ଚାରିଆଡ଼େ ବୈଶ୍ୱିକ ମହାମାରୀର ବିଭତ୍ସ ରୂପ । ଅସହାୟ ମାନବ ସମାଜ ଆଜି ଭୀତ; ତ୍ରସ୍ତ । ହାହାକାରର ଅଦୃଶ୍ୟ ପରଦାଟିଏ ଢାଙ୍କିହୋଇଛି ବାତାବରଣରେ । ବଞ୍ଚିବାକୁ ସଂଘର୍ଷ କରୁଥିବା ମନୁଷ୍ୟର ଜୀବନ ଓ ଜୀବିକା ଦୁର୍ବିସହ । ଲାଚାର ଜୀବନ ଶୁଷ୍କ ପୁଷ୍ପ ପରି ଝଡ଼ି ପଡ଼ୁଛନ୍ତି ସମୟ ଅସମୟରେ । ହଜାର ହଜାର ପରିବାର ଆଜି ଅନାଥ; ମୁରବି ବିହୀନ । ଅଦୃଶ୍ୟ ଆତଙ୍କଟିଏ ଅଙ୍ଗୁଳି ଦେଖାଇ ସତେ ଯେପରି ବିଦ୍ରୁପ କରୁଛି ତା’ ଅସହାୟତା ଉପରେ ! ଅସହାୟତାର ଏ କି ବିକଳାଙ୍ଗ ରୂପ ସତେ ! ବିଶ୍ୱ ଅନେକ ମହାମାରୀ ସହ ସଂଘର୍ଷ କରିଛି ବିଗତ ବର୍ଷମାନଙ୍କରେ, ହେଲେ ଏମିତି ବିବଶ ବୋଧେ କେବେ ହେଇନି । କେବେ ନିଜ ବିବଶତାକୁ ସମର୍ପି ଦେଇନି କାଳର କରାଳ ପ୍ରବାହକୁ । ତେବେ ମନରେ ପ୍ରଶ୍ନ ଆସେ, ଏ ବିପତ୍ତି ପାଇଁ ଦାୟୀ କିଏ !? ଏ ଭୂତାଣୁ ପ୍ରାକୃତିକ କି ମନୁଷ୍ୟକୃତ ତାହା ଏକ ଭିନ୍ନ ତର୍କ, କିନ୍ତୁ ଏହାର ପ୍ରଭାବକୁ ତ ରୋକାଯାଇ ପାରିଥାନ୍ତା ! ତା’ହେଲେ ରୋକାଗଲାନାହିଁ କାହିଁକି !?
ପିଲାଦିନେ ପଢ଼ିଥିବା ଗଳ୍ପଟିଏ ମନେପଡ଼େ । ସବୁଦିନ ସ୍ୱାଦିଷ୍ଟ ଜମୁକୋଳି ଖାଉଥିବା ମାଙ୍କଡ଼ ବନ୍ଧୁଙ୍କର ସୁସ୍ୱାଦୁ କଳିଜା ନିମିତ୍ତ ଛଳନା ପୂର୍ବକ ଜଳବିହାର କରାଇବାର ପ୍ରଲୋଭନ ଦେଖାଇ, ପିଠିରେ ବସାଇ ଜଳର ଗଭୀରତମ ପ୍ରଦେଶରେ ନିଜର ଇଚ୍ଛା ପ୍ରକାଶ କରେ ନକ୍ରରାଜ ! ସେ ଜାଣିଥିଲା ସେଇଠୁ ମାଙ୍କଡ଼ର ଖସିଯିବା ସମ୍ଭାବନା କ୍ଷୀଣ । ଅତଃ ତା’ର ଶିକାର ଅତୀବ ସହଜ । ତେଣୁ ସେ ମନେକଲା ବେଫିକର ହୋଇ ମନର କଥା ପ୍ରକାଶ କରିବାରେ କିଛି ଅସୁବିଧା ନାହିଁ । ଏବେ ତ ପରିସ୍ଥିତି ନିୟନ୍ତ୍ରଣରେ !! ହେଲେ ବୁଦ୍ଧିମାନ ବାନରର ଉପସ୍ଥିତ ବୁଦ୍ଧି ଆଗରେ ପରମୁହୂର୍ତ୍ତରେ ଅସହାୟ ହୋଇ ପଡ଼ିଲା ଓ ସୁସ୍ୱାଦୁ କଲିଜା ଖାଇବାରୁ ବଞ୍ଚିତ ରହିଲା । ଜଳ ଭିତରେ ରହି ଅସହାୟ ଭାବେ ମାଙ୍କଡ଼କୁ ଜଳ ଜଳ ଚାହିଁ ରହିବା ଛଡ଼ା ଅନ୍ୟ ଉପାୟ ନଥିଲା ତା’ ପାଖରେ । ଠିକ ସେମିତି ପ୍ରଥମ ଲହରର ସଫଳ ମୁକାବିଲା ତଥା ଟୀକାର ସଫଳ ବ୍ୟବହାରିକ ପରୀକ୍ଷଣ ପରେ ସମସ୍ତେ ଯେମିତି ଏଇ ମକର ସଦୃଶ୍ୟ ବେଫିକର ହେଇଗଲେ ! ସବୁ କଟକଣା ହଟେଇ ପୁନଃ ଆରମ୍ଭ କରିଦେଲେ ମେଳା ମହୋତ୍ସବ, ସାମାଜିକ ଏକତ୍ରିକରଣ, ମଉଜ ମଜଲିସ, ନିର୍ବାଚନ ପ୍ରଚାର ପ୍ରସାର ଆଦି… ! ପରିଣାମ: ଦ୍ଵିତୀୟ ଲହରର ଭୟଙ୍କର କାୟା ବିସ୍ତାର ଓ ମୃତ୍ୟୁର ତାଣ୍ଡବ ଲୀଳା ଆଉ ଖାଁ ଖାଁ ଅସହାୟପଣ !!!
ଏବେ ସମୟ ଆସିଛି, ଆମେ ଆମ ଭୁଲରୁ ଶିଖିବା, ଏ ଭୂତାଣୁର ଭୟାଭୟତାକୁ ଗୁରୁତ୍ୱର ସହ ନେଇ ସାବଧାନତାର ସହ ମୁକାବିଲା କରିବା । ତୁଣ୍ଡି ପିନ୍ଧିବା, ସାମାଜିକ ଦୂରତ୍ୱ ବଜାୟ ରଖିବା ଓ ନିଜ ସମୟକୁ ଅପେକ୍ଷା କରି ଟୀକା ନେବା । ତେବେ ଯାଇ ବେଫିକର ହେଇପାରିବା । ନହେଲେ ଏ ମହାମାରୀ ମାଙ୍କଡ଼ ଭଳି କୁଦାମାରି ନିଜକୁ ସୁରକ୍ଷିତ କରିଦେବ ଆଉ ଆମେ କୁମ୍ଭୀର ଭଳି ଅସହାୟ ହୋଇ ଜଳ ଜଳ ଚାହିଁରହିଥିବା…
ଈଶ୍ୱର ଏଇ ବିପତ୍ତିରୁ ମାନବ ଜଗତକୁ ଉଦ୍ଧାର କରନ୍ତୁ ।
ଜୟ ଜଗନ୍ନାଥ 🙏
Comments
ତାପସ ରଞ୍ଜନ ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ସହ-ସମ୍ପାଦକ ଏବଂ ସେ ବିଭିନ୍ନ ଆଧ୍ୟାତ୍ମିକ ତଥା ସାମାଜିକ କଥାବସ୍ତୁ ଉପରେ ଗପ, କବିତା, କାହାଣୀ ଆଦି ରଚନା କରନ୍ତି ।