ଡାଇନିଂ ଟେବୁଲ୍ ପାଖରେ ବିରାଜୁଥିବା ଅସ୍ୱସ୍ତିକର ନିରବତାକୁ ଭଙ୍ଗ କରି ରମେଶବାବୁ ପଚାରିଲେ ଝିଅକୁ, “ମାରେ ସ୍ୱିଟି, କହିଲୁ ଆଜିର ଭାତଟା କୋଉ ଚାଉଳର?” “ହ୍ୱାଟ୍…? କୋଉ ଚାଉଳ??” ବିସ୍ମୟ ଭରା ଦୃଷ୍ଟିରେ ଚାହିଁଲା ଡାଡି ଓ ପାଖରେ ବସି ଖାଉଥିବା ପରିବାରର ଅନ୍ୟ ସଦସ୍ୟ ମାନଙ୍କୁ ।
ଡାଡ଼ିଙ୍କ ପ୍ରଶ୍ନଟିକୁ ସେ ଠିକ୍ରେ ବୋଧହୁଏ ବୁଝିପାରିଲନି । “ଚାଉଳ ତ ଚାଉଳ, ତା’ର ପୁଣି କ୍ୟାଟେଗୋରି କ’ଣ? ଅଲଗା ଅଲଗା ନାଁ ଅଛି କି? ହଁ… ହଁ… ବିଗ୍ ବଜାରରେ ଦେଖିଛି, କ’ଣ କ’ଣ ସବୁ ଲେଖା ହେଇଥାଏ, କିନ୍ତୁ ମୁଁ କେବେ ନଜର ଦେଇନି । ଲେକିନ୍ ଡାଡି ହୁଆ କ୍ୟା?” ରମେଶ ବାବୁଙ୍କୁ ଛାଡ଼ି ବାକି ସମସ୍ତେ ମୁରୁକି ହସା ଦେଲେ ।
“କ୍ୟା ହୁଆ ଡାଡ଼ି? ଆଜ୍ ମୁଡ଼୍ କୁଛ୍ ଅଲଗ୍ ଲଗ୍ ରହାହୈ, ଅଜିବ୍ ସା ସବାଲ୍ ଆପକା !” ଗେହ୍ଲେଇ ହୋଇ ପଚାରିଲା ସ୍ୱିଟି । ଏକ ରକମ ରାଗ ତମତମ ହୋଇ ରମେଶବାବୁ ଝିଅକୁ ଚାହିଁ କହିଲେ, “ହୁଁ! ମାତୃ ଗୁଣେ ଦୁହିତା ।”
ତଳକୁ ମୁହଁ ପୋତି ହସୁଥାଏ ସିଲା, କଣେଇକି ଝିଅ ଆଡ଼କୁ ଚାହିଁ । ଆଉ କାହାକୁ ନପାଇ ସ୍ୱିଟି ଭାଇକୁ ତା’ର ପଚାରିଲା ଇସାରାରେ, “କଥା କ’ଣ?” ଡାହାଣହାତି ଜେଜେ ବସିଛନ୍ତି, ସେ ହାତ ଚାଟି ଚାଟି ଖାଇବାରେ ବ୍ୟସ୍ତ । ସୁଡ଼୍ ସାଡ଼୍ କରି ହାପୁଡ଼ୁ ଥାଆନ୍ତି ତାଙ୍କର ପ୍ରିୟ ଛୁଇଁ-ଆଳୁ-ବଡ଼ି-ବାଇଗଣ ଝୋଳ । ବାଇଗଣର ଛାଇ ପଡ଼ିଲେ ସ୍ୱିଟିର ଲାହି ଡିଏଁ, ମନେମନେ ଭାବୁଥାଏ, ଯେଉଁ ତ ଅପୁର୍ବ ସେଥିରେ ପୁଣି ହାପୁଡ଼ା ହେଉଛି ! ହୁଁ !! ନିଜ ଥାଳିଆରୁ ଚିଲିପନିରରୁ ଟିକେ ନେଇ ଚାଖିଲା; “ବାଃ ମାମା ! ଡେଲିସିୟସ୍ ।” ସେ ଜାଣେ ଜେଜେଙ୍କୁ ପନିର ଭଲ ଲାଗେନି, ସେ ଖାଆନ୍ତିନି । ଜାଣିଶୁଣି ତାଙ୍କୁ ଚିଡ଼ାଇବା ପାଇଁ ଦି ଖଣ୍ଡ ପନିର୍ ନେଇ ଯାଚିଲା, “ଜେଜେ ନିଅ ।”
– ଧେତ୍ ! ତୁ ଖା ।
ଖାଇବାବେଳେ ଏମିତି ବି ଜେଜେ କମ୍ କଥା କହନ୍ତି । ତାଙ୍କ ମତରେ ଖାଇବା ସମୟରେ ଗପିବା ଅନୁଚିତ୍ । ହେଲେ ସ୍ୱିଟି, ସେ ତ ଗପୁଡ଼ି ନମ୍ୱର ଏକ୍ । ଖାଇବା ବେଳ ହେଉ କି ସ୍କୁଲ୍ କଲେଜକୁ ବସ୍ ଧରିବା ବେଳ ହେଉ, ବକର ବକର ହେଉଥିବ ସେ । ସ୍ୱିଟି ଚୁପ୍ଚାପ୍ ଅଛି ମାନେ ଧରାଯିବ ନିଶ୍ଚିତ ଭାବରେ କିଛି ଗଡ଼ବଡ଼ ହେଇଛି ।
ଋମେଶବାବୁ ପୁଣିଥରେ ପୁର୍ବ ପ୍ରଶ୍ନକୁ ଦୋହୋରାଇଲେ । “ଡାଡ଼ି କ’ଣ ଫରକ ପଡ଼ିବ ଚାଉଳର ଜାତିଗୋତ୍ର ଜାଣି? ଟେଷ୍ଟି ଅଛି, ଭଲ ଲାଗୁଛି ଖାଇବାକୁ, ବାସ୍ ।”
– ହଁ ସେଇଆ କହିବୁନି ତ ଆଉ କ’ଣ ! ଆରେ ବୋକି, ଏଇଟା ଯେଉଁ ଖାଉଛୁ ସେଇଟା ହେଲା ବାସୁମତି ଚାଉଳ, ଆଉ ସବୁଦିନେ ଯେଉଁଟା ଖାଉ, ସେ ହେଲା ସୁବର୍ଣ୍ଣମସୁରୀ । ଆଜି ବୋଧେ ବାଉଳାରେ ମାମା ବାସୁମତି ରାନ୍ଧିଦେଇଛି ।
– ଓଃ କଥା ଯାଇ ଏଇଠି ! ସବୁ ଭୁଲ୍ ମାମାର । ପୁରୁଷପ୍ରାଧାନ୍ୟ ସମାଜରେ ଡାଡ଼ିଙ୍କ କଥାକୁ ତୁ ମହତ୍ତ୍ୱ ନଦେଲେ କେମିତି ହେବ? ମାନୁଛି ତୁ ଅଫିସ୍ କରୁଛୁ, କରୋନା ସମୟ ବୋଲି ତୋ’ ଉପରେ ଘର କାମ ବି ଅଧିକା ଟିକେ ପଡ଼ୁଛି, ତା’ ସହ ତୋ’ର ସମାଜସେବା ବି ଅଛି । ଏ ଭିତରେ ରୋଷେଇବାସରେ ତୋ’ର ପ୍ରାଧାନ୍ୟ ଦେବାଟା କମିଯାଇଛି । ଯେତେବେଳେ ଯାହା ସୁବିଧା ହେଲା ସମୟକୁ ଆଡ଼ଜଷ୍ଟ କରି କରୁଛୁ । ଆଗ ଭଳି ଆଉ ଭଲରେ ମନଦେଇ କରିପାରୁନୁ, ଥକି ଯାଉଛୁ । ଆଉ କିଛି ମନେ ରଖ ନରଖ ରୋଷେଇ ଘରର ପ୍ରତ୍ୟେକଟି ଜିନିଷ ତୋ’ ଆଖି ଆଗରେ ରହିବା ଦରକାର । ତିରିଶ ବର୍ଷ ହେଲାଣି ସେଇ କାମ କରୁଛୁ, ଭୁଲ୍ କେମିତି ହେଉଛି ତୋ’ର? ଡାଡ଼ି ଠିକ୍ କହୁଛନ୍ତି ।
ଋମେଶବାବୁ ବୁଝିଗଲେଣି, ସ୍ୱିଟି କ’ଣ କହିବାକୁ ଚାହୁଁଛି । କଥାଟା କେଉଁ ଆଡ଼େ ଯାଉଛି ସେ ଠଉରାଇ ନେଲେଣି । ଚୁପ୍ଚାପ୍ ଖାଇବା ଶେଷକରି ଏଠୁ ପଳେଇଗଲେ ପାର୍ । କିନ୍ତୁ ସ୍ୱିଟି କ’ଣ ଏତେ ସହଜରେ ତାଙ୍କୁ ଛାଡ଼ିବ? ସେ କ’ଣ ସିଲା ହେଇଛି, ଯାହା କହିଲେ ମାନିନେବ? ତାଙ୍କରି ଝିଅଟି ! ଅଧାଖିଆ ଅଇଁଠା ହାତ ଅଟକି ଗଲା ସିଲାର ଥାଳି ଉପରେ, ଝିଅକୁ ବିସ୍ମୟ ଭରା କରୁଣ ଦୃଷ୍ଟିରେ ଚାହିଁଥାଏ ।
– “କ’ଣ ଦେଖୁଛୁ ମାମା? ବୁଝିପାରିଲୁ?? କାହିଁକି ମୁଁ ବାହା ହେବାକୁ ରାଜିହେଉନି !!” ଟିକେ ଚଢ଼ା ଗଳାରେ କହିଲା ସ୍ୱିଟି । ଏନ୍.ଆଇ.ଏଫ୍.ଟି, ମୁମ୍ୱାଇରୁ ଫେସନ୍ ଡିଜାଇନ୍ରେ ଡିଗ୍ରୀ ସାରି ବର୍ଷେ ହେବ ଚାକିରୀ କରିଥିବା ଝିଅ । “ତୁମର ଖାଲି ତରବର, ବାହା କରି ଦେଲେ ତୁମ କାମ ଶେଷ ।”
ପରିସ୍ଥିତିକୁ ସହଜ କରିବା ପାଇଁ ଗଳା ଖଙ୍କାରି ରମେଶବାବୁ ଆରମ୍ଭ କଲେ, “ଆରେ ତୁ ମୋ ସପକ୍ଷରେ କହୁଛୁ ନା ତୋ’ ମାମା ସପକ୍ଷରେ?”
– କାହାରି ସପକ୍ଷରେ ନୁହେଁ କି ବିପକ୍ଷରେ ନୁହେଁ, ଯାହା ସତ୍ୟ ତାହା ହିଁ କହୁଛି । ମଣିଷ କ’ଣ ମେସିନ୍? ସବୁବେଳେ ସଠିକ୍ କାମ ହେବ? ତା’ ଛଡ଼ା ମହିଳାମାନେ ହିଁ ସବୁବେଳେ ଘରର ଅଧିକାଂଶ କାମ କାହିଁକି କରିବେ? ଆଇ, ଜେଜେମାଙ୍କ ଅମଳରେ ସେମାନେ ଘରର ଚାରିକାନ୍ଥ ଭିତରେ ରହୁଥିଲେ, ତେଣୁ ଗୋଟେଇ ପୋଟେଇ ଘରର ସବୁକାମ କରୁଥିଲେ । ସମୟ ବଦଳିଛି । ବର୍ତ୍ତମାନ ନାରୀମାନେ ବି ପୁରୁଷଙ୍କ ସମକକ୍ଷ ହୋଇ ସମସ୍ତ କ୍ଷେତ୍ରରେ ପାଦ ଦେଲେଣି । ସେମାନେ ମଧ୍ୟ ସମାନ ଭାବରେ ରୋଜଗାରକ୍ଷମ । ସମସ୍ତଙ୍କ ପାଇଁ ଦିନଟା ସେଇ ଚବିଶ ଘଣ୍ଟା ନା? ଯଦି ଅଫିସ୍ ପାଇଁ ତାକୁ ଆଠ ଦଶ ଘଣ୍ଟା ଦେବାକୁ ପଡ଼ୁଛି, ତେବେ ସେତିକି ସମୟର ଘର କାମ ବାକି ରହିବ କି ନାହିଁ? ତାକୁ ପୂର୍ଣ୍ଣ କରିବାକୁ ଅନ୍ୟ କିଛି ରାସ୍ତା ବାହାର କରିବାକୁ ହେବ ନା ! ସେଇ ପୁରୁଣା ଚିନ୍ତାଧାରାକୁ ଧରିବସିଲେ ତ ଆଉ ଚଳିବନି ! ବଦଳେଇବାକୁ ହେବ । ସର୍ବୋପରି ପରିବାରର ସମସ୍ତ ସଦସ୍ୟ ସହଯୋଗ କରିବା ଦରକାର । ସବୁବେଳେ ମାମା ଥକିଗଲେ ତୁମେ ମୋ ଉପରେ ନଜର ଦିଅ ଡାଡ଼ି, କାହିଁକି? ଭାଇ କ’ଣ କିଛି ଘର କାମ କରିପାରିବନି କି? ସବୁଠି ନାରୀଟିଏ ହିଁ କାହିଁକି ଘରର ସବୁ ଦାୟିତ୍ୱ ବହନ କରିବ? ମୁଁ ଏତେ ଦାୟିତ୍ୱ ନେଇ ପାରିବିନି ମାମା । ମତେ ମୋ ପ୍ରଫେସନ୍ରେ ଆଗକୁ ଯିବାକୁ ଅଛି । ତୁମ ଭଳି ଦାୟିତ୍ୱବୋଧର ବୋଝ ତଳେ ମୁଁ ଦବିଯିବାକୁ ଚାହେଁନି… ।
ସିଲା ମୁଣ୍ଡରେ ଆଉ କିଛି ପଶୁନଥାଏ । ଏକା ନିଶ୍ୱାସକେ କ’ଣ ସବୁ କହି ଚାଲିଛି ସ୍ୱିଟି? ଶ୍ରୁତିକଟୁ ହେଲେ ବି ସତ୍ୟ । ଇତି ମଧ୍ୟରେ ବଣ୍ଟି ଓ ବାବା ଖାଇକି ଉଠି ଗଲେଣି । ବସିରହିଛନ୍ତି ଋମେଶବାବୁ ଓ ସିଲା, ନିସ୍ତବ୍ଧ ହୋଇ ଶୁଣୁଛନ୍ତି ଝିଅର ପ୍ରଗଳ୍ଭ ଯୁକ୍ତି ।
ଏକ ଲୟରେ ଚାହିଁ ରହିଛି ସିଲା ସ୍ୱିଟି ମୁହଁକୁ । ଆତ୍ମସନ୍ତୋଷର ଧାରେ ହସ ଉଜ୍ଜଳ କରିଦେଲା ସିଲାର ମୁଖମଣ୍ଡଳ । ଲାଗିଲା ତାକୁ ଆଉ ସେ ସମୟ ଦୂର ନୁହେଁ, ଯେଉଁଠି ଝିଅଟିଏ ବି ପୁଅଙ୍କ ସହ ସମାନ ଅଧିକାର ପାଇବାକୁ ନା ସଂଘର୍ଷ କରିବାକୁ ହେବ ନା କାହାରି ଦୟାର ପାତ୍ର ହେବାକୁ ପଡ଼ିବ, ବରଂ ସ୍ୱତଃ ସେ ଅଧିକାର ମୁଠାରେ ନେଇ ଜନ୍ମ ନେବ ଧରାପୃଷ୍ଟରେ । କାହିଁ ତାର ଏ ସ୍ୱପ୍ନ ଆଉ ଦୂର ପାହାଡ଼ର ଶୋଭା ନୁହେଁ ତ !!!
– ସୁନୀତା କର
Comments
ସୁନୀତା କର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।