“ମନେପଡ଼େ ସେଦିନର କଥା । ସ୍କୁଲରେ ଦେବାଶିଷ ସାରଙ୍କ ପ୍ରଥମ ଦିନ । ମନରେ ଭରିଥାଏ କେତେ ଆଶା ଆକାଂକ୍ଷା । ଅନେକ କଷ୍ଟ କରି ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥାନ୍ତି ସେ । ଆଜି ନିଯୁକ୍ତି ପାଇ ଯୋଗଦେବାର ପ୍ରଥମ ଦିନ । ମନ ବହୁତ ଖୁସି ଥାଏ ବିଦ୍ୟାଳୟରେ ନୂଆନୂଆ ପିଲାମାନଙ୍କ ସହ ମିଶିବାର ସୁଯୋଗ ମିଳିବ । ପ୍ରାର୍ଥନା ପରେ ଉପସ୍ଥାନ ଖାତାଟିକୁ ହାତରେ ଧରି ମନଜିଣା ସ୍ମିତହାସ୍ୟ ବଦନରେ ନବମ ଶ୍ରେଣୀ କକ୍ଷକୁ ପ୍ରବେଶ କରି ପିଲାମାନଙ୍କୁ ଶୁଭେଚ୍ଛା ଜଣାଇଲେ । ସେହି ସମୟରେ ଶ୍ରେଣୀ କକ୍ଷରେ ଆରମ୍ଭ ହେଇଗଲା ପିଲାମାନଙ୍କ ମଧ୍ୟରେ କଥାବାର୍ତ୍ତା, ହସାହସି ଇତ୍ୟାଦି । ପିଲାମାନଙ୍କ ଏପରି ଆଚରଣରେ ନିଜକୁ ଅସହଜ ମନେ କରୁଥିଲେ ମଧ୍ୟ ବିଚଳିତ ନହୋଇ ଶିକ୍ଷାଦାନ କାର୍ଯ୍ୟରେ ମନ ଦେଲେ । ପ୍ରଥମେ ସେ ପିଲାମାନଙ୍କ ଧ୍ୟାନକୁ ନିଜ ଆଡ଼କୁ ଆକର୍ଷିତ କରିବାକୁ ଚେଷ୍ଟା କଲେ । ନିଜର ବିଚକ୍ଷଣ ବୁଦ୍ଧି, ବାକ୍ ଚାତୁରୀ, ଆଉ ପରିଚାଳନାର ଅଦ୍ଭୁତପୂର୍ବ ଦକ୍ଷତା ଯୋଗୁଁ ସେ ଏଥିରେ ସଫଳ ମଧ୍ୟ ହେଲେ । ସାର ଏକ କୌତୁକିଆ ଉପାୟରେ ପିଲାମାନଙ୍କ ଉପସ୍ଥାନ ନେଲେ । ତା’ପରେ ତାଙ୍କର ପ୍ରିୟ ପାଠ୍ୟକ୍ରମ ବିଷୟରେ ପଚାରି ବୁଝିଲେ । ତାଙ୍କ ସହ ବିଭିନ୍ନ ଶିକ୍ଷଣୀୟ ଖେଳ ଖେଳିଲେ । ସାରଙ୍କ ପ୍ରତି ପିଲାମାନଙ୍କର ଆଗ୍ରହ ବଢ଼ିଗଲା । ସେମାନେ ବେଶ ଉତ୍ସୁକତାର ସହ ତାଙ୍କ କଥା ଶୁଣିବାକୁ ଲାଗିଲେ । ସମସ୍ତେ ଶାନ୍ତ ଆଉ ଏକ ଲୟରେ ଦେବାଶିଷ ସାରଙ୍କୁ ଚାହିଁ ରହିଥିଲେ ।
ହଠାତ୍ ନଜର ପଡ଼ିଲା ଦେବାଶିଷ ସାରଙ୍କର ଗୋଟେ ପିଲା ଉପରେ । ତା’ର କୌଣସି ଆଗ୍ରହ ନଥିଲା ଦେବାଶିଷ ସାରଙ୍କ କଥାରେ । ଦେବାଶିଷ ସାର୍ ତାକୁ ପାଖକୁ ଡାକି ତା’ ନାଁ ପଚାରିଲେ । ଅନେକଥର ପଚାରିବା ପରେ ମୁହଁ ତଳକୁ କରି ସେ କହିଲା “ଚଗୁଲୁ” । ହଉ ବୋଲି କହି ଦେବାଶିଷ ସାର୍ ତାକୁ ତା’ ସିଟକୁ ଯାଇ ବସିବାକୁ କହିଲେ । ଏହା କହି ସେ ଚଗୁଲୁ ଉପରେ ନଜର ରଖି ନିଜ କାର୍ଯ୍ୟରେ ମନ ଦେଲେ । କିଛି ସମୟ ପରେ ଚଗୁଲୁ ପୁଣି କିଛି ବଦମାସି କରୁଥିବାର ଦେଖି ପାରିଲେ ସାର୍ । ଚଗୁଲୁ ଡରିଗଲା ବହୁତ । ଭାବିଲା ଆଜି ତାକୁ ଆଉ କେହି ରକ୍ଷା କରି ପାରିବେନି । ସେ ପାଖ ପିଲାର ଟିଫିନ ଚୋରେଇ ଖାଉଥିଲା । ଦେବାଶିଷ ସାର୍ ସ୍ମିତ ହସି ନିଜ ପାଠପଢ଼ା ଜାରି ରଖିଲେ ।
ଖେଳଛୁଟିର ସମୟ । ସମସ୍ତେ ଖେଳକୁଦରେ ବ୍ୟସ୍ତ । ଚଗୁଲୁ ମନମାରି ଖେଳପଡ଼ିଆର ଗୋଟେ କଣରେ ବସିଛି । ହଠାତ୍ ତା’ ପିଠିରେ କାହାର ହାତର ସ୍ନେହବୋଳା ସ୍ପର୍ଶ ସେ ଅନୁଭବ କଲା । ପଛକୁ ବୁଲି ଦେଖେ ତ ଦେବାଶିଷ ସାର୍ । ହଠାତ୍ ସାରଙ୍କୁ ନିଜ ପାଖରେ ପାଇଁ ଭୟରେ ଇତସ୍ତତଃ ହେଇଗଲା ସେ । ସାର କିନ୍ତୁ ହସହସ ମୁହଁ କରି ବେଶ ସ୍ୱାଭାବିକ ଭାବେ ତା’ ହାତକୁ ନିଜର ଟିଫିନ ବାକ୍ସଟି ବଢାଇ ଦେଲେ । ଆଖି ଛଳଛଳ ହେଇଗଲା ଚଗୁଲୁର । ସେ ଆଶ୍ଚର୍ଯ୍ୟ ହେଇ ଭାବୁଥିଲା ସାର କେମିତି ଜାଣିଲେ ଯେ ତାକୁ ଭୋକ ଲାଗୁଥିଲା ଆଉ ସେ ଆଜି ଟିଫିନ୍ ଆଣିନାହିଁ ବୋଲି । ଟିଫିନ୍ ଖୋଲି ଖାଉଖାଉ ହଠାତ ଦେବାଶିଷ ସାରଙ୍କ ହସ ଶୁଣି ସେ ବି ଜୋରରେ ହସି ଉଠିଲା । ସାର ପଢ଼ଉଥିବା ବେଳେ ଚଗୁଲୁକୁ ଖାତାରେ କିଛି ଗାରଉ ଥିବାର ଦେଖିଥିଲେ । ତେଣୁ ତା’ ଖାତା ନେଇ ଆସି ଦେଖୁଥିଲେ । ସେଥିରେ ଦେବାଶିଷ ସାରଙ୍କର ଗୋଟିଏ ଅତି ସୁନ୍ଦର କାର୍ଟୁନ୍ ଅଙ୍କା ହେଇଥିଲା । ସାରଙ୍କୁ ଏପରି ହସୁଥିବାର ଦେଖି ଚଗୁଲୁର କାହିଁକି କେଜାଣି ଇଚ୍ଛା ହେଲା ସାରଙ୍କୁ ଜାବୁଡ଼ି ଧରିବାକୁ । ସାର୍ ତା’ ପିଠି ଥାପୁଡ଼େଇ କହିଲେ “ଆରେ ବାଃ ଚଗୁଲୁ ତୁ ଏତେ କମ ବୟସରୁ ଏମିତି କାର୍ଟୁନ କେମିତି ଆଙ୍କି ପାରୁଛୁ । ତୁ ତ ସତରେ ଗୋଟେ ଚିତ୍ରକର ।”
“ବାସ ତା’ ପରଠୁ ଏ ଚଗୁଲୁ କେବେ ସୁନା ପିଲା ହେଇଗଲା ସେ ନିଜେ ବି ଜାଣି ପାରିଲାନି ।”
ଏତିକି କହି ଓଦା ଆଖିକୁ ଲୁଚାଇ ନତମସ୍ତକ ହେଇ ନିଜର ପ୍ରିୟ ଶିକ୍ଷକ ଦେବାଶିଷ ସାରଙ୍କୁ ଅଶେଷ ଧନ୍ୟବାଦ ଜଣାଉଥିଲା ।
ବିଶ୍ଵରେ ସର୍ବକନିଷ୍ଠ କାର୍ଟୁନିଷ୍ଟ ଭାବେ ନୂତନ ବିଶ୍ୱରେକର୍ଡ଼ର ଅଧିକାରୀ ହୋଇ ଅଜସ୍ର ଶୁଭେଚ୍ଛା ସାଉଁଟୁଥିବା ଚଗୁଲୁ ଓରଫ ଚନ୍ଦ୍ରକାନ୍ତ ରାଉତ ।
– ଜନ୍ମଜୟ ନାୟକ
Comments
ଜନ୍ମଜୟ ନାୟକ ପେଶାରେ ଜଣେ ସରକାରୀ ଶିକ୍ଷକ, କିନ୍ତୁ ନିଶା ତାଙ୍କର ଗପ ଓ କବିତା ଲେଖିବା । ପୁରୀ ଜିଲ୍ଲାର ଚିଲିକା ନୋଡାଲ ହାଇସ୍କୁଲରେ କାର୍ଯ୍ୟରତ ଥିବା ଏହି ଶିକ୍ଷକଙ୍କର ଗପଗୁଡ଼ିକ ଅନେକ ପତ୍ରିକପତ୍ରିକାରେ ସ୍ଥାନିତ ହୋଇଛି ।