ଜାଣତରେ
ନା ଅଜାଣତରେ
ଲାଇବ୍ରେରୀର ପଛ ସିଟରେ
ଛାଡ଼ି ଆସିଥିବା ରୁମାଲକୁ
ଫେରାଇଲାବେଳେ,
ଅଜାଡ଼ି ଦେଇଥିବା ଲାଜ ସବୁକୁ
ସଯତ୍ନରେ ସାଉଁଟି ନେଇଥିଲି
ମୋର ଅଣଓସାରିଆ
ଛାତି ପକେଟରେ ।
ସେବେଠୁ
ଦେହସାରା ଶିହରଣର ବାସ୍ନା,
ଶରୀରର ପ୍ରତିଟି ଲୋମକୂପରେ
ତୋଳି ସାରିଲାଣି ନଅର,
ସତେଜ ହେଲାଣି ମଉଳା ଗଛର ଫୁଲ,
ପବନକୁ ଅଳିକରି
ବଦଳେଇଲାଣି ତା’ର ବାସ୍ନା,
ସେଇଥିପାଇିଁ ତ
ଜହ୍ନରାତି ହାତପାହାନ୍ତାରେ
ଏବେଏବେ
ରଚିଲାଣି ଶୃଙ୍ଗାର ।
ରାତି ଆଉ ସ୍ୱପ୍ନ ମଝିରେ
ଫେରାର୍ ହୋଇଥିବା ନିଦ
ଅଭିମାନରେ ଅଡ଼ି ବସିଲାଣି
ତିନି ଇଞ୍ଚର ଭୂମି
ରୁମାଲର କୋମଳ ଧଡ଼ିରେ,
ଡାଇରୀର ପ୍ରତିପୃଷ୍ଠା
ଆରମ୍ଭରୁ ଶେଷ,
ରଙ୍ଗିନ୍ ପ୍ରଜାପତି ପରି
ଉଡ଼ି ବୁଲିଲାଣି,
ରାତିରୁ ରାତି ଦିନରୁ ଦିନ
ଲିପଷ୍ଟିକ୍ କଅଁଳ ସ୍ପର୍ଶରେ ।
ଆଇନାର ଫଛପଟେ ବି
ଦିଶିଲାଣି ମୁହଁ,
କଳା ଭ୍ରୁଲତା ସରୁ ବିନ୍ଦି
ଲାଜର ଛାଇରେ
ବହଳ ହେଲାଣି ଆସ୍ତରଣ,
ଫିକାଫିକା ରଙ୍ଗର ଗାଢ଼ତା,
ମେଘକୁ ଆହୁଲା କରି
ସଜେଇଥିବା କଜଳରେ
ଆଙ୍କି ଦେଲାଣି
ନାଁର ବର୍ଣ୍ଣ କେଇଟା
ଅଦୃଶ୍ୟ ଅସ୍ପଷ୍ଟ ଭଙ୍ଗୀରେ ।
– ସରୋଜ କୁମାର ସାହୁ
Comments
ସରୋଜ କୁମାର ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।