୧୦/୧୨ ବର୍ଷର ପିଲାଟିଏ, ଗୋଟେ ଛୋଟ ହୋଟେଲରେ କାମ କରେ । ତା’ର କ’ଣ ମନ ହେଲା ଯେ ସେ ଗୋଟେ ଦିନ ଛୁଟି ନେଲା…
ସେଦିନ ସକାଳୁ ଦୋକାନରୁ ଗୋଟେ ୨ ଟଙ୍କିଆ ସାମ୍ପୁ କିଣି ଭଲକରି ଗାଧୋଇଲା । ପୂର୍ବ ଦିନରୁ ଆଇରନ୍ କରି ରଖିଥିବା ତା’ର ମାତ୍ର ଗୋଟେ ହଳ ପ୍ୟାଣ୍ଟସାର୍ଟ ପିନ୍ଧିଲା । ପକେଟରେ ଦରମା ଟଙ୍କା ତକ ରଖି ବୁଲିବାକୁ ବାହାରିଲା । ପାର୍କ ବୁଲିଲା, ବଜାର ବୁଲିଲା, ସିନେମା ଦେଖିଲା, ପପକର୍ଣ୍ଣ ଖାଇଲା, କୋଲ୍ଡ୍ ଡ୍ରିକ୍ସ୍ ବି ପିଇଲା…
ଦିନ ସାରା ବୁଲି ସନ୍ଧ୍ୟାରେ ତା’ରି ହୋଟେଲରେ ପହଞ୍ଚି ଗୋଟେ ଚେୟାର୍ରେ ବସି ପଡ଼ିଲା ଓ ପାଟି କରି କହିଲା, “ଏ ରାମୁ ପାଣି ଦେ ।” ରାମୁ ନାମକ ପିଲାଟି ଅବା କାବା ହୋଇ ପାଣି ଗିଲାସଟେ ଆଣି ଦେଲା । ପିଲାଟି ପାଣି ଗିଲାସଟିକୁ ଭଲ କରି ଦେଖିଲା ଓ କହିଲା, “ଯା ଭଲରେ ଧୋଇକି ଆଉଥରେ ଆଣ । ଆଉ ଶୁଣ ତୁମ ହୋଟେଲରେ ଯାହା ସବୁଠୁ ଟେଷ୍ଟି ମୋ ପାଇଁ ଆଣେ ।”
ଏହି ସମୟରେ ହୋଟେଲ ମାଲିକ ସେଠାରେ ପହଞ୍ଚି ଗଲେ ଓ କହିଲେ, “ଆବେ ଏ, ଏଠି କି ନାଟ ଚାଲିଛି??” ପିଲାଟି କହିଲା, “ବାବୁ ଆଜି ମୁଁ ଛୁଟି ନେଇଛି, ଆଜି ମୁଁ ତୁମ ଗରାଖ, ଯାହା ଖାଇବି ପଇସା ଦେବି ।”
ହୋଟେଲ ମାଲିକଟି ଭଲ ଲୋକ ଥିଲା; ଟିକେ ହସି ଦେଲା ଓ ମାନେ ମାନେ ଗୋଟିଏ ଦିନର “ରାଜା”କୁ ସଲାମ କରୁଥିଲା ।
– ଚିନ୍ମୟ ମହାପାତ୍ର
Comments
ଚିନ୍ମୟ ମହାପାତ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।