ନାତିକୁ କୋଳରେ ବସାଇ ସାହୁ ବାବୁ ଦେଖାଉଥିଲେ, “ଦେଖ, ଇଏ ତୋର ମାଆ, ଜେଜେମା’.. ତୋର ମନେ ନଥିବ, ହେଲେ ସେ ତତେ ବହୁତ ଭଲ ପାଉଥିଲା, ତୋ ମାଆ, ମାନେ ତୋ ମମ୍ଠୁ ବି ଅଧିକ । ବହୁତ ସେବା କରିଛି ତୋର ପିଲା ଦିନେ । ଜାଣିଛୁ ତୁ ଯୋଉଦିନ ପ୍ରଥମ କରି ମା ଡାକିଲୁ ତା ଆଖି ଲୁହ ଛଳ ଛଳ ହୋଇଯାଇଥିଲା । ଯୋଉଦିନ ତୁ ପ୍ରଥମ କରି ଚାଲିଥିଲୁ ସେଦିନ ଖିରି କରି ସମସ୍ତଙ୍କୁ ଖୁଆଇଥିଲା ସେ ।”
“ବାପା ମତେ ଛାଡ଼, ଆଉ କେତେ ଥର ସେଇ ଗପ କହିବ । ମୁଁ ଶୁଣି ଶୁଣି ବୋର୍ ହେଲିଣୀ ।” ଏତିକି କହି ବାପ କୋଳରୁ ଖସିଗଲା ନାତି ।
ସାହୁ ବାବୁ ସେମିତି ଫୋଟୋଟିକୁ ଧରି ବସିଥାନ୍ତି । ଝାପ୍ସା ଅଲୁଅରେ ଖୋଜିବାକୁ ଚେଷ୍ଟା କରୁଥାନ୍ତି କୋଡ଼ିଏ ଜଣିଆ ଫ୍ୟାମିଲିଫୋଟୋରେ ଓଢ଼ଣୀତଳୁ ନିଜ ସ୍ତ୍ରୀର ଲାଜୁଆ ଚେହେରାକୁ ।
“ହଁ ଏଇଠି ତ, ଏଇଠି ଠିକ ମଝିରେ । ଆମ ବାହାଘର ଦିନର ଫୋଟୋ ଇଏ । ବହୁତ ପୁରୁଣା । ଆଉ କ’ଣ ମୁଁ ଦେଖିପାରୁଚି । ଆରେ ଟୋକା ସୁନିଲୁ ମୋ ଚଷମାଟା ଦେଲୁ ହାତକୁ ।”
ଚାରି ମାସ ତଳୁ ଭାଙ୍ଗିଯାଇଥିବା ଫାଳେ କାଚଥିବା ଚଷମାଟିକୁ ଧରି ଆସୁଆସୁ ନାତିର ହାତରୁ ପଡ଼ିଗଲା । ମାସକୁ ଗୋଟେ ନୂଆ ଗଗଲେସ୍ ପିନ୍ଧୁଥିବା ପୁଅ ବୋହୁ ପାଖରେ ସମୟ ନାହିଁ । ଚଷମାର ନିହାତି ଆବଶ୍ୟକତା କିଛି ନାହିଁ କହି କଥାଟିକୁ ଆଡ଼େଇ ଦେଇଥିଲେ ସେମାନେ ।
ବାପା.. ସରି.. କହି କିଇଁ କଇଁ କାନ୍ଦିଉଠିଲା ନାତି । ଆଉ ନିଜେ ପିନ୍ଧିଥିବା ନାଲି ଚଷମାକୁ ବାପ ଆଖିରେ ଦେଇ କହିଲା ବାପା ଦେଖ ଏଥିରେ ସବୁ ଦେଖାଯିବ । ସବୁ ପ୍ରାଞ୍ଜଳ ଭାବେ ଦେଖି ପାରୁ ଥିଲେ ସାହୁ ବାବୁ ଲୁହ ଛଳ ଛଳ ଆଖିରେ ।
Comments
ଆଶାଲତା ପଣ୍ଡା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗଳ୍ପ, କବିତା ଆଦି ରଚନା କରିଥାନ୍ତି ।