ମୁହଁ ସଞ୍ଜରେ ମେଘର ଛାଉଣୀ ଘୋଟି ଆସିଥିଲା । ପୁରୀ ବେଳାଭୂମିରେ କୁଢ଼େଇ ହୋଇପଡ଼ିଥିଲା କୁହୁଡ଼ିର ଚାଦର ଆଉ ତା’ ସହିତ ଅତୀତର ବୁକୁଫଟା ସ୍ମୃତି । ରକ୍ତଭିଜା ସ୍ମୃତିର ପୃଷ୍ଠା ଲେଉଟି ଯାଉଥିଲା ଆଖି ଆଗରେ । ଶୋଇପଡ଼ିଛି ସଞ୍ଜବତୀ ଏକ ଭଙ୍ଗା ଚଉରାମୂଳେ । ସ୍ମୃତିର ପରଦା ଆଡ଼େଇ ୫ ବର୍ଷର ଅତୀତକକୁ ଫେରି ଯାଇଛି ସେ…
ଶୀତୁଆ ସକାଳରେ ଗରମା ଗରମ ଚା’ ସାଙ୍ଗକୁ ବିସ୍କୁଟ ଆଣି ଥୋଇଦେଲେ ଟେବୁଲ ଉପରେ ।
– “କାହିଁ ତୁ ଉଠିନୁ ଏଯାଏ?”
– “ବାପା ପ୍ଲିଜ, ଆଜି ସ୍କୁଲ ଯିବିନି । ଶୋଇବାକୁ ଚାହୁଁଚି ।”
ସ୍ନେହଭରା ଚୁମାଟେ ଦେଇକି କୋଳକୁ ଭିଡ଼ିଆଣିଲେ, ଆଉ ଧୀରେ ଧୀରେ ମସକଲ କେଶକୁ ଆଉଁଶି ଆଉଁଶି ଜଙ୍ଘ ଉପରେ ଥାପି ଦେଲେ ।
– “ଆଜି ହୁଏତ ତୋ ମା’ ଥିଲେ ତୋତେ ଏମିତି ସକାଳୁ ଉଠାଇ ସ୍କୁଲ ପଠାଇଥାନ୍ତା ।”
– ନିଦକୁ ବିଛଣା ଉପରେ ଫୋପାଡ଼ି ଦେଇ ରାଗ ଗରଗର ହୋଇ ବିଛଣାରୁ ଉଠିଗଲା କୁନି ଝିଅଟି ।
ଯାଉ ଯାଉ ଟିକେ ରହିଗଲା ! “ଜନ୍ମ କରି ମୋତେ ଏକୁଟିଆ ଛାଡ଼ି ଯେତେବେଳେ ପଳେଇ ଗଲା, ୬ ମାସର ଝିଅ ବାବଦରେ କେତେ ଭବିଥିଲା ସେ? ତା’କଥା ମତେ ଆଉ ଜମା କହିବନି ।”
୭ ବର୍ଷର ଝିଅର ଏମିତି ପରିପକ୍ଵ ଭାଷା ବିଷ ଉଗାଳିଲା ପରି ଲାଗୁଥିଲା । ପ୍ରେମ ବିବାହ କରିଥିଲେ ଅଳକାକୁ । ଦୁହେଁ ଜଗନାଥଙ୍କୁ ସାକ୍ଷୀରଖି ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଥିଲେ । ଫୁଲରୁ ଭଅଁର ଉଡ଼ିଯିବା ଭଳି ଝିଅକୁ ଜନ୍ମଦେଇ ସେ ତା’ ବାଟ କଟିନେଇଥିଲା ଓ ଅନ୍ୟ ଜଣକୁ ବିବାହ କରି ସଂସାର କରିଥିଲା । ବାପ ଓ ମା’ର ସମ୍ପୂର୍ଣ୍ଣ ଦାୟିତ୍ୱ ଓ କର୍ତ୍ତବ୍ୟ ସବୁ ହିଁ ତା’ ଉପରେ । ବେଳେବେଳେ ବିତୃଷ୍ଣା ଭାବ ଆସେ, ହେଲେ ସବୁ ଏଡ଼େଇଯାଏ କେବଳ କୁନି ଅଧରର ହସ ଟିକକ ପାଇଁ । ମା’ର ଅଭାବ ତାକୁ ସମୟ ଚକରେ ପେଶୀ ପରିପକ୍ୱର ସ୍ୱାଦ ଚଖେଇ ସାରିଥିଲା । ଆଖିରୁ ନିଦ ଛାଡ଼ିନଥିଏ । ଦାନ୍ତ ଘଷି, ଗାଧୋଇବାକୁ ବାହାରିଗଲା ଝିଅଟି । ମାର୍ଗଶିର ମାସର ଶୀତୁଆ ସକାଳ । ସେଥିପାଇଁ ଆଗୁଆ ଗରମପାଣି କରି ରଖିଦେଇଥିଲେ ସେ। କେବେ ମା’ର ଅନୁଭବ ହବାକୁ ଦେଇ ନାହାନ୍ତି । ତାଙ୍କୁ କୁଣ୍ଢେଇ ତାଙ୍କ ପେଟ ଉପରେ ନ ଶୋଇଲେ ତାକୁ ନିଦ ହୁଏନି । ବେଳେ ବେଳେ ଭୋରୁ ଭୋରୁ ଦଲକାଏ ମୁତିଦିଏ ଆଉ ସେଇ ମୁତରେ ବାପ ଝିଅ ଦୁହେଁ ଥୁରୁଥୁରୁ ହୁଅନ୍ତି ଆଉ ମୁତର ଗନ୍ଧରେ (ନା ନା ବାସ୍ନାରେ) ପରିତୃପ୍ତ ହୁଏ ବାପର ମନ ।
ଗାଧୋଇ ସାରି ସଜବାଜ ହୋଇସାରିଲା ବେଳକୁ ବାପା ଟିଫିନ ସଜାଡ଼ି ନାହାନ୍ତି । ଧେତ !! ସଙ୍ଗେ ସାଙ୍ଗେ ବାପାଙ୍କୁ ସାହାଯ୍ୟ କରିବାକୁ ଯାଇ ହାତ ଲଗେଇ ବସିଲା ଝିଅ । କୌଣସି କାମରେ ବାପ ଝିଅ ଦୁହେଁ ଦୁହିଁଙ୍କୁ ପଛୁଆ ନ ପେଲିଲେ, କାମ ଆଗକୁ ବଢ଼େନି । ୯.୩୦ ବାଜିଲାଣି, ଶୀଘ୍ର ଯାଇ ସ୍କୁଲରେ ପହଞ୍ଚିବାକୁ ହେବ । କିନ୍ତୁ ଶୀତୁଆ ସକାଳରେ ଆଉଟିକେ କମଳ ଘୋଡ଼େଇ ଶୋଇବାର ଅଭିଳାଷା ଝିଅର ନିଦୁଆ ଆଖିରୁ ଜଣାପଡ଼ୁଥିଲା ସ୍ପଷ୍ଟ ଭାବେ । ଗାଡ଼ିରେ ବସୁ ବସୁ ଝିଅ କହୁଥାଏ, “ବାପା ଆଜି ମୁଁ ସ୍କୁଲ ଯିବିନି, ଶୋଇବି ।” ନିତିଦିନିଆ ଅବଶ୍ୟ ନୁହେଁ, କିନ୍ତୁ ଏମିତି ନାଟକ ସହିତ ଅବଗତ ବାପା ତାକୁ ସ୍କୁଲ ଅଭିମୁଖେ ନେଇକି ଗଲେ । ଯାଉଯାଉ ବାଟରେ ତା’ର ମାମୁଁ ଦେଖା ହୋଇଗଲେ ଆଉ ସେ ତାକୁ ନେଇ ଗଲେ ଛାଡ଼ିବାକୁ । ଗାଡ଼ି ବଦଳ ବେଳେ ସେ କାତରଭରା ଚାହାଣୀରେ ପୁଣି କହିଲା, “ବାପା ମୁଁ ଆଜି ସ୍କୁଲ ଯିବିନି, ଆଉ ଟିକେ ଶୋଇବି ।”
ସ୍ନେହବଳା ଚୁମ୍ବନଟିଏ ଦେଇ ବାପା ତାକୁ ମାମୁଁ ସହିତ ବାଟେଇ ଦେଇ ନିଜ କାମରେ ବାହାରି ଗଲେ । ୧୧ଟା ବାଜିଲାଣି ଝିଅକୁ ଆଣିବାକୁ ହେବ, ହେଲେ କାମ ବ୍ୟସ୍ତତାରୁ ଯାଇପାରିଲେନି । ନିଜ ବନ୍ଧୁକୁ ଅର୍ଥାତ ଝିଅର ମାମୁଁକୁ ମେସେଜ କରି କହିଦେଇଥିଲେ । ପ୍ରେସରୁ କାମ ସାରି ଫେରିଲା ବେଳକୁ ୧ଟା ବାଜିଯାଇଥିଲା । ହଠାତ ମନେପଡ଼ିଲା କି ଝିଅ ଆସିଯାଇଥିବ ଆଉ ଘରେ ଖାଇବାକୁ କିଛି ନାହିଁ । ଭୋକରେ ଥିବ। ହେଲେ ଆଜି ରାଗିକି ସ୍କୁଲ ଯାଇଥିଲା ତେଣୁ ତା’ ପାଇଁ ଚଟପଟି ଆଉ କାବୁଲି ଭଜା ନେଇକି ଯିବ, ତାକୁ ଭାରି ପସନ୍ଦ । ଘରେ ପହଞ୍ଚିବାକୁ ଘଣ୍ଟାଏ ଲାଗିଯିବ ବୋଧହୁଏ ! ଏ ଯେଉଁ ଟ୍ରାଫିକ ଭିଡ଼ ହେଲାଣି, କହୁ କହୁ ଫୋନ ହଠାତ ବାଜି ଉଠିଲା । ବାରମ୍ବାର କଲ ଆସିବାରୁ ଗାଡ଼ି ପାଖ କରି ଫୋନ ଉଠାଇଲା । ଫୋନ ଆର ପାଖରୁ ଶୁଣା କଥା ବ୍ୟସ୍ତ କରିପକାଉ ଥାଏ । ଅଜଣା ଏକ ଭୟରେ ଥରି ଉଠିଲା ତାଙ୍କ ଛାତି । ହାତର କମ୍ପନ ଆଉ ଆଖିର ଅଶ୍ରୁଧାର ସୁଚେଇ ଦେଉ ଥିଲା ତାଙ୍କ ଅସହାୟତା । କ୍ୟାପିଟାଲ ହସ୍ପିଟାଲ ଆଡ଼କୁ ଗାଡ଼ିର ଗତି ବଢ଼ିଚାଲିଲା….
ମନ ଭିତରେ ଅନେକ ଆଶଙ୍କା ଓ ଭୟ । ଗାଡ଼ି ଚଳେଇବାକୁ ହାତ ଥରୁଥାଏ । ଯଥାକଥା ହସ୍ପିଟାଲ ପହଞ୍ଚି ଗଲେ ସେ । ଆଗରୁ ପହଞ୍ଚି ଯାଇଥିଲେ ତାଙ୍କ ବନ୍ଧୁ ଜଣକ । କ’ଣ ହୋଇଛି କିଛି ବୁଝିବା ଆଗରୁ କଇଁ କଇଁ ହୋଇ କାନ୍ଦି ଉଠିଲେ ସେ । ସବୁ କେମିତି ଗୋଟେ ସେକେଣ୍ଡରେ ବିତି ଯାଉଥିଲା । ସେ ସବୁକୁ ବୁଝିବା ଏତେ ସହଜ ନ ଥିଲା ତାଙ୍କ ପକ୍ଷେ । ନିଜ ଝିଅର ରକ୍ତଭିଜା ସ୍କୁଲ ବ୍ୟାଗ ଦେଖି ଗମ୍ଭୀର ସ୍ୱରରେ ପଚାରିଲେ, “କ’ଣ ହୋଇଛି ମୋ ଝିଅର?”
ସବୁ ଶବ୍ଦର ପାହାଡ଼ର ବୁକୁଭେଦି ଲେଉଟାଣି ଫେରି ଆସିବା ପରି ନିରୁତ୍ତର ଥିଲେ ବନ୍ଧୁ ଜଣକ । ପାଖରେ ଠିଆହୋଇଥିବା ନର୍ସଙ୍କ କହିବା ଅନୁଯାୟୀ ତାଙ୍କର କୁନି କୋମଳ ଫୁଲଟି ରାସ୍ତାର ବ୍ୟତିକ୍ରମ ଗାଡ଼ିଚାଲନା ଯୋଗୁଁ ଚକଟି ହୋଇଯାଇଛି । ଆଉ ସେ କେବେ ଫେରି ପାରିବନି ତାଙ୍କ ସକାଳର ହସକୁ । ଆକାଶର ମେଘ ଯେମିତି ଲୁହ ହେଇ ବହିଯାଉଥିଲା; ବିଜୁଳିର ଚମକ ପରି ମୁହଁ ତାଙ୍କର ନାଲି ହେଇଉଠିଥିଲା । ଗର୍ଜନ କରିଉଠୁଥିବା ହୃଦୟର ନଈସବୁ ବନ୍ଧ ଭାଙ୍ଗି ଆଗକୁ ବଢ଼ି ଚାଲିଥାଏ । କାନରେ ବାରମ୍ବାର ଗୁଞ୍ଜରିତ ହୋଇ ଉଠୁଥାଏ ସକାଳର ଶେଷ କଥା ପଦକ, “ବାପା ଆଜି ମୁଁ ସ୍କୁଲ ଯିବିନି, ଶୋଇବି ।” ଆଜି ଚୀର ନିଦ୍ରାରେ ଶୋଇଗଲା ।
ଡାକ୍ତର ସବୁ କାଗଜକୁ ତଦାରଖ କରି ଶବ ବ୍ୟବଛେଦ ପାଇଁ ଲେଖିଦେଲେ; ପୋଲିସ ବି ତାଙ୍କ କାମ ସାରି ଚାଲିଗଲେ । ନୂଆ ଟ୍ରାଫିକ ନିୟମ ଅନୁସାରେ ସହରରେ ଶୃଙ୍ଖଳା ଆଣିବା ସରକାରଙ୍କ ପଦକ୍ଷେପକୁ ଦିନେ ସମାଲୋଚନା କରୁଥିଲେ ସମସ୍ତେ । ଆଜି ସେଇ ଉଦ୍ଧତ ବର୍ଗର ଜଣେ ଯୁବକ ସାପ ପରି ଗାଡ଼ି ଚଳାଇ ଆସୁଥିବାବେଳେ ତାଙ୍କ ଝିଅକୁ ଧକ୍କା କରିଥିଲା ଆଉ ସେ ବି ପୁଣି ରାସ୍ତାରେ ୪ ହାତ ଭିତରକୁ । ପାଦଚଲାଳୀମାନଙ୍କ ପାଇଁ ଅସୁରକ୍ଷିତ ଏ ସହରରେ ସେ କେମିତି ଛାଡ଼ିପାରିଲେ ତାଙ୍କ ଝିଅକୁ ଏକା !! ଆଉ ସେତେବେଳେ କ’ଣ କରୁଥିଲେ ତାଙ୍କ ପରମ ଆରାଧ୍ୟ ଜଗନ୍ନାଥ । ସେ କ’ଣ…
ପୁଷ୍କରିଣୀର ସ୍ଥିର ପାଣିକୁ ସ୍ପର୍ଶକଲେ ଯେମିତି ପାଣି ଚହଲିଯାଏ ଏବଂ ନିଜର ପ୍ରତିବିମ୍ବ ଆଉ ଦେଖାଯାଏନି, ସେମିତି ଏଇ ଟୋପାଏ ଲୁହ ଝରି ପଡ଼ି ସ୍ମୃତିର ପାଣି ଚହଲି ଗଲା । ସବୁ ଝାପ୍ସା ଦିଶିଲା….
ଅବଚେତନ ମନ ଭିତରୁ କିଛି ଫର୍ଦ୍ଦ ହଟିଗଲା । ଆଜି ବିତିଯାଇଛି ପାଞ୍ଚ ବର୍ଷ । ଏଇ ସ୍ୱର୍ଗ ଦ୍ୱାରରେ ଜାଳି ଦେଇଥିଲେ ତାଙ୍କ ଭିତରେ ଗଢ଼ିଉଠିଥିବା ମାତୃତ୍ୱକୁ, ଦାଇତ୍ୱବାନ ପିତାକୁ । ଉଇଁଲା ସଞ୍ଜ ମାଡ଼ି ଆସୁଥାଏ । ତର ତର ହୋଇ ଉଠି ଆସିଲେ ସମୁଦ୍ର କୂଳରୁ । କିଛି ସମୟ ଠିଆ ହୋଇ ରହିଲେ ସ୍ୱର୍ଗଦ୍ୱାର ଜୁଇ ପାର୍ଶ୍ୱରେ । କାଲିପରି ସବୁ ନାଚି ଉଠୁଛି ଆଖି ଆଗରେ । ମମତାର ମଧୁର ବିନ୍ଦୁ ଏଇଠି ପାଉଁଶ ହୋଇଯାଇଥିଲା ସେଦିନ । କୋହର ବନ୍ଧ ଉଛୁଳା ନଈକୁ କେତେ ଯେ ସମ୍ଭାଳିବ? ମାଡ଼ି ଆସୁଥିବା କୋହକୁ ବାନ୍ଧି ରଖି ସେ ଶ୍ରୀମନ୍ଦିର ଆଡକୁ ଚାଲିଲେ…
ମୂଳ ରଚନା: ମହମ୍ମଦ ସାଦ୍ରିୱାଲା
ଅନସୃଜନ: ଗୋପୀ କିଷନ ପରିଡ଼ା
Comments
ଗୋପୀକିଶନ ପରିଡ଼ା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।