ଅଦିନିଆ ବର୍ଷାଯୋଗୁଁ ନୁଆଁଣିଆ ଚାଳଘର ଭିତରେ ଚାରିଆଡ଼େ ପାଣି ପଡ଼ୁଥାଏ କାରଣ ୩ ବର୍ଷହେବ ଘର ଛାଆ ହୋଇନି । କାନ୍ଥରୁ ବି ମାଟି ଖସୁଛି ବର୍ଷାରେ ଭିଜି ଭିଜି । ଏପରି ବିପଦସଙ୍କୁଳ ସ୍ଥାନରେ ଛୁଆ ଦୁଇଟାକୁ ଧରି ରାତି କାଟିବାକୁ ସାବିତ୍ରୀ ଠିକ୍ ଭାବୁନଥାଏ, ମନକୁ ପାପ ଛୁଉଁଥାଏ । ହେଲେ ଏ ଝଡ଼ ବରଷା ରାତିରେ କୁଆଡ଼େ ଯିବ? କାହା ପିଣ୍ଢାରେ ଆଶ୍ରୟ ନେବ ଭାବୁଥାଏ । ମନରେ ସାହାସ ବାନ୍ଧି ୨ଟା ବୁଜୁଳି ଓ ଗୋଟାଏ ଗଣ୍ଠିଲିରେ ସବୁ ଜିନିଷ ବନ୍ଧାବନ୍ଧି କରି ଦୁଇଛୁଆଙ୍କୁ ଧରି ମନ୍ଦିର ପ୍ରାଙ୍ଗଣରେ ଆଶ୍ରୟ ନେଲା । କିନ୍ତୁ ତରବରିଆରେ କାଉଳା ହୋଇ ପୁଅଝିଅଙ୍କ ମାଟିସିଲଟ ଦୁଇଟା ଘରୁ ଆଣିବାକୁ ଭୁଲିଯାଇଥାଏ ସାବିତ୍ରୀ ।
ରାତି ପାହି ସକାଳ ହେଲା । ପୁଅ ରାଜୁ ଓ ଝିଅ ରାଣୀଙ୍କ ସହ ଯାଇ ନିଜ ଘର ପାଖରେ ପହଞ୍ଚି ସାବିତ୍ରୀ ଯାହା ଦେଖିଲା ତା’ର ପାଦ ତଳୁ ମାଟି ଖସି ଯାଉଥାଏ । ନିଜର ସମ୍ୱଳ କହିଲେ ଯେଉଁ ଘରଟି ଥିଲା ତାହା ଧରାଶାୟୀ ହୋଇଛି । ବୋଝ ଉପରେ ନଳିତା ବିଡ଼ା ସଦୃଶ ପ୍ରତୀତ ହେଉଥାଏ ସାବିତ୍ରୀକୁ । ଅମାନିଆ ଲୁହ ଧାର ଆଖି କିଆରିର ବନ୍ଧ ନମାନି ଝରି ଚାଲିଥାଏ । ରାଜୁ ଓ ରାଣୀ ମାଟି ଅଣ୍ଡାଳି ଅଣ୍ଡାଳି ଭଙ୍ଗା କାନ୍ଥ ତଳୁ ମାଟି ସିଲଟ ଦୁଇଟା ପାଇଗଲେ । କିନ୍ତୁ ଭାଙ୍ଗି ଯାଇଥିବା ସିଲଟ ଦୁଇଟାକୁ ଦେଖି ତାଙ୍କ ମୁହଁ ଶୁଖିଗଲା ।
ସାବିତ୍ରୀ ତା’ର ଚିରା ପଣତରେ ଛୁଆ ଦୁହିଁଙ୍କ ଲୁହ ଛଳ ଛଳ ଆଖି ପୋଛିଦେଇ ଛାତିରେ ଜାବୁଡ଼ି ରଖି ଭୋ ଭୋ ହୋଇ କାନ୍ଦି ଉଠିଲା । ପରେ ତାଙ୍କୁ ନୂଆ ସିଲଟ କିଣିଦେବ ବୋଲି ବୁଝାଇ ତୁନି କରାଇଲା । ପେଟରେ ଓଦାକନା ରଖି କେତେ ଉପାସ ରହି ଛୁଆ ଦୁଇଟାଙ୍କ ମୁହଁରେ ଦାନା ଦେଇଛି ସେ । ଆଜି ଘରଟି ଭାଙ୍ଗିଯିବା ପରେ ଲାଗୁଥାଏ ସତେ ଯେମିତି ବେସାହାରା ହୋଇଯାଇଛନ୍ତି ସେମାନେ । ଚାଳରେ ଲଟେଇ ମାଡ଼ିଥିବା ପୋଇ ଓ କଖାରୁ ଲତା ଗୁଡ଼ିକ ଝାଉଁଳି ପଡ଼ିଛନ୍ତି । ସତେ ଯେମିତି ସାବିତ୍ରୀର ସୁଖ ଦୁଃଖର ମୂକ ସାକ୍ଷୀମାନେ ନୀରବ ହୋଇ ଆଖି ମୁଦି ଦେଇଛନ୍ତି ସବୁ ଦିନ ପାଇଁ । ଭାଗ୍ୟକୁ ଆଦରି ଗାଁ’ରୁ ସହର ଆଡ଼କୁ ମୁହାଁଇଲା ସାବିତ୍ରୀ ଛୁଆ ଦୁହିଁଙ୍କୁ ଧରି । ଛୁଆ ଦୁଇଟି ଛାତିରେ ଭଙ୍ଗା ସିଲଟ ଦୁଇଟିକୁ ଏମିତି ଚାପିଧରିଥାନ୍ତି ସତେ ଯେମିତି ମୂଲ୍ୟବାନ ସମ୍ପତି !
ଅସ୍ତଗାମୀ ରବି କିରଣ ଦୂର ପାହାଡ଼ ପଛ ଆକାଶକୁ ସୁନେଲି କରି ଦେଉଥାଏ । ସେହି ସମୟରେ ସାବିତ୍ରୀ ଛୁଆ ଦୁଇଟିକୁ ଧରି ସହର ପାଖରେ ପହଞ୍ଚିଥାଏ । ଏକ ସରକାରୀ ବିଦ୍ୟାଳୟର ହତା କଡ଼ ବରଗଛ ତଳେ ଆଶ୍ରୟ ନେଇଥାନ୍ତି ସେମାନେ । ଉପାସ ଥା’ନ୍ତି, ପେଟରେ ଭୋକ । ସ୍କୁଲ ହତାର ନଳକୂପର ଜଳ ତାଙ୍କ ତୃଷ୍ଣା ମେଣ୍ଟାଇଛି । ଜହ୍ନ ଆଲୁଅରେ ପିଲା ଦୁଇଟା ତାଙ୍କର ଭଙ୍ଗା ସିଲଟରେ ଭଙ୍ଗା ଇଟାରେ କିଛି ଗାରଉଥାନ୍ତି । କାରଣ ପାଖରେ ଖଡ଼ିଟିଏ ବି ନଥାଏ ।
ବିଦ୍ୟାଳୟ ହତାର ଅନତିଦୂରରେ ଅଂଶୁମାନ ସାରଙ୍କର ଘର । ବିରାଟ ଘର ହେଲେ ସ୍ୱାମୀ ସ୍ତ୍ରୀ ଦୁଇପ୍ରାଣୀ । ବାହାଘରର ୧୦ ବର୍ଷପରେ ବି ପିଲାଟିଏ ନାହିଁ । ସେଇଟା ତାଙ୍କ ଜୀବନର ଦୁଃଖ । ହେଲେ ଘର ନୁହେଁ ତ ଗୋଟେ ଛୋଟ ଚିଡ଼ିଆଖାନା । ପୋଷା କୁକୁର ଟମି, ପୋଷା ବଲେଇ ଲୁସି, ପିଞ୍ଜରାରେ ୧୨ଟି ଧଳା ମୂଷା, ମନଜିଣା କଥା କହୁଥିବା ୨ଟି ଶୁଆ, ୩ଟି ଛୋଟ ଠେକୁଆକୁ ତାଙ୍କ ଘରେ ଦେଖିବାକୁ ପାଇବା । ସେମାନଙ୍କ ଯତ୍ନ ଓ ଦାୟିତ୍ୱ ନେବାରେ ଭାରି ଆନନ୍ଦ ପାଆନ୍ତି ସେ ଦମ୍ପତ୍ତି । ଦିବସର କର୍ମକ୍ଳାନ୍ତି ପରେ ସାର୍ ଜହ୍ନ ଜୋଛନାରେ ଛାତଉପରେ ବୁଲୁଥାନ୍ତି । ସାରଙ୍କର ନଜର ପଡ଼େ ପିଲା ଦୁଇଟି ଉପରେ । ମନ ଭିତରେ ପ୍ରଶ୍ନଗୁଚ୍ଛ, ଏମାନେ କିଏ? କ’ଣ ପାଇଁ ଏଠାରେ ଏମିତି ଅସହାୟ ଭାବେ ଗଛମୂଳେ ଆଶ୍ରୟ ନେଇଛନ୍ତି? ଇତ୍ୟାଦି…
ମନକୁ ପାପ ବି ଛୁଇଁଲା । କାରଣ ସେ ସ୍ଥାନଟି ନିରାପଦ ନୁହେଁ । ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ । ଯାହା ବି ହେଉ ଘରଣୀଙ୍କ ଶବ୍ଦରେ ପ୍ରକୃତିସ୍ଥ ହୋଇ ଛାତଉପରୁ ତଳକୁ ଗଲେ । ରାତ୍ରିଭୋଜନ କରି ଶୋଇବା ପାଇଁ ଗଲେ, ହେଲେ ଆଖିକୁ ଜମା ନିଦ ଆସୁନଥାଏ । ସେ ନିରୀହ ନିଷ୍ପାପ ଛୁଆ ଦୁଇଟାଙ୍କ କଥା ଆଖିରେ ନାଚୁଥାଏ । କେମିତି ରାତିପାହିବ ଓ ସେ ପିଲା ଦୁହିଁଙ୍କୁ ଭେଟିବେ ଭାବୁଥାନ୍ତି ।
ରାତିର ଗଭୀରତା ବଢ଼ିଚାଲିଥାଏ । ବୁଲା କୁକୁରମାନଙ୍କର ଭୁକିବାର ଶବ୍ଦ ଛାତି ଥରାଇ ଦେଉଥାଏ । ଶୁନଶାନ୍ ସହରର ସବୁ ଗଳି । ସାବିତ୍ରୀ ପିଲା ଦୁଇଟିଙ୍କୁ ଜାବୁଡ଼ିଧରି ଶୋଇଥାଏ ବରଗଛ ତଳେ । ବିଳମ୍ୱିତ ରାତିରେ ସେହି ବାଟ ଦେଇ ଯାଉଥିବା କିଛି ମଦ୍ୟପଶ୍ରେଣୀର ଯୁବକଙ୍କର ନଜର ପଡ଼ିଛି ସାବିତ୍ରୀଉପରେ । ହଜିଯାଇଛି ମାନବିକତା ଆଧୁନିକତାର ସଭ୍ୟ ସହରର ଅନ୍ଧାରରେ । ରାକ୍ଷସ ପରି ସେମାନେ ସାବିତ୍ରୀର ରକ୍ତମାଂସର ଶରୀରକୁ ଧର୍ଷଣ କରିବା ପରେ ତାକୁ ତଣ୍ଟିଚିପି ଜୀବନରୁ ମାରିଦେଇଛନ୍ତି । ତା’ପରେ ସେଠାରୁ ଚାଲିଯାଉଛନ୍ତି । ବାପଛେଉଣ୍ଡ ପିଲାଦୁଇଟି ସକାଳୁ ଉଠି ଯେବେ ନିଜ ମାଆକୁ ଡାକିଛନ୍ତି ମାଆ ଶୁଣିନାହାନ୍ତି । ଯେତେ ହଲେଇଲେ ଡାକିଲେ ବି ମାଆ ନୀରବରେ ପଡ଼ିରହିଛନ୍ତି । ସେଇ ସମୟରେ ମର୍ଣ୍ଣିଂ ୱାକ୍ ସାରି ଫେରୁଥିବା ଅଂଶୁସାର୍ ଏମିତି ଅବସ୍ଥାରେ ତାଙ୍କୁ ଦେଖି ଆବାକ୍ ହୋଇଯାଇଛନ୍ତି । ତାଙ୍କ ମାଆ ଆଉ ଏ ଦୁନିଆରେ ନାହାନ୍ତି ବୋଲି ସାର୍ କୋହଭରା କଣ୍ଠରେ କହିଛନ୍ତି । ସାରଙ୍କର କଥାକୁ ପ୍ରଥମେ ବିଶ୍ୱାସ କରିନାହାନ୍ତି ପିଲାଦୁଇଟି । ପରେ ନିକଟସ୍ଥ ବହୁଲୋକ ରୁଣ୍ଡ ହୋଇବା ସହ ପୋଲିସ୍ ଆସିବା ପରେ ସେମାନଙ୍କ ମାଆ ଅଫେରା ରାଇଜକୁ ଯାଇଛନ୍ତି ବୋଲି ହୃଦୟଙ୍ଗମ କରିଛନ୍ତି । ବୁକୁଫଟା କ୍ରନ୍ଦନ ରୋଳରେ କମ୍ପି ଉଠିଛି ଚତୁଃପାର୍ଶ୍ଵ ।
ରାଣୀ ଭୋ ଭୋ ହେଇ କାନ୍ଦିକାନ୍ଦି କହୁଥାଏ, “ମାଆ ମୋର ନୂଆସିଲଟ ଦରକାର ନାହିଁ, ତୁ କଥା କୁହ ମାଆ ।”
ରାଣୀକୁ ନିଜପାଖକୁ ଭିଡ଼ିଆଣି ରାଜୁ କହୁଥାଏ, “ନାଇଁଲୋ ପାଗେଳି, ମାଆ ଆଉ କଥା କହିବନି କି ନୂଆ ସିଲଟ ଦେବନି । ସେ ପରା ଦୂର ଆକାଶର ତାରାମାନଙ୍କ ଗହଣକୁ ଚାଲିଯାଇଛି । ଏକ ଅପରିଚିତ ଦୁନିଆକୁ ।”
ଭଙ୍ଗାସିଲଟ ଦୁଇଟି ସେଇଠି ସେମିତି ପଡ଼ି ରହିଥାଏ । ଲୁହରେ ଭିଜି ଯାଇଥାଏ । ରାଜୁ ରାଣୀଙ୍କ ଉଜ୍ଜ୍ୱଳ ଭବିଷ୍ୟତର ସପନ ଦେଖିଥିବା ସାବିତ୍ରୀର ସଂଘର୍ଷମୟ ଜୀବନର ଯବନିକା ପଡ଼ିଯାଇଥିଲା । ସେ ଦୁନିଆ ଛାଡ଼ିବା ପରେ କ’ଣ ତା’ ଅଧୁରା ସପନ ପୂରା ହେବ ବୋଲି ଭଙ୍ଗାସିଲଟ ଦୁଇଟି ଯେମିତି ପରସ୍ପରକୁ ପ୍ରଶ୍ନକରୁଥାନ୍ତି?
ଅଂଶୁମାନ ସାର୍ ପିଲା ଦୁହିଁଙ୍କୁ ଆଦରି ନେଇ ନିଜ ସନ୍ତାନ ପରି ପାଳିଲେ । ସମୟ ସ୍ରୋତରେ ସବୁ କିଛି ଆଜି ପରିବର୍ତ୍ତନ ହୋଇଛି । ଅଂଶୁମାନ ସାର୍ ଓ ତାଙ୍କ ଧର୍ମପତ୍ନୀଙ୍କ ନିଃସ୍ୱାର୍ଥପର ଭଲପାଇବା, ଯତ୍ନ, ଦାୟିତ୍ୱ, ଅନୁଶାସନ ଫଳରେ ରାଜୁ ରାଣୀ ଆଜି ଦୁଇ ଉଚ୍ଚପଦସ୍ଥ ସରକାରୀ କର୍ମଚାରୀ । ହେଲେ ଅମୂଲ୍ୟ ରତ୍ନ ପରି ସେ ଭଙ୍ଗାସିଲଟ ଦୁଇଟିକୁ ତାଙ୍କ ପାଖରେ ସାଇତି ରଖିଛନ୍ତି । ମାଆ କଥା ମନେପଡ଼ିଲେ ସେ ସିଲଟ ସହ କେଜାଣି କ’ଣ କଥା ହୁଅନ୍ତି ! ! ମାଆର ଶେଷ ସ୍ମୃତି ସନ୍ତକକୁ କେମିତି ବା ପର କରନ୍ତେ ଯେ !
– ଜନ୍ମଜୟ ନାୟକ
Comments
ଜନ୍ମଜୟ ନାୟକ ପେଶାରେ ଜଣେ ସରକାରୀ ଶିକ୍ଷକ, କିନ୍ତୁ ନିଶା ତାଙ୍କର ଗପ ଓ କବିତା ଲେଖିବା । ପୁରୀ ଜିଲ୍ଲାର ଚିଲିକା ନୋଡାଲ ହାଇସ୍କୁଲରେ କାର୍ଯ୍ୟରତ ଥିବା ଏହି ଶିକ୍ଷକଙ୍କର ଗପଗୁଡ଼ିକ ଅନେକ ପତ୍ରିକପତ୍ରିକାରେ ସ୍ଥାନିତ ହୋଇଛି ।