ଘର ଜ୍ୱାଇଁ

Odia Poem Ghara Jwain (ଘର ଜ୍ୱାଇଁ) by Giridhari Dhal

ଜନମ କଲା ଯିଏ ମୋ’ ପାଇଁ ପର ସିଏ
ନିଜ ଗାଆଁକୁ ଭୁଲି ଶଶୁରଘର ଧାଏଁ
ରହିଛି ହେଇ ଘର ଜ୍ୱାଇଁରେ
ମୁଁ କେଡ଼େ ଭାଗ୍ୟବାନ ଜ୍ୱାଇଁରେ ॥

ମୋ ଭାଗ୍ୟ କେତେ ଭଲ ରାତି ପାହିଲେ ଗେହ୍ଲ
ଶାଶୁଶଶୁର ଶଳାଶାଳୀଙ୍କ ମାନେ ବୋଲ
ସକାଳୁ ଉଠି ମାରେ ଝାଡ଼ୁରେ
ମୁଁ କେଡ଼େ ଭାଗ୍ୟବାନ ଜ୍ୱାଇଁରେ ॥

ସତେ ବରୁଣ ରାଜା ଶଶୁର ଅଟେ ମୋର
ତାଙ୍କ ଦୟାରୁ ପୁରୁଛି ଏ ହତାଶ ଉଦର
ତାଙ୍କ ଗୁଣ ଗାଇ ଦିନ ଯାଉରେ
ମୁଁ କେଡ଼େ ଭାଗ୍ୟବାନ ଜ୍ୱାଇଁରେ ॥

ଶାଶୁମାଆ ଲାଗେ ମତେ ଅନ୍ତଃପୁର ଜେମାଦେଇ
ଝାଡ଼ୁ ପୁଚ୍ଛା ମାରୁଥିଲେ ପ୍ରଂଶସା କରେ କହି
ଏମିତି ଶାଶୁ ଅଛି କାହିଁରେ
ମୁଁ କେଡ଼େ ଭାଗ୍ୟବାନ ଜ୍ୱାଇଁରେ ॥

ଶଳା ମୋ ଚଗଲାଟା ଶାଳୀ ମୋ ସୁଇଟି
ତାଙ୍କ ସେବାରେ ମୋର ଦିନ ଯାଏ ବିତି
ଏମିତି ପରିବାର ନାହିଁରେ
ମୁଁ କେଡ଼େ ଭାଗ୍ୟବାନ ଜ୍ୱାଇଁରେ ॥

ଘରଣୀ ଦେଲେ ହସି ଲାଗଇ ଖୁସି ଭାରି
ବାସନ ମାଜୁଥାଏ ତା’ ହସକୁ ଝୁରିଝୁରି
ସେ ଦେବୀ ମୁଁ ଦେବଦାସୀରେ
ମୁଁ କେଡ଼େ ଭାଗ୍ୟବାନ ଜ୍ୱାଇଁରେ ॥

ଶଶୁର ଘରେ ମୋର ସଭିଏଁ ଆପଣାର
ଅବଶ୍ୟ ପାଖ ଲୋକ କହୁଥାନ୍ତି ଚାକର
ବାସୀ କାମ ସବୁ ମୁଁ କରେରେ
ମୁଁ କେଡ଼େ ଭାଗ୍ୟବାନ ଜ୍ୱାଇଁରେ ॥

ଦୁଇ ବଖରା ଘର ସେ ପୁଣି ଚାଳ ଛଫର
ଶାଶୁଶଶୁର ଶଳାଶାଳୀ ଶୁଅନ୍ତି ମୋର
ମୁଁ ଶୋଉଥାଏ ବାଡ଼ି ପିଣ୍ଡାରେ
ମୁଁ କେଡ଼େ ଭାଗ୍ୟବାନ ଜ୍ୱାଇଁରେ ॥

ବନ୍ଧୁ ଆସିଲେ ଘରେ ଶାଶୁ ମୋ କହେ ଧୀରେ
ଯିଏ ଆଣି ଚାହା ଦେଲା ସେ ମୋ ଘର ଜ୍ୱାଇଁରେ
ଶୁଣି ଛାତି ମୋ କୁଣ୍ଡେମୋଟ ହୁଏରେ
ମୁଁ କେଡ଼େ ଭାଗ୍ୟବାନ ଜ୍ୱାଇଁରେ ॥

– ଗିରିଧାରୀ ଧଳ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...