ତୁମ ଶବକୁ କୁଣ୍ଢେଇ ଧରି ମଥା ବାଡ଼େଇ କାନ୍ଦିବାକୁ ଭାରି ମନହୁଏ । ମନ କେବେକେବେ ଉଦାସ ଆଖିରେ ଆକାଶକୁ ଚାହିଁରହେ । କେତେବେଳେ ମନେମନେ ହସେ । ତୁମେ କେତେ ଭଲଥିଲ ଅବା କେତେ ଖରାପ ଥିଲ ବୋଲି ଭାବିହୁଏ । କିନ୍ତୁ ଯେତେ ଭାବିହେଲେ କ’ଣ ହେବ, ତୁମେ ଯେ ଚାଲି ଯାଇଛ । ଏ ଜୀବନରେ ତୁମେ ଆଉ କେବେବି ଫେରିବନି, ବରଂ ଦି’ଘଡ଼ି ପରେ, ତୁମର ପଚାଶବରୁ ଦୁର୍ଗନ୍ଧ ଉଠିବା ଆରମ୍ଭ ହୋଇଯିବ ! ହେ ମୋର ‘ଗତକାଲି’ ମୋତେ ତୁମକୁ ଭୁଲିବାକୁ ଦିଅ । ତୁମେ ଯେତେ ଯାହା ଘାଆ ଦେଇଥିଲ ସେଥିରୁ କିଛି ଏବେ ସୁଖି ସାରିଲାଣି, ଆଉ କିଛି ସୁଖି ସୁଖି ଆସୁଛି । କିନ୍ତୁ ତୁମର ସ୍ମୃତି ପୁଣି ସେଇ ପୁରୁଣା ଘାଆଗୁଡ଼ିକୁ ସତେ ଯେପରି ଆଉ ଥରେ ରାମ୍ପି ଦେଉଛି, ପୁଣି ତାଜା କରିଦେଉଛି । ମନ ହେଉଛି, ଘାଆର ଯେତେ ଦାଗ, ଯନ୍ତ୍ରଣାର ଯେତେ ବାହାନା ସେସବୁକୁ ମନରେ ସାଇତି ରଖିବି । କାରଣ, ଘାଆର ଦାଗ ଦେଖାଇ କଷ୍ଟର ବାହାନା କଲେ, କେତେ ଯେ ସମବେଦନା କେତେ ଦରଦ ବର୍ଷା ହୋଇଯାଏ । କିନ୍ତୁ ତୁମକୁ ଭୁଲି ମୁଁ ପୁଣିଥରେ ଦେହରୁ ଧୂଳି ଝାଡ଼ିଦେଇ ଆଗକୁ ବଢ଼ିବାପାଇଁ ଚେଷ୍ଟାବିତ କରି ପାରିବି ! ହେ ମୋର ‘ଗତକାଲି’ ଦୟାକରି ତୁମେ, ମୋତେ ତୁମ ସ୍ମୃତି ବନ୍ଧନରୁ ମୁକ୍ତି ଦେଇଦିଅ ।
ହେ ‘ଅନାଗତ’ ତୁମେ କେମିତି ଆସିବ, ମୋ ପାଇଁ କ’ଣ ଆଣିବ, କିଛିବି ତ ଜାଣିନି । କିନ୍ତୁ ମୋ ମନରେ ଏତେ ଉତ୍କଣ୍ଠା, ଏତେ ଆଶଙ୍କା କାହିଁକି? ମୋ ମନ, ବିନା କିଛି ପ୍ରଚେଷ୍ଟାରେ ଏତେ ସବୁ ଆଶା କାହିଁକି ବାନ୍ଧି ନେଉଛି? ଯେମିତି ତୁମେ ମୋର ସୁନେଲି ରୂପେଲି ସପନମାନଙ୍କ ପରି ବହୁତ ସୁନ୍ଦର ହେବ, ତୁମେ ମୋ ପାଇଁ ଅନେକ ସୁଖର ସମ୍ଭାର ନେଇ ଆସିବ । ମୋର ସକଳ ସ୍ୱପ୍ନକୁ ସାକାର କରିଯିବ ! ପୁଣି କେବେ କେଉଁ ଅଜଣା ଆଶଙ୍କାରେ ମନ ଡରିଯାଏ । ହୁଏତ ତୁମେ ମୋର ‘ବିଗତ’ ପରି ବିଭତ୍ସ ହେବ, ପୁଣି ନୂଆ ନୂଆ ଘାଆ ଦେଇଯିବ ! କେବେ ତଟସ୍ଥ ହୋଇ ପୁଣି ଭାବେ, ସତରେ ମୋ ଜୀବନ କେତେ ନିର୍ଲଜ? ମୁଁ ଏଯାଏ ବିହନ ବି ବୁଣିନି, କିନ୍ତୁ ଫସଲ କାଟିବାକୁ ମୋ ଦାଆରେ ଧାର ଦେଇ ଚାଲିଛ ! ମୁଁ କେତେ ଦୂର୍ବଳ, ଏବେଯାଏ ‘କାଲି’ର ଶବଯାତ୍ରାରେ ମୋ ‘ଅତୀତ’ର ଶବାବାହକ ହୋଇ ଚାଲିବା ଜାରି ରଖିଛି । ମୋର ସୁନେଲି ଭବିଷ୍ୟତ ପାଇଁ କିଛିବି ଉଦ୍ୟମ କରିନି କିନ୍ତୁ କଳ୍ପନାରେ ଆକାଶକୁ ଶିଢ଼ି ବାନ୍ଧି ସାରିଲିଣି ।
ମୁଁ କେମିତି ଭୁଲିଯାଉଛି, ମୋର ‘ଆଜି’ର ସକଳ ପ୍ରଚେଷ୍ଟା ମୋ ପାଇଁ ସୁନେଲି ଇତିହାସ ରଚିଯିବ ଆଉ ଉଜ୍ୱଳ ଭବିଷ୍ୟତ ଆଣି ପାରିବ । ହେଲେ ଯେଉଁ ‘ଦିନ’ ଚାଲି ଯାଇଛି, ଯେଉଁ ଘଟଣା ଘଟି ଯାଇଛି, ସେ ଦିନସବୁ ପୁଣିଥରେ କେବେବି ଆଉ ଫେରି ଆସିବନି, କିନ୍ତୁ ମୁଁ ତାକୁ ମନରେ ସାଇତି ରଖି କାହିଁକି ସନ୍ତୁଳି ହେଉଛି । ଯେଉଁ ଦିନସବୁ ମୋ ଜୀବନରେ ଏଯାଏ ଆସିନାହାନ୍ତି, ଯାହା କେବଳ ଆସିବାକୁ ଅଛି, ସେଇ ‘ଅନାଗତ’ ଭବିଷ୍ୟତ ବିଷୟରେ ମୁଁ ଦିବାସ୍ୱପ୍ନ ଦେଖି କଳ୍ପନାର ଚାନ୍ଦୁଆ ବୁଣିବାରେ ବ୍ୟସ୍ତଅଛି । ସେଇ ଅନାଗତର ରୂପରେଖା ପ୍ରସ୍ତୁତି ପାଇଁ କିଛିବି ତ ଚେଷ୍ଟା କରୁନି । ବିଗତ ଏବଂ ଅନାଗତର ମଝାମଝିରେ ଠିଆ ହୋଇ ମୁଁ କିପରି ପେଶି ହୋଇଯାଉଛି ସତେ । ‘ଯିଏ ଯାଇଛି’ ଏବଂ ‘ଯିଏ ଆସିନି’ ସେମାନଙ୍କ ଚିନ୍ତାରେ ମୁଁ ମୋର ଆଜିର କାମ ଭୁଲିଗଲି? ମୋର ‘ଆଜି’ଟିକୁ ମନଭରି ଜୀଇଁବାକୁ ବି ଭୁଲିଗଲି ! ଜୀବନରେ ଏ ଯାଏ ପରିଶ୍ରମର ମଞ୍ଜିଟିଏ ବି ବୁଣିନି, କିନ୍ତୁ ନିର୍ଲଜଙ୍କ ପରି ଆସନ୍ତା କାଲି ସାଗ ତୋଳିବି ବୋଲି ମୋର ଚାଙ୍ଗୁଡ଼ି ସଜାଡ଼ି ସାରିଲିଣି ।
– ବିନୟ ମହାପାତ୍ର
Comments
ବିନୟ ମହାପାତ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରିଥାନ୍ତି । ତାଙ୍କ ରଚିତ କବିତାଗୁଡ଼ିକ ତାଙ୍କ ନିଜ ବ୍ଲଗ୍ରେ ଆପଣମାନେ ପ୍ରତ୍ୟେକଦିନ ମଧ୍ୟ ପଢ଼ିପାରିବେ ।