ସେଦିନ ଅପରାହ୍ନରେ ମୋ ଚଷମାର ଲେନ୍ସକୁ ପୋଛି କବାଟ ଖୋଲି ଦେଖିଲି’କୁକୁ’ । କୁକୁ, ସେଇ ଟିକି ଝିଅଟି ମୁହଁରେ ତା’ର ଅଝଟର ଚିହ୍ନ, ପାଖ ପୋଡ଼ଶୀଙ୍କ ଝିଅ । ହାତରେ ଧରିଥାଏ ଦୁଇଟି ଡେରିମିଲ୍କ ଚକଲେଟ ଓ କହିଲା, “ଅଙ୍କଲ ତୁମ ଚକଲେଟ ନେଇଯାଅ ସରି ।”
ଆଜି ଅଫିସରୁ ଫେରିଲାବେଳେ ଦେଖାହେଇଥିଲା କୁକୁ, ବୟସ ୫ କି ୬ ବର୍ଷ ହେବ । ମୋର ତା’ ସହିତ ତିନି ମାସର ବନ୍ଧୁତା, ସେ ଏକ ଅତୁଟ ବନ୍ଧନରେ ମୋତେ ବାନ୍ଧି ରଖିଥିଲା । କାରଣ ପ୍ରତିଦିନ ସ୍କୁଲ ଯିବା ବାଟରେ ତା’ର ସେଇ କଅଁଳ ଓଠରେ ହସି ହସି କହି ପକାଏ, “ଅଙ୍କଲ ଗୁଡ଼୍ ମର୍ନିଙ୍ଗ, ତୁମେ ଆଜିବି ଲାଷ୍ଟ ଆଉ ମୁଁ ଫାଷ୍ଟ, ତୁମେ ଏବେ ମୁହଁ ଧୁଉଚ ।” ମୁଁ ହସି ଦେଇ କହେ, “କାଲି ମୁଁ ଫାଷ୍ଟ ହେବି ପକ୍କା, ଆଉ ଜାଣି ଜାଣି ମୁଁ ତା’ ପାଖେ ହାରିଯାଏ ତା’ର କେଇପଦ ମହକଭରା କଥା ପାଇଁ ।”
ଆଜି କୁକୁ ସହ ଦେଖାହୁଏ ପାଖ ଛକରେ; ମୁଁ ପଚାରିଲି, “ଆରେ କୁକୁ ସ୍କୁଲ ଓଭର ହେଲାଣି?” ସେ ମୁଣ୍ଡ ଟୁଙ୍ଗାରି ହୁଁ କଲା ଓ କହିଲା, “ଅଙ୍କଲ ଆଜି ସାଙ୍ଗ ହେଇ ଘରକୁ ଯିବା ।” ମୋ ନଜରକୁ ଆସିଲା ପାଖ ମଉସାଙ୍କ ଦୋକାନ, ତାଙ୍କ ଦୋକାନରୁ ଦୁଇଟି ଡେରିମିଲ୍କ ଚକଲଟେ ଆଣି ତାକୁ ଦେଲି, କିନ୍ତୁ ସେ ମନା କଲା । ଚକଲଟେ ତ ପିଲାଙ୍କର ପ୍ରିୟ ହେଇଥାଏ, କିନ୍ତୁ ସେ ମନା କରୁଛି କ’ଣ ପାଇଁ ! ମୁଁ କହିଲି, “ତୁମେ ଯଦି ନ ନେବ ତୁମ ସହ କଟି ।” ସେ କ’ଣ ଭାବି ଚକଲଟେ ଦୁଇଟି ନେଇ ତା’ ବ୍ୟାଗ ଭିତରେ ରଖି ତା’ କୁନି ଓଠରେ ଥାଙ୍କୁ କହିଲା ଓ ବହୁତ ସାରା ଗପ କରି ଆମେ ଘରେ ପହଞ୍ଚି ଗଲୁ ।
ସେଇ ଚକଲଟେ ମୋତେ ଫେରିବାକୁ ଆସିଛି ଓ ତା’ ପଛରେ ଛିଡ଼ା ହୋଇଥାନ୍ତି ତା ମମି । ତା ମମିଙ୍କ ଇସାରରେ ସେ ଚକଲଟେ ଦୁଇଟିକୁ ମୋ ହାତକୁ ବଢ଼ାଇଦେଲା ତା’ର ସେଇ କୁହକ ଭରା ଓଠରେ । ମୁଁ ଭାବିଲି କି ନିର୍ଦ୍ଦୟ ମାଆ ଯେ, ଏଇ ଟିକି ଶିଶୁର ଓଠରୁ ହସ ଛାଡ଼ାଇ ନେଇଯାଉଛନ୍ତି । କିଛି କ୍ଷଣ ମଧ୍ୟରେ କୁକୁର ମମି ଆଖି ଛଳ ଛଳ କରି ତାଙ୍କ ଘରେ ଆଡ଼େ ଚାଲି ଯାଇଥିଲେ; କୁକୁ ମାମା ମାମା କହି ଚାଲି ଯାଉଥିଲାବେଳେ କହିଲା, “ଜାଣିଛ ଅଙ୍କଲ ମୋ ବଡ଼ ଭାଇ ମିକୁକୁ କେହି ଜଣେ ଚକଲଟେ ଦେଇ ଆମଠାରୁ ବହୁ ଦୂରକୁ ନେଇଯାଇଛି । ଭାଇ ଗଲାବେଳେ କିଛି ଅଧାଖିଆ ଚକଲଟେ ଆମ ଗେଟ୍ ପାଖରେ ଛାଡ଼ି ଯାଇଥିଲା, ମମି ସେଇ ଅଧଖିଆ ଚକଲେଟକୁ ସାଇତି ରଖିଛି ଆଉ ସେଇ ଅଧାଖିଆ ଚକଲଟେ ଦେଖି ବହୁତ କାନ୍ଦେ, ଆଉ ମୋତେ କେବେ ଚକଲଟେ ଖାଇବାକୁ ଦିଏନି ସରି ଅଙ୍କଲ…”
ସେତେବେଳକୁ ସେ ଚକଲଟେ ଦୁଇଟି ମୋ ହାତରେ ସମ୍ପୂର୍ଣ ରୂପେ ତରଳି ଯାଇଥାଏ ॥
– ଲକ୍ଷ୍ମୀ କାନ୍ତ ବେହେରା
ଅଧ୍ୟାପକ ପଦାର୍ଥ ବିଜ୍ଞାନ ବିଭାଗ
ମଇକ୍ରୋସଲୁସନ ଡିଗ୍ରୀ ମହାବିଦ୍ୟାଳୟ, ବାଲେଶ୍ୱର
ଦୂରଭାଷା-୮୦୯୩୧୦୧୫୭୨
Comments
ଲକ୍ଷ୍ମୀକାନ୍ତ ବେହେରା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।