ଜେଜେମା ସମୟରେ, ଜେଜେମା ଭୋର୍ ୫ଟାରୁ ଉଠି ଚୁଲିରୁ ପାଉଁଶ କାଢ଼ି, ଚୁଲିକୁ ଲିପି ସଫା ସୁତୁରା କରି ଚାହା ତିଆରି କରି ପିଉଥିଲା । ମୁଁ ତ ଜେଜେମାର ଲାଙ୍ଗୁଡ଼ । ସେ ଶୁଏ ତ ମୁଁ ତା’ କୋଳରେ ଶୁଏ, ସେ ଯେତେବେଳେ ଉଠେ ମୁଁ ସେତେବେଳେ ଉଠେ । ସେ ଚାହା କରି ନିଜେ ପିଏ ମତେ ବି ଟିକେ ଚଖେଇ ଦିଏ । ଚା’ ଧୀରେ ଧୀରେ ଜେଜେମାର ପ୍ରାଣ ସହ ମୋର ବି ହେଇଗଲା । ଯାହା ବି ହେଉ ଜେଜେମା ତା’ର ଚୁଲିକୁ ସବୁବେଳେ ସଫା ସୁତୁରା କରି ରଖେ ଆଉ କହେ ରୋଷେଇ ସ୍ଥାନ ଯେତେ ସଫା ସୁତୁରା ରହିବ ରୋଷେଇ ସେତେ ବଢ଼ିଆ ହେବ ।
ମୋ ମୁଣ୍ଡରେ କିଛି ପଶେନି । ମୁଁ ବସିକି ବେପରୁଆ ଭଳି ଖେଳୁଥାଏ ଚୁଲି ପାଖେ । ସେ ତା’ କାମ କରୁଥାଏ । ଭଳିକି ଭଳି ପିଠା ତିଆରିରେ ସବୁବେଳେ ଲାଗିଥାଏ । ଆରିସା, କାକରା ଆଉ ଉଷୁନା ଚାଉଳରେ ପୋଡ଼ ପିଠା ଚୁଲି ପାଖେ ବସି ଗଢ଼ୁଥାଏ । ମୁଁ ବସିକି ଦେଖୁଥାଏ କେତେ ଯତ୍ନରେ ସେ ପିଠା ଗଢ଼ୁଥାଏ । ମୁଁ ପଚାରେ ମା’ ତତେ ଗରମ ହେଉନି? ଚୁଲି ପାଖରେ ଏତେ ସମୟ ବସି ପିଠା କରୁଛୁ । ସେ ହସିଦିଏ । ମାଆ ଆରିସା ଆଣ ଗଢ଼ିଲାବେଳେ ମୁଁ ବି ତା’ଠୁ ଦେଖି କୌତୁହଳରେ କୁନି ହାତରେ ଯେମିତି ଆସେ ଗଢ଼ି ପକାଏ । ମା’ ମୋର ସେଇ ଗଢ଼ା ପିଠାକୁ ଛାଣେ ଆଉ ପ୍ରଥମ ପିଠା ମତେ ଦିଏ । ଗରମ ଗରମ ପିଠା ମୁଁ ଚୁଲି ପାଖେ ବସି ପ୍ରଥମେ ଭୋଗ ଲଗେଇ ଦିଏ ।
ଛତୁ ପତ୍ରପୋଡ଼ା, ଚୁନା ମାଛ ପତ୍ରପୋଡ଼ା, ପୋଇ ଆଉ ଶୁଖୁଆ ପତ୍ରପୋଡ଼ା, ମଞ୍ଜା ପତ୍ରପୋଡ଼ା ଚୁଲିରେ ଅତି ଯତ୍ନରେ ସଜାଡ଼ି ପୋଡ଼େ ଆଉ ଆମେ ସବୁ ଚାତକ ଭଳି ଚୁୁଲି ମୁହଁରେ ବସି ଅନେଇଥାଉ କେତେବେଳେ ବାହାରିବ ! ଚୁଲିରୁ ବାହାରିବା କ୍ଷଣି ମୁଁ କହେ ମାଆ ମତେ ପୋଇ ପତ୍ର ଅଧିକା ଦେବୁ । ମା ହସିଦିଏ ଆଉ ମତେ ଦିଏ । ଚୁଲି ସହ ମା’ର ଯୋଉ ଅନାବିଳ ସମ୍ପର୍କ ! ବାଦାମ ଭଜା, ମୁଢ଼ି ଭଜା, ଖଇ ଭଜା, ଉଖୁଡ଼ା, ବାଦାମ ମଞ୍ଜିକୁ ଗୁଡ଼ରେ ପାଗ ଦେଇ ବାଦାମ କୁଡ଼ୁମୁଡ଼ି, ମଣ୍ଡା ପିଠା, ଗଇଁଠା ପିଠା କେତେ ଭଳିକି ଭଳି ସ୍ଵାଦିଷ୍ଟ ବ୍ୟଞ୍ଜନ କରୁଥାଏ ସେ ବସି । ମୁଁ ବି ତା’ର ଚେଲା ଭଳି ସେଇଠି ବସି ଦେଖୁଥାଏ ଗରମରେ କ’ଣ ସବୁ କରୁଛି ମା’ ।
ମାଆ କୁହେ, “ଯାଉନୁ ଖେଳିବୁ ମୋ ପଛ ଛାଡ଼ୁନି ।” ଆଜି ଭାବୁଛି ଯଦି ଖେଳିଥାନ୍ତି ଏସବୁ ଜିନିଷର ନାଁ କେମିତି ମୁଁ ଜାଣିଥାନ୍ତି ! ଆଉ ଚୁଲି ସହ ଓଡ଼ିଆର ସମ୍ପର୍କ ବିଷୟରେ କେମିତି ବୁଝିଥାନ୍ତି ବଡ଼ ହେଲାପରେ ! ମା’ ଚାଲିଯିବା ପରେ ସେଇ ଚୁଲି ସହ ସମ୍ପର୍କକୁ ଯୋଡ଼ି ରଖିଛି ମୋ’ ବୋଉ । ମୁଁ ଏବେ ବି ସେଇ ଏକା କଥା କହେ ବୋଉକୁ ଯାହା ମା’କୁ କହେ, “ବୋଉ ତତେ ଗରମ ଲାଗୁନି ଚୁଲି ପାଖରେ?” ବୋଉ କୁହେ, “ଯଦି ଗରମ ଲାଗୁଛି ବୋଲି ପରମ୍ପରାକୁ ଛାଡ଼ିଦେବି ଏ ଚୁଲି ବି ସବୁଦିନ ପାଇଁ ଏକ ସନ୍ତକ, ଛବି ହେଇ ରହିଯିବ ।” ବୋଧେ ମୋ ପରେ ଏ ଚୁଲି ବି ମରିଯିବ ତମ ଘରେ ! ମୁଣ୍ଡରେ ମୋର ପଶିଲା ସେତେବେଳେ । ସତେ ତ ! ଆମେ ଆଧୁନିକତାରେ ଆଗେଇ ଆମ ପରମ୍ପରାକୁ ମାରିଦେଉନୁ ତ ! କ’ଣ ଏଇ ଚୁଲି ପରି ଆମ ପରମ୍ପରା ବି ଧୀରେ ଧୀରେ ଲୋପ ପାଇବାକୁ ବସିଛି ! ଆମକୁ ଜାଗ୍ରତ ହେବାକୁ ପଡ଼ିବ ଆମ ପରମ୍ପରାକୁ ବଞ୍ଚେଇବାକୁ ପଡ଼ିବ ଆଉ ୟାକୁ ନିଜ ଘରୁ ଆରମ୍ଭ କରିବାକୁ ପଡ଼ିବ । ବନ୍ଦେ ଉତ୍କଳ ଜନନୀ ।
– ସୁଶ୍ରୀ ସଙ୍ଗିତା ସେଠୀ
Comments
ସୁଶ୍ରୀ ସଙ୍ଗୀତା ସେଠୀ ଓଡ଼ିଆ ଭାଷାରେ ବିଭନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ପ୍ରସଙ୍ଗଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।