ବୋଇତ ବନ୍ଦାଣ ହୁଅଇ ପାଳନ
କାର୍ତ୍ତିକ ପୂର୍ଣ୍ଣିମା ଦିନ
ଓଡ଼ିଆ ଘରର ପୂର୍ବ ପରମ୍ପରା
ରହିଅଛି ଚିର ଦିନ ॥
ପୂରୁବ କାଳରେ ସାଧବ ମାନେ ଯେ
ବୋଇତରେ ଯାଉଥିଲେ
ବିଦେଶକୁ ଯାଇ ବ୍ୟବସାୟ କରି
ଧନରତ୍ନ ଆଣୁଥିଲେ ॥
ଯାଉଥିଲେ ହସି କାର୍ତ୍ତିକ ମାସରେ
ଫେରୁଥିଲେ ଆଷାଢ଼ରେ
ହରଷ ଚିତ୍ତରେ ବାଣିଜ୍ୟ କର୍ମକୁ
କରୁଥିଲେ ସୁମାର୍ଗରେ ॥
ମନାସୀ ମନରେ ଶୁଭ କାମନା ଯେ
ଧରିଣ ବନ୍ଦାଣ ଥାଳି
ବନ୍ଦାଉ ଥିଲେ ଝିଅ ବୋହୂ ମିଶି
ଶୁଭ ଦୀପଟିଏ ଜାଳି ॥
ଶୁଭୁଥିଲା ଶୁଭ ଶଙ୍ଖ ହୁଳହୁଳି
ନୀଳ ସମୁଦ୍ର ତଟରେ
ମନେ ସୁମରିଣ ଜୟ ଜଗନ୍ନାଥ
ମଙ୍ଗଳେ ଗମନ କଲେ ॥
ପୁଣ୍ୟ ଧର୍ମ ମାସ ମହାକାର୍ତ୍ତିକରେ
ବୋଇତ ବନ୍ଦାଣ ହୁଏ
ଆ କା ମା ବୈଇ ତୁଣ୍ଡେ କହି କହି
ଡଙ୍ଗାଟି ଭସାଉ ଥାଏ ॥
ପ୍ରାଚୀନ ପରମ୍ପରା ରହିଅଛି
ପ୍ରତି ଓଡ଼ିଆଙ୍କ ଘରେ
କାର୍ତ୍ତିକ ପୂର୍ଣ୍ଣିମା ଦିନ ବୁଡ଼ ଦେବା
ପୁଷ୍କରିଣୀ ଜଳାଶୟରେ ॥
ପୁଣ୍ୟ ଅରଜିବା ଡଙ୍ଗାକୁ ଭସାଇ
ଶୁଭ ପାହାନ୍ତିଆ ବେଳେ
ସବୁ ପାପତାପ ପ୍ରଭୁ ବିନାଶିବେ
ଯଦି ଭକ୍ତି ମନ ତଳେ
– ମମତା ସାହୁ
Comments

ମମତା ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।