ଘରଟିଏ

Odia Poem Gharatie (ଘରଟିଏ) by Mrutyunjay Patra

ବସାଟିଏ ବାନ୍ଧିବାର
ଅନେକ ସ୍ଵପ୍ନ ଭିତରେ
ସେ ଦିନେ ହଜିଗଲା ।
ହଜିଗଲା ଯେ ହଜିଗଲା
ଆଉ ମିଳିଲା ନାହିଁ ।

କେଉଁ ଶୀତ ସକାଳରୁ ଉଠି ସେ ଧାଇଁଲା
କୁଟାକାଠି ନୁହେଁ, ଇଟା ଓ ସିମେଣ୍ଟ ପାଇଁ
ଧୂ ଧୂ ଖରାବେଳେ ସେ ଉଡ଼ି ଆସିଲା
ଝୋଟ ବା କାଗଜ ନୁହେଁ
ରଙ୍ଗ ଓ ମାର୍ବଲ ନେଇ ।

ଗଜଲ ଶୁଣୁଥିବା ଉଦାସ ଅପରାହ୍ନ
ସ୍ଵପ୍ନ ଦେଖୁଥିବା ରାତି ସବୁ ତା’ର
ବିତିଗଲା ମିସ୍ତ୍ରୀ ଓ ମଜୁରୀ ହିସାବରେ
ଡ୍ରଇଂ ରୁମ୍, ବାଲ୍ କୋନି, କିଚେନ୍, ସେଲ୍‌ଫ୍
ଏମିତି କେତେଟା ମୁଖସ୍ଥକରା ଶବ୍ଦ ଭିତରେ
ଝାପସା ହୋଇଗଲା ତା’ପାଇଁ
କାଳିଦାସଙ୍କର ‘କଣ୍ୱାଶ୍ରମ’
ମେଘଦୂତର ‘ଯକ୍ଷପୁର’
ବାସବଦତ୍ତାର ଅଭିସାର ।

ଥରେ ଅଧେ ଭେଟିଥିଲି
ସେଇ ଅସମାପ୍ତ ସ୍ଵପ୍ନମାନଙ୍କୁ
ଝାଉଁଳି ପଡ଼ିଥିବା ଇଚ୍ଛାମାନଙ୍କୁ,
ପାହାଚ ଚଢ଼ୁଥିବା ଦିନମାନଙ୍କୁ ।

ମୁଁ ସେ ଦିନ କୋହଛଳ ହୋଇ
ନମସ୍କାର କରିଥିଲି
ମୋର ନିର୍ବୋଧ ଅସହାୟତାକୁ ।

ଆଉଦିନେ ସବୁ ଏକାକାର ଦିଶୁଥିବା,
ବାରି ହେଉଥିବା କଂକ୍ରିଟର ଜଙ୍ଗଲ ଭିତରୁ
ମୁଁ ତାକୁ ଆବିଷ୍କାର କଲି ।
ଥକା ଥକା ତା’ର ଡେଣା
ସେ ଆଉ ଉଡ଼ି ପାରୁନାହିଁ ।

ମୁଁ ପଚାରିଲି –
‘ପକ୍ଷୀରେ ତୋର ମନେ ପଡ଼େ ନା,
ଦିଗନ୍ତର ନୀଳ ଆକାଶ
ସବୁଜ ଅରଣ୍ୟର ଫଳ
ଝରଣାର କାଚକେନ୍ଦୁ ଜଳ…?

ବହୁ କଷ୍ଟରେ ସେ କହିଲା,
ହସୁ ହସୁ କାନ୍ଦିଲା
କହିଲା- ‘ଆଉ କୁହ ନା,
ସେଇତକ ହିଁ ମୋର ପୁଞ୍ଜି,
ମୋର ସମ୍ବଳ ।
କେହି ବୁଝି ପାରନ୍ତିନି
ସୁନାର ପଞ୍ଜୁରୀରେ
ସେ ସ୍ଵପ୍ନ ମୋର ଏକାନ୍ତ..।
ମୋର ନିଜସ୍ଵ… ମୋର ସକାଳ… ।।

– ମୃତ୍ୟୁଞ୍ଜୟ ପାତ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...