ଦଶଭୂଜାଙ୍କୁ ନିବେଦନ

Odia Poem Dashabhujanku Nibedana (ଦଶଭୂଜାଙ୍କୁ ନିବେଦନ) by Krishna Biswanath

ଅହଂକାରର ଅବଧି
ସରି ସରି ଆସୁ,
ପ୍ରତି କୋଣେ ଅନୁକୋଣେ
ଶାନ୍ତି ପୁଷ୍ପ ବର୍ଷୁ ।୧

ହିଂସା, ଦ୍ୱେଷ, ଈର୍ଷା
ମନୁ ହେଉ ଦୂର,
ସବୁ ହୃଦେ ବିରାଜିତ
ପ୍ରେମ ଭରପୂର ।୨

ଧରା ଧାମେ ସବୁଜିମା
ଢେଉ ଖେଳି ଯାଉ,
ସବୁରି ଓଠରେ ଚିର
ଶ୍ୟାମ ହସ ଥାଉ ।୩

କେହି ବି ନ ଶୋଇ ଦେଇ
ପେଟେ ଓଦା କନା,
ସବୁ ଜୀବେ ପ୍ରାପ୍ତ ହେଉ
ଦୁଇ ଓଳି ଦାନା ।୪

ପରାଜିତ ହେଇଯାନ୍ତୁ
ଯେତେ ଦୁଃଶାସନ,
ଜଣେ ବି ଦ୍ରୈାପଦୀର
ନହେଉ ବିବସନ । ୫

ପ୍ରତି ନାରୀ ମନେ ରହୁ
ସ୍ନେହର ଭଣ୍ଡାର,
ପ୍ରେମ ବେଳେ ସତୀ, ଯୁଦ୍ଧେ
ଦୂର୍ଗା ଅବତାର ।୬

ପ୍ରତି ଶିଶୁ ପାଉ ସ୍ୱାସ୍ଥ୍ୟ,
ଶିକ୍ଷା ଅଧିକାର,
କାହାକୁ ନମିଳୁ ମାଆ
କଷ୍ଟ ଦାଦନର । ୭

କାମ, କ୍ରୋଧ, ଲୋଭ, ମୋହ
ମନୁ କରି ଦୂର,
ସ୍ୱର୍ଗ ଠୁଁ ସୁନ୍ଦର ହେଉ
ଏ ସାରା ସଂସାର ।୮

ସୃଜନଶୀଳ ପ୍ରକୃତିର
ହେଉ ମା ପ୍ରଗତି,
ଜୀବେ ଜୀବେ ସ୍ନେହ, ଶ୍ରଦ୍ଧା
ଭକ୍ତି, ମୈତ୍ରୀ, ପ୍ରୀତି ।୯

ଆର୍ଯ୍ୟାବର୍ତ୍ତେ ତିଷ୍ଠି ରହୁ
ଧର୍ମ ସନାତନ,
ଐଶ୍ୱରୀୟ ବନ୍ଧନରେ
ବାନ୍ଧି ଜନ ମନ ।୧୦

ସକଳ ଜୀବ ସେବାରେ
ଲାଗୁ ମୋ ଜୀବନ,
ଏତିକି ମା’ ଦଶଭୂଜା
ଚରଣେ ନିବେଦନ ।୧୧।

– କୃଷ୍ଣା ବିଶ୍ୱନାଥ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply