙ୍ଗେ ନୂଆ ଉଦ୍ୟମସହ ତୀବ୍ର ଗତିରେ ମାଟି ଖୋଳିବାକୁ ଲାଗିଲୁ ଆମେ । ଅଳ୍ପସମୟ ଭିତରେ ଗୋଟେ ଭୂଗର୍ଭସ୍ଥ କୋଠରୀର କବାଟ ଦିଶିଲା ଆମକୁ । ଉତ୍ତେଜିତ ହାତରେ ପଳାଶ ଧୀରେ ଧୀରେ ଖୋଲି ପକେଇଲା ସେଇ ଅଦ୍ଭୁତ କବାଟଟି ।

କବାଟର ଠିକ ତଳଠୁ ଧାଡ଼ି ଧାଡ଼ି ସିଡ଼ି ଲମ୍ବି ଯାଇଛି ଅନ୍ଧାର ଭିତରେ । ସାବଧାନତା ସହିତ, ଧୀରେ ଧୀରେ ଆମେ ଓହ୍ଲେଇ ଗଲୁ ସେଇ ସିଡ଼ି ଦେଇ । ବୈଦ୍ୟୁତିକ ଲଣ୍ଠନର ଆଲୁଅରେ ଆସ୍ତେ ଆସ୍ତେ ଦୃଷ୍ଟିଗୋଚର ହେଲା କୋଠରୀର ଭିତରଟା ।

ଯେଉଁଟିକୁ ଆମେ ଭୂଗର୍ଭସ୍ଥ କୋଠରୀ ଭାବୁଥିଲୁ, ସେଇଟା ଗୋଟେ ଭୂଗର୍ଭସ୍ଥ ଗୁମ୍ଫାର ସମତୁଲ୍ୟ । ପଥରର କାନ୍ଥ ଅମସୃଣ ଆଉ ଓଦା ଓଦା । କାନ୍ଥକୁ ଲାଗି ଗୋଲାକାର ସିଡ଼ି ଓହ୍ଲେଇ ଯାଇଛି କେଉଁ ଅଜଣା ପାତାଳପୁରୀରେ । କାନ୍ଥରେ, ଜାଗାରେ ଜାଗାରେ ସମାନ ଦୂରତ୍ୱରେ ଖୋଦେଇ ହୋଇଛି ବିଜାତୀୟ ସବୁ ପ୍ରାଣୀର ମୂର୍ତ୍ତୀ । ପ୍ରତିଟି ମୂର୍ତ୍ତୀ ଅପାର୍ଥିବ, ଘୃଣ୍ୟ ଆଉ ଭୟଙ୍କର- ସେଗୁଡ଼ିକ ଦେଖିଲେ ଚରମ ବିତୃଷ୍ଣା ଛଡ଼ା ମନ ଭିତରେ ଆଉ କିଛିର ଉଦ୍ରେକ ହୁଏ ନାହିଁ ।

ଦୀର୍ଘ ସମୟ ପରେ ସିଡ଼ି ଶେଷ ହେଲା । କୋଠରୀର ତଳଟା ପ୍ରଶସ୍ତ ଆଉ ତୁଳନାମୂଳକ ମସୃଣ । ଚାରିଆଡ଼େ ଅନେଇ କବରଟିକୁ ଖୋଜିବାର ଚେଷ୍ଟା କରୁଛି, ହଠାତ୍ ଡାହାଣ ପଟର କାନ୍ଥରେ ଗୋଟେ ସୁଡ଼ଙ୍ଗ ପରି ଦିଶିଲା । କୌତୁହଳି ହୋଇ ଆମେ ସେପଟେ ଅଗ୍ରସର ହେଲୁ । ସୁଡ଼ଙ୍ଗଟିରେ କିଛି ଦୂର ଅଗ୍ରସର ହେବା ପରେ ଆମେ ଗୋଟେ ଛୋଟିଆ ଘର ଆବିଷ୍କାର କଲୁ । ଘରର ଗୋଟେ ପଟେ ଗୋଟେ ଅଦ୍ଭୁତ-ଦର୍ଶନ ବେଦୀ ପରି ଅବସ୍ଥିତ । ଏବେ ପର୍ଯ୍ୟନ୍ତ ଯେଉଁ ଚାପା ଆଶଂକାଟି ମନ ଭିତରେ ଦାନା ବାନ୍ଧି ଥିଲା, ହଠାତ୍ ସେଟା ସହସ୍ରଗୁଣ ବଢ଼ି ଗଲା ପରି ଲାଗିଲା ।

ବେଦୀଟିକୁ ଦେଖି ଗୋଟେ ଅଦ୍ଭୁତ କଥା ମୁଣ୍ଡକୁ ଆସିଲା- ଏଇ ବେଦୀଟା ହିଁ ସେଇ କବର ନୁହେଁ ତ ଯେଉଁଟାକୁ ଆମେ ଖୋଜୁଛୁ? ଶାବଳ ଦେଇ ବେଦୀଟା ଉପରେ ଟିକେ ଆଘାତ କଲି- ଶବ୍ଦ ଶୁଣି ମନେ ହେଲା ବେଦୀଟା ଭିତରୁ ଫମ୍ପା । ମନେ ହେଲା ବେଦୀଟିର ଉପର ପଥରଟା ଅସଲରେ କବରଟିର ଢାଙ୍କୁଣୀ । ଅଳ୍ପ ଖୋଜିଲା ପରେ ପଳାଶକୁ ବେଦୀର ଉପର ଆଡ଼େ ସୁକ୍ଷ୍ମ ଗୋଟେ ଫାଙ୍କ ଦିଶିଲା । ଦି’ଜଣ ମିଶି ପାଳି କରି ସେଇ ଫାଙ୍କ ଉପରେ କ୍ରମାଗତ ଆଘାତ କରିବାକୁ ଲାଗିଲୁ । ଶକ୍ତ ପଥର ସାଙ୍ଗରେ ଲୁହାର ସଂଘର୍ଷ ଯୋଗୁ ଝାଇଁଝାଇଁ ହୋଇ ଗଲା ସେଇ ବଦ୍ଧ ଘରର ନିସ୍ତବ୍ଧ ପରିବେଶ- ମନେ ହେଲା ତୀବ୍ର ଚିତ୍କାର କରି ଉଠିଲା ଅନ୍ଧାର ଜଗତର ସେଇ ସୁପ୍ତ ବାସିନ୍ଦା, ଯାହାର ଚିରନିଦ୍ରାକୁ ଭଙ୍ଗ କରି ଆମେ କରିଥିଲୁ ଗୋଟେ ଅକ୍ଷମ୍ୟ ଅପରାଧ ।

କ୍ରମାଗତ ଆଘାତ ଯୋଗୁ ଫାଙ୍କଟା ଆହୁରି ଚଉଡ଼ା ହେଲା । ବେଦୀର ଉପରର ପଥରଟା ସାମାନ୍ୟ ଢିଲା ହେଲେ ଆମେ ଦି’ଜଣ ମିଶି ଧୀରେ ଧୀରେ ଠେଲି ତାକୁ ଅଳ୍ପ ଟିକେ ହଟେଇ ଦେଲୁ । ଫମ୍ପା ବେଦୀ ଭିତରେ ଆମେ ଦେଖିଲୁ ୩ଶତବର୍ଷଠୁ ମଧ୍ୟ ବେଶୀ ପ୍ରାଚୀନ ଗୋଟେ କଙ୍କାଳ । କାଳର ପ୍ରକୋପ ଉପେକ୍ଷା କରି ଏବେ ପର୍ଯ୍ୟନ୍ତ ଅବିକୃତ ରହିଛି ସେଇ ଶରୀରାସ୍ଥି- ଗୋଟେ ହାଡ଼ ମଧ୍ୟ ନିଜ ଜାଗାରୁ ହଟିନି । ନା, ଟିକେ ଭୁଲ କହିଲି । କାଳର ପ୍ରକୋପ ନ ପଡ଼ିଲେ ମଧ୍ୟ କଙ୍କାଳଟି କିନ୍ତୁ ଅକ୍ଷତ ନୁହେଁ- କିଛି କିଛି ସ୍ଥାନରେ ଆଘାତର ଚିହ୍ନ ସ୍ପଷ୍ଟ, ଠିକ ଯେମିତି ଗୋଟେ ହିଂସ୍ର ପଶୁ କ୍ରୋଧାନ୍ଧ ହୋଇ ଚଳେଇ ଯାଇଛି ଉନ୍ମତ୍ତ ଆକ୍ରମଣ । ଶ୍ୱେତଶୁଭ୍ର ଅସ୍ଥି ଉପରେ ଶ୍ୱାଦନ୍ତ ଆଉ ନଖର ଦାଗ ସୁସ୍ପଷ୍ଟ ।

“ଜିନିଷଟାକୁ ଚିହ୍ନି ପାରୁଛୁ?”, ବିସ୍ମିତ କଣ୍ଠରେ ପଳାଶ ପଚାରିଲା ।

ଠିକ ଚିହ୍ନି ପାରିଛି । କଙ୍କାଳଟିର ବେକରେ ସବୁଜ ଜେଡ୍ ପଥରରେ ତିଆରି ଗୋଟେ ଅଦ୍ଭୁତ ଲକେଟ । ପଥରଟିକୁ ଖୋଦି ଖୋଦି ଗୋଟେ ଡେଣାଯୁକ୍ତ କୁକୁରଜାତୀୟ ପ୍ରାଣୀର ଆକାର ଦିଆ ଯାଇଛି । ବିକଟ ହାଁ ହୋଇଥିବା ମୁହଁରେ ଧାରୁଆ ଦାନ୍ତର ଧାଡ଼ି, ଯାହାର ଭିତରୁ ବାହାରି ଆସିଛି ରକ୍ତଲୋଲୁପ ଲହ-ଲହ ଜିହ୍ଵା । ଚାରି ପାଦର ଧାରୁଆ ନଖର, ଛୁରୀ ପରି ଉଦ୍ଧତ ଆଉ ଉନ୍ମତ୍ତ । ଦି’ଆଖିର କୁଟିଳ ଚାହାଣୀରେ ଅସୀମ ଜିଜ୍ଞାସା । ପଥରଟି ଅଜଣା ଧାତୁରେ ତିଆରି ଗୋଟେ ଅଦ୍ଭୁତ ନେକଲେସରେ ଲଗା ହୋଇଛି । କିନ୍ତୁ ଅସଲ କଥାଟି ହେଲା, ଯଦିଓ ଆମେ ଏଇ ଲକେଟକୁ ପୂର୍ବରୁ କେବେ ମଧ୍ୟ ଆଖିରେ ଦେଖିନୁ, ତଥାପି ଆମେ ୟା ସାଥିରେ ଭଲଭାବରେ ପରିଚିତ ।

ଦୁଷ୍ପ୍ରାପ୍ୟ ବସ୍ତୁ ସାଥିରେ ଦୁଷ୍ପ୍ରାପ୍ୟ ପୋଥି, ପାଣ୍ଡୁଲିପି, ଇତ୍ୟାଦି ମଧ୍ୟ ସଂଗ୍ରହ କରିବାର ସଉକ ଥିଲା ଆମ ଦି’ଜଣଙ୍କର । ବେଶ କିଛି ପୁରୁଣା ପୋଥିରେ ଏହି ଲକେଟର ଉଲ୍ଲେଖ ଅଛି । ସର୍ବପ୍ରଥମ ଯେଉଁ ପୋଥିରେ ଏଇ ଲକେଟର ଉଲ୍ଲେଖ ଥିଲା ତାର ନାଁ ଅଃକ୍ତୁଗ୍ରନ୍ଥମ୍ । ପ୍ରାୟ ତିନିହଜାର ବର୍ଷ ପୁରୁଣା ଏଇ ପୋଥିରୁ ଅଳ୍ପ ଅଳ୍ପ ତଥ୍ୟ ନେଇ ଆହୁରି ବହୁତ ଗୁଡ଼େ ପୋଥି ଲେଖା ହୋଇଥିଲା ପରବର୍ତ୍ତୀ ସମୟରେ । ଯଦିଓ ବିଭିନ୍ନ ଘଟଣାଚକ୍ର ଯୋଗୁ ଆଦି ଅଃକ୍ତୁଗ୍ରନ୍ଥମର ସବୁଗୁଡ଼ିକ ପ୍ରତିଲିପି ପୋଥି ନଷ୍ଟ ହୋଇ ଯାଇଛି, ତଥାପି ବିଦ୍ଵାନମାନଙ୍କ ଧାରଣା ଆଜି ମଧ୍ୟ ଆଦି ଅଃକ୍ତୁଗ୍ରନ୍ଥମର ଗୋଟିଏ ପ୍ରତିଲିପି ଲୋକଚକ୍ଷୁର ଆଢ଼ୁଆଳରେ କେଉଁଠି କେଜାଣି ସଂରକ୍ଷିତ ଅଛି । ଆମେ ଆଦି ଅଃକ୍ତୁଗ୍ରନ୍ଥମ କେବେ ମଧ୍ୟ ଦେଖିନୁ କିନ୍ତୁ ଅଃକ୍ତୁଗ୍ରନ୍ଥମରୁ ତଥ୍ୟ ନେଇ ଲେଖା ହୋଇଥିବା ଏମିତି କିଛି ପୋଥି ଆମେ ପଢ଼ିଥିଲୁ । ସେମିତି ଗୋଟିଏ ପୋଥିରେ ଏଇ ଲକେଟର ବିବରଣୀ ଥିଲା । ତିନିହଜାର ବର୍ଷ ପୁରୁଣା ଏମିତି ଗୋଟିଏ ଦୁଷ୍ପ୍ରାପ୍ୟ ବସ୍ତୁ ନବପୁର ପରି ଗୋଟିଏ ଛୋଟ ଅଜ୍ଞାତ ସହରତଳିରେ ପାଇବା ଗୋଟିଏ ଅତ୍ୟାଶ୍ଚର୍ଯ୍ୟ ଘଟଣା ।

ଦାରୁଣ ଉତ୍ସାହରେ ପଳାଶ କଙ୍କାଳଟିର ବେକରୁ ସେଇ ଲକେଟଟି ଓଟାରି ପକେଇଲା । ହାୟ, ଆମେ କ’ଣ ଜାଣିଥିଲୁ କେଉଁ ଅଜଣା ମୂର୍ତ୍ତିମାନ ଅମଙ୍ଗଳକୁ ଆହ୍ୱାନ ଜଣଉଛୁ ଆମେ? ଲକେଟଟି ଖୋଲିବା ମାତ୍ର ବହୁଦୂରରୁ ଭାସି ଆସିଲା ଗୋଟେ ବଣ୍ୟ ପଶୁର କ୍ରୁଦ୍ଧ ହୁଙ୍କାର- ମନେ ହେଲା ଗଭୀର ରାତିର ନୀରବତାକୁ ଚିରି ଧାଇଁ ଆସିଲା ଗୋଟେ ଅଶୁଭ ସଂକେତ । ଆମେ କୁସଂସ୍କାରାଚ୍ଛନ୍ନ ନୁହେଁ, ତଥାପି ମନେ ହେଲା ଯେମିତି କୋଠରୀ ଭିତରେ ଧୀରେ ଧୀରେ ଘନୀଭୂତ ହୋଇ ଉଠୁଛି ଗୋଟେ ଅଲୌକିକ ଅପଚ୍ଛାୟା । ବଦ୍ଧ କୋଠିରେ ଅପାର୍ଥିବ ସେଇ ହୁଙ୍କାର କମ୍ପେଇ ଦଉଥିଲା ସୁପ୍ତ ହେଉଥିବା ଆମର ଶଙ୍କିତ ଚେତନାକୁ । କୌଣସି ଅଜଣା ବିଭୀଷିକାକୁ ଡରି ଆମେ ଯଥା ଶୀଘ୍ର ବନ୍ଦ କରି ଦେଲୁ ସେଇ କବରଟିକୁ । ବେଶୀ ସମୟ ସେଇ ଅଭିଶପ୍ତ କୋଠରୀରେ ରହିବାକୁ ମନ ସାୟ ଦେଉ ନଥିଲା ଆମର । ତଡ଼ିଘଡ଼ି ସିଡ଼ି ଭାଙ୍ଗି କୋଠରୀରୁ ବାହାରି, ଶକ୍ତ କରି କୋଠରୀର କବାଟଟିକୁ ବନ୍ଦ କରି ଦେଲୁ ଆମେ ।

ରାଜମହଲରୁ ଯେଉଁ ସମୟ ଆମେ ବାହାରିଲୁ, ସେଇ ସମୟରେ ରାତିର ଶେଷ ପ୍ରହର ଚାଲୁଥିଲା । ପାଦ ଚଳେଇ ଆମେ ସିଧା ନବପୁର ରେଳ-ଷ୍ଟେସନକୁ ପହଞ୍ଚିଲୁ । ସକାଳ ୭’ଟାର ଫେରନ୍ତି ଟ୍ରେନ ଧରି ସିଧା ଫେରିଲୁ ଘରକୁ ।

ଘରକୁ ପହଞ୍ଚି ସର୍ବପ୍ରଥମ ଯେଉଁ କାମଟା କଲୁ ସେଟା ହେଲା ଲକେଟଟିକୁ ଭଲ କରି ସଫା କରିବା । ଲକେଟଟିକୁ ଗୋଟେ କାଚର ଆଧାରରେ ରଖି ନୂଆ ଗୋଟେ ଡାୟାସ ଟେବୁଲ ଉପରେ ରଖିଲୁ । ପ୍ରତିଦିନ ଆମେ ଦି ଜଣ ସଂଗ୍ରହାଳୟର ସବୁ ସାମଗ୍ରୀର ପରିଚର୍ଯ୍ୟା କରୁ । ଅନ୍ୟାନ୍ୟ ବସ୍ତୁଗୁଡ଼ିକ ସାଥିରେ ଲକେଟଟିର ପରିଚର୍ଯ୍ୟା ମଧ୍ୟ ଆରମ୍ଭ ହେଲା । ୟା ମଝିରେ ଦିନେ ରତିକାନ୍ତ ଆସି ବୁଲି ଗଲା । ତା ଯୋଗୁଁ ଏତେ ଅମୂଲ୍ୟ ଗୋଟେ ଜିନିଷ ପାଇଛୁ, ସେଥିପାଇଁ ତାକୁ ଖୁସି ହୋଇ ମୋଟା ପରିମାଣର ପାରିଶ୍ରମିକ ଦେଲୁ । କାନ ଆଉଁସା ହସ ହସି ରତିକାନ୍ତ ଚାଲିଗଲା ।

ଲକେଟଟି ଆସିବା ପରେ ପଳାଶ ଭିତରେ ଧୀରେ ଧୀରେ ବେଶ କିଛି ପରିବର୍ତ୍ତନ ଲକ୍ଷ କଲି । ଆଗେ ଯେଉଁ ବ୍ୟକ୍ତି ନିଷ୍ଠା ସହିତ ସଂଗ୍ରହାଳୟର ସବୁ ବସ୍ତୁର ପରିଚର୍ଯ୍ୟା କରୁଥିଲା, ସିଏ ହଠାତ୍ ସବୁ କିଛି ଭୁଲି ଖାଲି ଲକେଟଟିକୁ ନେଇ ବ୍ୟସ୍ତ ରହିବାକୁ ଲାଗିଲା । ପ୍ରାୟତଃ ତାକୁ ଦେଖେ ଲକେଟଟିକୁ ହାତରେ ନେଇ ମୋହବିଷ୍ଟ ହୋଇ ଅନେଇ ରହିଛି । ଘଣ୍ଟା ଘଣ୍ଟା ଧରି ଲକେଟଟିକୁ ହାତରେ ନେଇ ସମୟ ବିତଉଛି, ନିଜ ମନରେ ଫିସ୍‌ଫିସ୍ କରି କ’ଣ ସବୁ ଦୁର୍ବୋଧ୍ୟ କଥା କହୁଛି । କେତେ ଥର ଦେଖିଛି ଲକେଟଟିର ସାମନାରେ ଧୂପକାଠି ଜଳେଇ, ଆଣ୍ଠୁ ମାଡ଼ି, ମୁଣ୍ଡ ତଳକୁ କରି ବସି ରହିଛି- ହଠାତ୍ ଦେଖିଲେ ମନେ ହେବ ପ୍ରାର୍ଥନା କରୁଛି, ଯଦିଓ ପଚାରିଲେ କୌଣସି ଉତ୍ତର ଦେଇନି କେବେ ମଧ୍ୟ । କଲେଜର ଅଧ୍ୟାପନା ଠିକଠାକ ଚାଲିଲେ ମଧ୍ୟ ଘରେ ଯେତେ ସମୟ ରହୁଥିଲା, ସବୁ ସମୟ ଖାଲି ସଂଗ୍ରହାଳୟରେ ପଶି ଲକେଟଟିକୁ ନେଇ ବ୍ୟସ୍ତ ରହୁଥିଲା । ଗୋଟିଏ ମାତ୍ର ସାଙ୍ଗର ଏମିତି ଆଚରଣ ଦେଖି ଭାରି ଦୁଶ୍ଚିନ୍ତାରେ ପଡ଼ିଲି ମୁଁ ।

ପଳାଶକୁ ନେଇ ଦୁଶ୍ଚିନ୍ତା ଯାଇନି, ହଠାତ୍ ଘରେ କିଛି ଅଦ୍ଭୁତ ଘଟଣା ଘଟିବାକୁ ଲାଗିଲା । ଆଗେ ହିଁ କହିଛି ଆମ ଘରଟି ସହରର ବାହାରେ, ନିର୍ଜନ ଅଞ୍ଚଳରେ । ଘରଠୁ ଦଶ ମିନିଟ ଦୂରରେ ଗୋଟିଏ ଛୋଟିଆ ହଲ୍ଟ ଷ୍ଟେସନ । ପାଖାପାଖି ଯେଉଁ କେତେଟା ଘର ବା କୋଠୀ ଅଛି, ସେଗୁଡ଼ିକ ସବୁ ଫାର୍ମ-ହାଉସ । ମାଲିକମାନେ ସହରରେ ରୁହନ୍ତି, ମଝିରେ ମଝିରେ କିଛିଦିନ ପାଇଁ ଆସି ଦିନ ବିତେଇ ଯାନ୍ତି । ବାକି ଯେଉଁ ଦି’ଟା ଘର ଅଛି, ସେଗୁଡ଼ା ଏଇନେ ମଧ୍ୟ ପୁରା ତିଆରି ହୋଇନି, ସେଥିପାଇଁ ସେଇ ଦିଟା ଘର ମଧ୍ୟ ଖାଲି ପଡ଼ି ରହିଛି ।

ସେଦିନଟା ଥିଲା ଶୁକ୍ରବାର । ପାହାନ୍ତା ସମୟରେ ଉଠି ପ୍ରାତଃଭ୍ରମଣରେ ବାହାରିବା ମୋର ବହୁତ ଦିନର ଅଭ୍ୟାସ । ସେଦିନ ପ୍ରାତଃଭ୍ରମଣରୁ ଫେରିବା ସମୟରେ ଗୋଟିଏ ଅଦ୍ଭୁତ ଜିନିଷ ଲକ୍ଷ୍ୟ କଲି । ଦାଣ୍ଡ-କବାଟରେ ମାଟିରୁ ତିନି ଫୁଟ ଉପରେ ତିନିଟା ସମାନ୍ତରାଳ ଆମ୍ପୁଡ଼ିବାର ଦାଗ ପ୍ରକଟ ହୋଇ ରହିଛି । ଯେତେଦୂର ମନେ ପଡ଼ିଲା, ଏମିତି ଦାଗ ଆଗେ କେବେ ମଧ୍ୟ ନଥିଲା । ପଳାଶକୁ ଡାକି ଦେଖାଇବାରୁ ସିଏ ୟାକୁ “କୁକୁର ବିଲେଇର କାଣ୍ଡ” କହି ହସି ଉଡ଼େଇ ଦେଲା । ସାଙ୍ଗ ଯେତେ ବି ଥଟ୍ଟାକରି କଥାଟିକୁ ଉଡ଼େଇ ଦଉ, ମୋର ମନ ଭିତରର ଶଙ୍କିତ ଭାବଟି ଗଲା ନାହିଁ । ଜୀବନରେ “କୁକୁର ବିଲେଇର” ଆମ୍ପୁଡ଼ିବା ଦାଗ ବହୁତ ଦେଖିଛି । ସେଗୁଡ଼ିକ କେବେ ମଧ୍ୟ ଏତେ ବଡ଼ ଆଉ ଗଭୀର ହୁଏନି ।

ପରଦିନ ରାତିରେ ବଜାର କରି ଫେରୁ ଫେରୁ ପଳାଶ ବହୁତ ରାତି କରି ପକେଇ ଥିଲା । ଘନ ମେଘରେ ଆକାଶ ଛାଇ ରହିଥିଲା ସଞ୍ଜବେଳଠୁ । ରାତି ବଢ଼ିବା ସାଥିରେ ଦୁର୍ଯୋଗଟି ମଧ୍ୟ ବଢ଼ୁଥିଲା ଧୀରେ ଧୀରେ । ପଳାଶ ଯେଉଁ ସମୟରେ ବସ ଷ୍ଟପେଜରେ ଓହ୍ଲେଇଲା, ପ୍ରବଳ ପବନ ଯୋଗୁ ବାଟ ଚାଲିବା ହିଁ ଦୁଷ୍କର । ଏକରେ ତ ନିର୍ଜନ ବାଟ, ତା’ଉପରେ ଦୁର୍ଯୋଗ- ଜନଶୂନ୍ୟ ବାଟ ଦେଇ ଆସୁ ଆସୁ ପଳାଶର କେମିତି ଗୋଟିଏ ଅଦ୍ଭୁତ ଅନୁଭୂତି ହେଲା । ମଝିରେ ମଝିରେ ତା’ର ମନେ ହେଉଥିଲା, କିଏ ଜଣେ ତାକୁ ଅନୁସରଣ କରୁଛି ଧୀରଗତିରେ । କିନ୍ତୁ ନା, ବାରମ୍ୱାର ପଛକୁ ଚାହିଁ ମଧ୍ୟ ଅସ୍ୱାଭାବିକ କିଛି ତା ନଜରରେ ପଡ଼ିଲାନି । ଘଟଣାଟିକୁ ମନର ଭ୍ରମ ଭାବି ପଳାଶ ଧୀରେ ଧୀରେ ଘର ଆଡ଼କୁ ବଢ଼ିଲା । ଯେତେବେଳେ ସିଏ ଘରକୁ ପଶିଲା, ପୁରା ଓଦା ହୋଇ ସାରିଛି ବର୍ଷାରେ । ଏତେ ରାତିରେ ଓଦା ହୋଇ ତାର ଦେହ ଅସୁସ୍ଥ ପରି ଲାଗୁଥିଲା, ସେଥିପାଇଁ କିଛି ନ ଖାଇ ପଳାଶ ଶୋଇବାକୁ ଚାଲି ଗଲା ଶୀଘ୍ର । ମୁଁ ମଧ୍ୟ ଶୀଘ୍ର ଖାଇବା ସାରି ଖଟକୁ ଉଠି ଗଲି । ରାତିଟା ନିର୍ବିଘ୍ନରେ କଟିଲା ସତ୍ତ୍ୱେ ପରଦିନ ପୁଣି କବାଟ ଉପରେ ସେମିତି ତିନିଟା ଗଭୀର ଆମ୍ପୁଡ଼ିବା ଦାଗ ଦେଖା ଗଲା । ଏଥର କିନ୍ତୁ ପଳାଶ ଘଟଣାଟିକୁ “କୁକୁର ବିଲେଇର କାଣ୍ଡ” କହି ହସି ଉଡ଼େଇ ଦେଇ ପାରିଲାନି ।

ୟା ପରେ ମଝିରେ ମଝିରେ ହିଁ ଏମିତି ସବୁ ଅଦ୍ଭୁତ କାଣ୍ଡ ଘଟିବାକୁ ଲାଗିଲା ଯେଉଁଗୁଡ଼ିକୁ ବ୍ୟାଖ୍ୟା କରିବାକୁ ମୋର ବୋଧବୁଦ୍ଧି ଅକ୍ଷମ । ପ୍ରତି ରାତିରେ ମନେ ହୁଏ କିଏ ଜଣେ ଆମ ଦାଣ୍ଡ-କବାଟ ପର୍ଯ୍ୟନ୍ତ ଚାଲି ଚାଲି ଆସେ । ନିଝୁମ ରାତିର ନିର୍ଜନ ପରିବେଶରେ ମଝିରେ ମଝିରେ ଘର ଚାରିଆଡ଼େ ଅଦୃଶ୍ୟ କାହାର ପାଦର ଶବ୍ଦ ଶୁଭାଯାଏ, ଯଦିଓ କବାଟ ଖୋଲିଲେ କାହାକୁ ମଧ୍ୟ ଦେଖା ଯାଏ ନି । ଆଗେ ଯେଉଁ ଆମ୍ପୁଡ଼ିବା ଦାଗ ଦାଣ୍ଡ-କବାଟରେ ପ୍ରକଟ ହେଉଥିଲା, ସେମିତି ଦାଗ ଦୋତାଲାର ଝରକା ରେ ମଧ୍ୟ ପ୍ରକଟ ହେବାକୁ ଲାଗିଲା । ପ୍ରାୟତଃ ହିଁ ମନେ ହୁଏ ଅଶୁଭ କାହାର ଅଭିଶପ୍ତ ଅସ୍ତିତ୍ୱ ଦୂଷିତ କରି ଦେଉଛି ନିଝୁମ ରାତିର ନିସ୍ତବ୍ଧ ପରିବେଶକୁ । ମନେ ହୁଏ କେଉଁ ଅଜଣା ବିଷବାଷ୍ପ ଧୀରେ ଧୀରେ କୁହୁଡ଼ି ପରି ମାଡ଼ି ବସୁଛି ଘର ଚାରିଆଡ଼େ ।
୧୫ ସେପ୍ଟେମ୍ୱରର ରାତିରେ ପ୍ରଥମଥର ପାଇଁ ସେଇ ଆତଙ୍କକୁ ବହୁତ ପାଖରୁ ଅନୁଭବ କଲି । ମୋର ଶୋଇବା ଘରଟି ଅଳିନ୍ଦର ଶେଷ ପ୍ରାନ୍ତରେ । ରାତିର ଖାଇବା ସାରି ଖଟକୁ ଯାଉଛି, ହଠାତ୍ ଆସ୍ତେ କରି କବାଟ ବାଡ଼େଇବା ପରି ମୃଦୁ ଗୋଟେ ଶବ୍ଦ ହେଲା । ବୋଧେ ପଳାଶର କିଛି ଦରକାର ପଡ଼ିଛି, ଏଇୟା ଭାବି ମୁ କବାଟ ଖୋଲିଲି । କିନ୍ତୁ ନା, କବାଟରେ କେହି ନଥିଲେ । ଛାଇ-ଆଲୁଅ ଅନ୍ଧାରରେ ଅଳିନ୍ଦଟି ଥମଥମ୍ କରୁଥିଲା ରହି ରହି- ଲାଗୁଥିଲା କେଉଁ ଅଜଣା ଜଗତର ରହସ୍ୟମୟ ଗୋଟିଏ ଖଣ୍ଡ ଭାସି ଆସିଛି ପୃଥିବୀକୁ । କବାଟ ବାଡ଼େଇବା ଶବ୍ଦଟିକୁ ମନର ଭ୍ରମ ଭାବି କବାଟ ବନ୍ଦ କରିବାକୁ ଯାଉଛି, ହଠାତ୍ କାନର ବହୁତ ପାଖରେ ଚାପାକଣ୍ଠରେ ଖଳଖଳ କରି କେହି ହସି ଉଠିଲା । ମୁହୂର୍ତ୍ତ ପାଇଁ ଦାରୁଣ ଆତଙ୍କରେ ରକ୍ତ ଥଣ୍ଡା ପଡ଼ିଗଲା ମୋର- ମନେ ହେଲା ମୁଁହକୁ ଡିଆଁ ମାରି ଚାଲି ଆସିଲା ମୋର ହୃତ୍ପିଣ୍ଡଟି । ନିମିଶେ କବାଟ ବନ୍ଦ କରି ଖଟକୁ ଉଠି ମୁଁ କମ୍ୱଳ ଘୋଡ଼େଇ ଶୋଇ ପଡ଼ିଲି । ସାରା ରାତି ଭଲ କରି ନିଦ ହେଲାନି- ଦୁଃସ୍ୱପ୍ନ ଆଉ ଅଧା-ନିଦ ଅଧା-ଆଚ୍ଛନ୍ନତାରେ ମନେ ହେଉଥିଲା ଯେମିତି ବହୁ ଦୂରରୁ ଭାସି ଆସୁଛି କୌଣସି ବଣ୍ୟ ହିଂସ୍ର ପଶୁର କ୍ରୁଦ୍ଧ ହୁଙ୍କାର । ଭୀଷଣ ଆତଙ୍କରେ ରାତିଟା କେମିତି ଭାବରେ କଟି ଗଲା । ପଳାଶକୁ କହିଲେ ସିଏ ଆହୁରି ଡରି ଯାଇଥାନ୍ତା, ସେଥିପାଇଁ କଥାଟିକୁ ଚାପି ଦେଲି ପୁରାପୁରି ।

ଏଇ ଘଟଣାର ମାତ୍ର ଗୋଟିଏ ସପ୍ତାହ ପରେ ହିଁ ଆସିଲା ସେଇ ମହାଭୟଙ୍କର ରାତି । ସେଦିନ ମୁଁ କଲେଜରୁ ଶୀଘ୍ର ଫେରି ଆସିଥିଲି । ପଳାଶ ଆଗରୁ ଜଣେଇ ଦେଇଥିଲା ସିଏ ଗୋଟିଏ ବିଶେଷ କାମ ଯୋଗୁ ଡେରି କରି ଘରକୁ ଫେରିବ । ବୋଧେ ରାତି ୧୧’ଟା ବାଜି ଥିବ । ମୁଁ ସେଇ ସମୟରେ ବୈଠକଘରେ ବସି ବହି ପଢ଼ୁଛି, ହଠାତ୍ ରାତିର ନିସ୍ତବ୍ଧତାକୁ ଚିରି ଷ୍ଟେସନ ଆଡ଼ୁ ଭାସି ଆସିଲା ଗୋଟେ ମର୍ମାନ୍ତିକ ଆର୍ତ୍ତନାଦ । ଚିତ୍କାର ଶୁଣିବା ମାତ୍ରେ ଅଶୁଭ ଏକ ଆଶଙ୍କାରେ ମନ କମ୍ପି ଉଠିଲା ମୋର । ଘରୁ ବାହାରି ସେଇ ଆର୍ତ୍ତଚିତ୍କାର ଲକ୍ଷ କରି ଦୌଡ଼ି ଗଲି ଦ୍ରୁତଗତିରେ । କିଛିଟା ଦୂରକୁ ଯାଇ ଯେଉଁ ଦୃଶ୍ୟଟି ମୋର ଆଖିରେ ପଡ଼ିଲା, ତାହାକୁ ଦେଖି ଦାରୁଣ ଆତଙ୍କରେ ଥରି ଗଲି ମୁଁ । ପଡ଼ିଆ ମଝିରେ ରକ୍ତାକ୍ତ ଅବସ୍ଥାରେ ପଡ଼ି ଥିଲା ମୋର ସାଙ୍ଗ । ଛାତିରେ, ପିଠିରେ, ପେଟ ଆଉ ବେକରେ ଅଜସ୍ର ତାଜା କ୍ଷତଚିହ୍ନ- ଉଷ୍ଣ ରକ୍ତରେ ସିକ୍ତ ହୋଇ ଉଠୁଥିଲା ଶୁଷ୍କ ଭୂମି ।

“ଲ…. ଲକେ..ଟ! ସେଇ ଅ..ଅଭିଶପ୍ତ… ଲ..କେଟ!”… ମଝି ବାଟରେ ହିଁ ବନ୍ଦ ହୋଇ ଗଲା ମୋର ସାଙ୍ଗର କଥା । ଚିରଦିନ ପାଇଁ ମୁଁ ହରେଇ ପକେଇଲି ତାକୁ ।
ପରଦିନ ହିଁ ପଳାଶର ଶେଷକୃତ୍ୟ ସାରିଲି! ନିର୍ଜନ ପରିବେଶରେ ଏକୁଟିଆ ସେଇ ବିରାଟ କୋଠିରେ ରହିବାକୁ ସାହସ ହେଉ ନଥିଲା ମୋର । ଘରକୁ ଭଲ କରି ତାଲା ମାରି, ଦରକାରୀ ଜିନିଷପତ୍ର ସଜାଡ଼ି ନେଇ ସହର ଭିତରେ ଗୋଟିଏ ବସା ଖୋଜି ସେଠିକି ଉଠି ଗଲି । ସଂଗ୍ରହାଳୟର ସବୁ ସାମଗ୍ରୀ ପଡ଼ି ରହିଲା ସେଇ ଅଭିଶପ୍ତ କୋଠୀରେ । ସାଙ୍ଗରେ ନେଲି ଖାଲି ସେଇ ଅତ୍ୟାଶ୍ଚର୍ଯ୍ୟ ଲକେଟଟି ।

ଭାବିଥିଲି ମୁଁ ସହର ଭିତରେ, ଲୋକମାନଙ୍କ ଭିଡ଼ରେ ସୁରକ୍ଷିତ ରହିବି । କିନ୍ତୁ ନା, ଶୀଘ୍ର ହିଁ ମୋର ସେଇ ଭ୍ରମ ଭାଙ୍ଗିଗଲା । ସେଦିନ ହୋଟେଲରୁ ରାତିର ଖାଇବା ସାରି ବସାକୁ ଫେରୁଛି, ହଠାତ୍ ମନେ ହେଲା କେହି ଜଣେ ମତେ ଅନୁସରଣ କରୁଛି । ସଠିକ ବ୍ୟାଖ୍ୟା କରି ପାରିବିନି, କିନ୍ତୁ ମନେ ହେଉଥିଲା ଗୋଟେ ଯୋଡ଼ି ବୁଭୁକ୍ଷୁ ଆଖି ମୋ ଉପରେ ନିବଦ୍ଧ ରହିଛି ଦୀର୍ଘ ସମୟ ଧରି । ତଡ଼ିତଗତିରେ ପଛକୁ ଫେରି ଦେଖିବାକୁ ଚାହିଁଲି- କ୍ଷଣିକ ପାଇଁ ମନେ ହେଲା ଯେମିତି ସାଇଁ କରି ଗୋଟେ ଛାୟା ଅଦୃଶ୍ୟ ହୋଇ ଗଲା ବରଗଛ ପଛପଟେ । ଆଉ ଦିନେ ସହରର ମଝିରେ ଥିବା ହ୍ରଦ ପାଖରେ ପବନ ଖାଉଛି, ହଠାତ୍ ହ୍ରଦରୁ ବୋହୁଥିବା ପବନ ସାଥିରେ ଭାସି ଆସିଲା ଗୋଟେ କ୍ରୁଦ୍ଧ ବଣ୍ୟ ଜନ୍ତୁର ଚିହ୍ନା-ପରିଚିତ ଅପାର୍ଥିବ ଅଶୁଭ ହୁଙ୍କାର । ବେଶ ବୁଝି ପାରୁଥିଲି, ଏଇ ଅଶୁଭ ଶକ୍ତିର ହାତରୁ ମୋର ନିସ୍ତାର ନାହିଁ । ମୋର ନିୟତି ମଧ୍ୟ ମୋର ହତଭାଗ୍ୟ ସାଙ୍ଗ ପରି ହେବ- କିମ୍ୱା ତା’ଠୁ ମଧ୍ୟ ଭୟଙ୍କର କୌଣସି ପରିଣତି ମୋ ଅଦୃଷ୍ଟରେ ଲେଖା ହୋଇଛି ।

ବୁଡ଼ୁଥିବା ବ୍ୟକ୍ତି ଯେମିତି ବଞ୍ଚିବା ଆଶାରେ କୁଟାଖଣ୍ଡକୁ ପର୍ଯନ୍ତ ଆଙ୍କୁଡ଼ି ଧରେ, ମୋର ଅବସ୍ଥା ମଧ୍ୟ ଏଇନେ ସେଇପ୍ରକାର । ମନ ଭିତରେ ଗୋଟେ କ୍ଷୀଣ ଆଶା ଥିଲା- ଯଦି ମୁଁ ଲକେଟଟିକୁ ଫେରେଇ ଦିଏ, ତାହେଲେ ହୁଏତ ଏଇ ଜୀବନ୍ତ ଦୁଃସ୍ୱପ୍ନରୁ ନିସ୍ତାର ପାଇ ପାରେ । ଏଇୟା ଭାବି ଲକେଟଟିକୁ ସାଙ୍ଗରେ ନେଇ ମୁଁ ନବପୁର ପାଇଁ ଗାଡ଼ି ଧରିଲି ।

ନବପୁର ପହଞ୍ଚୁ ପହଞ୍ଚୁ ସନ୍ଧ୍ୟା ହୋଇ ଗଲା । ରାତି ଅନ୍ଧାରେ ରାଜମହଲକୁ ଯାଇ, ସେଇ ଅଭିଶପ୍ତ କୋଠରୀରେ ଓହ୍ଲେଇବାକୁ ମୋର ସାହସ ହେଲା ନି । ଆଗ ଥର ଯେଉଁ ହୋଟେଲରେ ରହିଥିଲୁ, ସେଇଠି ହିଁ ରାତି ପାଇଁ ଘର ନେଲି । ରାତି ୯’ଟାରେ ପାଖାପାଖି ଗୋଟେ ଖାଇବା ହୋଟେଲରେ ନୈଶ-ଆହାର ସାରି ନେଲି । ହୋଟେଲ-ରୁମକୁ ଫେରି କପଡ଼ା ଛାଡ଼ୁ ଛାଡ଼ୁ ଉପଲବ୍ଧି କଲି ମୋର କଣ ସର୍ବନାଶ ହୋଇ ଯାଇଛି । ଗୋଟିଏ କପଡ଼ାରେ ଜଡ଼େଇ ଲକେଟଟିକୁ ପ୍ୟାଣ୍ଟ-ପକେଟରେ ରଖିଥିଲି । ଏଇନେ ସେଇଟା ଉଭାନ । ହେଇ ପାରେ କେଉଁଠି ପଡ଼ି ଯାଇଛି ବା କେହି ପକେଟମାର କରିଛି । ଯେତେଦୂର ମନେ ପଡ଼ିଲା, ଖାଇବା ହୋଟେଲରେ ପଶିବା ପର୍ଯ୍ୟନ୍ତ ଲକେଟଟି ପକେଟରେ ଥିଲା ।

ଲକେଟଟି ହଜେଇ ମୋର ବଞ୍ଚିବାର ଶେଷ ଆଶା ମଧ୍ୟ ଚାଲି ଗଲା । ପ୍ରଚଣ୍ଡ ମାନସିକ ଯନ୍ତ୍ରଣା ନେଇ ସେଇ ରାତିରେ ମୁଁ ଶୋଇବାକୁ ଗଲି ।
ନିଦ କିନ୍ତୁ ହେଲା ଭାରି ଚମତ୍କାର । ଦୀର୍ଘଦିନ ପରେ ଦୁଃସ୍ୱପ୍ନହୀନ ଗୋଟେ ନିଦରେ ପୁରା ରାତିଟା କଟି ଗଲା । ସକାଳ ୮’ଟାରେ ହୋଟେଲବୟ ରଞ୍ଜନ ଚା ନେଇକି ଆସିଲା । ଟୋକାଟି ଭାରି ମିଶାଣିଆ, କଥା କହିବାର ଲୋକ ପାଇଲେ ଭାରି ଖୁସି । ଚା ପିଉ ପିଉ ତାଠୁ ହିଁ ଖବରଟା ପାଇଲି ।

“ଜାଣିଛନ୍ତି ସାର, ସକାଳଠାରୁ ପୁରା ନବପୁର ହୁଲସ୍ତୁଲ୍!”
“କାହିଁକି ରଞ୍ଜନ, କଣ କିଛି ହେଇଛି କି?
“ଆଉ ସାର କୁହନ୍ତୁ ନାହିଁ । ସୌରଭ ଭାଇନାଙ୍କଠୁ ହିଁ ଖବରଟା ପାଇଲି । ସୌରଭ ଭାଇନା ମାନେ ଆମ ରୋଷେଇଆ ସୌରଭ ଗାଙ୍ଗୁଲି । ସିଏ ତ ପଣ୍ଡାବଜାର ଆଡ଼େ ଘର ଭଡ଼ା ନେଇ ରୁହନ୍ତି । ସିଏ ହିଁ କହିଲେ । ତାଙ୍କ ବସା ପାଖରେ ଗୋଟେ ବିଭତ୍ସ ହତ୍ୟାକାଣ୍ଡ ହୋଇଛି!”
“ହତ୍ୟାକାଣ୍ଡ?” ମୁଁ ଚମକି ଉଠିଲି ।

“ହଁ ସାର, ସୌରଭ ଭାଇନା କହୁଥିଲେ, ଲୋକଟା ଚୋର ବୋଲି । ତିନିଥର ଜେଲ ମଧ୍ୟ ଯାଇ ସାରିଛି ଚୋରି ପାଇଁ । କାଲି ରାତିରେ ତାକୁ ଆଉ ତା’ ଭାଇକୁ କିଏ କେ ଜାଣି ନୃଶଂସ ଭାବରେ ହତ୍ୟା କରିଛି । ଟିକେ ଆଗରୁ ପୁଲିସ ଆସି ଛିନ୍ନଭିନ୍ନ ଶବ ଦି’ଟା ନେଇ ଗଲେ । ପୁରା ନବପୁର ଏଇ ଯୋଡ଼ା ହତ୍ୟାକାଣ୍ଡ ଯୋଗୁ ତଟସ୍ଥ!”

ବୁଝିବାକୁ ବାକି ରହିଲାନି କାହିଁକି ଦି’ଜଣ ସାମାନ୍ୟ ଚୋରଙ୍କୁ କେହି ଏମିତି ପ୍ରକାର ହତ୍ୟା କରିବ । ମନ ଭିତରେ ଗୋଟେ କୌତୁହଳ ଉଙ୍କି ମାରୁଥିଲା । ରଞ୍ଜନ କପ-ପ୍ଲେଟ ନେଇ ଚାଲି ଯିବା ପରେ ଶୀଘ୍ର ମୁହଁ ହାତ ଧୋଇ ବାହାରି ପଡ଼ିଲି । ଅଧଘଣ୍ଟା ଭିତରେ ସେଇଠି ପହଞ୍ଚିଲି ଯେଉଁଠୁ ଏଇ ଦୁଃସ୍ୱପ୍ନ ଆରମ୍ଭ ହୋଇଥିଲା । ରାଜମହଲର ସେଇ ଘରଟିରେ ପଶି ଯାହା ଦେଖିଲି, ମନ ଭିତରର ସନ୍ଦେହଟା ଆହୁରି ବଢ଼ି ଗଲା । ଯେଉଁ ଭୂଗର୍ଭସ୍ଥ କୋଠରୀ ଆମେ କବାଟବନ୍ଦ କରି ଦେଇଥିଲୁ, ସେଇଟା ଆଜି ଖୋଲା । ଧୀରେ ଧୀରେ କୋଠରୀକୁ ଓହ୍ଲେଇ ସେଇ ଛୋଟ ଘରଟିରେ ପଶିଲି । ରହସ୍ୟ ଉନ୍ମୋଚନ ହେଲା ଟିକେ ପରେ ହିଁ ।

କବରଟିର ଢାଙ୍କୁଣୀ ହଟିଆ ହୋଇଛି । ଭିତରେ ଶୋଇ ରହିଛି ସେଇ ଶତାଧିକ ବର୍ଷର ପ୍ରାଚୀନ କଙ୍କାଳ, ଯାହାର ମୁଁହରେ ଲାଗି ରହିଛି ଗୋଟେ ବ୍ୟଙ୍ଗାତ୍ମକ ହସ । ଯେଉଁ କଙ୍କାଳଟିକୁ ଗତଥର ଶ୍ୱେତଶୁଭ୍ର ଦେଖିଥିଲା, ଏଇନେ ତାହାର ଉପରେ ଲାଗି ରହିଛି କେଉଁ ହତଭାଗ୍ୟ ପ୍ରାଣୀର ଜମାଟ ବନ୍ଧା ଶୁଖିଲା କଳା ରକ୍ତ । ଜାଗାରେ ଜାଗାରେ ଲାଗି ରହିଛି ଛିନ୍ନଭିନ୍ନ ମାଂସପିଣ୍ଡର ଅଂଶ । କଙ୍କାଳଟିର ହାତରେ ଆଙ୍କୁଡ଼ି ଧରା ହୋଇଛି ସେଇ ଅତ୍ୟାଶ୍ଚର୍ଯ୍ୟ ଲକେଟଟି- ଠିକ ଯେମିତି ଜଣେ ମାଆ ତା’ ସନ୍ତାନକୁ ପରମ ସ୍ନେହରେ ଆଙ୍କୁଡ଼ି ଧରେ । ହଠାତ୍ ଘରଟି ସେଇ ଅଭିଶପ୍ତ ଅଶୁଭ ହୁଙ୍କାରରେ କମ୍ପି ଉଠିଲା ଥରଥର କରି, ଆଉ ଏଇ ପ୍ରଥମଥର ପାଇଁ ମୁଁ ସ୍ପଷ୍ଟ ଦେଖିଲି ସେଇ ହୁଙ୍କାରର ଉତ୍ସ । ହୁଂକାରଟି ଆସୁଛି ଶତାଧିକ ବର୍ଷର ପୁରୁଣା ସେଇ କଙ୍କାଳଟିର ମୁହଁରୁ । କ୍ଷଣିକ ପରେ ସେଇ ହୁଙ୍କାର ଥମି ବାହାରି ଆସିଲା ଗୋଟେ ପୈଶାଚିକ ଖଳଖଳ୍ ଅଟ୍ଟହାସ୍ୟ- ହାଃ ହାଃ ହା ହା ହାଃ…. ହାଃ ହା ହା…!

କେମିତି ସେଇ ଅଭିଶପ୍ତ କୋଠରୀରୁ ପଳେଇ ଆସିଲି, ମୋର ମନେ ନାହିଁ । ନବପୁରରୁ ଫେରି ଆଜି ଗୋଟେ ସପ୍ତାହ ହୋଇ ଯାଇଛି । ତିନିଦିନ ତଳେ ରତିକାନ୍ତର ଭୟଙ୍କର ହତ୍ୟାକାଣ୍ଡର ଖବର ପାଇଲି । ଲକେଟଟି ତା’ ମାଲିକ ପାଖରେ ପହଞ୍ଚି ଯିବା ପରେ ମଧ୍ୟ ଏଇ ଅଭିଶାପ ଯାଇନି । ଏଇନେ ମଧ୍ୟ ସେଇ ହୁଙ୍କାର ଶୁଭା ଯାଏ ମତେ, ଦେଖି ପାରେ ସେଇ ମହାଅମଙ୍ଗଳମୟ ଅପଛାୟାକୁ । ନିଜ ବସାରେ ବସି ଏଇ ଦୁର୍ଯୋଗପୂର୍ଣ୍ଣ ରାତିରେ ଯେଉଁ ସମୟ ମୁଁ ଆପଣମାନଙ୍କୁଙ୍କ ମୋର ଜୀବନର ଏଇ ଅଭିଶାପର କଥା ଜଣଉଛି, ଏଇନେ ମଧ୍ୟ କେଉଁ ଅଜଣା ନର୍କରୁ ଶୁଭା ଯାଉଛି ସେଇ ଚିର-ପରିଚିତ କ୍ରୁଦ୍ଧ ହୁଙ୍କାର । ଏଇ ଅଭିଶାପରୁ ମୁକ୍ତି ନାହିଁ, ମୃତ୍ୟୁ ହିଁ ମୋର ଏକମାତ୍ର ଆଶ୍ରୟ । ଅଜଣା ଗୋଟିଏ ଭୟଙ୍କର ପରିଣତିଠୁ ମୁକ୍ତି ପାଇବାର ଏକମାତ୍ର ଉପାୟ ହେଉଛି ସ୍ଵେଚ୍ଛାମୃତ୍ୟୁ ।

ଇତି,
ଜଣେ ହତଭାଗ୍ୟ

– ଶାଶ୍ୱତ ରାଉତରାୟ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...