ପୁରୀ ଜିଲ୍ଲାର ସାକ୍ଷୀଗୋପାଳ । ସେଠାରେ ରହୁଥିଲେ ଦୁଇଟି ପରିବାର । ବହୁତ ଭଲ ସମ୍ପର୍କ ଦୁଇ ପରିବାର ମଧ୍ୟରେ । ଦାସ ବାବୁଙ୍କ ପୁଅ ସତ୍ୟ ଓ ପାତ୍ର ବାବୁଙ୍କ ଝିଅ ସୀମା ଅଳ୍ପ ସାନ ବଡ଼ । ଦୁହିଁଙ୍କ ଭିତରେ ପିଲାଟି ଦିନରୁ ଘନିଷ୍ଠ ବନ୍ଧୁତା । ସାଙ୍ଗ ହେଇ ଧୂଳିଘର କରିବାଠୁ ଆରମ୍ଭ କରି ସାଙ୍ଗ ହୋଇ ସ୍କୁଲ୍ ଯିବା, ସବୁବେଳେ ଏକାଠି, ଯେମିତି କ୍ଷୀର ଆଉ ନୀରର ସମ୍ପର୍କ । ବୟସ ବଢ଼ିବା ସହ ଦୁହିଁଙ୍କ ଭିତରେ ଥିବା ସମର୍କ ମଧ୍ୟ ନିବିଡ଼ରୁ ନିବିଡ଼ ହେବାକୁ ଲାଗେ । ଘର ଲୋକ କିନ୍ତୁ ଏ ବିଷୟରେ କିଛି ଜାଣି ନ ଥାଆନ୍ତି । ଦୁହିଁଙ୍କ ଦଶମ ପରୀକ୍ଷା ସରିବା ପରେ ସୀମା ଗାଁ କଲେଜରେ ଯୁକ୍ତ ଦୁଇରେ ନାମ ଲେଖାଏ ହେଲେ ସତ୍ୟ ସହରରକୁ ଯାଏ ପାଠ ପଢ଼ିବା ପାଇଁ । ମାତ୍ର ଦୁହିଁଙ୍କ ଭିତରେ ଥିବା ସମ୍ପର୍କ ଆଗ ଭଳି ହିଁ ରହିଥାଏ । ସତ୍ୟ ଗାଁକୁ ଗଲେ ସୀମା ସହ ଦେଖା କରେ । କେତେବେଳେ ସେମାନେ ଗାଁ ମୁଣ୍ଡ ଶିବ ମନ୍ଦିରରେ ଦେଖା କରନ୍ତି ତ କେବେ ପୁଣି ଘର ପଛପଟେ ଥିବା ଧାନ ବିଲରେ । ସମୟ ଆଗକୁ ବଢ଼ି ବଢ଼ି ଚାଲୁଥାଏ । ସମୟ କ୍ରମେ ସତ୍ୟର ଚାକିରି ହେଇଯାଏ ସହରରେ । ସୀମା ତା’ ଗାଁ ସ୍କୁଲରେ ପିଲାଙ୍କୁ ପଢ଼ାଉଥାଏ ।
ଦିନକର କଥା । ହଠାତ୍ ସତ୍ୟ ବାପାଙ୍କ ଦେହ ଖରାପ ହେଲା । ସତ୍ୟକୁ ଖବର ପଠାଗଲା । ସତ୍ୟ ଆସି ବାପାଙ୍କର ଏ ଅବସ୍ଥାରେ ଦେଖି ବ୍ୟସ୍ତ ବିବ୍ରତ ହେଇଗଲା । ବାପାଙ୍କୁ ଗାଁ ପାଖ ଡାକ୍ତରଖାନାକୁ ନିଆଗଲା । ଡାକ୍ତର କହିଲେ ବାପାଙ୍କର ହୃଦ୍ଘାତ ବାହାରିଛି । ତେଣୁ ବାପାଙ୍କୁ ଅଯଥା ଚିନ୍ତା ନ ଦେଇ ନିୟମିତ ବିଶ୍ରାମ ନେବା ପାଇଁ ଡାକ୍ତର ସତ୍ୟକୁ ପରାମର୍ଶ ଦେଲେ । ସତ୍ୟ ବି ବାପାଙ୍କର ବହୁତ ଯତ୍ନ ନେଲା । ଔଷଧ ଖାଇ ବାପା ଧୀରେ ଧୀରେ ସୁସ୍ଥ ହେଲେ । ଦିନେ ବାପା ସତ୍ୟକୁ ଡାକି କହିଲେ, “ପୁଅରେ ମୋ ପାଖରେ ବସେ । ତୋ’ ସହ ମୋର କିଛି କଥା ଅଛି ।” ବାପା ଆରମ୍ଭ କଲେ, “ପୁଅରେ ତୁ ତ ଚାକିରି କଲୁ, ଦେଖୁଚୁ ତ ମୋ ଦେହ କେମିତି ଖରାପ ହେଲାଣି । ତେଣୁ ତୋ’ ବାହାଘରଟା ସାରିଦେଲେ ମୋ ଚିନ୍ତା ଯିବ । ପାଖ ଗାଁରେ ଗୋଟେ ଭଲ ଝିଅ ଟେ ଅଛି । ପାଠ ବି ପଢ଼ିଚି । ତୁ ଯଦି ହଁ କହନ୍ତୁ କଥାଟା ଆମେ ଆଗକୁ ବଢ଼ାନ୍ତେ ।” ସତ୍ୟ ଉପରେ ବଜ୍ର ପଡ଼ିଲା ପରି ଲାଗିଲା । ସ୍ତବ୍ଧ ହେଇ ରହିଗଲା ସେ । ତା’ ପାଟିରୁ କଥା ବାହାରୁ ନ ଥାଏ । ବାପାଙ୍କୁ କିଛି ନ କହି ସତ୍ୟ ସେଠାରୁ ଯିବାକୁ ବାହାରିଲା । ବାପା ପୁଣି କହିଲେ, “ତୋ କଥା ସେଠି ଆଗକୁ ବଢ଼େଇଲି ତା’ହେଲେ ।”
ସେଦିନ ଅପରାହ୍ନରେ ସତ୍ୟ ଚୁପ୍ଚାପ୍ ଯାଇ ଗାଁ ମୁଣ୍ଡ ଶିବ ମନ୍ଦିରରେ ବସିଥାଏ । ସୀମା ଆସି ପହଞ୍ଚିଲା । ସତ୍ୟକୁ ଏ ଅବସ୍ଥାରେ ଦେଖି ସେ ବ୍ୟସ୍ତ ହେଇଗଲା । ସତ୍ୟ ତାକୁ ସବୁ କହିଲା । ସୀମା ସବୁ ଶୁଣି କିଛି ନ କହି ଘରକୁ ପଳେଇ ଆସିଲା । ସତ୍ୟ ତା’ ପଛେ ପଛେ ଆସିଲା କିନ୍ତୁ ସୀମା ଘର ଭିତରେ କବାଟ ଦେଇ ରହିଲା ଯେ ଜମା ଶୁଣିଲା ନାହିଁ । ତା’ ପରଦିନ ସତ୍ୟକୁ ଶିବ ମନ୍ଦିରରେ ଭେଟିବା ପାଇଁ ସୀମା ଖବର ଦେଇଥିଲା । ସତ୍ୟ ଆସି ପହଞ୍ଚିଲା, ସୀମା କହିଲା ସତ୍ୟ ତମେ ବାହା ହେଇଯାଅ । ବାପାଙ୍କ ମନରେ କଷ୍ଟ ଦେବା ଠିକ ନୁହଁ । ଭୁଲ୍ ତ ଆମର, ଆମେ କେବେ ବି ଆମ ସମ୍ପର୍କ ବିଷୟରେ ଘରେ ଜଣେଇଲେ ନାହିଁ । ସତ୍ୟ ସୀମାକୁ ବୁଝାଇ କହିଲା ଯେ ମୁଁ ମା ସହ କଥା ହେବି । କିନ୍ତୁ ସୀମା ଚୁପ୍ ରହିଲା । ତା’ ପରେ ସତ୍ୟ ଆଉ ସୀମା ପରସ୍ପରକୁ କେବେ ବି ଦେଖା କରନ୍ତି ନାହିଁ ।
ସତ୍ୟ ମାଆଙ୍କୁ କହିବା ପାଇଁ ଚେଷ୍ଟା କରି ମଧ୍ୟ ଅସଫଳ ହେଲା । ଶେଷରେ ସବୁ ଆୟୋଜନ ଆରମ୍ଭ ହେଇଗଲା । ଆଉ ଦୁଇଟା ଦିନ ପରେ ବାହାଘର । ସମସ୍ତେ ବହୁତ ଖୁସି ଥାଆନ୍ତି । ସୀମା ପାଖକୁ ସତ୍ୟ ଯାଇଥାଏ । ସତ୍ୟ କହିଲା ଚାଲ ସୀମା ଆମେ ଘର ଛାଡ଼ି ପଳେଇବା । ତୋତେ ମୁଁ ଏମିତି ଛାଡ଼ି ପାରିବିନି । କିନ୍ତୁ ସୀମା ମନା କରିଦେଲା ଆଉ କହିଲା କାଲି ଶେଷଥର ପାଇଁ ଗାଁ ମୁଣ୍ଡ ଶିବ ମନ୍ଦିରରେ ମୁଁ ଅପେକ୍ଷା କରିଥିବି । ତମେ ଆସିବ ତ !!! ମୁଣ୍ଡ ଟୁଙ୍ଗାରି ହଁ କଲା ସତ୍ୟ ।
ତା’ ପରଦିନ ସକାଳେ ସତ୍ୟ ଶିବ ମନ୍ଦିରରେ ପହଞ୍ଚିଲା । ସେଠି ସୀମା ଆଗରୁ ଥିଲା । ହସି ଦେଲା ସତ୍ୟକୁ ଦେଖି, କିନ୍ତୁ ସେ ହସରେ ଥିବା ଦୁଃଖ ବାରି ହୋଇ ପଡ଼ୁଥିଲା । ସୀମା କହିଲା, “ସତ୍ୟ ମୁଁ ତୁମକୁ ବହୁତ ଭଲପାଏ ଆଉ ସବୁବେଳେ ମୋ ଭଲ ପାଇବା ତମ ପାଇଁ ଏମିତି ହିଁ ରହିବ । କାଲି ତମ ବାହାଘର । ତମେ ସିନା ବାପାଙ୍କ ଖୁସି ପାଇଁ ମୋତେ ବାହା ହୋଇ ପାରିବ ନାହିଁ କିନ୍ତୁ ମୁଁ ତୁମକୁ ତ ନିଜର କରିପାରିବି ନା !!!”
“ସୀମା ତମେ କଣ୍ କହିବାକୁ ଚାହୁଁଛ???”- ସତ୍ୟ ବ୍ୟସ୍ତ ହୋଇ ପଚାରିଲା । କିଛି ନାହିଁ ସତ୍ୟ ଏଇ ଶିବ ମନ୍ଦିର ସାକ୍ଷୀ ଆମ ପ୍ରେମର ତେଣୁ ତାଙ୍କୁ ସାକ୍ଷୀ ରଖି ମୁଁ ତୁମକୁ ନିଜ ସ୍ୱାମୀ ଭାବେ ଗ୍ରହଣ କରିଲି । ତେଣୁ ମୁଁ ତୁମ ପ୍ରଥମ ସ୍ତ୍ରୀ । “ନା ସୀମା ନା ତମେ ସେମିତି କରନି ।” କିନ୍ତୁ ସୀମା ଆଉ କିଛି ଶୁଣିବା ଅବସ୍ଥାରେ ନ ଥିଲା । ଭଗବାନଙ୍କୁ ମୁଣ୍ଡିଆ ମାରି ସତ୍ୟକୁ ନିଜର କରି ସାରିଥିଲା ସେ ସବୁ ଦିନ ପାଇଁ ।
ସତ୍ୟର ବାହାଘର ବି ହେଇଗଲା । କିନ୍ତୁ ସୀମା ଆଜିଯାଏଁ ବାହା ହେଇନି । ସୀମା ଘର ଲୋକେ ତାକୁ ଯେତେ ବାଧ୍ୟ କଲେ ମଧ୍ୟ ସେ ବାହା ହେଲାନି ଓଲଟା କୁହେ ମୋ ବାହାଘର ସରିଯାଇଛି । ସୀମାର ଘର ଲୋକଙ୍କ ଅନୁରୋଧରେ ସତ୍ୟ ଥରେ ସୀମାକୁ ବାହାଘର ପାଇଁ ବୁଝାଇବାକୁ ଯାଇଥିଲା ହେଲେ ସୀମା ଓଲଟା କହିଲା ନିଜ ସ୍ତ୍ରୀକୁ ଆଉ କାହା ହାତ ଧରିବା ପାଇଁ କହୁଚ !! କି ସ୍ୱାମୀ ହେଇଚ?? ଚୁପ୍ ହେଇ ସତ୍ୟ ପଳେଇ ଥିଲା ସେଦିନ । ସତ୍ୟ ଯେବେ ଯେବେ ସୀମା ପାଖକୁ ଯାଏ, ସୀମା ତାକୁ ପଚାରେ ଯେ ଖୁସି ଅଛ ନା ନାହିଁ । ବାସ୍ ଆଉ କିଛି ବି କୁହେନି । ଏହି ବର୍ଷ ସତ୍ୟର ଗୋଟେ ଝିଅ ହେଇଛି । ତାର ନାଁ ସତ୍ୟ ଦେଇଛି ସୀମା । ଶୁଣିବାକୁ ମିଳେ ଯେ ସତ୍ୟର ସ୍ତ୍ରୀ ମଧ୍ୟ ଏ ସବୁ ଜାଣନ୍ତି । କିନ୍ତୁ ସେ କେବେ ଏ ସବୁ ପାଇଁ ସତ୍ୟ କିମ୍ବା ସୀମା ଉପରେ ରାଗ ରୁଷା କରନ୍ତି ନାହିଁ ।
ଏହା ଏକ ଗପ ଭଳି ଲାଗି ପାରେ କାରଣ ଆଜି ଭଳି ଦୁନିଆରେ ସୀମା ଓ ସତ୍ୟ ଭଳି ଝିଅ ପୁଅ ବିରଳ । ଏ ଭଳି ପ୍ରେମ ବିରଳ । ପ୍ରେମକୁ ବୁଝି ସ୍ୱାମୀକୁ ଘୃଣା କରୁନଥିବା ସ୍ତ୍ରୀ ମଧ୍ୟ ବିରଳ । କିନ୍ତୁ ଏ ଗପ ହେଲେ ବି ସତ ।
– ନିବେଦିତା ବେହେରା
Comments
ନିବେଦିତା ବେହେରା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।