ଶାନ୍ତିର ସବ ସତ୍କାର କରି,
ଦଶତୁଠେ ସୁଧୀହେଲାପରେ,
ଅଶାନ୍ତିର ବହ୍ନି ଜାଳି,
ଖୋଜୁଛି ଶାନ୍ତିର ସ୍ୱରୂପ ।
ଝୁରିମରୁଛି, ମୁଣ୍ଡଗଡ଼ାଇ,
ଦେଖିବାକୁ ତା’ର ଶାନ୍ତ, ସ୍ନିଗ୍ଧରୂପ ॥
ରକ୍ତ ପିପାସୁ ମାନବ ଆଜି,
ଧ୍ୱଂସ କରିଚାଲିଛି ଏ ଧରା,
ରାକ୍ଷସ ଭସ୍ମାସୁର ସାଜି ।
ବାୟୁ, ମାଟି, ଜଳ, ଆକାଶ ପାତାଳ,
ସବୁଠାରେ ବିଷ ମଞ୍ଜି ବୁଣି,
ଆଶାରଖେ ଅମୃତର ଫଳ,
ନିଶ୍ଚିତ ଫଳିବ ଦିନେ,
ଜାଣେ ନାହିଁ ଦିବାସ୍ୱପ୍ନ ତା’ର,
ଅନାୟାସେ ଯିବ ଦିନେ ଭାଜି ।
ଭୋକିଲା ଶୋଷିଲା ମଣିଷ ଏଠି,
ଖାଦ୍ୟାଭାବେ ମରନ୍ତି ଅଳପେ ।
ଦେହ ଭୋକେରକ୍ତାକ୍ତ ସଂଘର୍ଷ,
କଞ୍ଚାମାଂସ ଲୋଭୀ ପିଶାଚ ଆଜି,
ଦେଖେ ନାହିଁ ମା, ଝିଅ, ଭଗ୍ନୀ,
ଝାମ୍ପିପଡ଼େ ଭୋକ ଶୋଷ ମେଣ୍ଟିବାକୁ,
ଡରେନାହିଁ କୁମ୍ଭୀପାକ ନର୍କେ ।
ପ୍ରେମ ଆଜି ବଦଳାଇରୂପ,
ହୋଇଛି ସେ ଉଲଗ୍ନ ତରୁଣୀ ।
ଦେହଭୋକ ମେଣ୍ଟାଇବାକୁ,
ଦେଇପାରେ ଲକ୍ଷେ ପ୍ରତିଶୃତି,
ଭୋକ ମେଣ୍ଟିଗଲା ପରେ,
ସବୁ ସ୍ମୃତିର କବର ଖୋଳି,
ସଭିଏଁ ଭୁଲନ୍ତି ଏଠି ପିଳଖେଳ ପରି ॥
ତଥାପି ତଥାପି ମୁଁ ମଣିଷ,
ବିଧାତାର ଶ୍ରେଷ୍ଠ ଅଦ୍ଭୁତ କୃତି ।
ସ୍ନେହ, ପ୍ରେମ ବିବେକର ଗନ୍ତାଘର ମୁଁ,
ଜ୍ଞାନରେ ମୋ ଜଗତ ଉଠୁଛି ଉଦ୍ଭାସି ।
ତୋଳିଲିଣି ଚନ୍ଦ୍ରରାଜ୍ୟେ ଘର,
ଭେଦିଲିଣି ଅଥଳ ସମୁଦ୍ର,
ହେଲେ ସଭ୍ୟମୁଖା ତଳେ,
ଅସଭ୍ୟ, ଘୃଣ୍ୟ, କୁସ୍ଚିତ ଚେହେରା,
ସାରାଜଗତକୁ ଦବ ଦିନେ ନାଶି ॥
– ଶେଷଦେବ ଯଜ୍ଞକାମ ଦେଓ
Comments
ଶେଷଦେବ ଯଜ୍ଞକାମ ଦେଓ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ଅନେକ ଗପ, କବିତା ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।