ଥରେ ଦୂର ଆକାଶ ସହ ମୋର କଥୋପକଥନ
ଜୀବନର ପ୍ରତ୍ୟେକଟି ମୁହୂର୍ତ୍ତରେ କିଛି ନା କିଛି ଶିଖିବାକୁ ମିଳିଥାଏ । କେତେବେଳେ ସେ ଶିକ୍ଷା ଲୋକ ଦେଇଥାନ୍ତି ତ କେତେବେଳେ ପ୍ରକୃତି ଦେଇଥାଏ । କିଛି ଲୋକ ବିଶ୍ୱାସକୁ ପାଦରେ ଦଳି ତ କିଛି ଲୋକ ବିଶ୍ୱାସର ମହାନତାକୁ ସନମାନ ଦେବାକୁ ଯାଇ ନିଜର ପ୍ରାଣବଳି ମଧ୍ୟ ଦେଇଥାନ୍ତି ।
ଜୀବନ ତୁ କ’ଣ ନ ଶିଖାଇଲୁ ଖୋଲା ଆକାଶକୁ ଥରେ ଦେଖିଲି ଓ ପଚାରିଲି ତୋତେ କେତେ ଲୋକ ଆପଣାର କରିଛନ୍ତି? ତୁ ବହୁତ ଖୁସିରେ ଅଛୁ ନା?
କେତେ ଲୋକ ତୋ ସହିତ ଅଛନ୍ତି ତୋ ନିକଟରେ ଅଛନ୍ତି ତୁ ବହୁତ ଭଲରେ ଅଛୁ ନାଁ?
ତୁ ହସୁଛୁ ଖୁସିରେ ପାଗଳ ହୋଇଛୁ… ତୁ ଭଲରେ ଅଛୁ ନା?
ଅଳ୍ପ ହସିଦେଲା ସେ… ଆଉ କହିଲା,
ହଁ ଭଲରେ ଅଛି । ହଁ ମୁଁ ହସୁଛି ଆଜି, ଆଉ ସେ ହସ ଯେ ଅଭିନୟ କେହିବି ଜାଣି ନାହାନ୍ତି ।
ସବୁ ଥାଇ ବି କିଛି ନାହିଁ ଆଜି ମୋ ପାଖରେ । ବିଶାଳ ଆକାର ଧାରଣ କରି ସମସ୍ତଙ୍କୁ ଆପଣାର କରି ଲାଗୁଛି ଯେମିତି ଭୁଲ କରି ବସିଛି। ଲାଗୁଛି ଯେମିତି ମୋ ତ୍ୟାଗ ଭଲ ପାଇବା ଆଉ ବିଶ୍ୱାସ ଏ ସମାଜ ପାଇଁ ମୂଲ୍ୟହୀନ ହୋଇପଡ଼ିଛି । ବାରମ୍ବାର ଚିତ୍କାର କରୁଛି ଆଖିରୁ ଧାର ଧାର ଲୁହ ବୋହି ଯାଉଛି, ଛାତିରେ କଷ୍ଟ ହେଲେ ବୁକୁଫଟା ଚିତ୍କାର କରୁଛି, ହେଲେ ଶୁଣୁଛି କିଏ? ସେ କାନ୍ଦ ନା କିଏ ଶୁଣୁଛନ୍ତି ନା ଶୁଣିଲେ କିଏ ବିଶ୍ୱାସ କରିବ?
କଷ୍ଟ ସହିବା ଯେମିତି ଏକ ଅଭ୍ୟାସ ହୋଇପଡ଼ିଛି ଆଜି ।
ଯେଉଁଠି ବିଶ୍ୱାସର ମୂଲ୍ୟ ନାହିଁ, ଯେଉଁଠି ସ୍ନେହ ଶ୍ରଦ୍ଧାର ପରିମାଣ ଟଙ୍କାରେ ମପାଯାଉଛି, ସେଠି ଆଜି ମୁଁ ହାରିଯାଇଛି ଆଉ ମୋ ଭିତରେ ଥିବା ଆତ୍ମା ଆଜି ନୀରବି ଯାଇଛି ।
କିଛି ସମୟ ପରେ;
ଆକାଶ ପଚାରୁଛି- ତୁ ଏସବୁ ପଚାରୁଛି କାହିଁକି? ତୁ ତ ବହୁତ ଭଲରେ ଅଛୁ ନାଁ?
ବଦଳରେ ମୁଁ କହିଲି,
ନାଁ ସାଙ୍ଗ ମୁଁ ବି ତୋ ପରି ନିରବି ଯାଇଛି।।
ବାସ୍ ତୁ କାନ୍ଦେ ନା ଆଉ ।
ସହିବା ଶିଖି ଯା ମୋ ପରି । କାରଣ ଆମେ ଚାହିଁକି ବି ପ୍ରମାଣ ଦେଇପାରିବା ନାହିଁ ।
– ରଶ୍ମିରଞ୍ଜନ ନାୟକ
Comments
ରଶ୍ମି ରଞ୍ଜନ ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।