ଚାରି ଫର୍ଦ୍ଦ

Odia Poem Chari Pharda (ଚାରି ଫର୍ଦ୍ଦ) by Swapna Nayak

ଏକ

ଯେଉଁ ଦିନ ତୁ ଏ ସୃଷ୍ଟିକୁ ଆସିଲୁ, ବାପା ବୋଉ ଭାଗ୍ୟ ଆଦରିଲେ… ପ୍ରଭୂ ! ପୁଣି ଝିଅଟିଏ ଦେଲେ ..!!!
ତୋ ସ୍ୱାଧୀନତାର ହାତରେ ଶିକୁଳି ପାଦରେ ବେଡ଼ି ପକାଇଲେ ସମସ୍ତେ ମିଶି

*

ଦୁଇ

ବଡ଼ ହେଲୁ, ମୁଣ୍ଡରୁ ପାଦଯାଏ ଢାଙ୍କି ହୁଳହୁଳି ଶଙ୍ଖଧ୍ଵନି ଭିତରେ ତୋତେ ଅନ୍ୟକୁ ଦାନ କରିଦେଲେ; ପୁଣ୍ୟ ଅର୍ଜିଲେ !

*

ତିନି

ଘରଟିଏ ଗଢ଼ିବା ଆଶାରେ ସାଉଁଟିଲୁ କୁଟାକାଠିର ସ୍ୱପ୍ନ, ଦିନେ ଚୁଲିକୁ ନିଅଣ୍ଟ ହେଲା ଜାଳ, ତୋ’ ଆଶା ସବୁ ଚୁଲିରେ ଜାଳିଦେଲୁ, ତୋ’ ଇଛାସବୁ ଅଟା ସାଥେ ଦଳିଦେଲୁ । ତୋ’ ଅକ୍ଷତ ସ୍ୱପ୍ନସବୁ କାଟିକୁଟି ଫୁଲଦାନୀରେ ସଜାଇଲୁ, ତୋ’ ଆକାଂକ୍ଷାସବୁ ସକାଳର ଚା’ କପରେ ବାଷ୍ପ ହୋଇ ଉଡ଼ିଗଲା । ଆଉ ବାକି କଳ୍ପନାସବୁ ଆରମ୍ଭ ପୂର୍ବରୁ ହିଁ ସରିଗଲା…
ସମସ୍ତେ ଭିଜିବା ପାଇଁ ତୁ ମେଘ ଆଣିଲୁ, ରଙ୍ଗରେ ହଜିବା ପାଇଁ ଫଗୁଣଠୁ ଅବିର ମାଗିଲୁ, ପୃଥିବୀଠୁ ଆକାଶ ଯାଏ ପଡ଼ିଥିବା ଅସମାପ୍ତ ରାସ୍ତାରେ ତୁ ଫୁଲ ସଜାଇଲୁ ।
ନିଜେ ତୁ ବିକ୍ଷିପ୍ତ ହୋଇ ସୁଦ୍ଧା ତୋ ସଂସାରକୁ ଯୋଡ଼ିଲୁ…

*

ଚାରି

ସବୁ ପରେ ବି କେହି ତତେ ବୁଝିଲେନି, କେହି ତତେ ଖୋଜିଲେନି,
ଅଣ୍ଡାଳି ଅଣ୍ଡାଳି ଖୋଜିହେଲୁ ତୁ ତୋ’ର ହଜିଲା ଅତୀତ, ଆଉ ଶେଷରେ…
ଚୁପ୍ ଚାପ୍ ଶୋଇଗଲୁ ଯୌତୁକ ଜୁଈରେ, ଶୂନ୍ୟତାରେ ବିଲୀନ ହେଲା ତୋର ପାର୍ଥିବ ସତ୍ତା ।

ଯୁଗେ ଯୁଗେ ଏଇ ତୋ’ କାହାଣୀ; ତୋ’ ଅନ୍ତରର ବ୍ୟଥା । ଏନ୍ତୁଡ଼ି ଶାଳରୁ ମଶାଣି ପର୍ଯ୍ୟନ୍ତ ପରିବ୍ୟାପ୍ତ ତୋ ଦୁଃଖର ସୀମା ସରହଦ, ଅସରନ୍ତି ଲୁହ ଆଉ ଛାତିଫଟା କୋହକୁ ତୋ’ର ଏଠି କିଏ ବା ମାପିବ…????

– ସ୍ୱପ୍ନା ନାୟକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...