“ଦ୍ୱିତୀୟ” ଏକ ସାଧାରଣ ଶବ୍ଦ ଯାହାର ଅର୍ଥ ପ୍ରଥମର ପରବର୍ତ୍ତୀ ସଂଖ୍ୟା । କିନ୍ତୁ ପ୍ରତିଯୋଗିତାରେ ଜଣେ ପ୍ରତିଯୋଗୀ ଦ୍ୱିତୀୟ ସ୍ଥାନ ଅଧିକାର କଲେ ତା’ ଆପଣାର ଲୋକ ଖୁସି ଉପରେ ଉପରେ ଖୁସି ହେଉଥିଲେ ହେଁ ଗୋଟିଏ ପ୍ରଶ୍ନ ମନରେ ଥାଏ ସବୁବେଳେ, “ପ୍ରଥମ କିଏ?”
ସେହିପରି କିଛି ସମ୍ପର୍କର ସମ୍ମୁଖରେ ଦ୍ୱିତୀୟ ଲାଗିଲେ ତାକୁ ଗ୍ରହଣ କରାଯାଏ, ହେଲେ ଅନେକ ଗୁଡ଼ିଏ ପ୍ରଶ୍ନ ସହ । ଦ୍ୱିତୀୟ ସମ୍ପର୍କକୁ ଅନେକ ନାମରେ ନାମିତ କରାଯାଏ । ଯେପରି “ଦ୍ୱିତୀୟ ମାଆ”କୁ “ସାବତ ମାଆ”।
ମାଆ ଶବ୍ଦ ସହିତ ସଂପୃକ୍ତ ସାବତ ଶବ୍ଦଟି ସମ୍ପର୍କରେ ଥିବା ମଧୁରତାକୁ ଯେ ଧୀରେ ଧୀରେ ତିକ୍ତତାରେ ପରିଣତ କରିଦିଏ । ପିଲାଟିର ତା’ ଦ୍ୱିତୀୟ ମା ପ୍ରତି ଅଶେଷ ଭଲପାଇବା ଥାଏ । ସେ ମାଆ ପାଇଥିବାରୁ ପ୍ରଭୁଙ୍କୁ ଧନ୍ୟବାଦ ଅର୍ପଣ କରେ । କିନ୍ତୁ ଯେବେ ତାକୁ ଆମ ଶବ୍ଦକୋଷରେ ଥିବା ସାବତ ଶବ୍ଦ ସହ ଅବଗତ କରାଇ ଦିଆଯାଏ ତା’ ପରେ ସେ ସ୍ନେହ, ମମତା ଯେ ତା’ ମନ ଭିତରେ ଅହଂକାର, ଅସମାନତା ରୂପେ ଘର କରି ରହିଯାଏ । ଯାହା ଫଳରେ ମା’ ପ୍ରତି ଥିବା ଭଲପାଇବା, ସମ୍ମାନର ଯେ ଅବସାନ ଘଟି ସୃଷ୍ଟି ହୁଏ ଦ୍ୱନ୍ଦର କାରଣ । ତା’ପରେ ସମାଜ ଖୁସି ହୁଏ; କାରଣ ସେ ସୃଷ୍ଟି କରିଥିବା ଶବ୍ଦର ଅର୍ଥ ପିଲାଟି ବୁଝି ପାରିଲା । ହେଲେ କ’ଣ ସତରେ ସାବତ ମାଆ ହିଂସା, ଅହଂକାର, କ୍ରୋଧ, ଲୋଭର ପ୍ରତିରୂପ?? ମା’ କ’ଣ କେବେ ସାବତ ହୁଏ । ଏହା କେବଳ ଆମ ସମାଜରର ପରିଭାଷା ।
କିନ୍ତୁ ଅଭିମନ୍ୟୁକୁ ଯେପରି ସପ୍ତରଥୀ ଘେରି ରହି ତା’ର ବଧ କରିଥିଲେ ସେହିପରି ସେ ପିଲାଟି ଭଦ୍ର ସମାଜର ଚକ୍ରବ୍ୟୁହରେ ଏମିତି ବାନ୍ଧି ହୋଇଯାଏ ଯେ ସେ ମା’ର ମମତାକୁ ଧୀରେ ଧୀରେ ଅଚିହ୍ନା କରେ ।
– ସୁନୀତା ପଟେଲ
Comments
ସୁନିତା ପଟେଲ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।