You are currently viewing ✍ ପଞ୍ଚବିଂଶ ସମ୍ପାଦକୀୟ
Editorial Page of Shubhapallaba 25th Edition

✍ ପଞ୍ଚବିଂଶ ସମ୍ପାଦକୀୟ

ପଚିଶତମ ସଂଖ୍ୟା ! ତିନି ବର୍ଷର ଦୀର୍ଘ ଯାତ୍ରାକୁ ବୁଲି ଚାହିଁଲେ ଆଖି ଜକେଇ ଆସେ, ଖୁସିର ଲୁହ ଦି’ଟୋପା ଝରିଯାଏ ଆପେ ଆପେ । ସେଦିନ ଗପୁସହ (ସଂଗ୍ରାମଙ୍କୁ ଶ୍ରଦ୍ଧାରେ ମୁଁ ଏଇ ନାଁ’ରେ ଡାକେ) ଫୋନ ଆଲୋଚନାରେ ଅଙ୍କୁରୋଦ୍ଗମ ହେଇଥିବା ଗୋଟେ ଛୋଟ ‘ବିଚାର’, ଆଜି ଶାଖା ପ୍ରଶାଖା ମେଲାଇ, ପତ୍ର ଫୁଲରେ ଆଚ୍ଛାଦିତ ହୋଇଥିବା ଏକ ବିରାଟ ବୃକ୍ଷ । ତିନି ବର୍ଷର ସମର୍ପିତ ସମୟ, ଅକ୍ଲାନ୍ତ ପରିଶ୍ରମ, ଉତ୍ସର୍ଗୀକୃତ ଭାବନାର ଖାଦ ଆଉ ପାଣି ପାଇ ଅତି ଯତ୍ନରେ ବଢିଛି ଏ ବୃକ୍ଷ । କିଛି ସହୃଦୟ ବ୍ୟକ୍ତି ବିଶେଷଙ୍କ ଆଗ୍ରହପୂର୍ଣ୍ଣ ସହଯୋଗ, ଶତାଧିକ ଲେଖକ ଲେଖିକାଙ୍କ ଆକୁଣ୍ଠ ଶ୍ରଦ୍ଧା, ହଜାର ହଜାର ପାଠକ ପାଠିକାଙ୍କ ନିରୁତା ଭଲପାଇବାକୁ ପାଥେୟକରି ଆମେ ଆଜି ଏଇଠି ଠିଆ ହେଇଛୁ । ଏ ଯାତ୍ରା କେବଳ ଶୁଭପଲ୍ଲବର ନୁହେଁ, ଆପଣ ସମସ୍ତଙ୍କର;ଆମ ସମସ୍ତଙ୍କର । ସେଥିପାଇଁ ଶୁଭପଲ୍ଲବ ଆଜି କେବଳ ଏକ ଇ-ପତ୍ରିକା ନୁହେଁ,ଏହା ଏକ ଭାବନା । ଭାବନା ଆପଣଙ୍କର;ଆମ ସମସ୍ତଙ୍କର । ଏଇଥିପାଇଁ ଆଜି ସଂସ୍କରଣଟିଏ ପାଇଁ ଲେଖା ଚୟନ କଲାବେଳେ ଆମକୁ ଧ୍ୟାନ ଦେବାକୁ ହୁଏ ଆପଣମାନଙ୍କ ଭାବନା ପ୍ରତି ତଥା ଆପଣମାନଙ୍କ ଭାବନା ପ୍ରତି ଥିବା ଆମ ଉତ୍ତର ଦାୟିତ୍ୱ ପ୍ରତି ।

ନୂତନ ସଂସ୍କରଣଟିଏ ଉନ୍ମୋଚନ କରିବା ସମୟରେ ରହି ରହି ଭାବନା ତନ୍ତ୍ରୀକୁ ଆଜି ବି ପୁଲକିତ କରେ ପ୍ରଥମ ସଂସ୍କରଣର ସେଇ ଅଜଣା ପୁଲକ । ଲେଖକ ଲେଖିକାମାନଙ୍କୁ ଅନୁରୋଧ କରି ଲେଖା ସଂଗ୍ରହ କରିବାଠାରୁ ଆରମ୍ଭ କରି, ସେ ସବୁକୁ ସମ୍ପାଦନା କରିବା, ପ୍ରଚ୍ଛଦ ପାଇଁ ବିଜୟ ବିଶ୍ୱାଳ ସାର ତଥା ଅଶ୍ୱିନୀଙ୍କଠାରୁ ଚିତ୍ର ସଂଗ୍ରହ କରିବା, ସମ୍ପାଦକୀୟ ଲେଖିବା ଆଦି ଅନେକ କିଛି । ସେମିତି ଆମ ୟୁଟ୍ୟୁବ ଚ୍ୟାନେଲ ପାଇଁ ଶାଶ୍ୱତ ବାବୁଙ୍କଠାରୁ ଗୀତ ସଂଗ୍ରହ କରିବା,ମାନସଙ୍କ ଦ୍ଵାରା ଗୀତ ରେକର୍ଡ଼ କରିବା ତଥା ରିଲିଜ କରିବା, ପଲ୍ଲବୀ, କମଳା ମାଡାମ, ଇତିଶ୍ରୀ ମାଡାମ ଆଦିଙ୍କ ସ୍ୱରରେ ବିଭିନ୍ନ ଗଳ୍ପ ତଥା କବିତା ରେକର୍ଡ଼ କରିବାର ଯାତ୍ରା ମଧ୍ୟ ଥିଲା ବେଶ ରୋମାଞ୍ଚକର । ପ୍ରଥମ ସଂସ୍କରଣ ଆତ୍ମପ୍ରକାଶ କରିବାରେ ବିଶ୍ୱ ରଞ୍ଜନ ବାବୁ ଓ ଅକାଳ କୁଷ୍ମାଣ୍ଡଙ୍କ (ସେହି ନାମରେ ସେ ପରିଚିତ) ଅବଦାନ ଅନେକ । ସମ୍ବିତ ବାବୁଙ୍କ ଯୋଡ଼ିହେବା ଆମପାଇଁ ଥିଲା ଅତ୍ୟନ୍ତ ସୁଖଦ ଅନୁଭୂତି । ଏବେ ତ ଆମେ ଏକ ପରିବାର । ତା’ ପରଠାରୁ ଆମେ କେବେ ପଛକୁ ଫେରି ଚାହିଁନାହୁଁ । ପ୍ରତି ସଂଖ୍ୟା ପୂର୍ବରୁ କିଛି ନୂତନ କରିବାର ସଘନ ଆଲୋଚନା, ବିଚାର ବିମର୍ଷର ନିଷ୍କର୍ଷକୁ ପାଥେୟ କରି ଆମେ ଚାଲି ଆସିଛୁ ଏତେ ବାଟ ।

ଆମେ ପ୍ରତିସ୍ପର୍ଦ୍ଧାରେ ବିଶ୍ୱାସ ରଖୁନା, ରଖୁ ସହଭାଗିତାରେ । ବୋଧହୁଏ ସେଥିପାଇଁ ଆମେ ସ୍ୱତନ୍ତ୍ର । ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ଥିବା ଆମର ଉତ୍ତର ଦାୟିତ୍ୱକୁ ଆମେ ସମ୍ପାଦନା କରିଆସିଛୁ ନିରବରେ ଲାଭ କ୍ଷତିର କୌଣସି ହିସାବ ନ ରଖି । ସେଥିପାଇଁ ଆମ ସ୍ୱତନ୍ତ୍ରତା ହିଁ ଆମ ପରିଚୟ । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶୁଭପଲ୍ଲବକୁ ପ୍ରଶଂସା କରିବା ଥିଲା ଆମର ଉପଲବ୍ଧି । ଏହା ଆମକୁ ପ୍ରୋତ୍ସାହିତ କରିଛି, ଉତ୍ସାହିତ କରିଛି ଆହୁରି ସୁନ୍ଦର ଆଉ ସାବଲୀଳ ଭାବରେ ଆତ୍ମପ୍ରକାଶ କରିବା ପାଇଁ ।

ଏହି ଶୁଭ ଅବସରରେ ଶୁଭପଲ୍ଲବ ସହ ଯୋଡ଼ି ହୋଇଥିବା ସମସ୍ତଙ୍କୁ ଅନ୍ତରରୁ ଶୁଭେଚ୍ଛା ଓ ଅଭିନନ୍ଦନ । ଆପଣମାନଙ୍କ ସ୍ନେହ ଆଉ ଭଲପାଇବା ଏମିତି ଆମକୁ ଉତ୍ସାହିତ କରୁଥାଉ ଏବଂ ଭାଷା ସାହିତ୍ୟ ପ୍ରତି ଥିବା ଆମର ପ୍ରତିବଦ୍ଧତାକୁ ଦୃଢ଼ କରୁଥାଉ ।

ଭାରତର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ‘ଓଡିଶା’କୁ ତା’ର ଜନ୍ମଦିନରେ ଅଜଶ୍ର ଅଜଶ୍ର ଅଭିନନ୍ଦନ ସହ
ବନ୍ଦେ ଉତ୍କଳ ଜନନୀ

ଜୟ ଜଗନ୍ନାଥ

Tapas Ranjan Signature

 

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ତାପସ ରଞ୍ଜନ ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ସହ-ସମ୍ପାଦକ ଏବଂ ସେ ବିଭିନ୍ନ ଆଧ୍ୟାତ୍ମିକ ତଥା ସାମାଜିକ କଥାବସ୍ତୁ ଉପରେ ଗପ, କବିତା, କାହାଣୀ ଆଦି ରଚନା କରନ୍ତି ।